ପଞ୍ଚାୟତ ପଲିଟିକ୍ସରେ ଏବେ ଫୋକସ୍ କୋରାପୁଟ୍ ଜିଲ୍ଲା ପରିଷଦ ଉପରେ। ଏକଦା କଂଗ୍ରେସର ଜରବଦସ୍ତ ପ୍ରଭାବ ଥିବା ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜିଲ୍ଲା କୋରାପୁଟ୍ ଏଇ ଜିଲ୍ଲା ପରିଷଦ ଅଧିନରେ ଅଛି। ମୋଟ୍ ୨୯ଟି ଜୋନ୍ ଅର୍ଥାତ୍ ଏଇ ୨୯ଟି ଜୋନକୁ ନେଇ ଗଠିତ କୋରାପୁଟ ଜିଲ୍ଲା ପରିଷଦରେ ବିଗତ ତିନିଟି ଟର୍ମ ଧରି ବିଜେଡିର ଦବଦବା ଆଗରୁ କଂଗ୍ରେସ ନେକ୍ ଟୁ ନେକ୍ ଫାଇଟ୍ ଦେଉଥିଲା, ହେଲେ ୨୦୧୭ ପଞ୍ଚାୟତ ନିର୍ବାଚନରୁ ଏଠି ଏକଦମ୍ ବିଜେଡିର ହୋଲ୍ଡ। ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବିଜେଡିରୁ ଦଳର ତୁଳସୀ କିର୍ଷାନୀ ଅଧ୍ୟକ୍ଷା ହୋଇଥିଲାବେଳେ ଉପାଧ୍ୟକ୍ଷ ପଦରେ ଅଛନ୍ତି ନରସୁଲ କାମୁଡି।
ଆମେ ଯଦି ଆସନ ସଂଖ୍ୟା କଥା ଦେଖିବା, ତାହେଲେ ୨୦୧୭ରେ ବିଜେଡି ସର୍ବାଧିକ ୨୪ଟି ଜୋନରେ ଜିତିଥିଲା ବେଳେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସକୁ ମିଳିଥିଲା ୪ଟି ସିଟ୍। ଆଉ ବିଜେପି ପ୍ରଥମ ଥର ପାଇଁ ଗୋଟିଏ ଆସନ ସହ କୋରାପୁଟ ଜିଲ୍ଲା ପରିଷଦକୁ ଏଣ୍ଟ୍ରି କରିଥିଲା। ୧୪ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୧୪ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୨୪୦ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା ୨ ହଜାର ୯୭୩ ଅର୍ଥାତ୍ ଦୁଇ ହଜାର ୯୭୩ଟି ଓ୍ୱାର୍ଡର ନେତା ବା ଓ୍ୱାର୍ଡସଭ୍ୟ ପଦ ପାଇଁ ବି ହେବ ଭୋଟ୍।
କୋଲାବ ଜଳଭଣ୍ଡାର ଓ କୋରାପୁଟର ପରିଚୟ । ଆଉ ତାରି ନିକଟରେ ରହିଛି ବଡ କେରେଙ୍ଗା ପଂଚାୟତ ଜଳଭଣ୍ଡାର। ସାରା ରାଜ୍ୟରେ ପରିଚିତ, ହେଲେ ନିଜ ପାଇଁ ଆଜିବି ଅସ୍ତିତ୍ୱ ଖୋଜୁଛି ବଡ କେରେଙ୍ଗା ପଂଚାୟତ। ଜଳଭଣ୍ଡାର ପାଖରେ ଥାଇ ବି ପଂଚାୟତରେ ପିଇବା ପାଣିର ଅଭାବ ରହିଛି। ଷ୍ଟାଣ୍ଡ ପୋଷ୍ଟ ଥାଇ ବି ନଥିଲା ଭଳି, ତେଣୁ ନଳକୂଅ ଉପରେ ଭରସା। ମୁଖ୍ୟ ରାସ୍ତା ଗୁଡିକ ଠିକଠାକ, ହେଲେ ଗାଁକୁ ଯୋଡୁଥିବା ରାସ୍ତାର ଅବସ୍ଥା ନକହିଲେ ଭଲ। ତେନ୍ତିଳିଗୁଡା, ତାରାମାଝିଗୁଡା, ପୁଲୁସା ଭଳି ୬ଟି ଗାଁର ହଜାର ହଜାର ଲୋକଙ୍କ ଯେମିତି ଦେହସୁହା ହୋଇଗଲାଣି ଏ ସମସ୍ୟା। ଗାଁର ଛକ ଅନୁପାତରେ ପର୍ଯ୍ୟାପ୍ତ ଷ୍ଟ୍ରିଟଲାଇଟ୍ ନାହିଁ। ଆବାସ ଯୋଜନାରେ ଅନେକ ହିତାଧିକାରୀଙ୍କୁ ଘର ମିଳିନଥିବା ଅଭିଯୋଗ ବି ହୋଇଛି।
ଏଠି ଆଉ ଏକ ସମସ୍ୟା ହେଲା ନେଟୱାର୍କ। ଅପରକୋଲାବ ଜଳବିଦ୍ୟୁତ୍ ପ୍ରକଳ୍ପର ରିଜର୍ଭର ଓ ପାର୍କ ପର୍ଯ୍ୟଟକଙ୍କୁ ବର୍ଷ ତମାମ୍ ଆକୃଷ୍ଟ କରେ। ହେଲେ ନେଟୱାର୍କ ନଥିବାରୁ ସମସ୍ତେ ନିରାଶ । ଦୁର୍ବଳ ନେଟୱାର୍କ ଯୋଗୁଁ ଅନଲାଇନ୍ ପାଠପଢା, ଡିଜିଟାଲ୍ ସେବା, ପୋଷ୍ଟାଲ ଓ ବ୍ୟାଙ୍କ ସେବାରେ ବି ଅସୁବିଧା। ସବୁଠୁ ଯାହା ଅଧିକ କଷ୍ଚଦାୟକ ତାହା ହେଉଛି ଏଠିକାର ସ୍ୱାସ୍ଥ୍ୟ ସେବା। କାରଣ ଅନେକ ସ୍ଥାନରେ ଡାକ୍ତର ନାହାନ୍ତି କି ସ୍ୱାସ୍ଥ୍ୟକର୍ମୀ ବି ନାହାନ୍ତି। ଦେହ ଖରାପ ହେଲେ ରୋଗୀଙ୍କୁ ୧୫ କିଲୋମିଟର ଦୂର କୋରାପୁଟ କିମ୍ବା ଜୟପୁର ଦୌଡିବାକୁ ପଡୁଛି। ମୌଳିକ ସୁବିଧାରୁ ବଂଚିତ ପଂଚାୟତ ବାସିନ୍ଦା ବିଗତ ଦିନରେ ବିରାଟ ଆନ୍ଦୋଳନ କରିଥିବା ବେଳେ ଆଗକୁ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
Also Read
କୋରାପୁଟର ସିନ୍ଧିପୁଟ ନଦୀ ଘାଟ ଡେଇଁଲେ ଆରମ୍ଭ ହୁଏ ଲମତାପୁଟ ବ୍ଳକ୍ । ଆଉ ଏଇଠୁ ଆରମ୍ଭ ହେଉଛି ସମସ୍ୟା। ନଈର ଆକାତ ପାଣିରେ ଚାଲୁଛି ଭଙ୍ଗାଦଦରା ଡଙ୍ଗା । ଆଉ ସେଥିରେ ପାର୍ ହେଉଛନ୍ତି ପିଲାଠୁ ବୁଢା। କେବଳ ଏତିକି ନୁହେଁ ବରଂ ଗାଡି ମୋଟର ବି ବୁହା ହେଉଛି। ପୋଲଟିଏ ନିର୍ମାଣ ପାଇଁ ବର୍ଷ ବର୍ଷର ଦାବି ଆଜି ଯାଏଁ ଅଣଦେଖା ହୋଇ ରହିଛି।
ତେବେ ୨୦୦୭, ୨୦୧୨, ୨୦୧୭ ପଂଚାୟତ ନିର୍ବାଚନରେ ହ୍ୟାଟ୍ରିକ୍ ବିଜୟ ଲଗାତର ତିନି ତିନି ଥର ଜିଲ୍ଲା ପରିଷଦ ହାତେଇଛି ବିଜେଡି। ତେବେ ସବୁ ନିର୍ବାଚନରେ ବିଜେଡିକୁ କଡା ଟକ୍କର ଦେଇଛି କଂଗ୍ରେସ। ୨୦୦୭ରେ ଜିଲ୍ଲାର ମୋଟ ୨୯ଟି ଆସନରୁ କଂଗ୍ରେସକୁ ମିଳିଥିଲା ୧୫ଟି । ୧୪ଟି ଜିଲ୍ଲା ପରିଷଦ ହାତେଇଥିଲା ବିଜେଡି। ୨୦୧୨ରେ ଉଭୟ ବିଜେଡି ଓ କଂଗ୍ରେସକୁ ମିଳିଥିଲା ୧୪ଟି ଲେଖାଏଁ ଆସନ। ଏହି ସମୟରେ ନିର୍ଣ୍ଣାୟକ ସାଜିଥିଲେ ନାରାୟଣପାଟଣାର ସ୍ୱାଧିନ ପ୍ରାର୍ଥୀ ଜୁରା ମାଉକା। ଜୁରା ବିଜେଡିକୁ ଢଳିବାରୁ ସଭାପତି ବନିଥିଲେ ବୋରିଗୁମ୍ମାର ମାଳତୀ ମାଝି। ତେବେ ୨୦୧୭ରେ କିନ୍ତୁ ସାଂଘାତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା କଂଗ୍ରେସ। ମିଳିଥିଲା ମାତ୍ର ୪ଟି ସିଟ୍। ୨୪ଟି ସିଟ୍ ଜିତି ଜିଲ୍ଲା ପରିଷଦ ଗଢିଥିଲା ବିଜେଡି। ଗୋଟିଏ ଆସନ ପାଇଥିଲା ବିଜେପି । ଏବେ ପୁଣି ମୁଣ୍ଡ ଉପରେ ନିର୍ବାଚନ ରହିଛି। ୨୦୧୭ର ବିଜୟ ଦୋହରାଇବାକୁ ପ୍ରସ୍ତୁତ ବିଜେଡି । ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ଏଥର ଆସନ ସଂଖ୍ୟା ବଢିବ ସିନା କମିବାର ପ୍ରଶ୍ନ ଉଠୁନି। ତ୍ରୁଣମୂଳ ସ୍ତରରେ ଦଳ ପ୍ରସ୍ତୁତ ରହିଛି। ଜିଲ୍ଲାର ୫ଟିରୁ ୪ଟି ବିଧାୟକ ଆସନ ଜିତିଥିବାରୁ ଏଥର ପଂଚାୟତରେ ବିଜେଡିର ବିଜୟ ସୁନିଶ୍ଚିତ।
ଏପଟେ ବିପର୍ଯ୍ୟୟ ପରେ ବଡ ଧରଣର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ। ଲକ୍ଷ୍ୟ, ୨୦୦୭ ଏବଂ ୨୦୧୨ର ସଫଳତା ଦୋହରାଇବା। ସାଂସଦ ସପ୍ତଗିରି ଉଲ୍ଲାକାଙ୍କ କହିବା ହେଉଛି, ଉଭୟ କେନ୍ଦ୍ର ଓ ରାଜ୍ୟରେ ରହିଥିବା ସରକାର ଗରିବ ଖଟିଖିଆଙ୍କୁ ତଳିତଳାନ୍ତ କରିସାରିଲେଣି। ରାଜ୍ୟରେ ସବୁଠି ପିସି କାରବାର ଚାଲିଛି । ଏଥର ପଂଚାୟତରେ ପରିବର୍ତ୍ତନ ଆସିବ। ତେବେ କଂଗ୍ରେସ ପାଇଁ ହଟଚମଟ ସାଜିପାରେ। ନେତାଙ୍କ ଦଳ ବଦଳ କୋଟପାଡର ପୂର୍ବତନ ବିଧାୟକ ତଥା ଟାଣୁଆ ନେତା ଚନ୍ଦ୍ରଶେଖର ମାଝି ଏବଂ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା ହାତ ଛାଡି ବିଜେଡିରେ ମିଶିଛନ୍ତି। କୋରାପୁଟରେ କେବେ ଜିଲ୍ଲା ପରିଷଦ ଗଢିନଥିବା ବିଜେପି ବି ଫୁଲ୍ ଦମରେ ଲାଗିପଡିଛି ପଂଚାୟତ ଲଢେଇ ପାଇଁ। ପଇସା ଦେଇ ଭୋଟ୍ ନେବା ନୀତି ଆଉ ଚାଲିବ ନାହିଁ ଏବଂ ମୋଦିଙ୍କ ବିକାଶମୂଳକ ନୀତି ହିଁ ନିର୍ଣ୍ଣାୟକ ହେବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ।
ନେତାଙ୍କ ରାଜନୀତି ଭିତରେ କୋରାପୁଟ ପଂଚାୟତ ନିର୍ବାଚନରେ ବଦଳିଛି ସଂରକ୍ଷଣ ବ୍ୟବସ୍ଥା। ଜିଲ୍ଲାରେ ୨୯ଟି ଆସନରୁ ୧୫ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଥର ପଂଚାୟତ ନିର୍ବାନଚରେ ଯୁବ ଭୋଟଙ୍କ ଉପରେ ବି ରହିବ ନଜର କାରଣ, ଗତବର୍ଷ ତୁଳନାରେ ବଢିଛି ନୂଆ ଭୋଟରଙ୍କ ତାଲିକା ଯେଉଁମାନେ ସ୍ଥିର କରିବେ କୋରାପୁଟ ଜିଲ୍ଲାର ୨୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେତାଙ୍କ ଭାଗ୍ୟ।
ବିକାଶକୁ ନେଇ ଦଳୀୟ ଛକାପଞ୍ଝା ଭିତରେ ଜିଲ୍ଲାର ଭୌଗୋଳିକ ସ୍ଥିତି ଏବଂ ସୀମାବର୍ତ୍ତୀ ଇଲାକାରେ ବର୍ଷ ବର୍ଷ ଧରି ଚାଲିଥିବା ଦ୍ୱନ୍ଦ୍ୱ ଆଗାମୀ ନିର୍ବାଚନକୁ ଆହୁରି ସମ୍ବେଦନଶୀଳ କରିଦେଇଛି। ଚର୍ଚ୍ଚାରେ ରହିଛି କୋଟିଆ। ଏଠାରେ ସୀମା ବିବାଦ ଲାଗି ରହିଥିବା ବେଳେ କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶର ପଂଚାୟତ ନିର୍ବାଚନକୁ ନେଇ ହୋଇଥିବା ସଂଘର୍ଷ ପୁଣିଥରେ ଚର୍ଚ୍ଚା ଘେରକୁ ଆଣିଦେଇଛି ଏହି ପଂଚାୟତକୁ। ବିଜୁଳି, ଜଳ, ସଡକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମଗ୍ରିକ ବିକାଶକୁ ନେଇ ଦୁଇ ରାଜ୍ୟ ଭିତରେ ଟଣାଓଟରା ଚାଲିଛି। ଆଉ ଏହାର ଶୀକାର ହେଉଛନ୍ତି ସୀମାବର୍ତ୍ତୀ ବାସିନ୍ଦା। ତେବେ ଦେଖିବାକୁ ବାକି ରହିଲା ଏଥର ଜିଲ୍ଲା ପରିଷଦ କିଏ ଗଢୁଛି।
କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ରିପୋର୍ଟ