ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ପ୍ରମିଳା ମଲ୍ଲିକ

ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କଲେ ପ୍ରମିଳା ମଲ୍ଲିକ ।

Pramila Mallick

ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେଡି ପ୍ରାର୍ଥୀ ଭାବେ ସେ ନାମାଙ୍କନ ଭରିଛନ୍ତି । ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଗତକାଲି ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା । ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରାଯିବା ପରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିଲା ବିଧାନସଭାର ବାଚସ୍ପତି ପଦ।

ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ପ୍ରମିଳା ମଲ୍ଲିକ । ଯେହେତୁ ଆଉ ଏ ପର୍ଯ୍ୟନ୍ତ ଆଉ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି ତେଣୁ ପ୍ରମିଳା ବାଚସ୍ପତି ହେବା ପ୍ରାୟ ନିଶ୍ଚିତ । ଯଦି ପ୍ରମିଳା ବାଚସ୍ପତି ହୁଅନ୍ତି ତେବେ ସେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ ।

ଆଜି ବିଧାନସଭା ଯାଇ ବିଧାନସଭା ସଚିବଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛି । ପ୍ରମିଳାଙ୍କ ପ୍ରାର୍ଥିପତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବକ ଓ ମନ୍ତ୍ରୀ ନୀରଂଜନ ପୂଜାରୀ ସମର୍ଥକ ରହିଥିଲେ । ଯଦି ଆଜି ଆଉ କେହି ପ୍ରାର୍ଥିପତ୍ର ଦାଖଲ ନ କରନ୍ତି ତେବେ ସର୍ବସମ୍ମତି କ୍ରମେ ପ୍ରମିଳାଙ୍କୁ ବାଚସ୍ପତି ଘୋଷଣା କରାଯିବ ।

ଆସନ୍ତକାଲିଠାରୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ । ବିଜେଡିର ପଞ୍ଚମ ପାଳି ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ୬ ଥର ବିଧାୟିକା ହୋଇଛନ୍ତି । ସେହିଭଳି ବିଜେଡି ସରକାରରେ ଏକାଧିକ ଥର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ଦଳର ଅଭିଜ୍ଞ ଓ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରାଯିବା ପରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିଲା ବିଧାନସଭାର ବାଚସ୍ପତି ପଦ । ପ୍ରମିଳା ବାଚସ୍ପତି ହେଲେ ସେ ହେବେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ।

ସେପଟେ ବାଚସ୍ପତି ପ୍ରାର୍ଥୀ ଘୋଷଣା ପରେ ପ୍ରମିଳା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ‘ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା ରଖିଥିବାରୁ ସେ କୃତଜ୍ଞ । ମହିଳା ବାଚସ୍ପତି ପ୍ରାର୍ଥୀ କରି ସେ ମହିଳାଙ୍କ ଦକ୍ଷତା ପ୍ରମାଣ କରିଛନ୍ତି । ନିରପେକ୍ଷ ଭାବେ ସବୁ ଦଳଙ୍କୁ ନେଇ ଗୃହ ଚଳାଇବି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।