ଲତିକା ପ୍ରଧାନଙ୍କ ବିସ୍ଫୋରଣ!! 'ରଞ୍ଜିତା କରୁଛନ୍ତି ଦଳ ବିରୋଧୀ କାର୍ଯ୍ୟ'

ଗଞ୍ଜାମ ବିଜେଡିରେ ବଡ଼ ହଲଚଲ୍ । ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ ।

Latika Pradhan

ଗଞ୍ଜାମ ବିଜେଡିରେ ବଡ଼ ହଲଚଲ୍ । ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ । ସେ କହିଛନ୍ତି ଆସ୍କାର ବିଜେଡି ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ନିର୍ବାଚନ ସମୟରେ ବିଭୀଷଣ ଭୂମିକା ନେଇଥିଲେ । ବେଇମାନୀ କରିବା ସହିତ ଗତ ନିର୍ବାଚନରେ ବିଜେପି ସହ ସାଲିସ୍ କରି କାମ କରିଥିଲେ । ଏବେ ମଧ୍ୟ ସେହି କାମ କରୁଛନ୍ତି ।

ଦଳର ସଭାପତିଙ୍କୁ ଭେଟି ଏ ସଂପର୍କରେ ଅବଗତ କରିଛି ବୋଲି ଲତିକା କହିଛନ୍ତି । ଏହା ବି କହିଛନ୍ତି ରଞ୍ଜିତା ମୋ ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗର ସମେତ ଆସ୍କା ସଂସଦୀୟ କ୍ଷେତ୍ରରେ ଦଳ ବିରୋଧୀ କାମ କରିଛନ୍ତି । ଯଦି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହୁଏ ତାହାଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ସେପଟେ ଲତିକା ପ୍ରଧାନଙ୍କ ଆରୋପ ନେଇ ରଂଜିତା ସାହୁ ପ୍ରତିକ୍ରିୟା ଦେଇଛନ୍ତି ।

ସେ କହିଛନ୍ତି, ସେଭଳି କିଛି ନାହିଁ, ଦଳ ଭିତର କଥା, ସୁପ୍ରିମୋଙ୍କୁ ଜଣାଇବୁ । ବିଜେପି ସହ ମିଶିଥିବା ଆରୋପକୁ ଖଣ୍ଡନ କଲେ ରଂଜିତା । ମୁଁ ବିଜେଡି ସଦସ୍ୟ, ବିଜେଡିର ପ୍ରାର୍ଥୀ ଥିଲି, ଆରୋପ ଠିକ୍‌ ନୁହେଁ ବୋଲି କହିଛନ୍ତି ରଂଜିତା । ଦଳ କିଭଳି ସୁଦୃଢ଼ ହେବ ଆମେ କାମ କରୁଛୁ ବୋଲି କହିଛନ୍ତି ରଂଜିତା ।

ସେପଟେ ଦିନକୁ ଦିନ ବିଗୁଡ଼ିଛି ଦଳର ସ୍ଥିତି । ଗତକାଲି ପ୍ରସନ୍ନ ପାଟ୍ଟଶାଣୀ ବିସ୍ଫୋରଣ କରିଥିଲେ । ପାଣ୍ଡିଆନଙ୍କ ପାଇଁ ବିଜେଡି ପରାଜିତ ହେଲା । ଆଉ ତାଙ୍କରି ପାଇଁ ମୁଁ ଦଳ ଛାଡ଼ିଲି ଏଭଳି କହିଥିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଅନ୍ୟପଟେ ଗତକାଲି ପୁଣି ବିଜେଡି ଉପରେ ବର୍ଷିଥିଲେ ଅମର ଶତପଥୀ । କହିଥିଲେ ଆଗକୁ ଓଡ଼ିଶା ରାଜନୀତିରେ ଅନେକ ଘଟଣା ଘଟିବାକୁ ଯାଉଛି । ଯାହାକୁ ନେଇ ଚର୍ଚ୍ଚା ବଢିଛି ।

ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଆହୁରି ମଧ୍ୟ କହିଥିଲେ, ଯେଉଁ ବିଜେଡିକୁ ଗଢିଥିଲି ତାକୁ ଛାଡିବା ଦୁଃଖଦାୟକ । ପାଣ୍ଡିଆନ୍‌ଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା । ୨୪ ବିପର୍ଯ୍ୟୟ ପରେ ସମସ୍ତେ ପାଣ୍ଡିଆନ୍‌ଙ୍କୁ ହିଁ ଦାୟୀ କରୁଛନ୍ତି । ବିଜେଡି ନେତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ରାଜନୀତି କରିବା ପାଇଁ ବହୁତ ଭଲ ଲୋକ ଅଛନ୍ତି ।

ପାଣ୍ଡିଆନ୍‌ଙ୍କ ଗୋଡ଼ାଣିଆ କାହିଁକି ହେଉଛ? ଯେଉଁ ଦଳକୁ ଲୋକେ ପ୍ରତ୍ୟାଖ୍ୟାନ କଲେ ସେଠି ଆଉ କଣ ହେବ? ମୁଁ ପାଣ୍ଡିଆନ୍‌ଙ୍କ ପାଇଁ ହିଁ ଦଳ ଛାଡିଛି । ଖାଲି ଏତିକି ନୁହଁ, ବିଜେଡିକୁ ନେଇ ଅମର ଶତପଥୀଙ୍କ ବୟାନକୁ ବି ସମର୍ଥନ କରିଛନ୍ତି । ତେବେ ଏହାର ଜବାବରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ପ୍ରସନ୍ନ ପାଟ୍ଟଶାଣୀ ଗତ ନିର୍ବାଚନରେ ୪ଟି ଟିକେଟ୍ ମାଗିଥିଲେ ।

ମନା କରାଯିବା ପରେ ସେ ଅସନ୍ତୁଷ୍ଟ ଥିଲେ । ସେ କଣ କହୁଛନ୍ତି ନିଜେ ଜାଣୁ ନାହାଁନ୍ତି ।