Odisha Politics: ଲୋକାଲ୍ ଲହର...ଯେଉଁଠି ଫିକା ପଡ଼ିଯାଏ ରାଜ୍ୟ ଓ ରାଷ୍ଟ୍ରୀୟ ଲହର 

୨୦୨୪ ନିର୍ବାଚନ ସମୟରେ ଓଡିଶାରେ “ମୋଦୀ-ନବୀନ ଲହର” ଭିତରେ ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ରାଜ୍ୟରେ ପରିବର୍ତ୍ତନର ହାୱା ବହିଲା! ୨୪ବର୍ଷର ସରକାର କ୍ଷମତାଚ୍ୟୁତ ହେଲେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ବିଜେଡିର ଗଡ କୁହାଯାଉଥିବା ଗଞ୍ଜାମର ୧୩ଟି ନିର୍ବାଚନମଣ୍ଡଳୀରୁ ୧୧ଟି ପୋଛିନେଲା ବିଜେପି । ବାକି ୨ଟି ସ୍ଥାନରୁ ଗୋଟିଏ ବିଜେଡି ଏବଂ ଅନ୍ୟଟି କଂଗ୍ରେସ ଖାତାକୁ ଗଲା ।

ରାଜନୀତିରେ ଲୋକାଲ୍‌ ଲହରର ପ୍ରଭାବ

ରାଜନୀତିରେ ଦଳୀୟ ହାୱା ବା ଲହର ଏକ ଉଲ୍ଲେଖନୀୟ ବ୍ୟାପାର । ଏଇ ଲହରରୁ ନିର୍ବାଚନୀ ପାଣିପାଗର ମୋଡ ବା ଭୋଟରଙ୍କ ମୁଡ୍ ଜାଣିବା ସହଜ ହୋଇଥାଏ । ତେବେ ଅନେକ ସମୟରେ ଜାତୀୟ କିମ୍ବା ରାଜ୍ୟ ନେତୃତ୍ୱଙ୍କ ଲହର ସ୍ଥାନୀୟ ଅଂଚଳକୁ ପ୍ରଭାବିତ କରିପାରିନଥାଏ l ଲୋକାଲ ଲହର ସେଠାରେ ଅଧିକ ସକ୍ରିୟ ଥିବା ଦେଖାଯାଏ l 

ଯେତେବେଳେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲହର ଛୁଟୁଥିଲା ଓଡିଶାର ଅନେକ ଅଂଚଳରେ ଏହାର ଭିନ୍ନ ପ୍ରଭାବ ପଡିଥିଲା! ରାଜ୍ୟରେ ଦଳର ସ୍ଥିତି ଯାହା ଥାଉନା କାହିଁକି, ନିଜ ନିର୍ବାଚନମଣ୍ଡଳୀରେ ନେତାଙ୍କ ନେତୃତ୍ୱ ଓ ବ୍ୟକ୍ତିତ୍ୱ ସେମାନଙ୍କୁ ବାରମ୍ବାର ବିଜୟ ମୁକୁଟ ପିନ୍ଧାଇ ଚାଲିଛି । ସେମାନଙ୍କ ମଧ୍ୟରେ ବେଶ୍ ବାରିହୋଇପଡୁଥିବା ବିଧାୟକ ହେଲେ- ତାରା ପ୍ରସାଦ ବାହିନୀପତି(୫ଥର), ରମେଶ ଜେନା (୩ଥର) ଓ ଲକ୍ଷ୍ମଣ ମୁଣ୍ଡା (୩ଥର) ।

ସପ୍ତଗିରି ଉଲାକା: ନିଆରା ଉଦାହରଣ

କୋରାପୁଟ ଲୋକସଭାରୁ ଦ୍ୱିତୀୟ ଥର ନିର୍ବାଚୀତ ହୋଇ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ସାଂସଦ ସପ୍ତଗିରି ଉଲାକା । ୨୦୨୪ ନିର୍ବାଚନ, ଯେତେବେଳେ ରାଜ୍ୟରେ ପରିବର୍ତ୍ତନର ସୁଅରେ ସର୍ବମୋଟ ୨୧ଟି ଲୋକସଭା ଆସନରୁ ବିଜେପି ୨୦ଟି ସମ୍ପୂର୍ଣ୍ଣ ଭାବେ ପୋଛି ନେଉଛି ସେତେବେଳେ ନିଜ ନିକଟତମ ପ୍ରତିଦ୍ୱନ୍ଦୀଙ୍କଠାରୁ ପ୍ରାୟ ଦେଢଲକ୍ଷ ଭୋଟ ବ୍ୟବଧାନରେ ବିଜୟ ହାସଲ କରୁଛନ୍ତି । ୨୦୦୯ରୁ ୨୦୧୪ ଏହି ଆସନ ତତ୍କାଳୀନ ଶାସକ ଦଳ ବିଜେଡି ହାତରେ ଥିବାବେଳେ ପରବର୍ତ୍ତୀ ନିର୍ବାଚନ ଗୁଡିକରେ ଶ୍ରୀ ଉଲାକା ବିଜୟୀ ହୋଇ ଆସୁଛନ୍ତି ।

୫ଥରର ବିଧାୟକ ଭାଲୁଭାଇନା

ଓଡିଶା ରାଜନୀତିରେ ବିଧାୟକ ତାରାପ୍ରସାଦ ବାହିନୀପତି (ଭାଲୁ ଭାଇନା)ଙ୍କ ଏକ ସ୍ୱତନ୍ତ୍ର ପରିଚୟ ରହିଛି । କଂଗ୍ରେସ ଦଳର ଆଦର୍ଶରେ ଅନୁପ୍ରାଣିତ ହେଲେ ମଧ୍ୟ ପ୍ରାୟ ସବୁ ଦଳର ସଦସ୍ୟମାନଙ୍କ ସହିତ ତାଙ୍କର ସମ୍ପର୍କ ନିଆରା । ୨୦୦୦ ମସିହାରୁ ୨୦୦୯ କୋରାପୁଟ ଏବଂ ୨୦୧୪ରୁ ୨୦୨୪ ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଗାତର ୫ ଥର କ୍ରମାଗତ ଭାବେ ବିଜୟ ହାସଲ କରି ଆସୁଛନ୍ତି । ଗତ ନିର୍ବାଚନରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ପ୍ରାୟ ୧୩ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପାଖାପାଖି ୭୦ ହଜାର ଭୋଟ ପାଇ ବିଜୟୀ ହୋଇଥିଲେ । ଯେତେବେଳେ “ନବୀନ ହାୱା” ରାଜ୍ୟରେ ଝଡ ସୃଷ୍ଟି କରୁଥିଲା, ଭାଲୁ ଭାଇନାଙ୍କ ନେତୃତ୍ୱ ନିଜ ଆସନ ସୁରକ୍ଷିତ ରଖିବାରେ ସଫଳ ହୋଇଥିଲା ।

୨୦୨୪ ନିର୍ବାଚନ: ଗଞ୍ଜାମର ଦୁଇ ଦ୍ୱୀପ

୨୦୨୪ ନିର୍ବାଚନ ସମୟରେ ଓଡିଶାରେ “ମୋଦୀ-ନବୀନ ଲହର” ଭିତରେ ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ରାଜ୍ୟରେ ପରିବର୍ତ୍ତନର ହାୱା ବହିଲା! ୨୪ବର୍ଷର ସରକାର କ୍ଷମତାଚୁ୍ୟତ ହେଲେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ବିଜେଡିର ଗଡ କୁହାଯାଉଥିବା ଗଞ୍ଜାମର ୧୩ଟି ନିର୍ବାଚନମଣ୍ଡଳୀରୁ ୧୧ଟି ପୋଛିନେଲା ବିଜେପି । ବାକି ୨ଟି ସ୍ଥାନରୁ ଗୋଟିଏ ବିଜେଡି ଏବଂ ଅନ୍ୟଟି କଂଗ୍ରେସ ଖାତାକୁ ଗଲା । ୨ଟି ଆସନରୁ ନିର୍ବାଚନ ଲଢୁଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀଦଳନେତା ନବୀନ ପଟ୍ଟନାୟକ କଣ୍ଟାବାଂଝି ଆସନ ହରାଇଥିବା ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନମଣ୍ଡଳୀରରେ ନିଜ ଆସନ ସୁରକ୍ଷିତ ରଖିବାରେ ସକ୍ଷମ ହେଲେ ।

ତେବେ କଂଗ୍ରେସ ଅକ୍ତିଆର କରିଥିବା ଆସନଟି ହେଲା ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ । ୨୦୦୯ରେ ସାନଖେମୁଣ୍ଡିକୁ ସ୍ୱତନ୍ତ୍ର ନିର୍ବାଚନମଣ୍ଡଳୀ ଭାବରେ ଘୋଷଣା ହେବା ପରଠାରୁ ୨୦୧୪କୁ ବାଦ ଦେଲେ କଂଗ୍ରେସ ବିଧାୟକ ରମେଶ ଜେନା ଏଠାରେ ନିର୍ବାଚନ ଜିତି ଆସୁଛନ୍ତି । ୨୦୧୪ରେ ଏଠାରେ ବିଜେଡି ପ୍ରାର୍ଥୀ ନନ୍ଦିନୀ ଦେବୀ ପ୍ରାୟ ୮ ହଜାର ଭୋଟ ବ୍ୟବଧାନରେ ଜିତି ଥିଲେ । ତେବେ ଏହା ପରେ ୨୦୧୯ ଏବଂ ୨୦୨୪କୁ ମିଶାଇ ରମେଶ ଜେନା ୩ଥର ସାନଖେମୁଣ୍ଡିରୁ ବିଜୟ ହାସଲ କରି ଆସୁଛନ୍ତି ।

ସାନଖେମୁଣ୍ଡିର ନେତୃତ୍ୱ 

୨୦୨୪ ନିର୍ବାଚନ ସମୟ, ଯେତେବେଳେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟାକୁ କେନ୍ଦ୍ରକରି ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଦେଲା । ଅନେକ ସ୍ଥାନରେ ମହିଳାମାନେ ଗରା, ବାଲଟି ଧରି ରାସ୍ତା ଅବରୋଧ କଲେ । “ପାଣି ନାହିଁ ତ ଭୋଟ ନାହିଁ”ର ନାରାର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା । ଏଥିପାଇଁ ସ୍ଥାନୀୟ ପ୍ରଶାସନକୁ ଦାୟୀ କରାଯାଇଥିଲା । ଭୋଟରଙ୍କ ଏହି ଆକ୍ରୋଶ ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା କରାଯାଉଥିଲା । କିନ୍ତୁ ପ୍ରାୟ ୧୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଜେନା ନିର୍ବାଚିତ ହେଲେ । ଆଜିକା ଦିନରେ ମଧ୍ୟ ଏଠାରେ ପିଇବା ପାଣି ଏକ ମୁଖ୍ୟ ସମସ୍ୟା ଭାବରେ ମୁଣ୍ଡଟେକିଛି । ସ୍ଥାନୀୟ ଅଂଚଳରେ ଅଧିକାଂଶ ସମୟ ପାନୀୟ ଜଳ, ପରିମଳ, ସ୍ୱାସ୍ଥ୍ୟସେବା ଆଦି ବିଭିନ୍ନ କ୍ଷେତ୍ରରେ ସମସ୍ୟା କଥା ସାମ୍ନାକୁ ଆସିଛି । ତେବେ ଏସବୁ ଭିତରେ ବିଧାୟକ ଶ୍ରୀ ଜେନାଙ୍କ ନେତୃତ୍ୱ ଅକ୍ଷୁର୍ଣ୍ଣ ରହିଥିବା ଦେଖାଯାଇଛି ।

ବିଜେପି ଶାସନରେ ବାମପନ୍ଥୀ ନେତୃତ୍ୱ

ଦେଶରେ ବାମପନ୍ଥୀ ଦଳମାନଙ୍କର ସ୍ଥିତି ଦୁର୍ବଳ ସ୍ଥିତି ଦେଇ ଗତିକରୁଥିବା ଏବଂ ଓଡିଶାରେ ସିପିଆଇ, ସିପିଆଇ(ଏମ୍)ଭଳି ଏକ ରାଷ୍ଟ୍ରୀୟ ରାଜନୈତିକ ଦଳଗୁଡିକର ଅତି ଦୁର୍ବଳ ସ୍ଥିତିରେ ଲଗାତର ଗତ ୩ଟି ବିଧାନସଭା ନିର୍ବାଚନରେ କ୍ରମାଗତ ଭାବରେ ଲକ୍ଷ୍ମଣ ମୁଣ୍ଡା ବିଜୟ ହାସଲ କରି ଆସୁଛନ୍ତି । ବାମପନ୍ଥୀ ଦଳମାନଙ୍କ ମଧ୍ୟରେ ଶ୍ରୀ ମୁଣ୍ଡା ଜଣେ ମାତ୍ର ସଦସ୍ୟ ଯେକି ସିପିଆଇ(ଏମ୍) ତରଫରୁ ବଣାଇ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ଓଡିଶାରେ ପରିବର୍ତ୍ତନ ନାରା ମାଧ୍ୟମ ଦେଇ ବିଜେପି ସରକାର କ୍ଷମତାକୁ ଆସିବା, ଡବଲ ଇଂଜିନ ସରକାର ସ୍ଥାପନ ହେବା ଏବଂ ରାଜ୍ୟର ଜଣେ ଆଦିବାସୀ ପୁଅ ମୁଖ୍ୟମନ୍ତ୍ରୀ ହେବା ବେଳେ ବିରୋଧୀ ବାମପନ୍ଥୀ ଦଳର ବିଧାୟକ ଭାବରେ ଲକ୍ଷ୍ମଣ ମୁଣ୍ଡା ନିର୍ବାଚିତ ହୋଇଛନ୍ତି । ସ୍ଥାନୀୟ ଆଦିବାସୀମାନଙ୍କ ସମସ୍ୟାକୁ ସେ ବିଧାନସଭାରେ ଉତ୍ଥାପନ କରୁଛନ୍ତି ।