ପଶ୍ଚିମବଙ୍ଗରେ ମୋଦି; ସପ୍ତାହେ ଭିତରେ ଦ୍ୱିତୀୟ ଗସ୍ତ, ଉଠିବ ସନ୍ଦେଶଖାଲି ପ୍ରସଙ୍ଗ

ପଶ୍ଚିମବଙ୍ଗରେ ଆଜି ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାସତରେ ମହିଳା ସମାବେଶକୁ ସମ୍ବୋଧନ କରି ନାରୀ ସଶକ୍ତିକରଣ ଏବଂ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇବେ ବୋଲି କୁହାଯାଉଛି ।

PM Modi

ପଶ୍ଚିମବଙ୍ଗରେ ଆଜି ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାସତରେ ମହିଳା ସମାବେଶକୁ ସମ୍ବୋଧନ କରି ନାରୀ ସଶକ୍ତିକରଣ ଏବଂ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇବେ ବୋଲି କୁହାଯାଉଛି । ୫ଦିନ ତଳେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରି ଆରାମବାଗରେ ଟିଏମସି ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିବା ବେଳେ, ସପ୍ତାହେ ଭିତରେ ଏହା ତାଙ୍କର ଦ୍ୱିତୀୟ ଗସ୍ତ ।

ତେବେ ଦିନକ ପରେ ଅନ୍ତର୍ଜାତୀୟ ମହିଳା ଦିବସ ଥିବା ବେଳେ, ଏହାର ଠିକ୍ ପୂର୍ବରୁ ମୋଦିଙ୍କ ମହିଳା ରାଲି ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଚର୍ଚ୍ଚା ହେଉଛି, ଏହି ସଭାରେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ନିଜ ଅଭିଯୋଗ ଜଣାଇବାର ସୁଯୋଗ ପାଇବେ କିଛି ମହିଳା । ଗତକାଲି ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ରାଜଭବନରେ ରାତ୍ରିଯାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଆଜି ହାୱଡ଼ାରେ ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ପ୍ରକଳ୍ପ ଲୋକାର୍ପଣ ପରେ ଆକାଶମାର୍ଗରେ ବାରାସତ ଯିବେ ମୋଦି । ସେଠାରେ ମହିଳା ସମାବେଶକୁ ଉଦବୋଧନ ଦେବା ପୂର୍ବରୁ ୧୧ କିଲୋମିଟରର ମେଗା ରୋଡ ଶୋ କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଆଜି ହାୱଡ଼ାରେ ଦେଶର ପ୍ରଥମ ଅଣ୍ଡର-ୱାଟର୍ ମେଟ୍ରୋ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦି ।

ଏଥିରେ କେବଳ ସ୍ଥଳଭାଗ ନୁହେଁ, ପାଣି ଭିତରେ ବି ଦୌଡ଼ିବ ମେଟ୍ରୋ ଟ୍ରେନ୍ । ହୁଗୁଳି ନଦୀ ଭିତରେ ଦେଇ କୋଲକାତାର ମୈଦାନ ଷ୍ଟେସନରୁ ଏସପ୍ଲାନେଡ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଚାଲିବ ଏହି ଅଣ୍ଡର ୱାଟର ମେଟ୍ରୋ । ମୋଟ ମେଟ୍ରୋ ଲାଇନର ଦୈର୍ଘ୍ୟ ୧୬.୫ କିଲୋମିଟର ହୋଇଥିବା ବେଳେ, ୫୨୦ ମିଟର ପାଣି ତଳେ ରହିଛି ।

ଏହାକୁ ପାର୍ କରିବା ପାଇଁ ମାତ୍ର ୪୫ ସେକେଣ୍ଡ ଲାଗିବ । ୨୦୧୦ ମସିହାରୁ ଏହି ପ୍ରୋଜେକ୍ଟ କାମ ଆରମ୍ଭ ହୋଇ ଥିଲା । କିଛି ଦିନତଳେ ଏହାର ପ୍ରଥମ ଟ୍ରାଏଲ୍ ରନ୍ ବି ସଫଳ ହୋଇଛି । ଆଜି ଉଦଘାଟନ ପରେ, ଆସନ୍ତା କିଛି ମାସ ଯାଏ ଏହାର ଟ୍ରାଏଲ୍ ରନ୍ ହେବ । ଏହା ପରେ ଯାତ୍ରୀଙ୍କୁ ନେଇ ଚାଲିବ ଅଣ୍ଡର ୱାଟର୍ ମେଟ୍ରୋ ଟ୍ରେନ୍ ।