ଗଣତନ୍ତ୍ରର ମୂଳ ହେଉଛି ନିର୍ବାଚନ। ଏହା ଗଣତନ୍ତ୍ରର ଏକ ମୁଖ୍ୟ ପ୍ରକ୍ରିୟା। ଯେଉଁଠି ଲୋକମାନେ ନିଜ ପସନ୍ଦର ପ୍ରତିନିଧିକୁ ଚୟନ କରିଥାନ୍ତି। ଗଣତନ୍ତ୍ରରେ ଲୋକମାନଙ୍କୁ ସେମାନଙ୍କ ଜନପ୍ରତିନିଧି ଚୟନ କରିବା ପାଇଁ ଅଧିକାର ରହିଛି। ଜନପ୍ରତିନିଧି ବାଛିବା ପାଇଁ ନିର୍ବାଚନ ହେବା ନିହାତି ଆବଶ୍ୟକ। ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଜ ନିଜ ପ୍ରତିନିଧି ମାଧ୍ୟମରେ ଜନସାଧାରଣ ଶାସନ କରିଥାନ୍ତି।
Also Read
ଭୋଟରଙ୍କ କ’ଣ ରହିଛି ଅଧିକାର..
- ନିର୍ବାଚନରେ ଭୋଟର ତାଙ୍କ ମନପସନ୍ଦର ଜନପ୍ରତିନିଧି ବାଛିବେ।
- ଦେଶରେ କିଏ ସରକାର ଗଢ଼ିବ, ସେନେଇ ସମସ୍ତ ନିଷ୍ପତ୍ତି ଜନସାଧାରଣ ନେବେ।
- କେଉଁ ରାଜନୈତିକ ଦଳ ସରକାର ଗଢ଼ିବ, ବିଧାନସଭା ହେଉ ବା ଲୋକସଭାରେ ଶାସନ ଭାର ନେବ, ତାହା ସେମାନେ ହିଁ ବାଛିପାରିବେ।
ସାଧାରଣ ନିର୍ବାଚନ କ’ଣ?
ଭାରତରେ ପ୍ରତି ୫ ବର୍ଷରେ ଥରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥାଏ। ନିର୍ବାଚିତ ସମସ୍ତ ପ୍ରାର୍ଥୀଙ୍କ କାର୍ଯ୍ୟକାଳ ଅବଧି ୫ବର୍ଷ ହୋଇଥାଏ। ଠିକ୍ ୫ବର୍ଷ ପରେ ସେହି ଦିନ ହେଉ ବା କିଛିଦିନ ମଧ୍ୟରେ ଦେଶର ସମସ୍ତ ନିର୍ବାଚନମଣ୍ତଳୀରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଏହାକୁ ସାଧାରଣ ନିର୍ବାଚନ କୁହାଯାଏ। ବେଳେବେଳେ କୌଣସି ସଦସ୍ୟଙ୍କ ଇସ୍ତଫା କିମ୍ବା ମୃତ୍ୟୁ ହେଲେ ସେଠାରେ ଉପନିର୍ବାଚନ ହୋଇଥାଏ।
ଦେଶରେ ତିନୋଟି ପ୍ରକ୍ରିୟାରେ ନିର୍ବାଚନ ହୁଏ, ଯେମିତି..
ଲୋକସଭା ନିର୍ବାଚନ:
ଲୋକସଭାର ସଦସ୍ୟମାନେ ଲୋକଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୁଅନ୍ତି। ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକମାନେ ନିର୍ବାଚନ ଜରିଆରେ ନିଜ ପସନ୍ଦର ପ୍ରତିନିଧି ଚୟନ କରିଥାନ୍ତି। ନିର୍ବାଚିତ ସଦସ୍ୟ ସଂସଦରେ ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥାନ୍ତି। ତାଙ୍କୁ ସାଂସଦ (Members of Parliament) କୁହନ୍ତି। ସେମାନେ ୫ ବର୍ଷ ପାଇଁ ଶାସନ ବ୍ୟବସ୍ଥାରେ ରୁହନ୍ତି। ଦେଶରେ ମୋଟ ୫୪୩ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଦେଶରେ ବହୁମତ ହାସଲ କରିଥିବା ରାଜନୈତିକ ଦଳର ଜଣେ ସଦସ୍ୟ ପ୍ରଧାନମନ୍ତ୍ରୀ ଭାବେ ଚୟନ ହୋଇଥାନ୍ତି।
ବିଧାନସଭା ନିର୍ବାଚନ:
ପ୍ରତି ରାଜ୍ୟରେ ବିଧାନସଭା ରହିଥାଏ। ରାଜ୍ୟର ଲୋକଙ୍କ ଦ୍ୱାରା ପ୍ରତି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ମାଧ୍ୟମରେ ବିଧାନସଭାର ସଦସ୍ୟ ମନୋନୀତ ହୁଅନ୍ତି। ଲୋକେ ଭୋଟ ଜରିଆରେ ନିଜ ଜନପ୍ରତିନିଧି ଚୟନ କରନ୍ତି। ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକମାନେ ଏହି ନିର୍ବାଚନରେ ମତଦାନ କରିପାରିବେ। ତାଙ୍କୁ ବିଧାୟକ (Members of Legislative Assembly) କୁହନ୍ତି। ବିଧାନସଭାରେ ନିଜ ନିଜ ନିର୍ବାଚନମଣ୍ତଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ଆଲୋଚନା କରିଥାନ୍ତି।
ରାଜ୍ୟସଭା ନିର୍ବାଚନ:
ରାଜ୍ୟସଭାକୁ ସାଧାରଣତଃ କାଉନସିଲ୍ ଅଫ୍ ଷ୍ଟେଟ୍ସ କୁହାଯାଏ। ଏହା ସଂସଦର ଉପର ଗୃହ। ସାଧାରଣ ନାଗରିକଙ୍କ ଦ୍ୱାରା ନୁହେଁ ବରଂ ବିଧାନସଭା ସଦସ୍ୟମାନଙ୍କ ଦ୍ୱାରା ପ୍ରାର୍ଥୀମାନେ ମନୋନୀତ ହୁଅନ୍ତି। ଏହାଛଡ଼ା କଳା, ସାହିତ୍ୟ, ବିଜ୍ଞାନ ଏବଂ ସାମାଜିକ ସେବାରେ ଅତୁଳନୀୟ ଅବଦାନ ପାଇଁ ୧୨ ଜଣଙ୍କୁ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ କରାଯାଇପାରିବ। ଉଚ୍ଚସଦନରେ ୨୫୦ ଆସନ ରହିଛି । ଏଥିରେ ୨୩୮ ସଦସ୍ୟ ନିର୍ବାଚିତ ହେଉଥିବା ବେଳେ ୧୨ ସଦସ୍ୟ ମନୋନୀତ ହୋଇଥାନ୍ତି । ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ । ସାଂସଦ ମାନେ ଭାରତର ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିତ୍ୱ କରିଥାନ୍ତି । ରାଜ୍ୟସଭା ସ୍ଥାୟୀ ସଦନ ହୋଇଥାଏ । କେବେହେଲେ ଏହା ପୂରାପୂରି ଭଙ୍ଗ ହୋଇନଥାଏ ।