Advertisment

Odisha Politics : ଋତୁ ବଦଳିବା ଭଳି ବଦଳୁଛି ଓଡ଼ିଶା ରାଜନୀତିର ଚିତ୍ର...କେଉଁଠି ପରଝଡ଼ା ତ କେଉଁଠି ପତ୍ରଝଡ଼ା

କଂଗ୍ରେସର ପୁନରୁତ୍‌ଥାନ ଉଦ୍ୟମ କୌଶଳ ଆଗରେ ବିଜୁ ଜନତା ଦଳ ଏକ ପ୍ରକାର ଚକ୍‌ମା ଖାଇଯାଇଛି । ଯେବେ ଠାରୁ ଭକ୍ତ ଚରଣ ଦାସ ପ୍ରଦେଶ କଂଗ୍ରେସର ସଭାପତି ଦାୟିତ୍ୱ ନେଇଛନ୍ତି, ସେବେ ଠାରୁ ଦଳ ବଳ ଗୋଟାଇବା ଆରମ୍ଭ କରିଛି । ଯାହା ଜଣାପଡୁଛି, ଭକ୍ତ ବର୍ତ୍ତମାନ ଗୋଟିଏ ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ରହିଛନ୍ତି – ତାହା ହେଲା କଂଗ୍ରେସକୁ ଜନସାଧାରଣଙ୍କ ଧାରଣାରେ ଏକ ନିରୋଳା ତଥା ଖାଣ୍ଟି ବିରୋଧୀ ଦଳ ତଥା ବିଜେପିର ବିକଳ୍ପ ଭାବରେ ଉପସ୍ଥାପିତ କରିବା ।

ଅଦ୍ୟତନ ହୋଇଛି
ବଦଳୁଛି ରାଜନୀତିର ଚିତ୍ର

ବଦଳୁଛି ରାଜନୀତିର ଚିତ୍ର

Advertisment

ପକ୍ଷୀଟିଏ ପର ଝାଡ଼େ ଏକ ଦୀର୍ଘ ଓ ଲମ୍ବା ଯାତ୍ରା ପ୍ରସ୍ତୁତ କରିବା ପାଇଁ । ପର ଝଡ଼ିବା ତା’ର ଲକ୍ଷ୍ୟ ସାଧନର ଆଦ୍ୟ ସଙ୍କେତ । ଫୁଲଟିଏ ପାଖୁଡା ଝଡ଼ାଇଲେ ବା ପୂର୍ଣ୍ଣ ବିକଶିତ ବୃକ୍ଷଟିଏ ପତ୍ରଝଡା ଦେଲେ, ଏହା ସେମାନଙ୍କର କ୍ଷୟିଷ୍ଣୁ ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ । ରାଜନୀତିରେ ବି ଠିକ୍ ଏହା ହିଁ ଦେଖାଯାଏ । ବେଳେବେଳେ ଦେଖାଯାଏ ଆମ ଆଦ୍‌ମୀ ଭଳି ନୂଆ ଦଳ ଜନ୍ମର ମାତ୍ର ବର୍ଷଟିଏ ପରେ ପର ଝାଡ଼ି କ୍ଷମତାକୁ ଆସିପାରେ । ଠିକ୍ ସେହିପରି କମ୍ୟୁନିଷ୍ଟ ପାର୍ଟି (ମାର୍କସିଷ୍ଟ) ପଶ୍ଚିମବଙ୍ଗରେ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି ବା (ପରବର୍ତ୍ତୀ ଅବସ୍ଥାରେ ଭାରତ ରାଷ୍ଟ୍ର ସମିତି ନାମରେ ପରିଚିତ) ଦଳ ତେଲେଙ୍ଗାନାରେ ବହୁ ବର୍ଷ ଶାସନରେ ରହିଲା ପରେ ଏବେ ମଉଳା ଅବସ୍ଥାରେ ରହିଛନ୍ତି ।

Advertisment

ଦିଲ୍ଲୀରେ ପ୍ରାୟ ତିନି ଦଶନ୍ଧି ଧରି ଏକ ଦୂର୍ବଳ ସ୍ଥିତିରେ ଥିବା ବିଜେପି ଚଳିତ ବର୍ଷ ପାଉଁଶ ତଳୁ ଜୀବନ୍ୟାସ ପାଇ ଉଠିଲା ପରି ଉଠି କ୍ଷମତାକୁ ଆସିଛି । ଅତଏବ୍‌, ଗୋଟିଏ କଥା କୁହାଯାଇପାରେ – ରାଜନୀତିରେ କୌଣସି ସ୍ଥିତି କେବେ ସ୍ଥିର ନୁହେଁ, ସର୍ବଦା ଏକ ଦୃଶ୍ୟମାନ ବା ଅଦୃଶ୍ୟମାନ ସ୍ଥିତିରେ ଗତିଶୀଳ । ଏବେ ଆମ ଓଡ଼ିଶାରେ ଠିକ୍ ଏହିଭଳି କିଛି ଚିତ୍ର ସାମ୍ନାକୁ ଆସୁଛି । ଚଳିତ ବିଧାନସଭା ବଜେଟ୍ ଅଧିବେଶନକୁ ଅବଲୋକନ କଲେ ଏ ନେଇ ବେଶ୍ କିଛି ଧାରଣା କରିହେବ । ବିଧାନସଭାରେ ଦୁଇଟି ପ୍ରମୂଖ ବିରୋଧୀ ଦଳ ରହିଛନ୍ତି – ଯଥା ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ । ବିଜେଡିର ସଦସ୍ୟ ସଂଖ୍ୟା ୫୧ ଓ କଂଗ୍ରେସର ସଂଖ୍ୟା ୧୪ । ଦୁହିଁଙ୍କ ଭିତରେ ୩୭ଟି ସିଟ୍‌ରେ ଢେର ବ୍ୟବଧାନ । ହେଲେ ବିଧାନସଭା ଭିତରେ ଦୁହିଁଙ୍କ ପ୍ରଦର୍ଶନ ଦେଖିଲେ ସଂଖ୍ୟା ନ୍ୟୁନ କଂଗ୍ରେସ ବହୁତ ଆଗରେ ଅଛି । ନିଜର ସ୍ୱତନ୍ତ୍ର ରଣନୀତିରେ ବିଜେଡିକୁ ବହୁତ ପଛରେ ପକାଇଦେଇଛି କଂଗ୍ରେସ ।

ଆଉ କେତୋଟି ଦିନ ପରେ ବିଧାନସଭା ଶେଷ ହେବ । ଗୃହରେ ବିରୋଧୀମାନଙ୍କର ହଟ୍ଟଗୋଳ ଯୋଗୁ ବୈଧାନିକ କାର୍ଯ୍ୟକଳାପ ସୁରୁଖୁରରେ ହୋଇପାରିନାହିଁ । ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ କଂଗ୍ରେସର ୧୪ ଜଣ ସଦସ୍ୟ ନିଲମ୍ବିତ ହୋଇଛନ୍ତି । ବିଜେଡ଼ି ଯଦିଓ କଂଗ୍ରେସ ଭଳି ବିଶୃଙ୍ଖଳିତ ଆଚରଣ ଦେଖାଇନାହିଁ, ତଥାପି ଗୃହ କାର୍ଯ୍ୟ ଚଳାଇବା ପାଇଁ ଯେତିକି ସହଯୋଗ ଦେବା କଥା, ତାହା ଦେଖିବାକୁ ମଳିନାହିଁ । ଏଥର ବିଧାନସଭା ଭିତରେ ରେ ଘଣ୍ଟଘଣ୍ଟା, ତୂରୀ, ସାହାନାଇ ଓ କାହାଳୀ ବଜାଇ କଂଗ୍ରେସ ସୃଷ୍ଟି କରିଥିବା ଉତ୍ତାପକୁ ରାଜରାସ୍ତାକୁ ଆଣି ସରକାରଙ୍କ ରକ୍ତଚାପ ବଢାଇଦେଇଛି । ବିଧାନସଭା ସମ୍ମୁଖସ୍ଥ ଗାନ୍ଧିମାର୍ଗରେ ଏକ ‘ନାରୀ ନ୍ୟାୟ ସମାବେଶ’ ନାମରେ ଏକ ବିଶାଳ ଜନସମାବେଶ ଆୟୋଜନ କରି ଦଳ ଏବେ ବି ଏକ ଜୀବିତ ଶକ୍ତି ଥିବାର ବାର୍ତ୍ତା କେବଳ ଦେଇନାହିଁ ବରଂ ଏକ ପାଉଁଶ ତଳ ନିଆଁରୁ ଫିନିକ୍ସ ପକ୍ଷୀ ପୁନଃଜନ୍ମ ନେଇ ଉଠିଲା ପରି ଉଠିଥିବାର ସଙ୍କେତ ଦେଇଛି ।

Advertisment

କଂଗ୍ରେସର ପୁନରୁତ୍‌ଥାନ ଉଦ୍ୟମ କୌଶଳ ଆଗରେ ବିଜୁ ଜନତା ଦଳ ଏକ ପ୍ରକାର ଚକ୍‌ମା ଖାଇଯାଇଛି । ଯେବେ ଠାରୁ ଭକ୍ତ ଚରଣ ଦାସ ପ୍ରଦେଶ କଂଗ୍ରେସର ସଭାପତି ଦାୟିତ୍ୱ ନେଇଛନ୍ତି, ସେବେ ଠାରୁ ଦଳ ବଳ ଗୋଟାଇବା ଆରମ୍ଭ କରିଛି । ଯାହା ଜଣାପଡୁଛି, ଭକ୍ତ ବର୍ତ୍ତମାନ ଗୋଟିଏ ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ରହିଛନ୍ତି – ତାହା ହେଲା କଂଗ୍ରେସକୁ ଜନସାଧାରଣଙ୍କ ଧାରଣାରେ ଏକ ନିରୋଳା ତଥା ଖାଣ୍ଟି ବିରୋଧୀ ଦଳ ତଥା ବିଜେପିର ବିକଳ୍ପ ଭାବରେ ଉପସ୍ଥାପିତ କରିବା ।

ଏବେ ପ୍ରଶ୍ନ ଉଠୁଛି ଯେ ବିଜୁ ଜନତା ଦଳର ପ୍ରଦର୍ଶନ ଉଭୟ ବିଧାନସଭା ଓ ବାହାରେ ସମ୍ପ୍ରତି କାହିଁକି କଂଗ୍ରେସ ଭଳି ଚଳଚଞ୍ଚଳ ପ୍ରତୀୟମାନ ହେଉନାହିଁ ? କଂଗ୍ରେସର ବରିଷ୍ଠ ନେତାମାନଙ୍କ ଭଳି ବିଜେଡିର ବରିଷ୍ଠ ନେତାମାନେ କାହିଁକି ଏକାଠି ହେଉନାହିଁନ୍ତି ବା ଏକ ସ୍ୱରରେ ମିଳିତ ରଣହୁଙ୍କାର ଦେଉନାହାଁନ୍ତି ? ଚଳିତ ବିଧାନସଭା ଅଧିବେଶନରେ ନବୀନ ବହୁ ସମୟ ଅନୁପସ୍ଥିତ ରହିବା ଯୋଗୁ ଦଳର ସଦସ୍ୟମାନେ ତାଙ୍କର ଯେଉଁ ମାର୍ଗଦର୍ଶନ ପାଇବା କଥା ତାହା ସେମାନେ ବୋଧହୁଏ ପାଇବାରୁ ବଞ୍ଚିତ ହେଉଛନ୍ତି । ଦଳର ନେତା ଗୃହରେ ଉପସ୍ଥିତ ରହିଲେ, ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଅନେକ ସକାରତ୍ମକ ଶକ୍ତି ସଞ୍ଚାର ହୋଇଥାଏ । ଏହାର ପ୍ରଭାବ ସଦସ୍ୟମାନଙ୍କର ଆତ୍ମପ୍ରତ୍ୟୟ ଉପରେ ପଡିଥାଏ । ମୁଖ୍ୟମନ୍ତ୍ରୀ ଥିଲା ବେଳେ ଅଧିକାଂଶ ସମୟରେ ବିଧାନସଭାରେ ଅନୁପସ୍ଥିତି ରହୁଥିବା ନବୀନ ପଟ୍ଟନାୟକ ଏବେ ବିରୋଧୀ ଦଳରେ ରହି ଅନୁପସ୍ଥିତ ରହିବା ସେତେଟା ଅସ୍ୱାଭାବିକ ଲାଗୁ ନାହିଁ ।

Advertisment

କଂଗ୍ରେସର ବର୍ତମାନ ରାଜ୍ୟରେ ବିଧାନସଭା ଭୋଟ୍ ହାର ମାତ୍ର ୧୩ ପ୍ରତିଶତ ରହିଛି । ସ୍ୱଳ୍ପ ଭୋଟ୍ ପ୍ରତିଶତ ଓ ମାତ୍ର ୧୪ ଜଣ ବିଧାୟକ ନେଇ କଂଗ୍ରେସ ଯେଉଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଉଛି, ତାହା ରାଜନୈତିକ ଦୃଷ୍ଟିରେ କେବଳ ଠିକ୍ ନୁହେଁ, ବହୁ ଭାବରେ ସଠିକ୍ କୁହାଯାଇପାରେ । କାରଣ ରାଜନୀତିରେ ସବୁକିଛି ଠିକ୍ । କିନ୍ତୁ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟରୁ ମିଳିଥିବା ରାଜନୈତିକ ପୁଜିଂକୁ ଦ୍ୱିଗୁଣିତ କରିବାକୁ ହେଲେ ଦଳକୁ ତୃଣମୂଳସ୍ତରରେ ଦୃଢ କରିବା ପାଇଁ ପଡିବ । ହେଲେ ଏଇଠାରେ ଦଳ ସମସ୍ୟା ଭିତରେ ରହିଛି । ଭୁବନେଶ୍ୱର ଠାରେ କଂଗ୍ରେସ୍ ଭବନରେ କିଛି ବରିଷ୍ଠ ନେତାଙ୍କୁ ଛାଡି ଦେଲେ, ଆଉ କେଉଁଠି ବରିଷ୍ଠ ନେତାମାନେ ଉତ୍ସର୍ଗୀକୃତ ଭାବେ କାମ କରୁଥିବା ଦେଖାଯାଉନାହିଁ । କେବଳ ନିର୍ବାଚନ ସମୟରେ ଏହି ନେତାମାନଙ୍କର ଦେଖାଯାଏ । ଅନ୍ୟ ସମୟରେ ସେମାନେ ପ୍ରାୟତଃ ଗୁପ୍ତ ପ୍ରବାସରେ ରହିବା ଦେଖାଯାଏ ।
ତୃଣମୂଳସ୍ତରରେ ଦଳକୁ ଦୃଢିଭୂତ କରିବାକୁ ହେଲେ ତ୍ୟାଗପୂତ ସକ୍ରିୟ କର୍ମୀଙ୍କର ଆବଶ୍ୟକତା ରହିଛି । ଏହାଛଡା ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ପ୍ରେରଣାଦାୟୀ ନେତାମାନଙ୍କର ମଧ୍ୟ ପ୍ରମୂଖ ଭୂମିକା ରହିଛି । ହେଲେ ଦୀର୍ଘ ଦିନ ଧରି ଦଳ କ୍ଷମତାରୁ ବାହାରେ ରହିବା ଯୋଗୁ ଏବଂ ଦଳର ନୀତି ଓ ଆଦର୍ଶରେ ସ୍ଥିରତା ନରହିବା ଓ ଦଳୀୟ ନେତାମାନଙ୍କ ଭିତରେ ଅନ୍ତଃକନ୍ଦଳ ଯୋଗୁ ଏଭଳି ବ୍ୟକ୍ତିଙ୍କର ଏବେ ଘୋର ଅଭାବ ରହିଛି ।

ତେବେ ‘ନାରୀ ନ୍ୟାୟ ସମାବେଶ’ରୁ ମିଳିଥିବା ଶକ୍ତିକୁ ତୃଣମୂଳ ସ୍ତରକୁ ନେବାକୁ ଭକ୍ତ ଯୋଜନା କରିଛନ୍ତି । ପ୍ରତି ଜିଳ୍ଲାରେ ନାରୀ ନ୍ୟାୟ ସମାବେଶ କରିବାକୁ ସେ ଘୋଷଣା କରିଛନ୍ତି । ଏବେ ଦେଖିବାର କଥା, ସେ ଏହ କାର୍ଯ୍ୟକୁ ନିରନ୍ତର ଭାବେ କରିପାରୁଛନ୍ତି କି ନାହିଁ । ୨୦୧୨ ମସିହାରେ ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱରେ ଏକ ବିରାଟ ଚାଷୀ ସମାବେଶ କରିଥିଲେ । ଲକ୍ଷାଧିକ ଚାଷୀ ଏଠାରେ ଏକାଠି ହୋଇ ରଣହୁଙ୍କାର ଦେଇଥିଲେ । କିନ୍ତୁ ତୃଣମୂଳ ସ୍ତରରେ ସଙ୍ଗଠନ ଦୂର୍ବଳ ଥିବାରୁ ୨୦୧୪ ବିଧାନସଭା ନିର୍ବାଚନରେ ତାହାର ସେମିତି କିଛି ପ୍ରଭାବ ପଡିଲା ନାହିଁ ।
କଂଗ୍ରେସର ଅଗ୍ରଗତି ପ୍ରୟାସ ଏବେ ବିଜେଡି ସାମ୍ନାରେ ଏକ ବଡ଼ ଆହ୍ୱାନ ଛିଡା କରିଛି, ଦେଖିବାର କଥା କଂଗ୍ରେସ ଏବେ ଯେଉଁ ଲିଡ୍ ବା ପ୍ରଥମ ଗତି ଲାଭ କରିଛି, ତାହାକୁ ବଜାୟ ରଖିପାରୁଛି ନାଁ ବିଜେଡି ତାହାର ଏକ ନମ୍ବର ବିରୋଧୀ ଦଳ ମାନ୍ୟତା ରଖିବାରେ ସକ୍ଷମ ହେଉଛି ।

Odisha BJD Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ