Advertisment

Caste-Based Census : ଜାତିଭିତ୍ତିକ ଜନଗଣନା...ଶ୍ରେୟ ନେବାକୁ ଚାଲିଛି ରାଜନୈତିକ ଟଣାଓଟରା

ଜାତିଭିତ୍ତିକ ଜନଗଣନା ଦାବି ଓଡ଼ିଶାରେ ନୂଆ ନୁହେଁ । ବହୁ ଦିନର ଏହି ଦାବି ହୋଇଆସୁଥିଲା । ଏହାର କାରଣ ଥିଲା ବି ବେଶ୍ ସ୍ପଷ୍ଟ । ରାଜ୍ୟର ୫୦ ପ୍ରତିଶତରୁ ଉର୍ଦ୍ଧ ଲୋକ ହେଉଛନ୍ତି ପଛୁଆ ବର୍ଗ ଯାହାକୁ ସାଧାରଣ ଭାବେ ‘ଅଦର ବ୍ୟାକ୍‌ୱାର୍ଡ କ୍ଲାସ’ (ଓବିସି) ବୋଲି ଆମେ କହୁଛୁ । ହେଲେ ଏହି ଓବିସିମାନଙ୍କୁ ସରକାରୀ ପଦରେ ନିଯୁକ୍ତି ଓ ଉଚ୍ଚଶିକ୍ଷାରେ ଧାର୍ଯ୍ୟ ୨୭ ପ୍ରତିଶତ ସଂରକ୍ଷଣ ଦଶନ୍ଧି ଦଶନ୍ଧି ଧରି ମିଳୁନାହିଁ ।

ଅଦ୍ୟତନ ହୋଇଛି
ଜାତିଭିତ୍ତିକ ଜନଗଣନା

ଜାତିଭିତ୍ତିକ ଜନଗଣନା

Advertisment

ଏପ୍ରିଲ୍ ମାସ ୩୦ ତାରିଖ ଦିନ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଶରେ ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶର ସବୁଠାରୁ ବୃହତ ବିରୋଧୀ ଦଳ କଂଗ୍ରେସ ସମେତ ଜନତା ଦଳ (ୟୁନାଇଟେଡ୍‌), ସମାଜବାଦୀ ପାର୍ଟି ଓ ଓଡ଼ିଶାର ବିଜୁ ଜନତା ଦଳ ସମେତ ଆହୁରି ଅନେକ ଦଳ ଜାତିଭିତ୍ତିକ ଜନଗଣନା ଲାଗି ଅନେକ ଦିନରୁ ଦାବି କରିଆସୁଥିଲେ ।

Advertisment

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଏବେ ଶ୍ରେୟ ନେବା ରାଜନୀତି ଯୋର ଧରିଛି । ଧରିବା ବି ସ୍ୱାଭିବିକ୍ । କାରଣ ଗଣତନ୍ତ୍ରରେ ଆପଣ 'କହି ଜାଣିଲେ କଥା ସୁନ୍ଦର’ ନ୍ୟାୟରେ ଏକ ନ୍ୟାରେଟିଭ୍ ବା ବାଖ୍ୟାୟନ ପ୍ରଭାବୀ ଢଙ୍ଗରେ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିପାରିଲେ ତାହା ଆପଣଙ୍କୁ ବହୁତ ରାଜନୈତିକ ଲାଭ ପହଞ୍ଚାଇଥାଏ । ସିଧାସଳଖ କହିଲେ ଏହା ଭୋଟ୍ ବଢ଼ାଇବାରେ ସାହାଯ୍ୟ କରିଥାଏ ।

ଜାତିଭିତ୍ତିକ ଜନଗଣନା ଦାବି ଓଡ଼ିଶାରେ ନୂଆ ନୁହେଁ । ବହୁ ଦିନର ଏହି ଦାବି ହୋଇଆସୁଥିଲା । ଏହାର କାରଣ ଥିଲା ବି ବେଶ୍ ସ୍ପଷ୍ଟ । ରାଜ୍ୟର ୫୦ ପ୍ରତିଶତରୁ ଉର୍ଦ୍ଧ ଲୋକ ହେଉଛନ୍ତି ପଛୁଆ ବର୍ଗ ଯାହାକୁ ସାଧାରଣ ଭାବେ ‘ଅଦର ବ୍ୟାକ୍‌ୱାର୍ଡ କ୍ଲାସ’ (ଓବିସି) ବୋଲି ଆମେ କହୁଛୁ । ହେଲେ ଏହି ଓବିସିମାନଙ୍କୁ ସରକାରୀ ପଦରେ ନିଯୁକ୍ତି ଓ ଉଚ୍ଚଶିକ୍ଷାରେ ଧାର୍ଯ୍ୟ ୨୭ ପ୍ରତିଶତ ସଂରକ୍ଷଣ ଦଶନ୍ଧି ଦଶନ୍ଧି ଧରି ମିଳୁନାହିଁ । ଏହାଦ୍ୱାରା ସେମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଉଛି ବୋଲି ଅଭିଯୋଗ ହୋଇଆସୁଛି ।

Advertisment

ଓଡ଼ିଶା ରାଜ୍ୟ ଶାସନରେ ୪୦ ବର୍ଷରୁ ଉର୍ଦ୍ଧ ରହିଛି କଂଗ୍ରେସ୍ । ଏହଛଡ଼ା ୨୪ ବର୍ଷରୁ ଉର୍ଦ୍ଧ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡ଼ି) ଏହି ରାଜ୍ୟକୁ ଶାସନ କରିଛି । କଂଗ୍ରେସ ଓ ବିଜେଡ଼ି ସେମାନଙ୍କ ରାଜତ୍ୱ କାଳରେ ଓବିସିମାନଙ୍କ ସ୍ୱାର୍ଥ ରକ୍ଷାକରିବା ପାଇଁ କେବଳ ଆଖି ବୁଜିଦେଇଥିଲେ, ତାହା ନୁହେଁ, - କହିବାକୁ ଗଲେ ଏମାନଙ୍କ ସ୍ୱାର୍ଥକୁ ଏକ ପ୍ରକାର ବଳି ଚଢ଼ାଇଦେଇଥିଲେ । ଜାତିଭିତ୍ତିକ ଜନଗଣନା କଥା ଯେତେବେଳେ ଆଲୋଚନା କରାଯାଉଛି, ସେତେବେଳେ ରାଜନୈତିକ ଦଳମାନେ ପ୍ରାୟତଃ ଦେଶର ଓବିସିମାନଙ୍କ କଥା ମନରେ ରଖିଥାନ୍ତି । କାରଣ ତଫସିଲଭୁକ୍ତ ଜାତି ଓ ଜନଜାତି ସେମାନଙ୍କର ସଂଖ୍ୟାନୁପାତରେ ନିଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଉଥିବାବେଳେ, ପଛୁଆବର୍ଗର ଲୋକମାନେ ଏଥିରୁ ସର୍ବଦା ବଞ୍ଚିତ ରହିଆସିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ବିପି ମଣ୍ଡଳ କମିଶନଙ୍କ ସୁପାରିଶ ପରେ ଓଡ଼ିଶା ସରକାର ୧୯୯୩ ମସିହାରେ ଏକ ଆଇନ ପ୍ରଣୟନ କରିଥିଲେ । ଏହି ଆଇନଟି ଥିଲା ‘ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ, ୧୯୯୩ ।' ଆଇନର ନିର୍ଦ୍ଦେଶ ଅନୁଯାୟୀ, ୧୯୯୩ ମସିହାରେ ରାଜ୍ୟ ପଛୁଆ ବର୍ଗ କମିଶନ ବା ଷ୍ଟେଟ୍ କମିଶନ ଫର ବ୍ୟାକୱାର୍ଡ କ୍ଲାସ୍ (ଏସ୍‌ସିବିସି) ଗଠନ କରିଥିଲା । ୨୦୦୮ ମସିହାରେ, ଓଡ଼ିଶା ସରକାର ଓଡ଼ିଶା ସାମାଜିକ ଏବଂ ଶିକ୍ଷାଗତ ଭାବରେ ପଛୁଆ ବର୍ଗ ଆଇନ, ୨୦୦୮ ବା ଓଡ଼ିଶା ସୋସିଆଲି ଆଣ୍ଡ ଏଜୁକେଶନାଲି ବ୍ୟାକୱାର୍ଡ କ୍ଲାସେ୍‌ସ୍ (ଏସସିଇବିସି) ପ୍ରଣୟନ କରିଥିଲେ । ଏହା ଫେବୃଆରୀ ୭ ତାରିଖ ୨୦୦୯ ମସିହାରୁ ଲାଗୁ ହୋଇଥିଲା ।

Advertisment

ଏହାପରେ ଓଡ଼ିଶା ଲୋକସେବା ଆୟୋଗ ଓଡ଼ିଶା ସଚିବାଳୟରେ ସହାୟକ ସେକ୍ସନ ଅଫିସର ବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଥିଲା ଯେଉଁଥିରେ ଓବିସିମାନଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ରଖାଯାଇଥିଲା । ଏହି ୨୭ ପ୍ରତିଶତ ସଂରକ୍ଷଣ ପରେ ରାଜ୍ୟରେ ମୋଟ୍ ହାର ୫୦ ପ୍ରତିଶତ ଅତିକ୍ରମ କରିଥିଲା । ଏହାକୁ ଚ୍ୟାଲେଞ୍ଜ କରି ଅମର ଛାଟୋଇ ନାମକ ଜଣେ ବ୍ୟକ୍ତି ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲକୁ ସେତେବେଳେ ଯାଇଥିଲେ । ଏହାର ଶୁଣାଣୀ କରି ଟ୍ରିବ୍ୟୁନାଲ ଓବିସିଙ୍କ ପାଇଁ ଧାର୍ଯ୍ୟ ୨୭ ପ୍ରତିଶତ ସଂରକ୍ଷଣକୁ ବନ୍ଦ କରିଦେଇଥିଲେ ।

୨୦୧୩ ମସିହା ଡିସେମ୍ବର ୧୨ ତାରିଖ ଦିନ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ସିଧାସଳଖ ଏସ୍‌ସିଇବିସି ଆଇନ -୨୦୦୮ରେ ଓବିସିମାନଙ୍କ ପାଇଁ ବ୍ୟବସ୍ଥିତ ୨୭ ପ୍ରତିଶତ ସଂରକ୍ଷଣ ସୁପ୍ରୀମ୍ କୋର୍ଟ ଦ୍ୱାରା ଧାର୍ଯ୍ୟ ୫୦ ପ୍ରତିଶତ ସଂରକ୍ଷଣ ସୀମା ଅତିକ୍ରମ କରୁଛି ବୋଲି କହିବା ସହିତ ଏହାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ବାରଣ କରିଦେଇଥିଲେ ।

ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲର ରାୟକୁ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ୨୦୧୪ ମସିହାରେ ଏକ ରିଟ୍ ପିଟିସନ୍ ମାଧ୍ୟମରେ ଓଡ଼ିଶା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ହାଇକୋର୍ଟ ଜୁନ୍ ୨୯, ୨୦୧୭ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲର ରାୟକୁ ବୈଧ ବୋଲି ଘୋଷଣା କରିଥିଲେ । ଓଡ଼ିଶା ସରକାର ଅକ୍ଟୋବର ୩୦, ୨୦୧୭ରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିଥିଲେ ଏବଂ ସେବେଠାରୁ ମାମଲାଟି ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ।

ଆଇନ୍ ସମ୍ପର୍କରେ ଧାରଣା ରଖୁଥିବା ଜାଣିବାଶୁଣିବା ଲୋକମାନଙ୍କର କହିବା କଥା ଯଦି ନବୀନ ପଟ୍ଟନାୟକ ସରକାର ଓବିସିମାନଙ୍କୁ ପ୍ରକୃତରେ ୨୭ ପ୍ରତିଶତ ନିଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ ଦେବାକୁ ଚାହୁଁଥିଲେ, ତେବେ ସୁପ୍ରୀମ୍ କୋର୍ଟରେ ଏହି ମାମଲାକୁ ତ୍ୱରିତ ଶୁଣାଣୀ ପାଇଁ ସ୍ପେସାଲ ମେମୋ ଦାଖଲ କରିପାରିଥାନ୍ତେ । ଏଥି ନିମନ୍ତେ ଶ୍ରେଷ୍ଠ ତଥା ଦକ୍ଷ ଓକିଲମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇପାରିଥାନ୍ତା ।  ସୁପ୍ରୀମ୍ କୋର୍ଟରେ ଇନ୍ଦ୍ରା ସଇନି ବନାମ ୟୁନିଅନ ଅଫ୍ ଇଣ୍ଡିଆ ରାୟ ଦୃଷ୍ଟାନ୍ତମୂଳକ ଭାବେ ଉପସ୍ଥାପନ କରାଯାଇପାରିଥାନ୍ତା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯଦିଓ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବା ଉଚିତ୍ ନୁହେଁ, କେତେକ ସ୍ୱତନ୍ତ୍ର କ୍ଷେତ୍ରରେ ଏହି ନିୟମକୁ କୋହଳ କରାଯାଇପାରିବ ବୋଲି କୁହାଯାଇଛି । ସୀମାନ୍ତ, ଦୂରଦୂରାନ୍ତ ତଥା ଅଗମ୍ୟ ପାର୍ବତ୍ୟାଞ୍ଚଳ ରାଜ୍ୟରେ ଏହି ନିୟମ କୋହଳ କରାଯାଇପାରିବାର ବ୍ୟବସ୍ଥା ରହିଛି ।

ଓଡ଼ିଶାରେ ତଫସିଲ୍‌ଭୁକ୍ତ ଜାତି ଓ ଜନଜାତିଙ୍କ ସଂଖ୍ୟ ପ୍ରାୟ ୪୦ ପ୍ରତିଶତ । ରାଜ୍ୟ ଜନସଂଖ୍ୟାର ୨୨ଦଶମିକ ୮୫ ପ୍ରତିଶତ ତଫସିଲ୍‌ଭୁକ୍ତ ଜନଜାତି ହୋଇଥିବା ବେଳେ ତଫସିଲ୍‌ଭୁକ୍ତ ଜାତିଙ୍କ ସଂଖ୍ୟା ୧୭ ଦଶମିକ୧୩ ପ୍ରତିଶତ । ତଫସିଲ୍‌ଭୁକ୍ତ ଜନଜାତି ଏବେ ୨୨ ଦଶମିକ ୫୦ ପ୍ରତିଶତ ସଂରକ୍ଷଣ ପାଉଥିବା ବେଳେ ତଫସିଲଭୁକ୍ତ ଜାତି ୧୬ ଦଶମିକ ୨୫ ପ୍ରତିଶତ ସଂରକ୍ଷଣ ପାଉଛନ୍ତି । ଅପରପକ୍ଷରେ ୫୪ ପ୍ରତିଶତ ପଛୁଆବର୍ଗ ଧାର୍ଯ୍ୟ ୨୭ ପ୍ରତିଶତ ସ୍ଥାନରେ ମାତ୍ର ୧୧ଦଶମିକ ୨୫ ପ୍ରତିଶତ ସଂରକ୍ଷଣ ପାଉଛନ୍ତି । ଯେଉଁ ସମୟରେ ବିଜେଡ଼ି ଓବିସିମାନଙ୍କର ସ୍ୱାର୍ଥ ରଖିବା କଥା, ସେହି ସମୟରେ ଏହା ସମ୍ପୂର୍ଣ୍ଣ ଚୁପ୍ ରହିଲା । ଏବେ ଶ୍ରେୟ ନେବା ପାଇଁ ଏହା ଯେଉଁ ଦାବି କରୁଛି, ତାହା ନିଶ୍ଚିତ ଜନସାଧାରଣ ତାଙ୍କ ଧୀଶକ୍ତି ଲଗାଇ ବିଚାର କରିବେ ବୋଲି ରାଜନୈତିକ ବିଶେଷଜ୍ଞ ମତବ୍ୟକ୍ତ କରନ୍ତି ।

Caste Based Census OBC Reservation BJD Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ