ଆଟାକିଂ ମୋଡ୍‌ରେ ଅମିତ ଶାହ; ନବୀନଙ୍କ ନାଁ ଧରି କଲେ ସିଧା ନିଶାନା

ମଞ୍ଚକୁ ଆସୁଆସୁ ଗର୍ଜିଲେ ଶାହ। ନବୀନଙ୍କ ନାଁ ନେଇ ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ୍ କଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଲେ।

Amit Shah

ସୋନପୁରରୁ ଶାହଙ୍କ ହୁଂକାର। ଓଡ଼ିଶା ବିଜେପିର ନିର୍ବାଚନୀ ପ୍ରଚାର ଶୁଭାରମ୍ଭ କରି, ବିଜୟ ସଂକଳ୍ପ ସମାବେଶରେ ବାରମ୍ବାର ନବୀନଙ୍କ ନାଁ ନେଇ ନିଶାନା ସାଧିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଓଡ଼ିଆ ଅସ୍ମିତାଠୁ ନେଇ ଅଫିସର ମାଧ୍ୟମରେ ଭ୍ରଷ୍ଟାଚାର, କେନ୍ଦ୍ରୀୟ ଯୋଜନାର ହାଇଜାକିଂ, ଦାଦନ, ରାମ ମନ୍ଦିର ଆଦି ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି ଶାହ। ନବୀନ ସରକାରକୁ ଉପାଡ଼ି ଫିଙ୍ଗି, ଓଡ଼ିଶାରେ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଇଛନ୍ତି ଅମିତ ଶାହ।

ମଞ୍ଚକୁ ଆସୁଆସୁ ଗର୍ଜିଲେ ଶାହ। ନବୀନଙ୍କ ନାଁ ନେଇ ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ୍ କଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଲେ। ଡାଇରେକ୍ଟ ଆଟାକିଂ ମୋଡ୍‌ରେ ଅମିତ ଶାହ। ଫୁଲ୍ ଜୋଶ୍‌ରେ ଓଡ଼ିଶାରେ ବିଜେପିର ପ୍ରଚାର। ବିଗୁଲ ଫୁଙ୍କିିଛନ୍ତି ରାଜନୀତିର ଚାଣକ୍ୟ। ସୋନପୁର ରାମେଶ୍ୱର ଷ୍ଟାଡିୟମରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରି, ଓଡ଼ିଶାରେ ୨୦ରୁ ଅଧିକ ଲୋକସଭା ଆସନରେ ପଦ୍ମ ଫୁଟାଇବା ସହ ରାଜ୍ୟରେ ନବୀନ ସରକାରକୁ ଉପାଡ଼ି ଫିଙ୍ଗିବାକୁ ଆହ୍ୱାନ ଦେଇଛନ୍ତି ଶାହ।

ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଓଡ଼ିଶାବାସୀଙ୍କୁ ସୋନପୁର ସଭା ମଞ୍ଚରୁ ଆହ୍ୱାନ ଦେଇଛନ୍ତି ଶାହ। କହିଛନ୍ତି ସାରା ଦେଶ ଭଳି ଓଡ଼ିଶାରେ ବି ପୂରା ମୋଦି ମାହୋଲ୍ ରହିଛି। ଓଡ଼ିଆ ଅସ୍ମିତାର କଥା ଉଠାଇ, ନବୀନଙ୍କୁ ପରୋକ୍ଷରେ ଇଙ୍ଗିତ କରି କହିଛନ୍ତି, ଯିଏ ନିଜ ପ୍ରଦେଶର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଗର୍ବ କରେ ନାହିଁ, ସିଏ ପ୍ରଦେଶକୁ ଆଗକୁ ନେଇପାରେ ନାହିଁ। ଏଠାକାର ସରକାର କେବଳ ଓଡ଼ିଶାକୁ ବିକାଶଠୁ ଦୂରରେ ରଖିନି, ଅଫିସର ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛି ବୋଲି କହିଛନ୍ତି ଶାହ। ଏହା ବି କହିଥିଲେ, ରାଜ୍ୟରେ ଖଣିଜ ସଂପଦର ଲୁଟ୍ ହେଉଛି।

ମୋଦି ସରକାର ଗରିବଙ୍କୁ ଚାଉଳ ଦେଉଛନ୍ତି, ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି। ଏହା କହିବା ସହ ଶାହ କଟାକ୍ଷ କରିଛନ୍ତି ଯେ, ନବୀନ ବାବୁଙ୍କୁ ଡର ଲାଗୁଛି କାଳେ ମୋଦି ନାଁ ନେଇଯିବେ। ଓଡ଼ିଶାରେ ବିଜେପି ସରକାର ଆସିଲେ ଏଠି ବି ଆୟୁଷ୍ମାନ ଯୋଜନା ଲାଗୁ ହେବ ଏବଂ କାହାକୁ ବାହାର ରାଜ୍ୟରୁ କାହାକୁ ପଳାୟନ କରିବାକୁ ପଡ଼ିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଦମ୍ଭୋକ୍ତି ପ୍ରକାଶ କରିଛନ୍ତି, ୫ ବର୍ଷରେ ଓଡ଼ିଶାକୁ ଏକ୍ ନମ୍ବର କରିବୁ।

ରାମମନ୍ଦିର ପ୍ରସଙ୍ଗ ଉଠାଇ, ଏଠାକାର ଶାସକ ଦଳ ରାମମନ୍ଦିର ଉତ୍ସବକୁ ଡାଇଭର୍ଟ କରିବା ପାଇଁ ଚେଷ୍ଟା କରିଥିଲା, କିନ୍ତୁ ଓଡ଼ିଶାବାସୀ ଏହାକୁ ବିଫଳ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଶାହ। ଆଗାମୀ ନିର୍ବାଚନ ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କର ଏହା ଥିଲା ପ୍ରଥମ ଓଡ଼ିଶା ପ୍ରଚାର।