ଅତ୍ୟାବଶ୍ୟକ ସାମଗ୍ରୀ ଦର ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପିଆଜ, ରସୁଣ, ଅଦା, ସବୁଜ ପନିପରିବା ଠାରୁ ଆରମ୍ଭ କରି ଖାଇବା ତେଲ, ପନିପରିବା ଦର ମଧ୍ୟ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଲାଣି। ସଂପ୍ରତି ଅଦା ଅମୂଲ ମୂଲ। ରସୁଣ କେଜି ୪୦୦ ଟଙ୍କାରେ ବିକ୍ରି ହେଉଛି। ପିଆଜ ୬୦, ବିଲାତି ବାଇଗଣ ୧୦୦, କଞ୍ଚା ଲଙ୍କା କେଜି ୨୦୦, ପୋଟଳ ୮୦, କାଙ୍କଡ଼ ୬୦, ବାଇଗଣ ୬୦, ଜହ୍ନି ୫୦, କୋବି ୬୦ ଟଙ୍କାରେ ବିକ୍ରି ହେଉଛି। ଫଳରେ ସାଧାରଣ ଲୋକେ ନିତିଦିନିଆ ସଂସାର ଚଳାଇବା ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।
ଗତ ପ୍ରାୟ ୧ ମାସ ଧରି ରାଜ୍ୟରେ ପିଆଜ/ ଆଳୁ/ ରସୁଣ ଓ ଡାଲିର ମୂଲ୍ୟ ବୃଦ୍ଧି ପାଇଛି। ଖୁଚୁରା ବ୍ୟବସାୟୀମାନେ ମଉକା ଦେଖି ମନଇଚ୍ଛା ଦର ବୃଦ୍ଧି କରୁଛନ୍ତି। ପିଆଜ ଦର ଏବେ ଆକାଶଛୁଆଁ। ଏମିତି କି ଯେଉଁଠାରେ ପିଆଜ ଅଧିକ ପରିମାଣରେ ଉତ୍ପାଦନ କରାଯାଏ ସେଠି ବି ପିଆଜ ମୂଲ୍ୟ ଚଢ଼ା ରହିଛି। ପିଆଜର ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମପି) ହ୍ରାସ କରିବା ଏବଂ ରପ୍ତାନି ଶୁଳ୍କକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଲାସାଲଗାଓଁ କୃଷି ଉତ୍ପାଦନ ବଜାର କମିଟି (ଏପିଏମସି)ରେ ପିଆଜ ଦର ବୃଦ୍ଧି କରାଯାଇଥିବା ସୂଚନା ମିଳିଛି। ଲସାଲଗାଓଁ ଏପିଏମସି ଦେଶର ସବୁଠାରୁ ବଡ ପିଆଜ ହୋଲସେଲ ବଜାର ।
Also Read
ରପ୍ତାନି ଉପରେ କୌଣସି ପ୍ରତିବନ୍ଧକ ଲଗାଯିବା ଉଚିତ ନୁହେଁ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ ଏବେ ପିଆଜ ମହାରାଷ୍ଟ୍ରରେ ଲସାଲଗାଁଓରେ ବି ପିଆଜ ଦର ବୃଦ୍ଧି ପାଇଛି। ସମ୍ପ୍ରତି ପିଆଜ ମୂଲ୍ୟ ଚଢ଼ା ଥିବାରୁ ଏ ନେଇ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଦର ଆଶାତୀତ ଭାବେ ବୃଦ୍ଧି ପାଇବା ପରେ ଏବେ ସରକାରଙ୍କ ମୁଣ୍ଡରେ ଚିନ୍ତା ପଶିଛି। ଓଡ଼ିଶାରେ ମଧ୍ୟ ପିଆଜର ମୂଲ୍ୟ ଅଧିକରୁ ଅଧିକ ବୃଦ୍ଧି ପାଇ ଆକାଶଛୁଆଁ ହୋଇ ସାରିଥିବାବେଳେ ଏବେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଅସାଧୁ ବେପାରୀ ଓ ବେଆଇନ ପିଆଜ ମହଜୁଦ ରଖିଥିବା ବ୍ୟବସାୟୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହା ଫଳରେ ଭିନ୍ନ ଭିନ୍ନ ସ୍ଥାନରେ ପୃଥକ୍ ପୃଥକ୍ ଦରରେ ପିଆଜ ବିକ୍ରି ହେଉଛି।
ପୂର୍ବ ସରକାର ପିଆଜ ଉତ୍ପାଦନ ବୃଦ୍ଧି ପାଇଁ ‘ପିଆଜ ମିଶନ୍’ ଗଠନ ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ପଛରେ ରହିଲେ। ଯାହା ଫଳରେ ପ୍ରତିବର୍ଷ ଏହି ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ସରକାର କେବଳ ସେହି ସମୟରେ ପରିସ୍ଥିତିର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ଘୋଷଣା କରି ପରବର୍ତ୍ତୀ ସମୟରେ ଚୁପ୍ ରହିବା ଦେଖାଯାଉଛି। ଫଳରେ ଖାଉଟୀ ଦର ବୃଦ୍ଧି ଯୋଗୁଁଁ ହନ୍ତସନ୍ତ ହେଉଛନ୍ତି। ରାଜ୍ୟରେ ପିଆଜର ଆବଶ୍ୟକତା ଠାରୁ ଉତ୍ପାଦନ ଅଧିକ ହୋଇଥିଲେ ମଧ୍ୟ ସୁବିଧାର ଅଭାବ ଯୋଗୁଁଁ ମହଜୁଦ ରଖାଯାଇ ପାରୁନାହିଁ। ତେଣୁ ଅଭାବ ସମୟରେ ବଜାରକୁ ଯୋଗାଇ ଦେବା ସମ୍ଭବ ହେଉନାହିଁ। ଅଦିନିଆ ବର୍ଷା କାରଣରୁ ପିଆଜ ଉତ୍ପାଦନ ହେଉଥିବା ଅଞ୍ଚଳଗୁଡ଼ିକରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ଫଳରେ ମଣ୍ଡିଗୁଡ଼ିକୁ ଆବଶ୍ୟକ ପରିମାଣର ପିଆଜ ଆସିପାରୁ ନାହିଁ। ଏହାର ପ୍ରଭାବରୁ ମୂଲ୍ୟବୃଦ୍ଧି ଘଟୁଛି। ଏହି ଅଭାବର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ବେଆଇନ ମହଜୁଦ୍ ନ କରନ୍ତି ସେଥିପ୍ରତି କଠୋର ଦୃଷ୍ଟି ଦେବାକୁ କୁହାଯାଇଛି।
ତେବେ ସରକାର ପ୍ରତିବର୍ଷ ଏମିତି ମୂଲ୍ୟବଢ଼଼ିଲେ ଯାଇ ବୈଠକ ପରେ ବୈଠକ କରୁଛନ୍ତି। କିନ୍ତୁ ଏହାର ସ୍ଥାୟୀ ସମାଧାନ ନେଇ କୌଣସି ଯୋଜନା ପ୍ରସ୍ତୁତ କରୁନାହାନ୍ତି। ପିଆଜ ଦରବୃଦ୍ଧିର କାରଣ ନ ଖୋଜି ଖାଲି ଅଦିନିଆ ବର୍ଷାକୁ ଦାୟୀ କଲେ ଚାଷୀ ଆଉ ଗ୍ରାହକଙ୍କର କି ଲାଭ ହେବ। ପିଆଜ ଦର ବୃଦ୍ଧିର ମୁଖ୍ୟ କିଛି କାରଣ ହେଉଛି ଦୁଇ ପ୍ରମୁଖ ଉତ୍ପାଦନକାରୀ ରାଜ୍ୟ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ପ୍ରବଳ ବୃଷ୍ଟିପାତ ଯୋଗୁଁଁ ପିଆଜ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଯାହା ଫଳରେ କିଛି ପିଆଜ ସଠିକ୍ ସ୍ଥାନରେ ପହଞ୍ଚିପାରିନାହିଁ। ଅଦିନିଆ ବର୍ଷା ଯୋଗୁଁଁ ପିଆଜ ଚାଷୀ ମଧ୍ୟ କ୍ଷତି ସହିଛନ୍ତି। ଏହା ଫଳରେ ଖୁଚୁରାବେପାରୀ ମଧ୍ୟ ଚଢ଼ା ଦରରେ ପିଆଜ ବିକୁଛନ୍ତି। ଏଣୁ ସରକାର ପିଆଜ ରପ୍ତାନି ବୃଦ୍ଧି ନେଇ ବ୍ୟାପକ ପର୍ଯ୍ୟାଲୋଚନା କରି ଏହାର ସ୍ଥାୟୀ ସମାଧାନ ବାହାର କରନ୍ତୁ। ତାହାଲେ ଯାଇ ଏ କ୍ଷେତ୍ରରେ କିଛିଟା ସମସ୍ୟା ସମାଧାନ ହୋଇପାରିବ।
ସେହିପରି ମାସ ମାସ ଧରି ଆଳୁ ଦର ବି ଚଢ଼ା ରହିଲା। ସରକାର ଚାହିଁ ବି ଏହାର ସହଳ/ସରଳ ସମାଧାନ କରିପାରୁନାହାନ୍ତି। ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି। ଏହା ହିଁ ଆମର ସବୁଠାରୁ ବଡ଼ ବିଫଳତା। ରାଜ୍ୟରେ ଦୀର୍ଘଦିନ ଆଳୁ ସଙ୍କଟ ଲାଗି ରହିଲା। ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସ୍ବାଭାବିକ ହୋଇ ନ ପାରିବାରୁ ସମସ୍ୟା ହେଲା। ଓଡ଼ିଶା ଆଳୁ ପାଇଁ ମୁଖ୍ୟତଃ ଭାବେ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ। ଉତ୍ତରପ୍ରଦେଶରୁ ଆଳୁ ପର୍ଯ୍ୟାପ୍ତ ପରିମାଣରେ ଆସିପାରିଲା ନାହିଁ। ରାଜ୍ୟରେ ଆଳୁ ସଙ୍କଟ ଏବଂ ଚଢା ଦର ଥିବାରୁ ଓଡ଼ିଶା ସରକାର ନାଫେଡ୍ ମାଧ୍ୟମରେ ଆଳୁ କିଣିବାକୁ ବାଧ୍ୟ ହେଲେ। ତଥାପି ବି ଆଳୁ ସମସ୍ୟାର ସମାଧାନ ପୂର୍ଣ୍ଣମାତ୍ରାରେ ହୋଇପାରିନି।
ରାଜ୍ୟରେ ଗୁରୁତର ଆଳୁ ସଙ୍କଟକୁ ଦୃଷ୍ଟିରେ ରଖି ସରକାର ୨୦୧୫-୧୬ ରେ ଆଳୁ ମିଶନ ଆରମ୍ଭ କରିଥିଲେ। ରାଜ୍ୟରେ ବ୍ୟାପକ ଭାବେ ଆଳୁଚାଷ କରିବାକୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ପୂର୍ବ ସରକାର। ଦୀର୍ଘଦିନ ଧରି ସଂରକ୍ଷିତ କରି ଆଳୁକୁ କିପରି ରଖାଯାଇପାରିବ, ସେ ନେଇ ଆଶବ୍ୟକୀୟ ଶୀତଳ ଭଣ୍ଡାର ଖୋଲିବାକୁ ପୂର୍ବ ସରକାର ଖୁବ୍ ପ୍ରୟାସ କରିଥିଲେ। କିନ୍ତୁ ଏହି ପ୍ରୟାସ ତାଙ୍କର ଶୀତଳଭଣ୍ଡାରରେ ରହିଗଲା। ୨୦୧୫ ମସିହାରେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ରପ୍ତାନି ଉପରେ କଟକଣା ଲଗାଇବାରୁ ଆଳୁ ସଙ୍କଟ ଦେଖାଦେଇଥିଲା। ସେ ସମୟରେ ସରକାରଙ୍କୁ ବହୁ କଟାକ୍ଷର ଶିକାର ହେବାକୁ ପଡ଼ିଥିଲା। ଫଳରେ ତତ୍କାଳୀନ ସରକାର ଆଳୁ ସଙ୍କଟ ଦୂର କରିବାର ମହତ ଲକ୍ଷ୍ୟ ନେଇ ‘ଆଳୁ ମିଶନ’ର ଆରମ୍ଭ ହୋଇଥିଲା। ସରକାର ୨୦୧୫-୧୬ ଆର୍ଥିକ ବର୍ଷରେ ଆରମ୍ଭ କରିଥିଲେ ତିନି ବର୍ଷିଆ ଆଳୁ ମିଶନ। ସେଥିପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟଙ୍କୁ ସରକାର ଅତିରିକ୍ତ ୫୦ କୋଟି ଟଙ୍କା ପ୍ରଦାନ କରିଥିଲେ।
ରାଜ୍ୟରେ ୧୫ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେଉଥିଲା ବେଳେ ତାହାକୁ ବଢ଼େଇ ୩ ବର୍ଷରେ ୬୦ ହଜାର ହେକ୍ଟର ଜମିରେ ଆଳୁଚାଷ କରିବାପାଇଁ ଚାଷୀଙ୍କୁ ସ୍ବପ୍ନ ଦେଖାଇଥିଲେ। କିନ୍ତୁ ତାହା ପୂରଣ ହୋଇପାରିଲାନି। ଆଳୁ ମିଶନର ସବୁ ଲକ୍ଷ୍ୟ ରହିଲା ଅପୂରଣୀୟ। ୧୧୨ ନୂତନ ଶୀତଳ ଭଣ୍ଡାର ନିର୍ମାଣ କରାଯିବାକୁ ପୂର୍ବସରକାର ପ୍ରତିଶ୍ରୁତି ଦେଇଥିବାବେଳେ ମାତ୍ର ୪ଟି ନୂତନ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ସକ୍ଷମ ହୋଇପାରିଥିଲେ। ଆଳୁ ଚାଷଜମି ୬୦ ହଜାର ହେକ୍ଟରକୁ ବଢ଼ିବା ବଦଳରେ ଚାଷୀମାନେ ମାତ୍ର ୨୫ ହଜାର ହେକ୍ଟର ଜମିରେ ଚାଷ କଲେ। ଏଥିରେ ଚାଷୀ କ୍ଷତି ସହିଲେ। ଚାଷୀ ଅଭାବୀ ବିକ୍ରିର ସାମ୍ନା କରିବା କାରଣରୁ ଏଥିରୁ ମୁହଁ ଫେରାଇବାକୁ ବାଧ୍ୟ ହେଲା। ଏହାର ପ୍ରଭାବରେ ରାଜ୍ୟର ଚାଷୀ ଏହି ଆଳୁ ମିଶନ ଉପରୁ ଭରସା ତୁଟାଇ ଦେଲେ। ତେଣୁ ଆଳୁ ମିଶନ ବି ଅଧାରେ ରହିଲା।
ଆଳୁରେ ଆତ୍ମନିର୍ଭର ପାଇଁ ଗଢାଯାଇଥିଲା ଆଳୁ ମିଶନ । ୧୫ ହଜାର ହେକ୍ଟରରୁ ୬୦ ହଜାର ହେକ୍ଟର ଯାଏଁ ଆଳୁ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ମଧ୍ୟ କମିଛି ଆଳୁ ଚାଷ ଓ ଉତ୍ପାଦନ । ଚାଷୀଙ୍କୁ ଚାଷ ମୁହାଁ କରିବାକୁ ସରକାର ନୂତନ ଯୋଜନା ପ୍ରଣୟନ କରିବା ସହିତ ସେଗୁଡ଼ିକୁ ତଦାରଖ କରିବାକୁ ସ୍ବତନ୍ତ୍ର ଟିମ୍ ଗଠନ କରିବାର ଆବଶ୍ୟକତା ରହିଛି। ଦୀର୍ଘ ମିଆଦି ଭାବେ କିପରି ଆଳୁ ସଙ୍କଟ ଦୂର କରାଯାଇ ପାରିବ ସେ ବିଷୟରେ ସରକାର ଚିନ୍ତା କରିବାର ସମୟ ଆସିଛି। ପୂର୍ବ ସରକାର ଆଳୁ ମିଶନ ନାମରେ ରାଜକୋଷରୁ କୋଟି କୋଟି ଟଙ୍କା ଚଳୁ କରିଦେଇଛନ୍ତି। ବର୍ତ୍ତମାନ ସରକାରଙ୍କ ପ୍ରଥମ କାମ ହେଉଛି ଆଳୁ ମିଶନ କାହିଁକି ବିଫଳ ହେଲା ତା’ର ତଦନ୍ତ କରି ଏହାର ସ୍ଥାୟୀ ସମାଧାନ ବାହାର କରନ୍ତୁ।
ସେହିଭଳି ରାଜ୍ୟରେ ଡାଲି ଦର ମଧ୍ୟ ଅତ୍ୟଧିକ ବୃଦ୍ଧି ପାଇଛି। ଫଳରେ ସାଧାରଣ ଲୋକେ ବଜାରରୁ ପିଆଜ ଓ ଡାଲି କିଣିବା କଷ୍ଟକର ହୋଇପଡ଼ିଛି। ଏ ନେଇ ବୈଠକ ମଧ୍ୟ ବସୁଛି। କିନ୍ତୁ କିଛି ନିର୍ଯ୍ୟାସ ବାହାରି ପାରୁନାହିଁ। ତେବେ ରାଜ୍ୟ ବାହାରେ ଥିବା ମଣ୍ଡିମାନଙ୍କରେ ମୂଲ୍ୟ ବୃଦ୍ଧି ପାଇଥିବାରୁ ରାଜ୍ୟକୁ ବାହାରୁ ଆସୁଥିବା ପିଆଜ ଓ ଡାଲିର ମୂଲ୍ୟ ବୃଦ୍ଧି ଘଟୁଛି। ଦେଶରେ ଖାଇବା ତେଲ ଭାବରେ ସୋରିଷ ତେଲ ଅଧିକ ବ୍ୟବହାର କରାଯାଇଥାଏ। ମାସକ ପୂର୍ବରୁ ସୋରିଷ ତେଲର ଦାମ କିଲୋଗ୍ରାମ ପିଛା ୧୩୯ ଟଙ୍କାରେ ବିକ୍ରି ହେଉଥିଲା। ଏବେ ଏହା ୧୭୬ ଟଙ୍କାରେ ବିକ୍ରି ହେଉଛି। ସରକାରୀ ଆକଳନ ଅନୁସାରେ ଗତ ମାସେ ମଧ୍ୟରେ ସୋରିଷ ତେଲ ଦାମରେ ୯.୧୦ ପ୍ରତିଶତ ଓ ପାମ ତେଲ ଦାମ ୧୪.୧୬ ପ୍ରତିଶତ ବଢିଛି। ଅନ୍ୟପଟେ ରିଟେଲ ମାର୍କେଟ୍ ଓ ଅନ୍ଲାଇନ୍ ଗ୍ରୋସରୀ କମ୍ପାନୀ ପୋର୍ଟାଲ୍ରେ ସୋରିଷ ତେଲ ଦାମରେ ୨୬ ପ୍ରତିଶତ ବୃଦ୍ଧି କରିଛନ୍ତି। ଖାଲି ସୋରିଷ ତେଲ ନୁହେଁ ସନଫ୍ଲାୱାର, ସୋୟାବିନ ଓ ପାମ ତେଲର ଦାମ ବି ବଢ଼ିଛି। ଏହାର ପ୍ରଭାବ ସିଧାସଳଖ ଗରିବଙ୍କ ଉପରେ ପଡ଼ିଛି।
କେନ୍ଦ୍ର ସରକାର ଶୁଳ୍କ ବଢ଼ାଇବା ଦ୍ବାରା ଖାଇବା ତେଲର ଦର ମଧ୍ୟ ହୁ ହୁ ହୋଇ ବଢ଼ି ଚାଲିଛି। ସରକାର ଅଶୋଧିତ ସୋୟାବିନ୍ ତେଲ, ଅଶୋଧିତ ଖଜୁରୀ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ ଶୂନରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଥିବାବେଳେ ଖାଇବା ତେଲ ଉପରେ ୧୨.୫ ପ୍ରତିଶତରୁ ୩୨.୫ ପ୍ରତିଶତକୁ ଶୁଳ୍କ ବଢ଼ାଇଥିଲେ। ଏହାର ପରିଣାମ ବିଶେଷ ଭାବେ ଆମ୍ ଆଦମୀଙ୍କୁ ଭୋଗିବାକୁ ପଡ଼ୁଛି। କେବଳ ଖାଇବା ତେଲ ନୁହେଁ ଡାଲି ଦର ମଧ୍ୟ ଅନୁରୂପ ଭାବେ ବୃଦ୍ଧି ପାଇଛି। ହରଡ଼ ଡାଲି କିଲୋ ପୂର୍ବରୁ ୧୬୦ରୁ ୧୬୫ ଟଙ୍କା ଥିଲା ତାହା ଏବେ ୧୮୦ ଟଙ୍କାରେ ପହଞ୍ଚିଛି।
ସେହିପରି ମୁଗ ଡାଲି ୧୨୦ଟଙ୍କାରୁ ୧୩୫ ଛୁଇଁଥିବା ବେଳେ ମସୁର ଡାଲି ୧୧୦ରେ ବିକ୍ରି ହେଉଛି। ଭାରତ ହାରାହାରି ୭ ଲକ୍ଷ ୫୦ ହଜାର ଟନ୍ ପାମ ତେଲ ଆମଦାନୀ କରିଥାଏ। ଏବେ ୧ ଲକ୍ଷ ଟନ୍ ବାତିଲ୍ କରିବା ମାସିକ ଆମଦାନୀର ପ୍ରାୟ ୧୩.୩% ହେବ। ଭାରତ ମୁଖ୍ୟତଃ ଇଣ୍ଡୋନେସିଆ, ମାଲେସିଆ ଏବଂ ଥାଇଲାଣ୍ଡରୁ ପାମ ତେଲ କିଣିଥାଏ। ସେହିପରି ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଆର୍ଜେଣ୍ଟିନା, ବ୍ରାଜିଲ, ଋଷିଆ ଓ ୟୁକ୍ରେନ୍ ଠାରୁ କିଣିଥାଏ। କିନ୍ତୁ ଏଥର ଭାରତରେ ପାମ ତେଲ ଚାଷ ଅଧିକ ହୋଇଛି। ଆସନ୍ତା ୬ ବର୍ଷରେ ପୂର୍ବ ଅପେକ୍ଷା ତିନିଗୁଣା ଉତ୍ପାଦନ ବୃଦ୍ଧି ପାଇବ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି। ଚାଷୀ ପୂର୍ବ ଠାରୁ ଆଉ ସୂର୍ଯ୍ୟମୁଖୀ, ପାମ୍ ଚାଷ କରିବାକୁ ମନ ବଳାଉନାହାନ୍ତି। ବାରମ୍ବାର କ୍ଷତି ସହୁ ଥିବାରୁ ସେମାନେ ବି ଏହି ଚାଷରୁ ମନ ଫେରାଇ ନେଉଛନ୍ତି। ପ୍ରବଳ ବର୍ଷା ଯୋଗୁ ପିଆଜ, ବିଲାତି ବାଇଗଣ ଏବଂ ପନିପରିବା ମୂଲ୍ୟ ବୃଦ୍ଧି ପାଇଛି ବୋଲି କିଛି ବ୍ୟବସାୟୀ କହିଛନ୍ତି। ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ ପରି ଅନେକ ରାଜ୍ୟରେ ଅଧିକ ପରିମାଣରେ ପନିପରିବା ଉତ୍ପାଦନ ହୋଇଥାଏ। ସେଠାରେ ଏବର୍ଷ ପ୍ରବଳ ବର୍ଷା ଯୋଗୁଁ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବ ରପ୍ତାନୀ ଉପରେ ବି ପଡ଼ିଛି। ଏହିସବୁ କାରଣ ଯୋଗୁ ସାରା ଦେଶରେ ପନିପରିବା ଦାମ ଆକାଶ ଛୁଆଁ ହୋଇଛି।
ସେପଟେ ସାଧାରଣ ଲୋକେ କହୁଛନ୍ତି, ଦର ବଢ଼଼ିଲେ କେତେ କମିଲେ କେତେ, ସରକାରଙ୍କର କ’ଣ ଯାଉଛି। ସେମାନେ ତ ଠିକ୍ ଭୋଟବେଳ ପାଖେଇ ଆସିଲେ-ହାତୀ ଦେବୁ, ଘୋଡ଼ା ଦେବୁ କହନ୍ତି, ଠିକଣାବେଳରେ କାଶିଆ କିଏ ନା କପିଳା କିଏ ? ସାଧାରଣ ଲୋକ କିନ୍ତୁ ଯେମିତି ଦୁର୍ଦ୍ଦଶା ଭୋଗୁଥିଲେ, ଏବେ ବି ସେମିତି ଭୋଗୁଛନ୍ତି। ଜନତା କେତେ ଆଶା ରଖି ଜନପ୍ରତିନିଧିଙ୍କୁ ବାଛୁଛନ୍ତି, ସେମାନଙ୍କ ଭରସା ସହଜରେ ତୁଟିବାକୁ ଦିଅନ୍ତୁ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧିରେ ରୋକ୍ ଲଗାଇବା ପାଇଁ ସରକାର ସହଜ ଏବଂ ସରଳ ସଧାଧାନ କରି ଚାଷୀଙ୍କୁ ପୁଣି ଚାଷମୁହାଁ କରାଇବାରେ ମୁଖ୍ୟ ଭୂମିକା ନିଭାନ୍ତୁ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
E-mail id: serveforthenation@gmail.com