ପିଏମ୍ କିଷାନ ସ୍କିମ୍ ଲାଗୁ ହେବାର ୫ ବର୍ଷ ପରେ ବି ହିତାଧିକାରୀ ତଥ୍ୟକୁ ନେଇ ଦ୍ବନ୍ଦ୍ବ ତୁଟୁନି । ୟା ଭିତରେ ରାଜ୍ୟର ଚାଷୀଙ୍କୁ ୧୪ ଥର ସହାୟତା ଦିଆଯାଇଥିବା ବେଳେ ହିତାଧିକାରୀଙ୍କ ସଂଖ୍ୟାରେ କେତେବେଳେ ବି ତାଳମେଳ ରହୁନି । ଯୋଜନାରେ ଚାଷୀଙ୍କୁ ଆଜି ୨ ହଜାର ଟଙ୍କା ଲେଖାଁଏ ସହାୟତା ମିଳିଥିବା ବେଳେ ଏହାକୁ ନେଇ ତେଜିଛି ରାଜନୀତି । ସେପଟେ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ ଥିବାବେଳେ ଏବେ ବି ରାଜ୍ୟରେ ୧୦ ଲକ୍ଷ ଚାଷୀ ଇ-କେୱାଇସି ଅପଡେଟ୍ କରିନାହାନ୍ତି । ଯେଉଁଥି ପାଇଁ ସହାୟତା ପାଇବାରେ ସମସ୍ୟା ଉପୁଜିଥିବା କୁହାଯାଉଛି ।
ରାଜ୍ୟରେ ପିଏମ୍ -କିଷାନ୍ ହିତାଧିକାରୀଙ୍କ ପ୍ରକୃତ ସଂଖ୍ୟା କେତେ ? କେତେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳୁଛି ସହାୟତା ? ଯୋଜନାରେ କ୍ଷୁଦ୍ର-ନାମମାତ୍ର ଚାଷୀଙ୍କୁ ଆଜି ଦୁଇ ହଜାର ଲେଖାଏଁ ଟଙ୍କା ମିଳିବା ପରେ ପୁଣି ଉଠିଛି ଏ ପ୍ରଶ୍ନ। କାରଣ ୫ ବର୍ଷରେ ଚାଷୀଙ୍କୁ ୧୪ ଥର ସହାୟତା ମିଳିଲାଣି, ହେଲେ ପ୍ରତିଥର ବଦଳୁଛି ହିତାଧିକାରୀଙ୍କ ସଂଖ୍ୟା। କଣ ଏହାର କାରଣ ? ଏଥିପାଇଁ ଦାୟୀ କିଏ, କାହାର ରହିଛି ଉତ୍ତର ଦାୟିତ୍ୱ ?
ସ୍କିମ୍ ଆରମ୍ଭ ସମୟରେ ରାଜ୍ୟର ୯ ଲକ୍ଷ ୭୩ ହଜାର ୮୬୦ ଚାଷୀଙ୍କୁ ସହାୟତା ମିଳିଥିଲା । ପରବର୍ତ୍ତି ପର୍ଯ୍ୟାୟରେ ଏହି ସଂଖ୍ୟ ବଢିଲା। ପୁଣି କମିଲା। ଆଉ ଏକାଦଶ ପର୍ଯ୍ୟାୟରେ ରାଜ୍ୟର ସର୍ବାଧିକ ୩୩ ଲକ୍ଷ ଚାଷୀଙ୍କୁ ସହାୟତା ମିଳିଲା। ତାପରେ ପୁଣି କମି ପ୍ରାୟ ୨୩ ଲକ୍ଷକୁ ଆସିଲା ସଂଖ୍ୟା। ଅନ୍ୟପଟେ ରାଜ୍ୟର ନିଜ ସ୍କିମ କାଳିଆ ଯୋଜନାରେ ପ୍ରାୟ ୪୦ ହଜାର ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉଛି ।
ତେବେ କାହିଁକି ଏ ପାତର ଅନ୍ତର ନୀତି ? ସଂଖ୍ୟାରେ କାହିଁକି ରହୁନି ତାଳମେଳ ? ଯାହାକୁ ନେଇ ତେଜିଛି ରାଜନୀତି। ଚାଷୀମାନେ ଏହି ସ୍କିମ୍ ରୁ ବଞ୍ଚିତ ହେବା ନେଇ ବିଜେପି ରାଜ୍ୟ ସଭାପତି ବିଜେଡି ସରକାରଙ୍କ ଉପରେ ବର୍ଷିଥିବାବେଳେ ବିଜେଡି ଏହାର ଜବାବ୍ ରଖିଛି ।
Also Read
ସେପଟେ ପିଏମ୍ କିଷାନ ଯୋଜନାରେ କେନ୍ଦ୍ର ସରକାର ହିତାଧିକାରୀଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ ଏବେ ବି ରାଜ୍ୟରେ ୧୦ ଲକ୍ଷ ଚାଷୀ ଇ-କେୱାଇସି ଅପଡେଟ୍ କରିନାହାଁନ୍ତି । ତେଣୁ ପେଣ୍ଡିଂ କେୱାଇସି କାରଣରୁ ଚାଷୀ ମଧ୍ୟ ସହାୟତା ପାଇବାରେ ସମସ୍ୟାରେ ପଡୁଥିବା କୁହାଯାଉଛି। ଯାହାକୁ ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ତେଜୁଛି ।
୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ କାଳିଆ ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। କିଛି ହିତାଧିକାରୀଙ୍କୁ ଟଙ୍କା ଦିଆ ବି ଯାଇଥିଲା। ହେଲେ ନିର୍ବାଚନ ପରେ ଚାଷୀଙ୍କୁ ୧୦ ହଜାର ବଦଳରେ ମିଳିଲା ବର୍ଷକୁ ମାତ୍ର ଚାରି ହଜାର ଟଙ୍କା । ସେପଟେ ପିଏମ୍ କିଷାନରେ କିନ୍ତୁ ବର୍ଷକୁ ୩ଟି କିସ୍ତିରେ ୬ ହଜାର ଟଙ୍କା ପାଉଛନ୍ତି ଚାଷୀ ।