କଂଗ୍ରେସରେ ପୁଣି ଦାନା ବାନ୍ଧିବ ଅଶାନ୍ତିର ଝଡ଼ ? ଥରୁର-ଖଡ଼ଗେ ଫାଇଟକୁ ନେଇ ତେଜିପାରେ ଗୋଷ୍ଠୀ ବିବାଦ

ଏଭଳି ସ୍ଥିତିରେ କଂଗ୍ରେସ ନେତାଙ୍କ ଆଭିମୁଖ୍ୟ କଣ ହେବ ?

Congress leaders Mallikarjun Kharge and Shashi Tharoor

ଦୀର୍ଘ ବର୍ଷର ଅନ୍ତରାଳରେ କଂଗ୍ରେସରେ ହେବାକୁ ଯାଉଛି ଦଳୀୟ ସଭାପତି ନିର୍ବାଚନ । ତେବେ ଏଥର ଦାନା ବାନ୍ଧିବ ନାହିଁ ତ ଆଉ ଏକ ଅଶାନ୍ତିର ଝଡ଼? ଶଶି ଥରୁର ଓ ଖଡ଼ଗେଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ପୁଣି ତେଜିବ ନାହିଁ ତ ଗୋଷ୍ଠୀ ବିବାଦ । ଜି-୨୩ ଗ୍ରୁପର କିଛି ନେତା ଖଡ଼ଗେଙ୍କୁ ସମର୍ଥନ କରିବା ସମ୍ଭାବନା ଥିବାରୁ ପୁଣି ନୂଆ ସମୀକରଣ ସୃଷ୍ଟି ହେବା ଚର୍ଚ୍ଚା ହେଉଛି ।  

କଂଗ୍ରେସ ସଭାପତି ପଦଲାଗି ମନୋନୟନପତ୍ର ଦାଖଲ କରିବା ପରେ ବିଜେପି ନେତା ଅମିତ୍ ମାଲବ୍ୟ ଥରୁରଙ୍କୁ ଟାର୍ଗେଟ କରିଥିଲେ । ଖାସ୍ କରି ଦଳୀୟ ନେତୃତ୍ୱକୁ ବିରୋଧ କରି ଦୁଇ ବର୍ଷ ତଳେ ସୋନିଆଙ୍କୁ ଚିଠି ଲେଖିଥିବା ଜ-୨୩ ଗୋଷ୍ଠୀର କିଛି ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଖୋଲା ସମର୍ଥନ କରିବା ନେଇ କଟାକ୍ଷ କରିଥିଲେ ମାଲବ୍ୟ । ସେ, କହିଥିଲେ ଥରୁରଙ୍କୁ ଏକୁଟିଆ କରିଦେଇଛି ଜି-୨୩ ।

ଜବାବରେ ଥରୁର କହିଛନ୍ତି, କଂଗ୍ରେସରେ ଜି-୨୩ ବୋଲି କିଛି ନଥିଲା ଦଳକୁ ସୁଦୃଢ କରିବା ଲକ୍ଷ୍ୟରେ ବରିଷ୍ଠ ନେତାମାନେ ପରାମର୍ଶ ଦେଇଥିଲେ । ଏହାକୁ ଅନେକ ଲୋକଙ୍କ ସମର୍ଥନ ଥିଲା । ଖଡ଼ଗେ ମଧ୍ୟ ଥରୁରଙ୍କୁ ସମର୍ଥନ ଛଳରେ କଟାକ୍ଷ କରିଛନ୍ତି । କଂଗ୍ରେସରେ କେବେ ବି ଜି-୨୩ ନଥିଲା ବୋଲି ସେ କହିଛନ୍ତି । ତେବେ ତାସହିତ ଏହାମଧ୍ୟ କହିଛନ୍ତି ଯେ, ସବୁ ନେତାଙ୍କର ତାଙ୍କ ପ୍ରତି ସମର୍ଥନ ରହିଛି । ଦୁଇ ନେତାଙ୍କ ମଧ୍ୟରେ ଯେଭଳି ଆକ୍ଷେପ-ପ୍ରତି ଆକ୍ଷେପ ଚାଲିଛି ନିର୍ବାଚନ ପାଖେଇବା ସହ ଥରୁର-ଖାଡ୍ଗେ ବାକ୍ ଯୁଦ୍ଧ ଆହୁରି ଉଗ୍ର ହେବା ସ୍ପଷ୍ଟ ହେଉଛି ।

ସୋନିଆ କାହାକୁ ମନୋନୀତ କରିନାହାନ୍ତି ବୋଲି କହିଛନ୍ତି ଥରୁର । ଅର୍ଥାତ୍ ଦଳୀୟ ନେତାଙ୍କୁ ନିଜ ବିବେକ ଅନୁଯାୟୀ ମତ ଦେବାକୁ ସେ ପରାମର୍ଶ ଦେଇଛନ୍ତ । ଏଭଳି ସ୍ଥିତିରେ କଂଗ୍ରେସ ନେତାଙ୍କ ଆଭିମୁଖ୍ୟ କଣ ହେବ, ତାକୁ ନେଇ ଚର୍ଚ୍ଚା । ସୋନିଆଙ୍କ ଖଡ଼ଗେଙ୍କୁ ପସନ୍ଦକୁ ସମର୍ଥନ କରିବେ, ନା ଶଶି ଥରୁରଙ୍କ ଭଳି ଦକ୍ଷ ନେତାଙ୍କ ସପକ୍ଷରେ ଯିବେ ? ଥରୁରଙ୍କ ପ୍ରାର୍ଥିତ୍ୱ ଦଳୀୟ ନେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ ବୋଲି କୁହାଯାଉଛି।

କଂଗ୍ରେସରେ ପରିବର୍ତ୍ତନ ଓ ସଂସ୍କାର ଚାହୁଁଥିବା ପକ୍ଷଙ୍କ ଚିତାପଟ୍ ହେଉଛି, ନା ଗାନ୍ଧୀ ପରିବାରର ଚିରାଚରିତ ଆନୁଗତ୍ୟମାନଙ୍କ ପଲ୍ଲା ପୁଣି ଭାରି ପଡୁଛି, ଅକ୍ଟୋବର ୧୯ରେ ଫଳାଫଳ ପ୍ରକାଶ ପାଇଲେ ତାହା ସ୍ପଷ୍ଟ ହେବ ।