ବହୁ ପ୍ରତୀକ୍ଷିତ ୱାନ୍ ନେସନ୍, ୱାନ୍ ଇଲେକସନ ବା ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ ନେଇ ପାଦେ ଆଗକୁ ବଢ଼ିଲା କେନ୍ଦ୍ର । ଏନେଇ କେନ୍ଦ୍ର ସରକାର ପକ୍ଷରୁ ଏକ କମିଟି ଗଠନ ହୋଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିର ଅଧ୍ୟକ୍ଷ ରଖାଯାଇଛି । ଏ ସମ୍ପର୍କିତ ବିଲକୁ ତୁରନ୍ତ ଆଗତ ପାଇଁ ଏହି କମିଟି ପଦକ୍ଷେପ ନେବ ।
ଏଥିସହ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରି କିଭଳି ବିଲକୁ ସୁରୁଖୁରୁରେ ପାରିତ କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରିବ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ନୂଆଦିଲ୍ଲୀରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଆଲୋଚନା କରିଛନ୍ତି ।
ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ କେନ୍ଦ୍ରସରକାରଙ୍କ ପକ୍ଷରୁ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ସେପ୍ଟେମ୍ବର ୧୮ ରୁ ଆରମ୍ଭ ହେବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ମାତ୍ର ୫ ଦିନ ପାଇଁ ଡକାଯାଇଛି ଏହି ଅଧିବେଶନ ।
Also Read
କିନ୍ତୁ ଏହି ସ୍ୱତନ୍ତ୍ର ଅଧିବେଶରେ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ସ୍ପଷ୍ଟ ହୋଇନାହିଁ । ନରେନ୍ଦ୍ରମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ବିଭିନ୍ନ ସମୟରେ ୱାନ ନେସନ୍, ୱାନ ଇଲେକସନ୍ ସପକ୍ଷରେ ଦୃଢ ମତ ରଖୁଛନ୍ତି । ବାରମ୍ବାର ନିର୍ବାଚନ ଯୋଗୁଁ ଆଦର୍ଶ ଆଚରଣବିଧି ଲାଗୁ ହେଉଛି । ଏଥିଯୋଗୁଁ ବିକାଶ ପ୍ରକ୍ରିୟା ପ୍ରଭାବିତ ହେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ ।
୧୯୬୭ ମସିହା ପର୍ଯ୍ୟନ୍ତ ଗୋଟିଏ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିଲା । କିନ୍ତୁ କିଛି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁହେବା ପରେ ଏହି ପ୍ରକ୍ରିୟା ଭଙ୍ଗ ହୋଇଥିଲା ।