ବିଜେଡି ଫୋକସ୍‌ରେ କଲେଜ୍‌ ଷ୍ଟୁଡେଣ୍ଟ ! ରିଲ୍ସ କରିବେ ପିଲା, ଟଙ୍କା ଦେବେ ସରକାର

ଏଥର ଡିଜିଟାଲ ନୂଆ-ଓ । ପିଲା କରିବେ ରିଲ୍ସ ସହ ଆକର୍ଷଣୀୟ ଭିଡ଼ିଓ । ଥିମ୍ ରହିବ ଆମ ଓଡ଼ିଶା ନବୀନ ଓଡ଼ିଶା ଏବଂ ଓଡ଼ିଶା ରୂପାନ୍ତରୀକରଣ ।

Digital Nua O

ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ନବୀନ ସରକାରଙ୍କ ଆଉ ଏକ ନିର୍ବାଚନୀ ଚାଲ୍ । ପିଲାଏ କରିବେ ରିଲ୍ସ ସହ ଭିଡ଼ିଓଗ୍ରାଫି । ରାଜ୍ୟ ସରକାର ଦେବେ ଅର୍ଥ ପୁରସ୍କାର । ଅର୍ଥାତ ଏଥର ଡିଜିଟାଲ ନୂଆ-ଓ । ପିଲା କରିବେ ରିଲ୍ସ ସହ ଆକର୍ଷଣୀୟ ଭିଡ଼ିଓ । ଥିମ୍ ରହିବ ଆମ ଓଡ଼ିଶା ନବୀନ ଓଡ଼ିଶା ଏବଂ ଓଡ଼ିଶା ରୂପାନ୍ତରୀକରଣ ।

ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ଆସନ୍ତା ଫେବୃଆରୀ ୨୬ ଯାଏଁ ଚାଲିବ ଏହି ଡିଜିଟାଲ ପ୍ରତିଯୋଗିତା । ସୋସିଆଲ ମିଡିଆରେ ପିଲାଏ ନୂଆ-ଓ, ଆମ ଓଡ଼ିଶା ନବୀନ ଓଡ଼ିଶା ହାସ୍ ଟ୍ୟାଗ୍ ଦେଇ ପ୍ରତିଯୋଗିତାରେ ଭାଗ ନେଇପାରିବେ ବୋଲି ଦର୍ଶାଯାଇଛି ଏହି ବିଜ୍ଞପ୍ତିରେ । ବିଶେଷ କରି ୬୦ ସେକେଣ୍ଡର ରିଲ୍ସ ମେକିଂ, ୨ରୁ ୩ ମିନିଟର ଭିଡ଼ିଓ ମେକିଂ ତଥା & ଆମ ଓଡ଼ିଶା, ନବୀନ ଓଡ଼ିଶା ଉପରେ ଏକ ଫିଲ୍ମ ତିଆରି କରିବେ ।

ସେହିପରି ରୁପାନ୍ତିକରଣ ଉପରେ ଫଟୋଗ୍ରାଫି ଏବଂ ଓଡ଼ିଶାର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ସଂପର୍କରେ କୁଇଜ୍ ପ୍ରତିଯୋଗୀତା ହେବ । ଏସବୁକୁ ନିଜ ନିଜର ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ କଲେଜ ଛାତ୍ରଛାତ୍ରୀ ନୂଆ-ଓ, ଆମ ଓଡ଼ିଶା ନବୀନ ଓଡ଼ିଶା ହାସ୍ ଟ୍ୟାଗ୍ ଦେଇ ଅପଲୋଡ୍ କରିବେ । ଏସବୁ ବର୍ଗରେ ପ୍ରଥମ ପୁରସ୍କାର ବାବଦକୁ ୫୦ ହଜାର, ଦ୍ୱିତୀୟ ପୁରସ୍କାର ବାବଦକୁ ୪୦ ହଜାର, ତୃତୀୟ ପୁରସ୍କାର ବାବଦକୁ ୩୦ ହଜାର ଏବଂ ପରବର୍ତ୍ତି ୫୦ ଜଣଙ୍କୁ ୧୦ ହଜାର ଟଙ୍କା ଦିଆଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ସାଲିସ କରୁଛନ୍ତି କି ରାଜ୍ୟ ସରକାର ? କାରଣ ପରୀକ୍ଷା ଋତୁରେ ରାଜ୍ୟ ସରକାର ଅୟୋଜନ କରିଛନ୍ତି ନୂଆ ଓ କାର୍ଯ୍ୟକ୍ରମ । ଆଶ୍ଚର୍ଯ୍ୟର କଥା, ସରକାରଙ୍କ ଏହି କାର୍ଯ୍ୟକ୍ରମ ପାଇଁ କାଲି ହେବାକୁ ଥିବା ପରୀକ୍ଷା ବାତିଲ କରି ୨୪ ତାରିଖକୁ ଘୁଂଚାଇଛନ୍ତି ସମ୍ବଲପୁର ଜିଏମ ବିଶ୍ୱବିଦ୍ୟାଳୟ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ସେହିଭଳି ସରକାରଙ୍କ ଏହି କାର୍ଯ୍ୟକ୍ରମ ପାଇଁ କେଉଁଠି ଛାତ୍ରଛାତ୍ରୀ ଅଶାନ୍ତମୟ ପରିବେଶରେ ପରୀକ୍ଷା ଦେଉଛନ୍ତି। ଆଉ କେଉଠି କାର୍ଯ୍ୟକ୍ରମ ପାଇଁ ଆହ୍ୱାନ କରାଯାଇଥିବା ପ୍ରତିଯୋଗିତାରେ ଭାଗ ନେବେ ନା ପରୀକ୍ଷା ଦେବେ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ ।