Advertisment

ପଞ୍ଚାୟତ ପଲିଟିକ୍ସ: ବାଲେଶ୍ୱରରେ ବିଜେଡିର ରହିଛି ଦବଦବା, ବନ୍ୟା ଏଠାରେ ମୁଖ୍ୟ ପ୍ରସଙ୍ଗ

ଏଥର ବାଲେଶ୍ୱର ଆସନ ଉପରେ ସମସ୍ତଙ୍କ ନଜର: କାହିଁକି ନା ଏଠାରେ ଶାସକ ଦଳର ଦବଦବା ରହିଛି କିନ୍ତୁ ବିଜେପି ଫୋକସରେ ଅଛି ବାଲେଶ୍ୱର

ଅଦ୍ୟତନ ହୋଇଛି
Baleswar

Baleswar

Advertisment

ପଞ୍ଚାୟତ ନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ବାଲେଶ୍ୱର। ବାଲେଶ୍ୱର ଜିଲ୍ଲା ପରିଷଦ ରାଜନୈତିକ ଦୃଷ୍ଟିକୋଣରୁ ଉତ୍ତର ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ପରିଷଦ। ମୋଟ୍ ୪୫ଟି ଜୋନକୁ ନେଇ ଗଠିତ ଏଇ ଜିଲ୍ଲା ପରିଷଦରେ ଶାସକ ବିଜେଡିର ରାଜ୍ ଚାଲିଛି। ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ବିଜେଡି ହାତରେ ରହିଛି। ୨୦୧୭ରେ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ପାଇଁ ବିଜେଡିରୁ ନିବେଦିତା ମହାନ୍ତି ମନୋନୀତ ହୋଇଥିଲା ବେଳେ ଉପାଧ୍ୟକ୍ଷ ହୋଇଥିଲେ ଗଙ୍ଗାଧର ପାଢ଼ୀ। ତେବେ ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ଦେଖିଲେ ଗତ ନିର୍ବାଚନରେ ବିଜେଡି ସର୍ବାଧିକ ୩୧ଟି ଜୋନରେ ଜିତିଥିଲା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ବିଜେପିକୁ ମିଳିଥିଲା ୧୩ଟି ସିଟ୍। ଆଉ ଶୋଚନୀୟ ପ୍ରଦର୍ଶନ ସହ କଂଗ୍ରେସ ମାତ୍ର ଗୋଟିଏ ଜୋନ୍ ଦଖଲ କରିବାରେ ସମର୍ଥ ହୋଇଥିଲା।

Advertisment

ପରବର୍ତ୍ତୀ ସମୟରେ ବିଜେପିର ଦୁଇଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜେଡିରେ ଯୋଗ ଦେବାରୁ ପରିଷଦରେ ଦଳର ସଂଖ୍ୟା ୩୩କୁ ଛୁଇଁଥିଲା। ଏ ତ ଗଲା ଜିଲ୍ଲା ପରିଷଦ କଥା, ତେବେ ୧୨ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୧୨ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୩୬୫ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା ୪ ହଜାର ୮୭୦ ଅର୍ଥାତ୍ ୪ ହଜାର ୮୭୦ଟି ଓ୍ୱାର୍ଡର ନେତା ବା ଓ୍ୱାର୍ଡ ସଭ୍ୟ ପଦ ପାଇଁ ବି ହେବ ଭୋଟ୍।

ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ସଦର ବ୍ଳକ୍ ଜିଲ୍ଲାର ଏହି ୫ ବ୍ଲକରେ ପ୍ରତିବର୍ଷ ବିପତ୍ତି ଆଣେ ବନ୍ୟା। ସୁବର୍ଣ୍ଣରେଖା, ଜଳକା ଓ ବୁଢାବଳଙ୍ଗ ନଦୀରେ ବନ୍ୟା ଯୋଗୁ ପ୍ରଭାବିତ ହୋଇଥାଏ ହଜାର ହଜାର ଗାଁ। ହେଲେ ଆଜି ଯାଏଁ ସୁବର୍ଣ୍ଣରେଖାରେ ବନ୍ୟାର ସ୍ଥାୟୀ ପ୍ରତିକାର ହୋଇପାରିଲାନି । ଶୀତଳ ଭଣ୍ଡାରରେ ପଡିରହିଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଦିନର ସୁବର୍ଣ୍ଣରେଖା ସଂସ୍କାର ଯୋଜନା। ଯାହାର ଫଳ ଭୋଗୁଛନ୍ତି ବାଲେଶ୍ୱରବାସୀ। ପ୍ରତିବର୍ଷ ନଦୀରେ ବନ୍ୟା ଆସେ, ଆଉ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ଅଧାରୁ ଅଧିକ ଜିଲ୍ଲା। ବର୍ଷ ବର୍ଷ ଧରି ବନ୍ୟା ଏକ ସ୍ଥାୟୀ ସମସ୍ୟା ଥିଲେ ବି କେହିବି ଏଥିପ୍ରତି ଦୃଷ୍ଟିଦେଉନଥିବା ଅଭିଯୋଗ ହୋଇଛି ।

Advertisment

ଚଳିତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ଉତ୍ତର ବାଲେଶ୍ୱର। କାରଣ ଏଠାରେ ୪ଟି ବଡ ବଡ ବ୍ଲକ୍ ରହିଛି। ଆଉ ଏହି ଅଂଚଳରେ ଜିଲ୍ଲା ଅନୁପାତରେ ଅଛନ୍ତି ସର୍ବାଧିକ ଭୋଟର। ଏଥର ଏହି ଅଞ୍ଚଳର ସବୁଠାରୁ ବଡ ପ୍ରସଙ୍ଗ ହୋଇ ଉଭା ହୋଇଛି ସୁବର୍ଣ୍ଣରେଖା ବନ୍ଦର। ଦୁଇ ଦୁଇଥର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ବନ୍ଦର କାମ ପାଇଁ ଉଦ୍ୟମ କରିଛି ଟାଟା କମ୍ପାନୀ । ହେଲେ ପ୍ରକଳ୍ପ କରାଇଦେଇ ନାହାଁନ୍ତି ସ୍ଥାନୀୟ ଭିଟାମାଟି ସୁରକ୍ଷା କମିଟି । ବନ୍ଦର ହେଲେ ସ୍ଥାନୀୟ ଅଞ୍ଚଳର ଧାନ, ପାନ ଓ ମୀନ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରିଛନ୍ତି ଲୋକେ ।

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଘର

ଜିଲ୍ଲାର ଆଉ ଏକ ବଡ ସମସ୍ୟା ହେଲା ଆବାସ ଯୋଜନା। ଗାଁ ଗାଁରେ ଏବେ ବି ଭଂଗା କୁଡିଆ ଘରେ ମୁଣ୍ଡ ଗୁଂଜିଛନ୍ତି ଯୋଗ୍ୟ ହିତାଧିକାରୀ । ସାହି ସାହିରେ ରହିଛି ଭଂଗା ଦଦରା ଚାଳ ଛପର ଘର। ଜିଲ୍ଲାର ସୋର, ବାହନଗା, ନୀଳଗିରି, ଖଇରା ଓ ଔପଦା ବ୍ଳକରେ ଆବାସ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ନେତାଙ୍କ ଉପରେ ଖପ୍ପା ଅଛନ୍ତି ଭୋଟର। ଆଉ ଭୋଟ୍ ମାଗିବାକୁ ଆସିଲେ ତାର ଜବାବ ମଗାଯିବ ବୋଲି କହିଛନ୍ତି ଲୋକେ। ସେହିପରି ନୀଳଗିରିରେ ଏଥର ପଂଚାୟତ ନିର୍ବାଚନର ମୁଖ୍ୟ ମୁଦ୍ଦା ବନିବ ଅଭାବୀ ଧାନ ବିକ୍ରୀ ଓ ହାତୀ ଉପଦ୍ରବ ପାହାଡିଆ ଇଲାକା ହୋଇଥିବାରୁ ପିଇବା ପାଣି ସମସ୍ୟା ବି ରହିଛି। ନେତା ନିର୍ବାଚନ ପାଇଁ ଯୋଜନା କରିବାରେ ବ୍ୟସ୍ତ ଆଉ ସ୍ଥାନୀୟ ପ୍ରସଙ୍ଗକୁ ନେଇ ନେତାଙ୍କୁ ଘେରିବାକୁ ପ୍ରସ୍ତୁତ ହେଲେଣି ଜନତା ।

Advertisment

ତିନିଦଳ ମଧ୍ୟରେ ବଳ କଷାକଷି

ତେବେ ବିଜେଡି, ବିଜେପି, କଂଗ୍ରେସ ପଞ୍ଚାୟତ ଭୋଟ୍ ହାତେଇବାକୁ ଏବେଠୁ ଚାଲିଲାଣି ଗ୍ରାଉଣ୍ଡରେ ବଳ କଷାକଷି। ବାଲେଶ୍ୱରର ସଂଖ୍ୟା ଗଣିତ ଓ ପୂର୍ବର ହିସାବ କିତାବ୍ ଯଦିଓ ପଲ୍ଲାକୁ ବିଜେଡି ଆଡ଼କୁ ଢଳାଉଛି, କିନ୍ତୁ ୨୦୧୭ ପରଠୁ ଗ୍ରାଉଣ୍ଡ ରିଏଲିଟି ଓ ସଂଗଠନର ବିସ୍ତାର ବିଜେପିକୁ ବି ଏକ ସମାନ ମୌକା ଦେଉଥିବା ଦେଖିବାକୁ ମିଳୁଛି । ୨୦୧୭ରେ ବିଜେଡି ୩୧ ଜିଲ୍ଲା ପରିଷଦ ଆସନ ଜିତିଥିବାବେଳେ ବିଜେପି ୧୩ଟି ଜିତିଥିଲା । ବିପୁଳ ବିଜୟ ସହ ଅଧ୍ୟକ୍ଷ ପଦ ହାତେଇଥିଲା ବିଜେଡି ଓ ନିବେଦିତା ମହାନ୍ତି ସାଜିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା। କିନ୍ତୁ ୫ ବର୍ଷ ପରେ ଦୁଇ ଦଳର ସାଂଗଠନିକ ସ୍ଥିତି ଓ ନେତାଙ୍କ ଦଳ ଡିଆଁ ବିଜେପି ଓ ବିଜେଡି ମଧ୍ୟରେ ସିଧା ସିଧା କଡ଼ା ଟକ୍କର ହେବାର ସଂକେତ ଦେଉଛି । କଂଗ୍ରେସ ପାଇଁ କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ । ଓଲଟା ବିଗୁଡ଼ିଛି ପଛେ ସୁଧିବାର କିଛି ସଂଙ୍କେତ ନାହିଁ । ୨୦୧୭ ନିର୍ବାଚନରେ କଂଗ୍ରେସ ଜିଲ୍ଲାରେ ଗୋଟିଏ ଜିଲ୍ଲା ପରିଷଦ ଆସନ ଜିତିଥିଲା କିନ୍ତୁ କଂଗ୍ରେସ ଟିକଟରୁ ବିଜୟୀ ଶରତ କୁମାର ରାଜ୍ ଏବେ ହାତ ଛାଡ଼ି ଶଙ୍ଖ ଶିବିରରେ। ଖାସ୍ ସେଇଥିପାଇଁ ଦଳ, ଛାମୁଆଙ୍କୁ ନେଇ ଭୋଟରଙ୍କ ଘରେ ଆଗରେ ଛିଡ଼ା କରାଇବାର ପ୍ରକ୍ରିୟା ଆରମ୍ଭ କରିଦେଲାଣି।

ଗତ ନିର୍ବାଚନରେ ବିଜେଡି ଏକତରଫା ଜିଲ୍ଲା ପରିଷଦ ହାତେଇଥିଲା ବେଳେ ଅଧ୍ୟକ୍ଷ ପଦ ପଡ଼ିଥିଲା ଉତ୍ତର ବାଲେଶ୍ୱର ଭାଗରେ। କିନ୍ତୁ ଏଥର ବିଜୟୀ ଯେଉଁ ଦଳ ପଛେ ହେଉ, ହିସାବ କିତାବ କହୁଛି ଅଧ୍ୟକ୍ଷ ପଦ ଦକ୍ଷିଣ ବାଲେଶ୍ୱର ଭାଗରେ ପଡ଼ିପାରେ। ଆଉ ଏପଟେ ଉତ୍ତର ବାଲେଶ୍ୱର ହାବୁଡ଼ରେ ୨ଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଜୋନ୍ ରହିଥିବାବେଳେ ଦକ୍ଷିଣ ବାଲେଶ୍ୱର ଭାଗରେ ଏହି ସଂଖ୍ୟା ୪ ରହିଛି। ଏଣୁ ଅଧ୍ୟକ୍ଷ ଦକ୍ଷିଣ ବାଲେଶ୍ୱର ଓ ଉପାଧ୍ୟକ୍ଷ ପଦ ଉତ୍ତର ବାଲେଶ୍ୱରକୁ ମିଳିପାରେ। ଅପରପକ୍ଷେ ନୂଆ ସଂରକ୍ଷଣ ତାଲିକାକୁ ନେଇ ବି ଆଶାୟୀ ଓ ବିରୋଧୀ ଖପ୍ପା। କାହିଁକି ନା ଅଭିଯୋଗ ହେଉଛି ନିଜକୁ ସୁହାଇଲା ଭଳି ସଂରକ୍ଷଣ କ୍ଷେତ୍ରରେ ଚାଲ୍ ଖେଳିଛି ଶାସକ ବିଜେଡି।

ନିର୍ବାଚନ ପାଇଁ ପ୍ରଶାସନର ସରିଛି ପ୍ରସ୍ତୁତି

ପଞ୍ଚାୟତ ଭୋଟ୍ ହାତେଇବା ପାଇଁ ନେତାଏ କଳବଳ କୌଶଳ ଖଟାଇବାରେ ଲାଗିଥିବା ବେଳେ କୋଭିଡରେ ଭୟାବହତା ଭିତରେ ସୁରୁଖୁରୁରେ ନିର୍ବାଚନ କରାଇବାକୁ ପ୍ରଶାସନ ବି ଜୋରଦାର ପ୍ରସ୍ତୁତିରେ ଲାଗିପଡ଼ିଛି। ୨୦୧୭ ପରଠୁ ପ୍ରାୟ ସବୁ ଦଳ ଦଳଡିଆଁ ରୋଗରେ ପୀଡ଼ିତ। ତେଣୁ ଏହା ବି ଆଗାମୀ ନିର୍ବାଚନ ଫଳାଫଳ ଉପରେ ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରଖୁଛି।

ବାଲେଶ୍ୱରରୁ ଅଜିତ୍ ଦାସ୍, ନିରଞ୍ଜନ ବେହେରା, ବିଶ୍ୱମ୍ବର ଦାସ ଓ ରଞ୍ଜିତ ପାକଳଙ୍କ ସହ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ

Odisha Panchayat Elections Local Issues
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ