ଶକ୍ତିଶାଳୀ ବିରୋଧୀ ଦଳର ଆଭିମୁଖ୍ୟ କେତେ ପ୍ରଭାବଶାଳୀ ?

ଲୋକାୟୁକ୍ତ, ସୂଚନା ଆୟୋଗ, ନିର୍ବାଚନ ଆୟୋଗ, ଓଇଆସିର କାର୍ଯ୍ୟ ଠପ୍ ହୋଇପଡିଛି । ପାଣି, ପରିମଳ କଥା ତେଣିକି ଥାଉ, ସ୍ଥିତି ଏଭଳି ହେଲାଣି ଯେ ରାସ୍ତାଘାଟ ମରାମତି ପାଇଁ ମାମଲା ହାଇକୋର୍ଟରେ ପହଂଚିଲାଣି !

ଶକ୍ତିଶାଳୀ ବିରୋଧୀ ଦଳର ଆଭିମୁଖ୍ୟ କେତେ ପ୍ରଭାବଶାଳୀ ?

ପୂଜାଋତୁରେ ଆକାଶ ଛୁଆଁ ଦରଦାମ । ଆଳୁକୁ ନିୟନ୍ତ୍ରଣ କଲା ବେଳକୁ ପିଆଜ, ଟମାଟୋ, ପନିପରିବା ସମେତ ତେଲ, ଅଟା ଆଦି ସଉଦା ସାମଗ୍ରୀରେ ହାତ ମାରି ହେଉନି । ସେପଟେ ଆର୍.ଆଇ. ଅମିନ ପରୀକ୍ଷାରେ ବ୍ୟାପକ ବିଭ୍ରାଟ ଅଭିଯୋଗରେ ହଜାର ହଜାର ଚାକିରି ଆଶାୟୀଙ୍କ ଅସନ୍ତୋଷ । ରାଜ୍ୟର ଅର୍ଦ୍ଧନ୍ୟାୟିକ ସଂସ୍ଥାଗୁଡିକ ଅଚଳାବସ୍ଥାରେ ରହିଛି । ଲୋକାୟୁକ୍ତ, ସୂଚନା ଆୟୋଗ, ନିର୍ବାଚନ ଆୟୋଗ, ଓଇଆସିର କାର୍ଯ୍ୟ ଠପ୍ ହୋଇପଡିଛି । ପାଣି, ପରିମଳ କଥା ତେଣିକି ଥାଉ, ସ୍ଥିତି ଏଭଳି ହେଲାଣି ଯେ ରାସ୍ତାଘାଟ ମରାମତି ପାଇଁ ମାମଲା ହାଇକୋର୍ଟରେ ପହଂଚିଲାଣି ! ଏକ ଜନସ୍ୱାର୍ଥମାମଲାର ଶୁଣାଣି କରି ଅକ୍ଟୋବର ୩ ତାରିଖରେ ହାଇକୋର୍ଟଙ୍କୁ ୭ ଦିନ ଭିତରେ (ଦଶହରା ପୂଜା ପୂର୍ବରୁ) ରାସ୍ତାଘାଟ ମରାମତି ଓ ଷ୍ଟ୍ରିଟ୍ ଲାଇଟ କାର୍ଯ୍ୟକ୍ଷମ ପାଇଁ ନିର୍ଦ୍ଦେଶ ଦେବାକୁ ପଡିଲା ।

ଏପଟେ ସୁଭଦ୍ରା ଆବେଦନ ଓ ରାସନକାର୍ଡ ଯାଂଚ ପ୍ରକ୍ରିୟାରେ ଠେଲାପେଲା ଅବ୍ୟବସ୍ଥାରେ ଉପଭୋକ୍ତାମାନଙ୍କ ଅପଦସ୍ତର ଚିତ୍ର ଆସୁଛି । ସେପଟେ କ୍ଷମତାକୁ ଆସିବା ପରେ ଗୋଟାକପରେ ଗୋଟିଏ କ୍ଷେତ୍ରର ନାମ ଓ ରଙ୍ଗ ବଦଳାଇବାରେ ଲାଗିଛନ୍ତି ସରକାର । ଏକ୍ଷେତ୍ରରେ ବିରୋଧୀଦଳର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏବେ ଯଦି ବିଜେପି ବିରୋଧୀଦଳରେ ଥାଆନ୍ତା, ସରକାରଙ୍କ ନିଦ ହଜାଇସାରନ୍ତାଣି ବୋଲି ଚର୍ଚ୍ଚା ହେଉଛି । ତେବେ ଲୋକଙ୍କ ସ୍ୱାର୍ଥପାଇଁ ଲଢେଇ କରିବାର ନାରା ଦେଉଥିବା ଶକ୍ତିଶାଳୀ ମୁଖ୍ୟ ବିରୋଧୀଦଳ ବିଜେଡିର ବିରୋଧାଭାଷ ପ୍ରଭାବଶାଳୀ ହେଉନାହିଁ କାହିଁକି?

ପୂର୍ବ ଅପେକ୍ଷା କଂଗ୍ରେସ ଅଧିକ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଆଗଭଳି ଆକ୍ରମଣାତ୍ମକ ଆଭିମୂଖ୍ୟ ଦେଖିବାକୁ ମିଳୁନି କାହିଁକି? ଛାତ୍ର ସଂସଦ ନିର୍ବାଚନ ଭଳି କେତୋଟି ପ୍ରସଙ୍ଗରେ କେବଳ ଯୁବ ଛାତ୍ର କଂଗ୍ରେସର ସ୍ୱର ଶୁଭୁଛି l ପ୍ରଥମ କରି ଓଡିଶାରେ ବିଜେପି ସରକାର ଆସିବା ପରେ କାହିଁକି ଏକ ପ୍ରଭାବଶାଳୀ ବିରୋଧୀଦଳ "ସଙ୍କଟ ସ୍ଥିତି" ଅନୁଭୂତ ହେଉଛି?

ଅଡୁଆରେ ଥିବା ବିଜେଡି ପାଇଁ ଆହ୍ୱାନ

"ଏଣେ ମାରିଲେ ଗୋ-ହତ୍ୟା, ତେଣେ ମାରିଲେ ବ୍ରହ୍ମ ହତ୍ୟା" ନ୍ୟାୟରେ ଅଡୁଆରେ ପଡିଯାଇଛି ବିଜେଡି ! ବିଭିନ୍ନ ପ୍ରସଙ୍ଗରେ ବିରୋଧୀଦଳ ଭାବରେ ଯେବେ ବି ସରକାରଙ୍କୁ ଅଡୁଆରେ ପକାଇବାକୁ ପ୍ରୟାସ କରିଛି ଓଲଟି ବିଜେଡିକୁ ଛନ୍ଦି ହେଲାଭଳି ସ୍ଥିତି ଦେଖାଯାଉଛି । ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡିର ଦୋଷ, ଦୁର୍ବଳତା, ଦୁର୍ନୀତି, ଅପରାଧ କଥା ଉଠାଇ ବିଜେପି ବିରୋଧୀ ଉପରେ ପ୍ରତିଆକ୍ରମଣ କରିବା ଦେଖାଯାଉଛି । ଗାଁ ରାସ୍ତା କାମ ଠାରୁ ଆରମ୍ଭ କରି ଖଣି ଖାଦାନ ପର୍ଯ୍ୟନ୍ତ ପୂର୍ବ ସରକାରରେ ଥିବା ଦଳୀୟ ନେତା ଓ କର୍ମୀଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ଆଣିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋହନ ସରକାରଙ୍କ କଡା ଚେତାବନୀ ରହିଛି l ଏଭଳି ସ୍ଥିତିରେ ଥିବା ମୁଖ୍ୟ ବିରୋଧୀଦଳ ବିଜେଡି ଉପରେ ସଂଗଠନ ମଜବୁତ ରହିବା ସହିତ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ କିଭଳି ଉତ୍ଥାପନ କରିବ ତାହା ବଡ଼ ଆହ୍ୱାନ ହୋଇଛି |

"ସୁସମ୍ପର୍କ" ସତ୍ୱେ ଘାଇଲା କରୁଥିଲା ବିଜେପି

ପୂର୍ବସରକାର ସମୟରେ ବିରୋଧୀଦଳ ସଂକଟକୁ ନେଇ ଚର୍ଚ୍ଚା ହେଉଥିଲା । ବିଜେପି ଓଡିଶାରେ ମୁଖ୍ୟ ବିରୋଧୀଦଳ ଭୂମିକାରେ ଥିବା ସତ୍ୱେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ସମର୍ଥନ କରିବା ଦୃଷ୍ଟିରୁ ଉଭୟଙ୍କ ମଧ୍ୟରେ ସୁସମ୍ପର୍କର ଚର୍ଚ୍ଚା ଲାଗିରହିଥିଲା । ଦ୍ୱିତୀୟ ମୁଖ୍ୟ ବିରୋଧୀଦଳ କଂଗ୍ରେସର ସ୍ଥିତି ରାଜ୍ୟରେ ଭଲ ନଥିଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବରାବର ବିରୋଧ ପ୍ରଦର୍ଶନ କରିବା ଦେଖାଯାଇଥିଲା ।

ସବୁଠାରୁ ବଡ କଥା ହେଲା ଉଭୟ ବିରୋଧୀଦଳକୁ ଜନସମର୍ଥନ ମିଳୁଥିଲା । ପରିଣାମ ସ୍ୱରୂପ ବିଜେଡି ସରକାରଙ୍କ ଦୋଷ ଦୁର୍ବଳତାକୁ ବିଜେପି ୨୦୨୪ ନିର୍ବାଚନରେ ଯେଉଁଭଳି ଢଙ୍ଗରେ ଆକ୍ରମଣ କଲା ସେହିଭଳି ଭାବେ କଂଗ୍ରେସ କ୍ଷେତ୍ରରେ ଦେଖାଗଲା ନାହିଁ । ଯାହାଫଳରେ ବିଜେପି ଏଠାରେ କ୍ଷମତା ହାସଲ କରିବାରେ ସକ୍ଷମ ହେଲା । ତଥାପି ବିଧାନସଭାରେ କଂଗ୍ରେସର ଆସନ ୯ରୁ ୧୪କୁ ବୃଦ୍ଧି ପାଇଲା । ହେଲେ ସେ ଦୃଷ୍ଟିରୁ ଦଳର ସ୍ଥିତିରେ କିନ୍ତୁ ବିଶେଷ ସୁଧାର ଆସିଲା ନାହିଁ! ବେଳକୁ ବେଳ ଦୁର୍ବଳ ହେବାରେ ଲାଗିଛି ସଙ୍ଗଠନ । ଦୀର୍ଘ ୩ମାସରୁ ଅଧିକ ଦିନ ହେଲା ଓଡିଶା ପିସିସି ସଭାପତି ସମେତ ଜିଲ୍ଲା, ବ୍ଲକ ଓ ମଣ୍ଡଳସ୍ତରୀୟ କମିଟି ଭାଙ୍ଗି ଅଚଳ ହୋଇ ପଡିଛି l ତଥାପି ଆଗାମୀ 2029ରେ ଦଳ ସରକାର କରିବ ବୋଲି ଅନେକ କଂଗ୍ରେସ ନେତା ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି l

ବିରୋଧୀ ଶକ୍ତି ଅନୁସାରେ ପ୍ରଭାବ କେତେ ?

ବିଜେପି ବିରୋଧୀଦଳରେ ଥିବା ବେଳେ ୨୩ ସଂଖ୍ୟା ବିଶିଷ୍ଟ ସଦସ୍ୟମାନେ ଯେଉଁଭଳି ଢଙ୍ଗରେ ବିଜେଡି ସରକାରକୁ ଆକ୍ରମଣ କରୁଥିଲେ ଏବଂ ଏହାକୁ ଜନ ସମର୍ଥନ ମଧ୍ୟ ମିଳୁଥିଲା। ଏବେ ମୁଖ୍ୟ ବିରୋଧୀଦଳର ସଦସ୍ୟଙ୍କ ସଂଖ୍ୟା ୫୧, ଯାହା ବିଗତ ୬ଟି ନିର୍ବାଚନରେ ସର୍ବାଧିକ । ଆଉ ଏହାର ନେତୃତ୍ୱ ନେଇଛନ୍ତି ଦୀର୍ଘ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଥିବା ଅଭିଜ୍ଞ ଓ ଅନୁଭବୀନେତା ନବୀନ ପଟ୍ଟନାୟକ । ପୂର୍ବ ସରକାରରେ ବିରୋଧୀଦଳ ଭୂମିକାରେ ଥିବା କଂଗ୍ରେସର ୯ଜଣ ସଦସ୍ୟ ଥିଲେ ମଧ୍ୟ ବିଧାନସଭାରେ ସରକାରଙ୍କୁ ଭାରି ପଡୁଥିଲେ । ସରକାରଙ୍କ ପାଇଁ ‘ନବଗ୍ରହ’ ବୋଲି ବିଭିନ୍ନ ସମୟରେ କୁହାଯାଉଥିଲା ! କିନ୍ତୁ ଏସବୁ ସତ୍ତ୍ୱେ ବିରୋଧଦଳର ଭୂମିକା ପ୍ରଭାବଶାଳୀ ହେଉନାହିଁ।

ଅଧିବେଶନରେ ଅନୁପସ୍ଥିତି !

ଚଳିତ ବିଧାନସଭା ଅଧିବେଶନରେ ୨୪ ବର୍ଷର ଶାସନ କ୍ଷମତାରୁ ଓହ୍ଲାଇ ବିଜେଡି ପ୍ରଥମଥର ମୁଖ୍ୟ ବିରୋଧୀଦଳ ଆସନରେ ବସିବା ପରେ ଦଳର ବିଧାୟକଙ୍କୁ ଯେତେବେଳେ ବିଭାଗୱାରୀ ଦାୟିତ୍ୱ ବଂଟନ କରାଗଲା ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ଆଲୋଚନା ହେଲା । କାରଣ ବିରୋଧୀଦଳ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ପ୍ରକାଶ ପାଇବା ଭଳି ରଣ କୌଶଳ ପୂର୍ବରୁ କୌଣସି ବିପକ୍ଷଦଳ ପକ୍ଷରେ ଦେଖାଯାଇନଥିଲା । ତେଣୁ ଏକ ଗଠନମୂଳକ ଓ ଶାଣିତ ଢଙ୍ଗରେ ବିଜେଡି ବିଧାନସଭାରେ ସରକାରଙ୍କୁ ଆକ୍ରମଣ କରିବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଅଧିବେଶନର ଅନେକ କାର୍ଯ୍ୟଦିବସରେ ମୁଖ୍ୟ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତି, ନିର୍ଦ୍ଧିଷ୍ଟ କିଛି ସମୟ ପାଇଁ ଆସି ନିଜ ବୟାନ ରଖି ଚାଲିଯିବା, ଏଭଳିକି ଅନେକ ଅଧିବେଶନରେ ଦଳର ପ୍ରବୀଣ ନେତାଙ୍କ ଅନୁପସ୍ଥିତି ଦଳ ପାଇଁ ଅଡୁଆ ପରିସ୍ଥିତି ଆଣିବା ପ୍ରସଙ୍ଗ ଚର୍ଚ୍ଚାରେ ରହିଥିଲା l

ବିରୋଧୀ ଆସନରେ ନବୀନଙ୍କ ପ୍ରଭାବ:

ଯେତେବେଳେ ରାଜନୈତିକ ଆଲୋଚକ ଓ ନେତା ବିଜେଡିର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକଟ କରୁଛନ୍ତି, ସେତେବେଳେ ୭୭ ବର୍ଷିୟ ନବୀନ ପଟନାୟକ ବିଜେପି ଉପରେ ହମଲା କରିବାର କୌଣସି ସୁଯୋଗ ହାତଛଡା କରୁନାହାନ୍ତି । ୨୪ ବର୍ଷ ଧରି ରାଜ୍ୟ ଶାସନ ଦାୟିତ୍ୱ ତୁଲାଇ ଥିବା ବିଚକ୍ଷଣ ନେତା ଏବେ ବିରୋଧୀ ଆସନରେ ବସି ସରକାରଙ୍କୁ ଆକ୍ରମଣ କରିବାର ପ୍ରବୀଣତା ମଧ୍ୟ ଦେଖାଇଛନ୍ତି l ଆଳୁ ଦରବୃଦ୍ଧିକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା, ଗୃହବିଭାଗ ଖର୍ଚ୍ଚ ଦାବୀକୁ ବିରୋଧ, ରଥଯାତ୍ରାର ଅବ୍ୟବସ୍ଥା ଓ ବଡଠାକୁର ବଳଭଦ୍ର ପଡିଯିବା, ଚିକିଟି ମଦମୃତ୍ୟୁ, ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ, ଆଇନ ଶୃଙ୍ଖଳା ପରିସ୍ଥିତିରେ ଉଦବେଗ, ସାମ୍ପ୍ରଦାୟିକ ହିଂସା ଆଦି ପ୍ରସଙ୍ଗରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ବରାବର ଟାର୍ଗେଟ କରିଛନ୍ତି । ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗରେ ଓଡିଆ ଅସ୍ମିତା କଥା କହି ସରକାରଙ୍କ ଉପରେ ଶାଣିତ ଆକ୍ରମଣ ମଧ୍ୟ କରିଛନ୍ତି । ଏସବୁ ସତ୍ୱେ ମୋହନ ସରକାର ସମୟରେ ରାଜ୍ୟବାସୀ ଦୀର୍ଘ ବର୍ଷ ପରେ ପୂର୍ଣ୍ଣକାଳୀନ ବିଧାନସଭା ଅଧିବେଶନ ଦେଖିଲେ ବୋଲି ଏକ ବାର୍ତ୍ତା ଗଲା ।

ରାଜ୍ୟସଭାରେ ଆଟାକ୍ ଓ ଝଟକା!

ବିରୋଧୀ ଆସନରେ ବସିବା ପରେ ନବୀନ ପଟନାୟକଙ୍କ ନେତୃତ୍ବାଧୀନ ବିଜେଡି ରାଜ୍ୟସଭାରେ ମଧ୍ୟ କେନ୍ଦ୍ର ବିରୋଧରେ କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛି । ବିଜେଡି ସାଂସଦ ସୁଲତା ଦେଓ ନିଟ୍ ପ୍ରସଙ୍ଗରେ ଗତ ୭ ବର୍ଷରେ ୭୦ ସ୍କାମ ହେବା ଏବଂ ନବୀନ ପଟ୍ଟନାୟକ ଅସୁସ୍ଥ ହେବାର ମିଛ ପ୍ରଚାରକରି ସରକାରକୁ ଆସିବା କଥା କହି କେନ୍ଦ୍ରକୁ ଆକ୍ରମଣ କରିଥିଲେ । ଏଭଳି କି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ବେଳେ "ଇଣ୍ଡି ମେଣ୍ଟ" ସହିତ ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ବିଜେଡିର ଦୁଇଜଣ ରାଜ୍ୟସଭା ସଦସ୍ୟ ମମତା ମହନ୍ତ ଓ ସୁଜିତ କୁମାର ଦଳ ଛାଡି ବିଜେପିରେ ସାମିଲ ହେବା ବିଜେଡିକୁ ଶକ୍ତାଘାତ ଦେଇଛି । ଏସବୁ ସତ୍ୱେ ଦଳ ପୁନଶ୍ଚ ନିଜ ସଂଗଠନ ମଜବୁତ କରିବା ଓ ଜନତାଙ୍କ ହୃଦୟ ଜିତିବା ପ୍ରୟାସରେ ଜନସମ୍ପର୍କ ଯାତ୍ରା ଓ ସଦସ୍ୟତା ଅଭିଯାନ ଚଳାଇଛି l ଏବେ ଅପେକ୍ଷା, ଆଗକୁ ବିରୋଧୀ ରାଜନୀତିର ମୋଡ଼ କୁଆଡ଼ିକି ଯାଉଛି। 

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)