BJDର ହିନ୍ଦୁତ୍ୱ କାର୍ଡ ! ମନ୍ଦିର ନାଁରେ ୫୦ ଲକ୍ଷ ଦେଇ, ଗାଁ ଭୋଟ ହାତେଇବା ଚକ୍କରରେ ଦଳ !

ଭୋଟରଙ୍କୁ ହାତରେ ରଖିବା ପାଇଁ ବିଜେଡିର ବଡ଼ ପ୍ଲାନ୍ । ନବୀନ ଓଡ଼ିଶା ସ୍କିମ୍ ମାଧ୍ୟମରେ ଗାଁ ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ପ୍ରଶାସନ ବଦଳରେ ବିଜେଡି ନେତା ଆଣୁଛନ୍ତି ପ୍ରସ୍ତାବ! ପ୍ରକଳ୍ପ ଚୟନ ନାଁରେ ହେଉଛି ଦଳୀୟ ସଭା ସମିତି, ପ୍ରସ୍ତୁତ ହେଉଛି ଗାଁ ଭୋଟ୍ ପ୍ଲାନ ।

ଗାଁ ଭୋଟ

ଆମ ଓଡ଼ିଶା, ନବୀନ ଓଡ଼ିଶା ସ୍କିମ୍ ନାଁରେ ଗ୍ରାମାଂଚଳ ଭୋଟ୍ ହାତେଇବାକୁ ବିଜେଡିର ପ୍ରୟାସ । ଦଳୀୟ ନେତାମାନେ ଗାଁ ଗାଁ ବୁଲି, ପ୍ରକଳ୍ପ ବାଛିବା ଆଳରେ କରୁଛନ୍ତି ସଭା ସମିତି । ନୂଆ ସ୍କିମରେ ପଂଚାୟତ ପିଛା ୫୦ ଲକ୍ଷ ପର୍ଯ୍ୟନ୍ତ ସହାୟତା ଦିଆଯିବା ବ୍ୟବସ୍ଥା ଥିବାରୁ ଏଥିରୁ ଭରପୁର ଫାଇଦା ଉଠାଇବା ଚକ୍କରରେ ରହିଛି ଶାସକ ଦଳ । ଯାହାକୁ ନେଇ ତେଜିଛି ରାଜନୀତି । ବିରୋଧୀ କହିଛନ୍ତି, ବିଜେଡି ଦଳୀୟ ଭିତ୍ତିରେ ଟଙ୍କା ବାଣ୍ଟି ରାଜନୈତିକ ମାହୋଲ ଖରାପ କରୁଛି। ବିଜେଡିର ଜବାବ, ଗାଁର ବିକାଶ ପାଇଁ ଏହି ଯୋଜନା କରାଯାଇଛି ।

ଭୋଟରଙ୍କୁ ହାତରେ ରଖିବା ପାଇଁ ବିଜେଡିର ବଡ଼ ପ୍ଲାନ୍ । ନବୀନ ଓଡ଼ିଶା ସ୍କିମ୍ ମାଧ୍ୟମରେ ଗାଁ ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ପ୍ରଶାସନ ବଦଳରେ ବିଜେଡି ନେତା ଆଣୁଛନ୍ତି ପ୍ରସ୍ତାବ! ପ୍ରକଳ୍ପ ଚୟନ ନାଁରେ ହେଉଛି ଦଳୀୟ ସଭା ସମିତି, ପ୍ରସ୍ତୁତ ହେଉଛି ଗାଁ ଭୋଟ୍ ପ୍ଲାନ । ରାଜ୍ୟ ସରକାରଙ୍କ ନୂଆ ଯୋଜନା- ଆମ ଓଡ଼ିଶା,ନବୀନ ଓଡିଶା ପାଇଁ ଚାଲିଛି ସଭା ସମିତି । ବିଜେଡିର ବିଧାୟକ, ସାଂସଦ ଓ ଦଳୀୟ ନେତା ବାଛୁଛନ୍ତି ଗାଁ ପାଇଁ ପ୍ରକଳ୍ପ । ସ୍କିମ୍ ଲାଗୁ ହେବା ପରେ ବିଜେଡିର ନେତାମାନଙ୍କୁ ଗାଁ ଗଣ୍ଡାରୁ ପ୍ରକଳ୍ପ ପ୍ରସ୍ତାବ ଆଣିବା ଲାଗି ଦିଆଯାଇଛି ଟାସ୍କ । ଏଥିପାଇଁ ୨୧, ୨୫, ୨୭ ଜୁଲାଇ ଭିତରେ ଲୋକଙ୍କ ଫିଡବ୍ୟାକ୍ ନେଇ ପ୍ରକଳ୍ପର ଚିଠା ପ୍ରସ୍ତାବ ଦେବାକୁ କୁହାଯାଇଛି । ତେଣୁ ଗାଁ ଗାଁରେ ମାତିଛନ୍ତି ଦଳର ନେତା, କର୍ମୀ ।

ଚିଲିକା ନିର୍ବାଚନ ମଣ୍ଡଳୀର ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ଖୋର୍ଦ୍ଧା ଜିଲ୍ଲାର ପୁରା ବିଜେଡି ଟିମ୍ ପହଁଚି ପ୍ରତି ପଂଚାୟତରୁ ଆସିଥିବା ପ୍ରସ୍ତାବକୁ ନେଇ ଆଲୋଚନା କରୁଛନ୍ତି । ଠିକ୍ ସେଭଳି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ବିଭିନ୍ନ ପଂଚାୟତରେ ବୈଠକ କରି ପ୍ରକଳ୍ପ ବାଛିବା କାମରେ ଲାଗିଛନ୍ତି ।

ଅନ୍ୟପଟେ ଜୟପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା ରବି ନାରାୟଣ ନନ୍ଦ ସଭା କରି କେଉଁ ଗାଁକୁ କେତେ ଟଙ୍କା ଦିଆଯିବ, କେଉଁ ପ୍ରକଳ୍ପ ହାତକୁ ନିଆଯିବ ସେନେଇ ଆଲୋଚନା କରିଛନ୍ତି। ସାରା ରାଜ୍ୟରେ ଏହି ପ୍ରକ୍ରିୟା ଜାରି ରହିଛି ।

ସେପଟେ ଏହି ସ୍କିମ୍ ପାଇଁ ପ୍ରକଳ୍ପ ବାଛିବା ବାହାନାରେ ଆଗାମୀ ନିର୍ବାଚନ ପାଇଁ ମାହୋଲ୍ ବନାଉଛି ବିଜେଡି । ଗ୍ରାମାଂଚଳ ଭୋଟରଙ୍କୁ ପ୍ରଭାବିତ କରିବାକୁ  ହେଉଛି ଉଦ୍ୟମ । ନୂଆ ଯୋଜନାରେ ପଂଚାୟତ ପିଛା ୫୦ ଲକ୍ଷ ମିଳିବାକୁ ଥିବା ବେଳେ, ଗାଁ ପିଛା ହାରାହାରି ୫ ଲକ୍ଷ ଟଙ୍କା ପଡ଼ିବ। ପ୍ରଶ୍ନ ଉଠୁଛି, କାହିଁକି ଏଭଳି ସ୍କିମ୍ ? ଏହା ଜରିଆରେ ପ୍ରକୃତରେ ସରକାର ଗାଁର ବିକାଶ କରିବାକୁ ଚାହୁଁଛନ୍ତି, ନାଁ ଭୋଟ୍ ହାତେଇବାର ଏହା ଏକ ଫନ୍ଦି ? ସରକାର ବିରୋଧୀ ମାହୋଲ ବନୁଥିବାରୁ ତାକୁ କାଉଣ୍ଟର କରିବାକୁ ଏହି ସ୍କିମ୍ ଅଣାଯାଇଛି କି ? ଯାହାକୁ ନେଇ ତେଜିଛି ରାଜନୀତି ।

ଚର୍ଚ୍ଚା ହେଉଛି, ବିଜେଡି ସଫ୍ଟ ହିନ୍ଦୁତ୍ୱ କାର୍ଡ ଖେଳୁଥିବାରୁ ଏହି ସ୍କିମ୍ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ପ୍ରଚାର ପ୍ରସାର ଓ ପୂଜାସ୍ଥଳୀର ଉନ୍ନତିକୁ ପ୍ରାଧାନ୍ୟ ଦିଆଯଉଛି । ପଂଚାୟତକୁ ଦିଆଯାଉଥିବା ୫୦ ଲକ୍ଷ ମଧ୍ୟରୁ ୧୦ ଲକ୍ଷ ଟଙ୍କା କେବଳ ଏହି ଦିଗରେ ଖର୍ଚ୍ଚ ହେବ। ତେବେ ବିଜେଡିର ଏହି ଚାଲ୍ କେତେ ସଫଳ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।