ଶେଷ ହୋଇଛି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ । ଅନେକ ଦୃଷ୍ଟିରୁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ବିଶେଷ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ତାଙ୍କ ସରକାରଙ୍କ ପାଇଁ ଏହା ଥିଲା ଏକ ବିରାଟ ଅଗ୍ନିପରୀକ୍ଷା । ନୂଆ ମୁଖ୍ୟମନ୍ତ୍ରୀ ଭାବରେ ସେ ଗତ ଫେବୃୟାରୀ ମାସ ୧୭ ତାରିଖରେ ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ । ଏହି ବଜେଟ୍କୁ ଅନାୟାସରେ ପାରିତ କରିବା ତାଙ୍କ ଲାଗି ଏକ ବଡ଼ ଆହ୍ୱାନ ଥିଲା ।
ବିଧାନସଭା ଆରମ୍ଭରୁ ମୋହନ ମାଝି ସରକାରଙ୍କ ବିରୋଧରେ ବିରୋଧୀ ବିଜୁ ଜନତା ଦଳ (ବିଜେଡ଼ି) ଓ କଗ୍ରେଂସ ପ୍ରତିରୋଧର ଏକ ବିଶାଳ ପାହାଡ଼ ଛିଡ଼ା କରିଥିଲେ । ଅସ୍ମିତା, ଚାଷୀ, ପୋଲାଭରମ ଓ ଆଇନଶୃଙ୍ଖଳା ଇତ୍ୟାଦି ପ୍ରସଙ୍ଗରେ ବିଜୁ ଜନତା ଦଳ ସରକାରଙ୍କୁ ଘେରିଥିଲା । ସେହିପରି ପ୍ରଥମ ଦିନରୁ କଗ୍ରେଂସ ଦଳ ଓଡ଼ିଶାରେ ମହିଳାମାନେ ଅସୁରକ୍ଷିତ ଏବଂ ମୋହନ ମାଝି ସରକାର ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ବୋଲି ଅଭିଯୋଗ କରିବା ସହିତ ଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ହୋଇଥିବା ୧୬ଶହ ପାଖାପାଖି ମହିଳା ନିର୍ଯ୍ୟାତନା ନେଇ ଏକ ଗୃହ କମିଟି ଗଠନ କରିବା ଲାଗି ଦାବି କରିଥିଲା ।
ନିଜର ଦାବିକୁ ହାସଲ କରିବା ସହିତ ଗୃହରେ ଦଳର ସଦସ୍ୟମାନେ ଘଣ୍ଟଘଣ୍ଟା, ତୂରୀ, କାହାଳୀ ଓ ଶାହାନାଇ ବଜାଇ ଶୃଙ୍ଖଳା ଭଙ୍ଗ କରିଥିଲେ । ଯାହାଫଳରେ ସେମାନଙ୍କୁ ଗୃହରୁ ସାତ ଦିନ ଲାଗି ନିଲମ୍ବନ କରାଗଲା । ବିଧାନସଭା ଧାର୍ଯ୍ୟ କାଯ୍ୟସୂଚୀ ଠାରୁ ତିନି ଦିନ ପୂର୍ବରୁ ଅନିର୍ଦ୍ଧିଷ୍ଟ କାଳା ଲାଗି ମୁଲତବୀ ହୋଇଯିବାରୁ କଗ୍ରେଂସ ସଦସ୍ୟମାନଙ୍କ ଭାଗ୍ୟରେ ବଜେଟ୍ ଅଧିବେଶନରେ ଆଉ ଭାଗ ନେବାର ସୁଯୋଗ ମିଳିପାରିଲା ନାହିଁ ।
Also Read
କଗ୍ରେଂସ ସଦସ୍ୟମାନଙ୍କ ଉପରେ ଦୃୃୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଗୃହରେ ଏକ ପ୍ରକାର ଶାନ୍ତି ଫେରିଲା । ‘ବିରିମାଡ଼ ଦେଖି କୋଳଥ ଚେପା’ ନ୍ୟାୟରେ ବିଜେଡ଼ି ସଦସ୍ୟମାନେ ଶାନ୍ତ ପଡ଼ିଗଲେ । ବୋଧହୁଏ ସେମାନେ କେଉଁଠି ନା କେଉଁଠି ଅନୁଭବ କଲେ ଯେ ସରକାରଙ୍କ ସହିତ ଆଉ ମୁକାବିଲାମୂଳକ ପରିସ୍ଥିତିର ସାମ୍ନା କରିପାରିବେ ନାହିଁ । ତେଣୁ ସେମାନେ ସୁନାପିଲା ପରି ପ୍ରଶ୍ନକାଳ ଠାରୁ ଆରମ୍ଭ କରି, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଓ ବିଭିନ୍ନ ବିଧେୟକ ଉପରେ ବେଶ୍ ପ୍ରଭାବୀ ଢଙ୍ଗରେ ଅଂଶଗ୍ରହଣ କରି ବଜେଟ୍ ଅଧିବେଶନର ମହତ୍ୱ ବୃଦ୍ଧି କରିଥିଲେ ।
ପ୍ରଥମ କେତେଦିନର ହଟ୍ଟଗୋଳ ପରେ ଗୃହ ଏକ ପ୍ରକାର ସ୍ୱାଭାବିକ ହେବା ପରେ ପ୍ରତିଦିନ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ବ୍ୟାପକ ତଥା ସବିଶେଷ ଆଲୋଚନା ହୋଇଥିଲା । ଏହା ଉଭୟ ସରକାର ଓ ବିରୋଧୀ ଦଳ ସଦସ୍ୟମାନଙ୍କୁ ସେମାନଙ୍କର ଧୀମତ୍ତାକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ସାହାଯ୍ୟ କରିଥିଲା । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ତଥା ସାଧାରଣ ପ୍ରଶାସନ ଓ ବିନିଯୋଗ ବିଲ୍ ଆଲୋନାର ଉତ୍ତର ଯେଉଁଭଳି ପ୍ରଭାବୀ ଢଙ୍ଗରେ ରଖିଲେ, ତାହା ଉପସ୍ଥିତ ସଦସ୍ୟମାନଙ୍କୁ ଏକ ମଧୁର ଅନୁଭବ ଦେଇଥିଲା ।
ତଥ୍ୟପୂର୍ଣ୍ଣ ଭାବରେ ତଥା ଅତି ଠୋସ୍ ଭାବରେ ବିରୋଧୀମାନଙ୍କ ଅଭିଯୋଗର ପାହାଡ଼କୁ ସେ ଏକ ପ୍ରକାର ଧ୍ୱସ୍ତ କରିଦେଇଥିଲେ । ତଥ୍ୟ ବ୍ୟତୀତ ତାଙ୍କ ଭାଷଣରେ ସେ ହାସ୍ୟ, ବ୍ୟଙ୍ଗ, ଶ୍ଲେଷ ଓ କଟାକ୍ଷ ଇତ୍ୟାଦି ଭରପୂର ଭାବେ ବ୍ୟବହାର କରି ସରକାରୀ ଦଳକୁ ସୁକ୍ଷ୍ମ ଭାବରେ ଏକ ପ୍ରକାର ପ୍ରତିରକ୍ଷା ମୂଦ୍ରାକୁ ଠେଲି ଦେଇଥିଲେ । ଗୃହ ବିଭାଗର ଆଲୋଚନାର ଉତ୍ତର ରଖିଲା ବେଳେ ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଜ୍ୟବାସୀ ଭଲଭାବରେ ଜାଣିଛନ୍ତି ଯେ କଂଗ୍ରେସ ସମୟରେ ଓଡ଼ିଶାରେ ଚାଲିଥିଲା କ’ଣ ? ୧୯୮୦ ଦଶକର ଛବିରାଣୀ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ୧୯୯୦ ଦଶକର ଶେଷ ପାଦରେ ଘଟିଥିବା ବାରଙ୍ଗ ଗଣଦୁଷ୍କର୍ମ ଘଟଣା ଯୋଗୁ କଂଗ୍ରେସ ଏ ପର୍ଯ୍ୟନ୍ତ ଲୋକଙ୍କ ଠାରୁ ଏକ ପ୍ରକାର ଅଛୁୃଆଁ ହୋଇ ରହିଛି ।
୨୦୦୦ ମସିହା ବିଧାନସଭା ନିର୍ବାଚନରେ ଦଳର ଭୋଟ୍ ହାର ୩୩.୭୭ ପ୍ରତିଶତ ଥିବା ବେଳେ ଏବେ ଏହା ଆସି ମାତ୍ର ୧୩ ପ୍ରତିଶତରେ ପହଚିଂଛି। ସେତେବେଳେ ଥାନା କଂଗ୍ରେସ କର୍ମୀମାନଙ୍କ କାର୍ଯ୍ୟାଳୟ ଓ ରୋଜଗାର କରିବାର ସ୍ଥାନ ପାଲଟି ଯାଇଥିଲା । ଗୁଣ୍ଡାରାଜ ଯୋଗୁ ଝିଅ ବୋହୁ ଘରୁ ବାହାରୁ ନଥିଲେ । ସେହିପରି ବିଜେଡ଼ିକୁ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବିଜେଡି ଶାସନରେ କୁହାଯାଉଥିଲା , ‘ଆଇନ୍ ତା’ବାଟରେ ଯିବ । ହେଲେ, ଆଇନର ବାଟକୁ ମୋଡି ମକଚି ଏହାକୁ ଦିଗହରା କରାଯାଉଥିଲା । ଥାନାକୁ କେହି ନ୍ୟାୟ ପାଇବା ପାଇଁ ଯିବା ଲାଗି ଭରସା କରିପାରୁନଥିଲେ ।
ରାଜନୈତିକ ନେତା ଓ ସାଧାରଣ ଜନତାଙ୍କୁ ପୋଲିସ୍ ଲଗାଇ ଦମନ କରାଯାଉଥିଲା । ସେତେବେଳେ ପୋଲିସ୍ ଭାଇମାନଙ୍କର ଶକ୍ତିକୁ ଅପବ୍ୟବହାର କରି ବିଜେଡି ନେତାମାନେ ସବୁଦିନେ କ୍ଷମତାରେ ରହିବାକୁ ଏକ ଅସମ୍ଭବ ସ୍ୱପ୍ନ ଦେଖିଥିଲେ । ସଚିବାଳୟର ତୃତୀୟ ମହଲାରେ ଜଣେ ଆଇପିଏସ୍ ପୋଲିସ୍ ଅଧିକାରୀଙ୍କୁ ବସାଇ ତାଙ୍କ ମାଧ୍ୟମରେ ସମସ୍ତ ପୋଲିସ୍ ବାହିନୀଙ୍କୁ ନିୟନ୍ତ୍ରଣ କରିଯିବାର ଅପଚେଷ୍ଟା ହୋଇଥିଲା । ଏହା ଗଣତନ୍ତ୍ର ପାଇଁ ଏକ ବଡ଼ ବିପଦ ଥିଲା ।
ବିଜେଡ଼ି ଶାସନ ସମୟରେ ଏ ରାଜ୍ୟବାସୀ ଦେଖିଛନ୍ତି ଓ ଶୁଣିଛନ୍ତି ଇତିଶ୍ରୀ, ବେବିନା, ମାଧବୀଲତା, ମମିତା ମେହର, ପରୀ ଓ ପିହୁର କରୁଣ କାହାଣୀ । ଦେଖିଛନ୍ତି ନିଦାବିଷ୍ଣୁ ବିଜେଡି ସରକାର ନିଷ୍ଠୁର ନିରବତା । ଦୋଷୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ମାହାଙ୍ଗା ଡବଲ ମର୍ଡର ଶୀକାର ହୋଇଥିବା ଦିବ୍ୟସିଂହ ବରାଳ ଓ କୁଳମଣୀ ବରାଳଙ୍କ ଅତ୍ମା ଆଜି ବି ଗୁମୁରିଗୁମୁରି କାନ୍ଦୁଛନ୍ତି । ତାଙ୍କର ଏହିଭଳି ଆଭିମୁଖ୍ୟ ବିଜେଡ଼ିକୁ ଏକ ପ୍ରକାର ନିରସ୍ତ୍ର କରିଦେଇଥିଲା । ମାର୍ଚ୍ଚ ୨୯ ତାରିଖ ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ଦିନ ଆପ୍ରୋପ୍ରିଏସନ୍ ବିଲ୍ ବା ବିନିୟୋଗ ବିଧେୟକ ବିଲ୍ ଆଗତ କରାଗଲା ଏହି ଦିନ ମୁଖ୍ୟମନ୍ତ୍ରୀ ବିତ୍ତିୟ ପରିଚାଳନା ନେଇ ତାଙ୍କ ସରକାରଙ୍କ ପାରଦର୍ଶିତ ଉପସ୍ଥାପିତ କଲାବେଳେ ବିଜେଡ଼ି ନେତାମାନେ ଏକ ପ୍ରକାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
‘ହାତୀ ଭଳି ବଜେଟ୍ ହେଉଛି, କିନ୍ତୁ ପିମ୍ପୁଡି ଭଳି ଖର୍ଚ୍ଚ’ କରିବା ପାଇଁ ସରକାରଙ୍କ ତାକତ ନାହିଁ ବୋଲି ବିଜେଡ଼ି ସଦସ୍ୟ ଅରୁଣ କୁମାର ସାହୁ କହିଥିଲେ । ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ସରକାରଙ୍କ ଟିକସ ଭାଗ ରାଜ୍ୟ ବଜେଟ୍ରେ ମୋହନ ମାଝି ଦର୍ଶାଉଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅରୁଣଙ୍କ ପ୍ରଶ୍ନର ଉତ୍ତରରେ ସିଧା କହିଥିଲେ ଯେ ଗତ ୨୦୨୪-୨୫ ଆର୍ଥିକ ବର୍ଷରୁ ବିଜେଡିର ୪ ମାସ ଥିଲା ଏବଂ ତାଙ୍କ ସରକାର ମାତ୍ର ୮ ମାସ ପାଇଥିଲେ । ଏହା ସତ୍ତ୍ୱେ ବି ତାଙ୍କ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୧୫ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ କରିଛନ୍ତି । ଏହା ପିମ୍ପୁଡି ଖର୍ଚ୍ଚ ନା ଆଉ କ’ଣ ବୋଲି ସେ ପାଲଟା ପ୍ରଶ୍ନ କଲାବେଳେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ‘ଡାଇନୋସର’ ବୋଲି କହି ଏକ ପ୍ରକାର ମୋହନ ସରକାରଙ୍କ ପାରିବାପଣ ଉପରେ ନିଜର ସ୍ୱୀକୃତିର ମୋହର ମାରିଥିଲେ ।
ଶେଷ ଦିନରେ ବହୁ ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ବିଲ୍, ୨୦୨୪ ଓ ଓଡ଼ିଶା ରାଜପଥ ପ୍ରାଧିକରଣ ବିଲ୍ ଦୁଇଟି ଉପରେ ୧୫ ଘଣ୍ଟାର ଆଲୋଚନା କରାଇ ସେ ବିଧେୟକଗୁଡିକୁ ପାରିତ କରିବା ସରକାରଙ୍କ ଏକ ବଡ ଉପଲବ୍ଧି ଥିଲା । ଦୀର୍ଘ ଦଶନ୍ଧିଦଶନ୍ଧି ଧରି ବିଧାନସଭାରେ ବିଧାୟକମାନଙ୍କ ସ୍ୱର ସେତେ ଶୁଭୁନଥିଲା ଭଳି ଲାଗୁଥିଲା । ଲାଗୁଥିଲା ସତେଯେପରି ବହୁଦିନ ଧରି ଅବଦମିତ କରିରଖାଯାଇଥିବା ଗଣତନ୍ତ୍ରର ଶାସନ ପ୍ରକ୍ରିୟା ଫେରିଆସିଛି । ଏ ସବୁ ଭିତରେ କଂଗ୍ରେସର ଅନୁପସ୍ଥିତି ଅନୁଭବ କରିହେଉଥିିଲା ।
କଂଗ୍ରେସ ପ୍ରଥମରୁ ଆବଶ୍ୟକତା ଠାରୁ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଅସୁବିଧାରେ ପଡିଗଲା । ଦଳର ସଦସ୍ୟମାନେ ଭିତରେ ରହି ନିଜର ବଳିଷ୍ଠ ତର୍କ ଓ ଯୁକ୍ତି ମାଧ୍ୟମରେ ଜନସାଧାରଣଙ୍କ ନିକଟତର ହୋଇପାରିଥାନ୍ତେ । ହେଲେ, ତାହା ହୋଇପାରିଲା ନାହିଁ । ଲାଗିଲା ଯେମିତି ଚକ୍ରବ୍ୟୁହରେ ଫସିଗଲା ଦଳ । ଏକ ପ୍ରକାର କହିବାକୁ ଗଲେ ବାଜି ମାରିନେଲେ ମୋହନ ମାଝି, କୌଣସି ପ୍ରକାର ସମ୍ମାନ ରକ୍ଷା କରିବାକୁ ସମର୍ଥ ହେଲା ବିଜେଡ଼ି । ଏବେ ରାଜ୍ୟ ରାଜ୍ୟନୀତିରେ ଆଉ କିଛି ରୋଚକ ଘଟଣା ଘଟିବାକୁ ଯାଉଛି । ସେ ସମ୍ପର୍କରେ ଆସନ୍ତା ଆଲେଖ୍ୟରେ ଆଲୋଚନା କରିବା ।
ବି.ଦ୍ର-(ଏହି ଆଲେଖ୍ୟରେ ଥିବା ସମସ୍ତ ତର୍ଜମା ଲେଖକଙ୍କ ନିଜସ୍ୱ ଅନୁଶୀଳନ)