ସ୍ୱାମୀଙ୍କ ପାଇଁ ଝାଳ ବୁହାଉଛନ୍ତି ସ୍ତ୍ରୀ; ଦିନ ରାତି ଏକ୍ କରି ମାଗୁଛନ୍ତି ଭୋଟ୍

ନା ଖରାକୁ ଖାତିର ଅଛି ନା ଭିଡ଼କୁ ଭୟ, ଗାଁ ଗାଁରେ ଘରକୁ ଘର ବୁଲି ସ୍ୱାମୀଙ୍କ ପାଇଁ ଲାଗି ପଡିଛନ୍ତି ଭୋଟ୍ ଯୋଗାଡ଼ରେ ସ୍ତ୍ରୀ।

Campaigning

ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି କ୍ୟାମ୍ପେନ୍। ପ୍ରଚାର ମୈଦାନରେ ଝାଳ ବୁହାଉଛନ୍ତି ପ୍ରାର୍ଥୀ। ଆଉ ଏଥିରେ ସ୍ୱାମୀଙ୍କୁ ବରାବର ସାଥ୍ ଦେଉଛନ୍ତି ସ୍ତ୍ରୀ। ନା ଖରାକୁ ଖାତିର ଅଛି ନା ଭିଡ଼କୁ ଭୟ, ଗାଁ ଗାଁରେ ଘରକୁ ଘର ବୁଲି ସ୍ୱାମୀଙ୍କ ପାଇଁ ଲାଗି ପଡିଛନ୍ତି ଭୋଟ୍ ଯୋଗାଡ଼ରେ। ନିର୍ବାଚନ ରଣାଙ୍ଗନରେ ଚାଲିଛି ପ୍ରାର୍ଥୀଙ୍କ ପତ୍ନୀଙ୍କ କ୍ୟାମ୍ପେନ୍ କସରତ୍।

ବେକରେ ବିଜେପିରେ ଉତ୍ତରୀୟ, ହାତରେ ପୁସିଂ କାର୍ଡ। ସ୍ୱାମୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ସ୍ତ୍ରୀ। ଡହ ଡହ ଖରାରେ ଯାଜପୁର ବ୍ୟାସନଗର ପୌରାଂଚଳର ସାହି ଗଳିରେ ବୁଲୁଛନ୍ତି ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ପତ୍ନୀ ଶୁଭ୍ରଜ୍ୟୋତି। କୋରେଇର ସ୍ୱାଭିମାନ ଓ ସମ୍ମାନର କଥା କହି ସ୍ବାମୀଙ୍କ ପାଇଁ ମାଗୁଛନ୍ତି ଭୋଟ୍।

ସେପଟେ କୋରାପୁଟରେ କଂଗ୍ରେସ୍ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକାଙ୍କୁ ସାଥ୍ ଦେଉଛନ୍ତି ପତ୍ନୀ ପୂଜା ଉଲ୍ଲାକା। ପ୍ରତି ନିର୍ବାଚନ ମଣ୍ଡଳୀର ଗାଁକୁ ଗାଁ ଯାଇ ଜାରି ରଖିଛନ୍ତି ପ୍ରଚାର। ଜୟପୁରରେ ବି ସ୍ୱାମୀଙ୍କ ପାଇଁ ଷ୍ଟାର ପ୍ରଚାରକ ସାଜିଛନ୍ତି ସ୍ତ୍ରୀ। ଏଠି କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତିଙ୍କ ପାଇଁ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ପତ୍ନୀ ତଥା ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷି ବାହିନୀପତି। ଖରାକୁ ଖାତିର ନକରି ଜୟପୁର ନିର୍ବାଚନ ମଣ୍ଡଳୀର ପ୍ରତି ୱାର୍ଡ ଓ ବ୍ଲକ୍‌ରେ ଚାଲିଛି ହାଇଭୋଲଟେଜ୍ କ୍ୟାମ୍ପେନ୍।

ପ୍ରଚାର ମୈଦାନରେ ବଲାଙ୍ଗୀର ରାଜ ପରିବାରର ବୋହୂ। ସ୍ୱାମୀଙ୍କ ପାଇଁ ସହରର ଗଳି କନ୍ଦିରେ ବୁଲି ଭୋଟ୍ ମାଗୁଛନ୍ତି ନେପାଳ ରାଜାଙ୍କ ଝିଅ। ବିଜେଡି ବିଧାୟକ ପ୍ରାର୍ଥୀ କଳୀକେଶ ନାରାୟଣ ସିଂଦେଓଙ୍କ ପତ୍ନୀ ମେଘନା ରାଣା ସିଂଦେଓଙ୍କୁ ଏବେ ସ୍ୱାମୀଙ୍କ ସହ ଦେଖିବାକୁ ମିଳୁଛି। ନାମାଙ୍କନ ଶୋଭାଯାତ୍ରାରୁ ସଭା ସମିତି, ସ୍ୱାମୀଙ୍କୁ ସାଥ୍ ଦେଇ ସାଙ୍ଗରେ ବୁଲୁଛନ୍ତି, ଏକା ଏକା ଡୋର ଟୁ ଡୋର୍ କ୍ୟାମ୍ପେନ ବି କରୁଛନ୍ତି। ବଲାଙ୍ଗୀର ବିଜେପି ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀଙ୍କ ପତ୍ନୀ ପଲ୍ଲବିନୀ ମଧ୍ୟ ସ୍ୱାମୀଙ୍କ ପାଇଁ ଲାଗି ପଡିଛନ୍ତି ପ୍ରଚାରରେ। ପଡାକୁ ପଡା ବୁୁଲୁଛନ୍ତି, ସ୍ବାମୀଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରୁଛନ୍ତି।

ବୌଦ୍ଧର ମୁଣ୍ଡଫଟା ଖରାକୁ ପଛରେ ପକାଇ ସ୍ୱାମୀ ତଥା ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପତ୍ନୀ ସ୍ନେହଲତା ପ୍ରଧାନ। ସ୍ୱାମୀଙ୍କ ବିପକ୍ଷରେ ହେଭିୱେଟ୍ ପ୍ରଦୀପ ଅମାତ୍, ତେଣୁ ପ୍ରଚାରର ମଙ୍ଗ ଧରି ନିର୍ବାଚନ ରଣାଙ୍ଗନରେ ଅଣ୍ଟା ଭିଡିଛନ୍ତି ବ୍ଲକ୍ ଅଧ୍ୟକ୍ଷା ପତ୍ନୀ ସ୍ନେହଲତା। ସେପଟେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଜିତାଇବାକୁ ଦିନ ରାତି ଏକ କରିଦେଇଛନ୍ତି ପତ୍ନୀ ବିଷ୍ଣୁପ୍ରିୟା ବେହେରା।

ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ସ୍ୱାମୀଙ୍କ ଛାଇ ଭଳି ସାଙ୍ଗରେ ରହୁଛନ୍ତି ପତ୍ନୀ।