Advertisment

କ୍ୟାସ ଟ୍ରାନ୍ସଫର୍‌ଠୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ: ବିଜେଡିର ଅପ୍ରତ୍ୟାଶିତ ବିଜୟ ପଛର କାରଣ କି ?

ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ଼ ବିଜୟ । ତେବେ ଏଭଳି ଅପ୍ରତ୍ୟାଶିତ ବିଜୟ ପଛରେ କାରଣ କଣ? କେଉଁ କେଉଁ ଫ୍ୟାର ବିଜେଡିକୁ ସୁହାଲଲା?

Odisha Panchayat Polls

Odisha Panchayat Polls

Advertisment

ପଞ୍ଚାୟତ ନିର୍ବାଚନରେ ବୃହତ୍ ବିଜୟ ଆଡକୁ ମୁହାଁଉଛି ଶାସକ ବିଜେଡି ଦଳ । ଦୁଇ ଦିନରେ ଆସିଥିବା ରେଜଲ୍ଟ ଓ ଟ୍ରେଣ୍ଡ୍ ସ୍ପଷ୍ଟ ସୂଚାଉଛି ଯେ, ଉଭୟ କଂଗ୍ରେସ୍ ଓ ବିଜେପି ସଂପୂର୍ଣ୍ଣ ଧରାଶାୟୀ ହୋଇପଡିଛନ୍ତି । ସବୁଠାରୁ ବଡ଼ କଥା ହେଲା, ନବୀନ ପଟ୍ଟନାୟକ ସରକାର ପାଞ୍ଚ ପାଞ୍ଚ ଥର କ୍ଷମତାକୁ ଆସିବା ପରେ ବି ପଞ୍ଚାୟତ ନିର୍ବାଚନରେ ନବୀନଙ୍କର ଲୋକପ୍ରିୟତା ଆଦୌ କମିନାହିଁ, ବରଂ ଗତଥର ତୁଳନାରେ ଢେର୍ ବଢିଛି । ତେବେ କାହିଁକି ବିଜେଡିକୁ ମିଳିଲା ଏଭଳି ଜବରଦସ୍ତ ସଫଳତା, କେଉଁ ଫ୍ୟାର ଦଳକୁ ସୁହାଇଲା? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ବିଜେପି ଅଭିଯୋଗ କରିଛି ଯେ, ଏହା ଜନାଦେଶ ନୁହେଁ ଧନାଦେଶ । କଂଗ୍ରେସ କହିଛି ଗୋଟିଏ ଦଳକୁ ଭରସା କରି ବିରୋଧୀଙ୍କୁ ନିଶ୍ଚିହ୍ନ କରିବା ଗଣତନ୍ତ୍ର ପ୍ରତି ବିପଦ । ଯାହା ଦ୍ୱାରା ଏକଛତ୍ରବାଦ ପ୍ରତିଷ୍ଠା ହେଉଛି।

Advertisment

ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ଼ ବିଜୟ । ବିରୋଧୀ ବିଜେପି ଓ କଂଗ୍ରେସକୁ ମାତ୍ ଦେଇ ପାଖାପାଖି ୯୦ ପ୍ରତିଶତ ଆସନରେ ଆଗରେ ରହିଛି ବିଜେଡି । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ସବୁଠି ଉଡିଛି ବିଜେଡିର ବିଜୟ ବାନା । ତେବେ ଏଭଳି ଅପ୍ରତ୍ୟାଶିତ ବିଜୟ ପଛରେ କାରଣ କଣ? କେଉଁ କେଉଁ ଫ୍ୟାର ବିଜେଡିକୁ ସୁହାଲଲା?

ସାଧାରଣ ନିର୍ବାଚନ ବେଳେ ଯେମିତି ସବୁ ବର୍ଗ ଲାଗି ସ୍କିମ୍ ଘୋଷଣା ହୋଇଥାଏ, ଏଥର ପଞ୍ଚାୟତ ନିର୍ବାଚନ ପୂର୍ବରୁ କିଛି ସେଭଳି ମାହୋଲ୍ ସୃଷ୍ଟି କରିଥିଲା ବିଜେଡି । ସବୁଠୁ ବଡ଼ ମାଷ୍ଟର ଷ୍ଟ୍ରୋକ୍ ଥିଲା ଗାଁ ଗାଁରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ । ଖୋଦ୍ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାରେ ନିଜେ ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିଥିଲେ । ସେହିଭଳି ୯୬ ଲକ୍ଷ ପରିବାରକୁ କୋଭିଡ୍ ସହାୟତା ନାଁରେ ସିଧାସଳଖ ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା, ତାସହ ଘର ମରାମତି ବାବଦକୁ ୩ରୁ ୫ ହଜାର ଟଙ୍କା ଲେଖାଏଁ ସହାୟତା, ସ୍କୁଲ୍ ରୂପାନ୍ତୀକରଣ ଓ ମିଶନ୍ତ ଶକ୍ତି ଗ୍ରୁପ୍‌କୁ ଆର୍ଥିକ ସହାୟତା, ଶିକ୍ଷକଙ୍କୁ ନିଯୁକ୍ତି ଓ ସେମାନଙ୍କୁ ନିୟମିତ କରି ଦରମା ବଢ଼ାଯାଇଥିଲା । ଯାହାକି ବିଜେଡିର ଭୋଟ୍ ବ୍ୟାଙ୍କକୁ ବେଶ୍ ମଜଭୁତ୍ କରାଯାଇଥିଲା ।

Advertisment

ତାସହ ଏବେ ମଧ୍ୟ ନବୀନଙ୍କ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିବା ବିଜେଡିର ଭୋଟ୍ ବଢ଼ିବାରେ ଆଉ ଏକ କାରଣ ବୋଲି କୁହଯାଉଛି । ଅନ୍ୟପକ୍ଷରେ ତୃଣମୂଳସ୍ତରରେ ନିଜର ସଂଗଠନକୁ ଏକଜୁଟ୍ କରି ରଖିବାରେ ବି ବିଜେଡି ସ୍ୱତନ୍ତ୍ର ରଣନୀତି କରିଥିଲା । ଯେଉଁ ଅଞ୍ଚଳରେ ଅନ୍ୟ ଦଳର ନେତାଙ୍କ ଦବଦବା ଥିଲା, ସେମାନଙ୍କୁ ଶଙ୍ଖ ଶିବିରକୁ ଆଣିବାରେ ବି ସଫଳ ହୋଇଛି ବିଜେଡି । ଇଲେକସନ୍ ମାଇକ୍ରୋ ମ୍ୟାନେଜମେଣ୍ଟ ସହ ନିର୍ବାଚନ ମଣ୍ଡଳୀୱାରି ନେତାଙ୍କୁ ଟାର୍ଗେଟ୍ ଦିଆଯାଇଥିଲା ।

ତାସହ ସରକାରୀ ଅଫିସରମାନଙ୍କୁ ନିର୍ବାଚନରେ କାମରେ ଲଗାଇବା ଓ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଇଥିବା ନେଇ ବିରୋଧୀ ଅଭିଯୋଗ କରିଛନ୍ତି । ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି ଯେ, ଏହା ଜନାଦେଶ ନୁହେଁ ଧନାଦେଶ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଗୋଟିଏ ଦଳକୁ ଭରସା କରି ବିରୋଧୀଙ୍କୁ ନିଶ୍ଚିହ୍ନ କରିବା ଗଣତନ୍ତ୍ର ପ୍ରତି ବିପଦ ଏହା ଏକଛଚ୍ରବାଦ୍ ଆଡ଼କୁ ନେଉଛି । ଯାହାର ଜବାବ ରଖିଛି ବିଜେଡି ।

Advertisment

ସେପଟେ ବିଜେପି ପରାଜୟ ପଛରେ ଅନେକ କରାଣ ରହିଛି । ଦଳର ସଙ୍ଗଠନକୁ ମଜଭୁତ କରି ନପାରିବା, ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଦଳର ହେଭିୱେଟ୍ ନେତାମାନେ ପଞ୍ଚାୟତ ନିର୍ବାଚନରେ ସମୟ ଦେଇନପାରିବା, ରାଜ୍ୟ ସରକାର ବିରୋଧରେ ଜନମତ ସୃଷ୍ଟି କରିନପାରିବା, ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି । ସେହିପରି କଂଗ୍ରେସରେ ନେତୃତ୍ୱ ସମସ୍ୟା ଓ ଅନ୍ତଃକଳହ ଏକ ବଡ଼ କାରଣ ବୋଲି କୁହାଯାଉଛି । ଆଉ ଏସବୁ ବିଜେଡିକୁ ବେଶ୍ ସୁହାଉଛି ।

ପଞ୍ଚାୟତ ନିର୍ବାଚନ ଫଳାଫଳ ଆଗାମୀ ସାଧାରଣ ନିର୍ବାଚନକୁ କେତେ ପ୍ରଭାବିତ କରିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିରୋଧୀ ବିଜେପି ଓ କଂଗ୍ରେସ୍ ଏବେଠୁ ନିଜର ତ୍ରୁଟି ସୁଧାରି ଷ୍ଟ୍ରାଟେଜି ନ ବଦଳାଇଲେ ୨୪ରେ ସେମାନଙ୍କ ପାଇଁ ସମସ୍ୟା ବଢ଼ିପାରେ ।

ରିପୋର୍ଟର- ଭୁବନେଶ୍ୱରରୁ ହରିହର ଚାନ୍ଦ

Odisha Panchayat Polls Panchayat Mahasangram
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ