Challenges Before New Government: ଆରମ୍ଭ ଶୁଭଙ୍କର, ମୋହନଙ୍କ ପାଇଁ ଆଗକୁ ପଥ ବହୁ ଦୂର

୨୦୧୮ ଓ ୨୦୨୨ ମେକ୍ ଇନ୍ ଓଡ଼ିଶା ସଂସ୍କରଣର ପ୍ରକଳ୍ପ ପ୍ରତିଶ୍ରୁତିର ଗ୍ରାଉଣ୍ଡିଂ ବା ରୂପାୟନ ହାର ଯଥା କ୍ରମେ ୪୪ ଓ ୩୩ ପ୍ରତିଶ୍ରତ ରହିଥିବାରୁ ପୂର୍ବ ସରକାରକୁ ବିଜେପି ଓ କଂଗ୍ରେସ ଦ୍ୱାରା ସମାଲୋଚିତ ହେବାକୁ ପଡିଥିଲା । ଆସନ୍ତା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସଂସ୍କରଣର ଶତ ପ୍ରତିଶତ ରୂପାୟନ କରିପାରିଲେ ତାହା ବିରୋଧୀଙ୍କ ମୁହଁରେ ଲଗାମ ଲଗାଇ ପାରିବ । ଅନ୍ୟଥା ବିରୋଧୀମାନେ ସମାନ ମୁଦ୍ରାରେ ସମାଲୋଚନାକୁ ପରିଶୋଧ କରିବା ପାଇଁ ପଛାଇବେ ନାହିଁ ।

ଆଇନ୍ ଶୃଙ୍ଖଳା ବଡ଼ ଚ୍ୟାଲେଞ୍ଜ

ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ନିଜସ୍ୱ ଶକ୍ତିରେ ଏକାକୀ ସରକାର ଗଢିବା ଇତି ମଧ୍ୟରେ ପାଖାପାଖି ୬ ମାସ ହେବାକୁ ବସିଲାଣି । ଏହା ମଧ୍ୟରେ ସରକାର ନିର୍ବାଚନ ପୂର୍ବର ଅନେକ ପ୍ରତିଶ୍ରୁତି ପାଳନ କରିସାରିଛନ୍ତି ଏବଂ ବାକି ପ୍ରତିଶ୍ରୁତିଗୁଡିକୁ ପାଳନ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ଅତ୍ୟନ୍ତ ସକ୍ରିୟତାର ସହିତ କାର୍ଯ୍ୟ କରୁଥିବା ପରିଲକ୍ଷିତ ହେଉଛି ।

ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲି ତାହାର ଗଣତିମଣତି କାର୍ଯ୍ୟ ଆରମ୍ଭ କରିବା, ସୁଭଦ୍ରା ଯୋଜନା ଲାଗୁ କରିବା ଓ ଚାଷୀମାନଙ୍କୁ ଧାନ କ୍ୱିଣ୍ଟାଲ ପିଚ୍ଛା ୩୧ଶହ ଟଙ୍କା ପ୍ରଦାନ କରିବା କାର୍ଯ୍ୟ ଆରମ୍ଭ କରିବା ସରକାରଙ୍କ ଦକ୍ଷତା ଓ ପାରଦର୍ଶିତାକୁ ବେଶ୍ ପ୍ରମାଣିତ କରୁଛି ।

ନିର୍ବାଚନ ପ୍ରତିଶ୍ରୁତି ପାଳନ ସରକାରଙ୍କ ଛବିକୁ ଜନସାଧାରଣଙ୍କ ସାମ୍ନାରେ ବେଶ୍ ଭଲଭାବରେ ଉପସ୍ଥାପିତ କରିଛି । ହେଲେ ଏହି ଭଲ ଛବିକୁ ଧରି ରଖିବାକୁ ହେଲେ ସରକାରଙ୍କୁ ନିରନ୍ତର ତଥା ନିରବଚ୍ଛିନ୍ନ ଭାବେ ଆହୁରି ଢେର କାମ କରିବାକୁ ପଡିବ ।

ସମୁଦ୍ର ଭିତରର ପାଣିପାଗ କେବେ ସ୍ଥିର ନୁହେଁ । ଏହା ସର୍ବଦା ଉପରିସ୍ଥ ବ୍ରାୟୁମଣ୍ଡଳର ଉତ୍ତାପ ଦ୍ୱାରା ପ୍ରଭାବିତ ହୋଇଥାଏ । କେତେବେଳେ ଲଘୁଚାପ ଓ ଗୁରୁଚାପ ହୋଇ ବାତ୍ୟା ଓ ମହାବାତ୍ୟା ସୃଷ୍ଟି ହୋଇଥାଏ । ରାଜନୀତି ସେମିତି ଏକ ସାମୁଦ୍ରିକ ସ୍ଥିତି । ଏହା କେବେ ସ୍ଥିର ନଥାଏ । କୌଣସି ଏକ ସ୍ଥାନରେ କିଛି ଦୁର୍ବଳତା ପରିଲକ୍ଷିତ ହେଲେ, ସମୁଦ୍ର ଉପରସ୍ଥ ହାଲୁକା ବାୟୁ ସ୍ଥାନକୁ ଓଜନିଆ ବାୟୁ ମାଡି ଆସି ଲଘୁଚାପ ଓ ବାତ୍ୟା ସୃଷ୍ଟି କଲା ଭଳି ପରିସ୍ଥିତି ବିରୋଧୀଦଳମାନେ ସୃଷ୍ଟି କରିଥାନ୍ତି ।

ଓଡ଼ିଶାରେ ଏହି ପାଖାପାଖି ଛଅମାସ ମଧ୍ୟରେ ସେମିତି କିଛି ଦୁର୍ବଳ ସ୍ଥିତି ତିଆରି ହୋଇଥିବା ଦେଖାଯାଇନି । ଯେଉଁ କେତୋଟି ପରିସ୍ଥିତି ଦେଖାଯାଇଛି, ତାହା ପୂର୍ବ ବିଜୁ ଜନତା ଦଳ ସରକାରରେ ଅନେକ ସମୟରେ ଦେଖିବାକୁ ମିଳିଥିଲା ଅବା ସେତେବେଳର ସରକାରଙ୍କ ବିଫଳତା ଜନିତ ସ୍ଥିତି ଏବେ ମଧ୍ୟ ଦେଖିବାକୁ ମିଳୁଛି ବୋଲି କୁହାଯାଇପାରେ ।

ପ୍ରଥମ ସ୍ଥିତି ଏଠି ଆଲୋଚନା କରାଯାଇପାରେ । ଏହା ହେଉଛି କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କଠାରେ ଆମ୍ବ ଟାକୁଆ ଜାଉ ଖାଇବା ଯୋଗୁ ତିନିଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା । ଏହାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାନସଭା ଭିତରେ ଓ ବାହାରେ ଖୁବ୍ ଜୋରରେ ମୋହନ ମାଝୀ ସରକାରଙ୍କ ସମାଲୋଚନା କରିଛନ୍ତି । ଏପରିକି ନଭେମ୍ବର ୨୬ ତାରିଖ ଦିନ ବିଧାନସଭାର ପ୍ରଥମ ଦିନର କାର୍ଯ୍ୟ ବିରୋଧୀମାନଙ୍କ ହୋହାଲ୍ଲା ଯୋଗୁଁ ଏକ ପ୍ରକାର ଧୋଇଗଲା । ଉଭୟ ବିଜେଡି ଓ କଂଗ୍ରେସ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ଯୋଗୁଁ ସକାଳ ଓ ଉପରବେଳା ଗୃହକୁ ବାରମ୍ବାର ମୁଲତବୀ କରିବା ପାଇଁ ବାଚସ୍ପତି ସୁରମା ପାଢୀ ବାଧ୍ୟ ହୋଇଥିଲେ । ସକାଳେ ଶୋକସଭା ପରେ ଗୃହ ଆଦୌ ଚାଲିପାରିନଥିଲା । ସେହିପରି ଉପରବେଳା ହଟ୍ଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବା ପରେ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରାଯାଇଥିଲା ।

ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ନଭେମ୍ବର ୨୭ ତାରିଖ ଦିନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୃହରେ ମାଣ୍ଡିପଙ୍କି ଆମ୍ବ ଟାକୁଆ ଜାଉ ଖାଇବା ପ୍ରସଙ୍ଗରେ ବ୍ୟକ୍ତବ୍ୟ ରଖିଥିଲେ । ତାଙ୍କ ବ୍ୟକ୍ତବ୍ୟରେ ସେ କହିଥିଲେ ଯେ ଯେଉଁ ମହିଳାମାନଙ୍କର ମୃତ୍ୟୁ ଘଟିଛି ତାହାର ମୂଳ କାରଣ ହେଲା ବିଷାକ୍ତ ଆମ୍ବ ଟାକୁଆ ଜାଉ ସେବନ କରିବା । ଏହାଛଡା ଉକ୍ତ ଲୋକଙ୍କ ଘରେ ରାସନ ଚାଉଳ ପହଞ୍ଚିନଥିବା ବିରୋଧୀମାନଙ୍କ ଅଭିଯୋଗକୁ ସେ ସିଧାସଳଖ ଖଣ୍ଡନ କରିଥିଲେ ।

ଦ୍ୱିତୀୟ ସ୍ଥିତିଟି ହେଲା ଯେ ଏହି ମାସକ ମଧ୍ୟରେ କିଛି ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଯାଜପୁରରେ ବିଧାୟକଙ୍କ ଉପରେ ଆକ୍ରମଣ ହେଉ ବା ନାବାଳିକାଙ୍କ ଉପରେ ଯୌନ ନିର୍ଯାତନା । ମୋହନ ମାଝୀ ସରକାର ଏହି ସବୁ ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱାରା ସଂଶ୍ଳିଷ୍ଟ ଅଭିଯୁକ୍ତମାନେ ଅବିଳମ୍ବେ ଗିରଫ ହେବା ଦ୍ୱାରା ବିରୋଧୀମାନେ ଯେତିକି ଆକ୍ରମଣ କରିବାର ସୁଯୋଗ ପାଇବାର ସମ୍ଭାବନା ଥିଲା, ତାହା ବନ୍ଦ ହୋଇଯାଇଛି ।

ମୋହନ ମାଝୀଙ୍କ ସରକାରଙ୍କ ଯାତ୍ରା ଏଇ ମାତ୍ର ଆରମ୍ଭ ହୋଇଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଆଗକୁ ପଥ ବହୁ ଦୂର । ଆସନ୍ତା ବର୍ଷ ଜାନୁୟାରୀ ମାସରେ ‘ଉତ୍କର୍ଷ ଓଡ଼ିଶା:ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ରାଜ୍ୟ ସରକାର ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି । ନିଶ୍ଚିତ ଭାବରେ ଏହା ଏକ ବଡ ଲକ୍ଷ୍ୟ ଅଟେ । ମୋହନ ସରକାରଙ୍କୁ ସୁନିଶ୍ଚିତ କରିବା ପାଇଁ ପଡିବ ଯେ ତାଙ୍କ ସରକାର ବାସ୍ତବରେ କିଛି ନୂଆ ପୁଞ୍ଜି ବିନିଯୋଗ ପ୍ରସ୍ତାବ ହାସଲ କରୁଛନ୍ତି । ଯାହା ପାରମ୍ପରିକ ଭାବରେ ଦେଖାଯାଏ ଯେ କିଛି ଶିଳ୍ପପତି ନିଜର ଓଡ଼ିଶା ଶିଳ୍ପର ସମ୍ପ୍ରସାରଣ ଘୋଷଣା କରି ଚୁପ୍ ରହିଯାଉଛନ୍ତି । ଏଥର ଏମିତି ଯଦି ହୁଏ, ତେବେ ବିରୋଧୀମାନଙ୍କୁ ଏହା ରାଜନୈତିକ ଆକ୍ରମଣ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ । ପ୍ରକଳ୍ପ ପାଇଁ ପ୍ରତିଶ୍ରୁତି ହାସଲ କରିବା ଏବଂ ଏଥି ଲାଗି ଗଣମାଧ୍ୟମର ଖବର ଶିରୋନାମାରେ ରହିବା କିଛି ବଡ କଥା ନୁହେଁ । ଯାହା ସବୁ ଠାରୁ ଗୁରୁତ୍ୱ ବହନ କରେ, ତାହା ହେଉଛି ପ୍ରତିଶ୍ରୁତି ମୁତାବକ ପ୍ରକଳ୍ପଗୁଡିକ ବାସ୍ତବରେ ରୂପାୟନ ହେବା ।

ଅଧିକ ପଢ଼ନ୍ତୁ: ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

ପୂର୍ବ ସରକାର ସମୟରେ ଯେତେବେଳେ ଦ୍ୱିବାର୍ଷିକ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ କରାଯାଇଛି, ସେହି ସମୟରେ ଦେଶ ତଥା ଦେଶ ବାହାରର ଶିଳ୍ପପତିମାନଙ୍କୁ ଡକାଯାଇ ବହୁ ଆଡମ୍ବର ସହକାର ପ୍ରଚୁର ପୁଞ୍ଜି ନିବେଶ ମିଳିଛି ବୋଲି ଘୋଷଣା କରାଯାଏ । ହେଲେ ୨୦୧୮ ଓ ୨୦୨୨ ମେକ୍ ଇନ୍ ଓଡ଼ିଶା ସଂସ୍କରଣର ପ୍ରକଳ୍ପ ପ୍ରତିଶ୍ରୁତିର ଗ୍ରାଉଣ୍ଡିଂ ବା ରୂପାୟନ ହାର ଯଥା କ୍ରମେ ୪୪ ଓ ୩୩ ପ୍ରତିଶ୍ରତ ରହିଥିବାରୁ ପୂର୍ବ ସରକାରକୁ ବିଜେପି ଓ କଂଗ୍ରେସ ଦ୍ୱାରା ସମାଲୋଚିତ ହେବାକୁ ପଡିଥିଲା । ଆସନ୍ତା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସଂସ୍କରଣର ଶତ ପ୍ରତିଶତ ରୂପାୟନ କରିପାରିଲେ ତାହା ବିରୋଧୀଙ୍କ ମୁହଁରେ ଲଗାମ ଲଗାଇ ପାରିବ । ଅନ୍ୟଥା ବିରୋଧୀମାନେ ସମାନ ମୁଦ୍ରାରେ ସମାଲୋଚନାକୁ ପରିଶୋଧ କରିବା ପାଇଁ ପଛାଇବେ ନାହିଁ ।

ଶାସନ ବ୍ୟବସ୍ଥାରେ ଦଳ ପାଇଁ ସବୁଠାରୁ କେଉଁ ଏକ ପ୍ରସଙ୍ଗ ଯଦି ବହୁ ଅସୁବିଧାରେ ପକାଇଥାଏ, ତାହା ହେଲା ବିଗିଡିଯାଇଥିବା ବା ବିଗିଡା ଅବସ୍ଥାରେ ଥିବା ଆଇନ୍‌ଶୃଙ୍ଖଳା ବ୍ୟବସ୍ଥା । ଏହା ଉପରେ ଯଦି ଠିକଣା ଭାବେ ଏବଂ ଅତ୍ୟନ୍ତ ଗମ୍ଭୀରତାର ସହିତ ଦୃଷ୍ଟି ଦିଆନଯାଏ, ତେବେ ବିରୋଧୀମାନେ ଏହାକୁ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଭାବରେ ଗଢି ତୋଳିଥାନ୍ତି । ଏହା ଦ୍ୱାରା ସରକାରଙ୍କ ଭାବମୂର୍ତ୍ତି ଖରାପ ହେବା ସହିତ ଏହା କ୍ରମଶଃ ଦୁର୍ବଳ ହୋଇଥାଏ ।

ଅଧିକ ପଢ଼ନ୍ତୁ:DG Conference Bhubaneswar: ଏହି ସବୁ ରୁଟ୍‌ରେ ୩ ଦିନ ଚାଲିବନି ମୋ ବସ୍‌ !

ଶାସନ ଏକ ସେବାର ସୁଯୋଗ ପ୍ରଦାନ କରିଥାଏ, କାହାକୁ ଦମନ କରିବା ପାଇଁ ନୁହେଁ । ଏହି ଭୂଲ୍ ପୂର୍ବ ବିଜେଡି କରିଥିବାରୁ ଜନତା ସେମାନଙ୍କୁ ଠିକଣା ରାସ୍ତାରେ ଛିଡ଼ା କରାଇଦେଇଛନ୍ତି । ମୋହନ ସରକାର ଏହି ସୁଯୋଗର ସୁବିନିଯୋଗ କରି ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, କୃଷି ଓ ଯୋଗାଯୋଗ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିପାରିଲେ, ନବୀନ ପଟ୍ଟନାୟକଙ୍କ ଭଳି ସେ ଲମ୍ବା ସମୟର ଏକ ସେବା ସୁଯୋଗ ପାଇବାର ସମ୍ଭାବନାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।