ଯୋଗୀଙ୍କ ମନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ! ବିଷ ଓ ବ୍ଲେଡ୍ ସହ ଧରାପଡ଼ିଲା ଦୁର୍ବୃତ୍ତ

ନାମାଙ୍କନ ପତ୍ର ଦାଖଲ ପାଇଁ ବାହାରିଥିବା ଯୋଗୀଙ୍କ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି ।

Sidharth Nath Singh

ଉତ୍ତରପ୍ରଦେଶରେ ରାଜନୈତିକ ହିଂସା । କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂଙ୍କ ଉପରେ ମରଣାନ୍ତକ ଆକ୍ରମଣ । ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିବା ଜଣେ ବ୍ୟକ୍ତି ବିଷ ଏବଂ ବ୍ଲେଡ୍ ଧରି ତାଙ୍କ ପାଖକୁ ଝପଟି ଆସିଥିଲେ । ତେବେ ସୌଭାଗ୍ୟବଶତଃ ତାଙ୍କର କିଛି କ୍ଷତି ହୋଇନାହିଁ । ଆକ୍ରମଣ କରିବା ସମୟରେ ଅଭିଯୁକ୍ତମାନେ କାର୍ଯ୍ୟକର୍ତ୍ତା ଏବଂ ସୁରକ୍ଷା କର୍ମୀ କାବୁ କରିନେଇଛନ୍ତି ।

ସିଦ୍ଧାର୍ଥ ନାଥ ସିଂ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବାବେଳେ ଏହି ଆକ୍ରମଣ ଉଦ୍ୟମ କରାଯାଇଥିଲା । ପ୍ରୟାଗରାଜ ପଶ୍ଚିମ ସିଟ୍‌ରୁ ପ୍ରାର୍ଥୀ ହୋଇଛନ୍ତି ବିଜେପି ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ । ସେ ଦ୍ୱିତୀୟ ଥର ପାଇଁ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ଆସନରେ ଫେବୃଆରୀ ୨୭ରେ ୟୁପି ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ ।

ଆଜି ସିଦ୍ଧାର୍ଥନାଥ ସିଂଙ୍କ ସହ ଅନ୍ୟ ଅନେକ ଟାଣୁଆ ନେତା ମଧ୍ୟ ନାମାଙ୍କନ ପତ୍ର ଭରିବା ପାଇଁ ବାହାରିଥିଲେ । ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସିଦ୍ଧାର୍ଥନାଥ ସିଂ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି। ସଂଗଠନର ଜଣେ ସାଧାରଣ କାର୍ଯ୍ୟକର୍ତ୍ତାରୁ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ, ଏବେ ସେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି ।

ୟୁପି ସରକାରୀ ମୁଖପାତ୍ର ତଥା କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ ଗତକାଲି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପ୍ରଶଂସା କରିବା ସହ ସରକାରଙ୍କ ସଫଳତା ବଖାଣିଛନ୍ତି । ସେ ନିଜକୁ ଯୋଗୀଙ୍କ experimental boy ବୋଲି ମଧ୍ୟ କହିଛନ୍ତି । ମାଫିଆ ଅତିକ ଚରମବାଣୀ ଶୁଣାଇ କହିଥିଲେ, ଏବେ ସୁଦ୍ଧା ଯାହ ଘଟିଛି ତାହା କେବଳ ଟ୍ରେଲର, ୨୦୨୨ ନିର୍ବାଚନ ବିଜୟ ପରେ ପୁରା ଫିଲ୍ମ ପ୍ରଦର୍ଶିତ ହେବ । ବେଆଇନ ଭାବେ ଅଧିକୃତ ଜମିର ଉଚ୍ଛେଦକୁ ଇଙ୍ଗିତ କରି ସେ ଏହି କଥା କହିଥିଲେ ।