ରାଲି, ରୋଡ୍ ସୋ', ପୋଷ୍ଟର, ବ୍ୟାନର୍ ଓ ଅନ୍ୟ ଜାକଜମକ। ନିର୍ବାଚନ ଲଢ଼ିବା ବ୍ୟୟବହୁଳ ହୋଇଥିବା ବେଳେ, କଂଗ୍ରେସକୁ ଘାରିଛି ଟଙ୍କା ଚିନ୍ତା। ଆକାଉଣ୍ଟ ଫ୍ରିଜ୍ ହେବା ଯୋଗୁଁ ଅନ୍ୟ ଦଳ ତୁଳନାରେ କଂଗ୍ରେସ ପାଖରେ ଅର୍ଥ ସମ୍ବଳ ନାହିଁ ବୋଲି, ଭୁବନେଶ୍ୱରରେ AICC ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ ସଂକେତ ଦେବା ପରେ, ପାର୍ଟି ଫଣ୍ଡିଂକୁ ଭରସା କରି ପ୍ରାର୍ଥୀ ବନିଥିବା ନେତାଙ୍କୁ ଘାରିଛି ଟଙ୍କା ଚିନ୍ତା। ଏକଥା ବି ଚର୍ଚ୍ଚା ହେଉଛି ଯେ, ବିଜୟ ସମ୍ଭାବନାକୁ ଦେଖି A, B ଓ C କାଟାଗୋରୀରେ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବା ପାଇଁ ଟଙ୍କା ଦେଉଛି ଦଳ।
ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ କି 'ହାତ' ମୁଠାରେ ? ଭୋଟ୍ ବେଳେ କଂଗ୍ରେସକୁ ଘେରିଛି କି ଅର୍ଥ ସଂକଟ ? ଦିନକ ତଳେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତିଙ୍କ ପାଣ୍ଠି ଚିନ୍ତା ପରେ, ଉଠିଛି ଅନେକ ପ୍ରଶ୍ନ। ଖଡ଼ଗେଙ୍କ କଥା କଂଗ୍ରେସ ପ୍ରାର୍ଥୀଙ୍କ ମନୋବଳକୁ ଦୁର୍ବଳ କରିବନି ତ ? କଂଗ୍ରେସକୁ ପାଖରେ ସତରେ ଟଙ୍କା ନାହିଁ, ନା ହାରିବା ଡରରେ ଇଏ କେବଳ ଏକ ଏକ୍ସକ୍ୟୁଜ୍ ?
Also Read
ଅଧ୍ୟାପିକାରୁ ଅଚାନକ ରାଜନୀତିକୁ ଆସିଥିବା କଂଗ୍ରେସର ବାଲେଶ୍ୱର ବିଧାୟକ ପ୍ରାର୍ଥୀ ମୋନାଲିସା ସାମଲ କହିଛନ୍ତି, ତାଙ୍କ ପାଖରେ ଏତେ ସମ୍ବଳ ନାହିଁ, କି ପାର୍ଟି ବି ସେଭଳି ସମ୍ବଳ ଦେଉନି। ଅନ୍ୟ ଦଳ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ବେଳେ, ତାଙ୍କର ଏହି ଲଢ଼େଇ ଲଫାପା ବିରୁଦ୍ଧରେ। କଂଗ୍ରେସର ଭୋଗରାଇ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ ବି କହିଛନ୍ତି ଲୋକଙ୍କ ଦାନରେ ଆମେ ନିର୍ବାଚନ ଲଢ଼ୁଛୁ। ଯାହାର ବିଜୟ ସମ୍ଭାବନା ବେଶୀ, ସେ ଏ-କ୍ୟାଟାଗୋରୀ; ଯେଉଁଠି କାଣ୍ଟେ କା ଚକ୍କର ବା ଲଢେଇ ଜୋର୍ ଦାର୍ , ସେ ବି-କ୍ୟାଟାଗୋରୀ ; ଆଉ ଯାହାର ବିଜୟ ସମ୍ଭାବନା ସେତେଟା ନାହିଁ, ସେ ସି-କ୍ୟାଟାଗୋରୀ।
ଚର୍ଚ୍ଚା ହେଉଛି ଯେ, ଏହି ୱିନେବିଲିଟି କ୍ୟାଟାଗୋରୀ ଭିତ୍ତିରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମାପିଚୁପି ଟଙ୍କା ଖର୍ଚ୍ଚ କରୁଛି ଦଳ। କ୍ୟାଟାଗୋରୀ-ଏ କୁ ବେଶି ଓ କ୍ୟାଟାଗୋରୀ-ସିକୁ ସବୁଠୁ କମ୍ ଟଙ୍କା ମିଳୁଛି। ଦଳ ଫଣ୍ଡିଂ ଦେଉନଥିବାରୁ କ୍ୟାମ୍ପେନିଂ ସହଜ ନୁହେଁ ବୋଲି ଅଭିଯୋଗ କରି, ପୂର୍ବରୁ ସୁଚରିତା ମହାନ୍ତି ପୁରୀ ଲୋକସଭା ଟିକେଟ୍ ଫେରାଇବାରୁ, କଂଗ୍ରେସକୁ ସେଠାରେ କ୍ୟାଣ୍ଡିଡେଟ୍ ବଦଳାଇବାକୁ ପଡ଼ିଥିଲା। ସେପଟେ କଂଗ୍ରେସରୁ ବହିଷ୍କୃତ ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି, ଖଡ଼ଗେ ନିଜେ ଜଣେ ଧନୀ ବ୍ୟକ୍ତି। ତାଙ୍କ ଭଳି ଆମ ରାଜ୍ୟରେ ବି ଏମିତି କିଛି ନେତା ଅଛନ୍ତି, ଯେଉଁମାନେ ଏକାକୀ ଦେଶରେ ୧୦ଟି ନିର୍ବାଚନ ପରିଚାଳନା କରିପାରିବେ। ତେଣୁ ସର୍ବସମ୍ମୁଖରେ କଂଗ୍ରେସ ସଭାପତି ଏଭଳି ଟିପ୍ପଣି ଦେଇ ଦଳକୁ ଛୋଟ କରିବା ଠିକ୍ ନୁହେଁ।