Advertisment

ଏପଟେ ସାଇକେଲକୁ ନେଇ ସଚେତନତା, ସେପଟେ ଖତ ଖାଉଛି ଶହ ଶହ ସାଇକେଲ୍

ସାଇକେଲ୍‌କୁ ନେଇ ସରକାରୀସ୍ତରରେ ଉଠିଛି ସଚେତନତା ବାର୍ତ୍ତା। ତେବେ ଏହା କେବଳ ପ୍ରଚାର ପାଇଁ ନା ସାଇକେଲ୍‌ର ଲୋକପ୍ରିୟତା ଫେରାଇ ଆଣିବାକୁ ପ୍ରୟାସ ତାକୁ ନେଇ ଉଠିଛି ପ୍ରଶ୍ନ। କାରଣ ‘ମୋ ସାଇକେଲ୍‌’ ଯୋଜନା ଫେଲ୍ ମାରିଛି।

Awareness on Cycle

Awareness on Cycle

Advertisment

ବିଶ୍ୱ ସାଇକେଲ୍‌ ଦିବସ ଅବସରରେ ସଚେତନତା ବାର୍ତ୍ତା ଦେବାକୁ ରାଜ୍ୟର ବିଭିନ୍ନ ସହରରେ ଆଜି ଦେଖିବାକୁ ମିଳିଥିଲା ସାଇକେଲ୍ ରାଲି। ଭୁବନେଶ୍ୱରରେ ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଆୟୋଜିତ ସାଇକ୍ଲୋଥନ୍‌ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲା। ସିନେ ତାରକା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ହକି ତାରକା ଦିଲ୍ଲୀପ ତିର୍କୀ ପ୍ରମୁଖ କିଟ୍ ବିଶ୍ୱ ବିଦ୍ୟାଳୟ ନିକଟରୁ ରାଲିରେ ବାହାରି ଶିଶୁଭବନ ଛକ ଯାଏଁ ଯାଇଥିଲେ।

Advertisment

ସେହିପରି ରାଉରକେଲାରେ ଆୟୋଜିତ ସାଇକେଲ ରାଲିରେ ସୁନ୍ଦରଗଡ଼ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ପାନପୋଷ ଉପ-ଜିଲ୍ଲାପାଳଙ୍କ ସମେତ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ବାଲେଶ୍ୱରରେ ଫକୀରମୋହନ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ସାଇକେଲ୍‌ ରାଲିର ଆୟୋଜନ କରାଯିବା ସହ ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସଂପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।

ସରକାରୀସ୍ତରରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ସ୍ୱାଗତଯୋଗ୍ୟ। ତେବେ ଏହା କେବଳ ପ୍ରଚାର ପାଇଁ ନା ସାଇକେଲ୍‌ର ଲୋକପ୍ରିୟତା ଫେରାଇ ଆଣିବାକୁ ପ୍ରୟାସ ତାକୁ ନେଇ ଉଠିଛି ପ୍ରଶ୍ନ। କାରଣ ସାଇକେଲ ପ୍ରତି ଆଗ୍ରହ ସୃଷ୍ଟି ସାଙ୍ଗକୁ ରାଜଧାନୀରେ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ମୋ ସାଇକେଲ୍‌’ ଯୋଜନା। ହେଲେ ଏବେ ରାସ୍ତାକଡ଼ରେ ବିପର୍ଯ୍ୟସ୍ତ ଅବସ୍ଥା ଗଣ୍ଡା ଗଣ୍ଡା ଦାମିକା ସାଇକେଲ ପଡି ରହିଥିବା ଦେଖାଯାଏ। କାହାର ଟାୟାର ଫାଟି ଯାଇଛି, ତ କାହାର ସିଟ୍ ନାହିଁ। ଆଉ କାହାକୁ ଜଙ୍କ୍ ଖାଇଗଲାଣି। କେତେକର ଅବସ୍ଥା ଏମିତି ଯେ ସେସବୁ ଚାଲିବା ସ୍ଥିତିରେ ନାହାନ୍ତି।

Advertisment

ଆଉ କିଛି ସ୍ଥାନରେ ଷ୍ଟାଣ୍ଡ୍‌ ଅଛି ହେଲେ ସାଇକେଲ୍ ଗାୟବ। କିଏ ନେଇଛି, କେଉଁଠି ଅଛି ତା’ର ହିସାବ ନାହିଁ। ତେଣେ ସାଇକେଲ୍‌ ପାଇଁ ସରକାର ସ୍ୱତନ୍ତ୍ର ଟ୍ରାକ୍ ବି ନିର୍ମାଣ କରିଥିଲେ। ତେବେ ଏଥିରୁ ରଙ୍ଗ ଉଡିଯାଇଥିବା ବେଳେ ଟ୍ରାକ୍‌ଚ୍ୟୁତ ହୋଇଯାଇଛି ମୋ ସାଇକେଲ୍ ଯୋଜନା। କେବଳ ମୋ ସାଇକେଲ ଯୋଜନା ନୁହେଁ, ଭୁବନେଶ୍ୱରରେ ଆୟୋଜିତ ରାହାଗିରି କାର୍ଯ୍ୟକ୍ରମ ପାଇଁ ବି ଶହ ଶହ ସାଇକେଲ୍ କିଣାଯାଇଥିଲା, ଯାହା ବର୍ତ୍ତମାନ ବିଏମ୍‌ସି ଅଫିସରେ ପଡ଼ି ଖତ ଖାଉଛି।

ତେଣେ ଭୁବନେଶ୍ୱର ମେୟର ସଫେଇ ଦେଇ କହିଛନ୍ତି କରୋନା ପାଇଁ ରାହାଗିରି କାର୍ଯ୍ୟକ୍ରମ ବନ୍ଦ ଥିଲା। ଆଗାମୀ ଦିନରେ ଏହାକୁ ପୁଣି ଥରେ ଆରମ୍ଭ କରାଯିବ। ସେହିପରି ବିଏମ୍‌ସି ଅଧିକାରୀମାନେ ପ୍ରତି ଶୁକ୍ରବାର ସାଇକେଲ୍‌ରେ ଅଫିସ ଆସିବା ନିୟମ ମଧ୍ୟ ଖୁବ ଶୀଘ୍ର ଲାଗୁ ହେବ ବୋଲି ସେ କହିଛନ୍ତି।

Advertisment

(ରିପୋର୍ଟ: ରାଉରକେଲାରୁ ପୱନ ତିୱାରୀ, ବାଲେଶ୍ୱରରୁ ରଶ୍ମି ରଞ୍ଜନ, ଭୁବନେଶ୍ୱରରୁ ଅତୁଲ୍ୟ ରାଉତ ଓ ସୌମ୍ୟ ରଞ୍ଜନ ସାହୁ)

Odisha News Awareness For Cycle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ