ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରିରେ ପଡ଼ିବ ଭୋଟ୍। ଆଉ ଏହି ସବୁ ସ୍ଥାନରେ ନେତାଙ୍କ ଭୋଟ୍ ଅଟକିଛି ଆଦିବାସୀଙ୍କ ପାଖରେ। ଅର୍ଥାତ୍, ଆଦିବାସୀ ହିଁ ବାଛିବେ କିଏ ହେବ ସେମାନଙ୍କ ନେତା। ପ୍ରଥମ ପର୍ଯ୍ୟାୟ ପାଇଁ ତିନି ଦଳର ହେଭିୱେଟ୍ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାହୁଲ ଗାନ୍ଧୀ ପ୍ରଚାର କରିସାରିଛନ୍ତି। ଏବେ ଅପେକ୍ଷା ମତଦାନକୁ।
ପ୍ରଥମ ପର୍ଯ୍ୟାୟରେ ନିର୍ଣ୍ଣାୟକ ସାଜିବ ଆଦିବାସୀଙ୍କ ଭୋଟ୍। କେଉଁ ଦଳକୁ ଯିବ ଅନୁସୂଚିତ ଜାତି ଓ ଜନଜାତିଙ୍କ ସମର୍ଥନ ? ନବରଙ୍ଗପୁର ଜିଲ୍ଲାରେ ରହିଛି ୪ଟି ବିଧାନସଭା କ୍ଷେତ୍ର। ଭୋଟରଙ୍କ ସଂଖ୍ୟା ୮ଲକ୍ଷ ୫୨ ହଜାର ୫୨୪। ସେଥିରୁ ପ୍ରାୟ ୬ ଲକ୍ଷ ଭୋଟର ଆଦିବାସୀ। ପ୍ରାୟ ୫୦ ପ୍ରତିଶତ ଅର୍ଥାତ୍ ୩ ଲକ୍ଷ ଭୋଟର ଭତରା ସଂପ୍ରଦାୟର।
Also Read
ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ରହିଛନ୍ତି ୭ ଲକ୍ଷ ଭତରା ସଂପ୍ରଦାୟର ଭୋଟର। ସେପଟେ କୋରାପୁଟରେ ପରଜା ସଂପ୍ରଦାୟର ସଂଖ୍ୟା ଅଧିକ। ଏହି ଅଙ୍କରୁ ସ୍ପଷ୍ଟ ଯେ, ଚଳିତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଛନ୍ତି ଆଦିବାସୀ। ତେବେ କେନ୍ଦ୍ର ସରକାର ଆଦିବାସୀଙ୍କ ନିରାପତ୍ତା ନେଇ ପେଶା ଆଇନ ଲାଗୁ କରିଥିଲେ ବି ରାଜ୍ୟ ସରକାର ନିରବ। ଯାହାକୁ ନେଇ ଭତରା ସଂପ୍ରଦାୟଙ୍କ ମଧ୍ୟରେ ଭିତରେ ଭିତରେ କୁହୁଳୁଛି ଅସନ୍ତୋଷ।
ମାଲକାନିଗିରିରେ ବି ରହିଛନ୍ତି ଆଦିମ ଜନଜାତି। ବିଶେଷ କରି ଏହି ଜିଲ୍ଲାରେ ବଣ୍ଡା ଜନଜାତିଙ୍କ ସଂଖ୍ୟା ଅଧିକ। ଏଥିସହ ଦିଦାଇ, ଭୂମିଆ, ପରଜା, କନ୍ଧ ଓ ଦୁରୁଆ ସଂପ୍ରଦାୟର ଲକ୍ଷାଧିକ ଭୋଟର ରହିଛନ୍ତି। ଯେଉଁମାନେ ସାଂସଦ ଓ ବିଧାୟକ ବାଛିବାରେ ସବୁଥର ନେଇଥାନ୍ତି ପ୍ରମୁଖ ଭୂମିକା। ଉଦାହରଣ ଭାବେ, ଜିଲ୍ଲାର କେବଳ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୪ ହଜାର ଥିବା ବେଳେ ସେଥିରୁ ପ୍ରାୟ ୫୦ ହଜାର ଭୂମିଆ ଜନଜାତି ଏବଂ ପ୍ରାୟ ୪୦ ହଜାର ପରଜା ଜନଜାତିର। ଅର୍ଥାତ୍ ୫୦ ପ୍ରତିଶତରୁ ଅଧିକ ଆଦିବାସୀ।
ରାୟଗଡାରେ ବି ଆଦିବାସୀଙ୍କ ସଂଖ୍ୟା କମ୍ ନୁହେଁ। ଜିଲ୍ଲାରେ ରହିଛନ୍ତି ଡଙ୍ଗରିଆ, ଝୋଡିଆ, ପରଜା, କନ୍ଧ, ଲାଞ୍ଜିଆ ଓ ସଉରାଙ୍କ ଭଳି ଅନେକ ଅନୂସୁଚିତ ଜାତି ଓ ଜନଜାତି ସଂପ୍ରଦାୟ। କେବଳ ନିୟମଗିରି ପାହାଡରେ ରହୁଥିବା ଡଙ୍ଗରିଆ କନ୍ଧଙ୍କ ସଂଖ୍ୟା ୭ ହଜାର ୯୮। ଏଥର ଏହି ଆଦିବାସୀ ଭୋଟର ହିଁ, ବିଷମକଟକ ନିର୍ବାଚନ ମଣ୍ଡଳୀର ଲୋକ ପ୍ରତିନିଧି ବାଛିବାରେ ନେବେ ବିଶେଷ ଭୂମିକା। ଏପଟେ ତିନି ରାଜନୈତିକ ଦଳ ଦମ୍ଭ ଦେଖାଇଛନ୍ତି, ଆଦିବାସୀ ସଂପ୍ରଦାୟର ଭୋଟ ଏଥର ତାଙ୍କ ସପକ୍ଷରେ ଯିବ।
ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍। ବାଜିରେ ଲାଗିଛି ତିନି ପ୍ରମୁଖ ରାଜନୈତିକ ଦଳର ହେଭିୱେଟଙ୍କ ସହ ପ୍ରମୁଖ ସ୍ୱାଧୀନ ପ୍ରାର୍ଥୀଙ୍କ ଭବିଷ୍ୟତ। ଆଉ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଆଦିବାସୀ ଭୋଟର।