Alliance speculation
ପ୍ରଧାନମନ୍ତ୍ରୀ ଓଡ଼ିଶା ଛାଡିବାର ପରଦିନ ହିଁ, ଆଜି ନବୀନ ନିବାସରେ ବିଜେଡିର ରୁଦ୍ଧଦ୍ୱାର ବୈଠକ। ଆଉ ସେପଟେ ବିଜେପି ରାଜ୍ୟ ନେତୃତ୍ବଙ୍କୁ ଦିଲ୍ଲୀ ଡାକରା। ବଢିଲା ଚର୍ଚ୍ଚା। ଏକାଠି ହେଉଛନ୍ତି କି ବିଜେପି- ବିଜେଡି। କଣ NDAକୁ ବାହୁଡିବେ କି ନବୀନ? ଏହି ଦୁଇ ବୈଠକରେ ଆଜି ଏ ନେଇ ବିସ୍ତୃତ ଚର୍ଚ୍ଚା ଆଲୋଚନା ହୋଇଥିବା କୁହାଯାଉଛି। ସେପଟେ ଯଦି ମେଣ୍ଟ ହେବ, ତାର ରୂପରେଖ କଣ ହେବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି।
୧୫ ବର୍ଷ ପରେ ପୁଣି ଏକ୍ ହେବାକୁ ଯାଉଛନ୍ତି କି ବିଜେଡି-ବିଜେପି ? ଏନଡିଏକୁ ଫେରିବ କି ବିଜେଡି? ଦୁଇ ରାଜଧାନୀ ଭୁବନେଶ୍ୱର ଓ ଦିଲ୍ଲୀରେ ଦୁଇ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନେଇ ବଢିଲା ଚର୍ଚ୍ଚା। ସୋସିଆଲ ମିଡିଆଠୁ ଜାତୀୟ ରାଜନୀତି ସବୁଠି ମେଣ୍ଟକୁ ନେଇ କଳ୍ପନା ଜଳ୍ପନା। ଅପରାହ୍ଣ ୩ଟା ୩୦ରେ ନବୀନ ନିବାସରେ ବସିଥିଲା ବରିଷ୍ଠ ନେତାଙ୍କ ବୈଠକ। ମନ୍ତ୍ରୀମାନଙ୍କଠାରୁ ଆରମ୍ଭ କରି ଦଳର ବରିଷ୍ଠ ନେତା ଓ ଅନେକ ବିଧାୟକ ଏଥିରେ ସାମିଲ ହୋଇଥିଲେ। ଏପଟେ ସନ୍ଧ୍ୟାରେ ଦିଲ୍ଲୀରେ ବିଜେପିର ରାଜ୍ୟ ନେତୃତ୍ୱଙ୍କ ସହ କେନ୍ଦ୍ର ନେତାଙ୍କ ଆଲୋଚନା। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ସହ ରାଜ୍ୟ ସଭାପତି, ସଙ୍ଗଠନ ସଂପାଦକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କୋର୍ କମିଟିର ଏକାଧିକ ନେତା କରିଛନ୍ତି କସରତ।
ଯଦିଓ କିଛି ଦିନ ତଳେ ଉଭୟ ଦଳର ନେତା ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ କିନ୍ତୁ ବିଗତ କିଛି ଦିନର ଘଟଣା କ୍ରମ ମେଣ୍ଟ ନେଇ ହିଁ ସଙ୍କେତ ଦେଇଛି। ନିକଟରେ ନିଜ ସଂଖ୍ୟା ଥାଇ ବି ରାଜ୍ୟସଭା ପାଇଁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିଲା। ସେହିପରି ବିଜେପି ଲୋକସଭା ନିର୍ବାଚନ ଲାଗି ୧୯୫ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ସତ୍ତ୍ୱେ ଓଡ଼ିଶାରୁ ଗୋଟିଏ ବି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିନଥିଲା।
ଅନ୍ୟପଟେ ଗତକାଲି ଚଣ୍ଡିଖୋଲ ସଭାରେ ମୋଦିଙ୍କୁ ନବୀନଙ୍କ ପ୍ରଶଂସା। ସେହିପରି ମୋଦି ବି ନବୀନଙ୍କୁ ପରମ ମିତ୍ର କହି ସମ୍ବୋଧନ କରିବା ଏବଂ ନବୀନ ସରକାର ପ୍ରତି ନରମ ଆଭିମୁଖ୍ୟ ମେଣ୍ଟ ଚର୍ଚ୍ଚାକୁ ଆଗକୁ ବଢାଇଥିଲା। ଏବେ ପ୍ରଶ୍ନ ଯଦି ମେଣ୍ଟ ହୁଏ କଣ କେମିତି ରହିବ ସିଟ୍ ବୁଝାମଣା। କେତେ ପାଇବ ବିଜେପି ଆଉ କେତେ ରଖିବ ବିଜେଡି। ରାଜନୈତିକ ସମୀକ୍ଷକଙ୍କ ମତରେ ମେଣ୍ଟ ହେଲେ ଲୋକସଭାରେ ବିଜେପି ୧୨ରୁ ୧୪ ଏବଂ ବିଧାନସଭାରେ ୪୦ରୁ ୪୫ ସିଟ୍ ପାଇପାରେ।
କୁହାଯାଉଛି ଖୁବ ଶୀଘ୍ର ଏ ସଂପର୍କରେ ସ୍ପଷ୍ଟ ଚିତ୍ର ଆସିପାରେ। ଏହାରି ଭିତରେ କିନ୍ତୁ ବଡ଼ ଧରଣର ରାଜନୈତିକ ହଲଚଲ୍କୁ ନେଇ ନେତାଙ୍କ ହାର୍ଟବିଟ୍ ଏବେ ବଢ଼ିଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709739437.jpg)