୧୮ରୁ ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ; ଟ୍ୱିଟ୍‌ ଯୋଗେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା

ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ଚାଲିବ ସ୍ୱତନ୍ତ୍ର ଅଧିବେଶନ । ୫ଟି କାର୍ଯ୍ୟଦିବସରେ ଚାଲିବ ଲୋକସଭା ଓ ରାଜ୍ୟସଭା ଅଧିବେଶନ ।

Parliament Session

ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସେପଟେମ୍ବର ୧୮ରୁ ୨୨ ତାରିଖ ଯାଏ ଉଭୟ ରାଜ୍ୟ ସଭା ଓ ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।

କିନ୍ତୁ ପ୍ରକୃତରେ କେଉଁ କାରଣ ପାଇଁ ମୋଦି ସରକାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । କିଛି ଦିନ ହେଲା ଚର୍ଚ୍ଚା ହେଉଛି ଯେ, ଆଗୁଆ ସରକାର ଭାଙ୍ଗି ସାଧାରଣ ନିର୍ବାଚନ ଆଗୁଆ କରାଯାଇପାରେ । ଏଥିପାଇଁ ବିଜେପି ପ୍ରସ୍ତୁତି କରୁଥିବା ଆଗରୁ ମମତା ବାନାର୍ଜୀ ଓ ନୀତିଶ କୁମାର କହିଥିଲେ।

ସେପଟେ ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ବିରୋଧୀ ମେଣ୍ଟ । ଏ ସୂଚନା ଅନୁସାରେ ସେମିତି କିଛି ଖାସ୍ ବିଲ୍ ପାସ୍ କରାଇବାର କେନ୍ଦ୍ରର ଯୋଜନା ନାହିଁ । ତଥାପି କାହିଁକି କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି, ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।