Birth Day Celebration of Harekrishna Mahatab: ମହତାବଙ୍କ ଜୟନ୍ତୀ ପାଳନକୁ ନେଇ ରାଜନୀତି କାହିଁକି ?

ବିଭିନ୍ନ ସରକାରୀ ଯୋଜନା, ପ୍ରକଳ୍ପ ସହିତ ଯୋଡି ହୋଇ ରହିଥିଲା ବିଜୁଙ୍କ ନାମ । ରାଜ୍ୟର ରାସ୍ତା ଘାଟ, ବଜାର ହାଟ ସବୁଠି ବିଜୁଙ୍କ ପଦଚିହ୍ନ । ଏହା ନୁହଁ ଯେ ଅନ୍ୟ କୌଣସି ମହାପୁରୁଷଙ୍କ ନାମରେ ଯୋଜନା ହୋଇ ନାହିଁ କିମ୍ବା ସେମାନଙ୍କ ଜୟନ୍ତୀ ପାଳନ କରାଯାଇ ନାହିଁ ।

Birth Day Celebration of Harekrishna Mahatab

ବିଜୁ ଯୁଗ ପରେ ଓଡିଶା ରାଜନୀତିରେ ଆରମ୍ଭ ହୋଇଛି ମହତାବ ଯୁଗ ! ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ ବିଜୁ ଜନତା ଦଳ ତଥା ତାଙ୍କ ପୁତ୍ର ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ଶାସନ କାଳରେ ବିଜୁମୟ ହୋଇଥିଲା ଓଡିଶା । ବିଭିନ୍ନ ସରକାରୀ ଯୋଜନା, ପ୍ରକଳ୍ପ ସହିତ ଯୋଡି ହୋଇ ରହିଥିଲା ବିଜୁଙ୍କ ନାମ । ରାଜ୍ୟର ରାସ୍ତା ଘାଟ, ବଜାର ହାଟ ସବୁଠି ବିଜୁଙ୍କ ପଦଚିହ୍ନ । ଏହା ନୁହଁ ଯେ ଅନ୍ୟ କୌଣସି ମହାପୁରୁଷଙ୍କ ନାମରେ ଯୋଜନା ହୋଇ ନାହିଁ କିମ୍ବା ସେମାନଙ୍କ ଜୟନ୍ତୀ ପାଳନ କରାଯାଇ ନାହିଁ । କିନ୍ତୁ ବିଜୁବାବୁଙ୍କ ଜୟନ୍ତୀ ଓଡିଶାରୁ ଦେଶ ବିଦେଶ ପର୍ଯ୍ୟନ୍ତ ଉତ୍ସବ ସମାରୋହ ଦେଖିବାକୁ ମିଳିଥିଲା । ବିଜେଡି ଶାସନର ବିଲୟ ହେବା ଏବଂ ବିଜେପି ଅଚାନକ କ୍ଷମତାକୁ ଆସିବା ପରେ ଓଡିଆ ଅସ୍ମିତାର ଜୀବନ୍ତ ପ୍ରତିକ ଭାବରେ ମହାନ ଜନନାୟକ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହ ପାଳନର ଭବ୍ୟ ଆୟୋଜନ ହୋଇଛି । ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଇତିହାସ ଓ ସାମ୍ବାଦିକ ସବୁ କ୍ଷେତ୍ରରେ ମହତାବଙ୍କ ଅବଦାନକୁ ବ୍ୟାପକ ପ୍ରଚାର ପ୍ରସାର କରାଯିବା ନେଇ ରାଜନୈତିକ ହଲଚଲ ସୃଷ୍ଟି ହୋଇଛି । ବିଜେଡି ସମୟରେ ବିଜୁଙ୍କ ଯୁଗ ଚାଲିଥିଲା ଏବଂ ବିଜେପି ଆସିବା ପରେ ମହତାବ ଯୁଗ ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ହେଉଛି ।

ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନକୁ ନେଇ ବିବାଦ

ବାସ୍ତବରେ ଏଭଳି ସ୍ଥିତିକୁ ଇନ୍ଧନ ଯୋଗାଇବା ପଛରେ ଗତ ୪ମାସ ତଳର ସେହି ବିବାଦୀୟ ‘ଓଡିଶା ରାଜ୍ୟ କ୍ରୀଡା ସମ୍ମାନ’ ଘଟଣା ଆନ୍ୟ ଏକ କାରଣ ବୋଲି ଚର୍ଚ୍ଚା ହେଉଛି । ମୋହନ ସରକାର କ୍ଷମତାକୁ ଆସିବାର ମାତ୍ର ମାସେ ନପୂରୁଣୁ ବିଜୁ ପଟ୍ଟନାୟକଙ୍କ ନାମରେ ଦୀର୍ଘ ବର୍ଷଧରି ଦିଆଯାଉଥିବା ‘ବିଜୁ କ୍ରୀଡା ପୁରସ୍କାର’ ନାମ ପରିବର୍ତ୍ତନ କରିବା ବିଷୟ ସାମ୍ନାକୁ ଆସିଲା । ‘ଓଡିଶା ରାଜ୍ୟ କ୍ରୀଡା ସମ୍ମାନ’ ପ୍ରଦାନ ନେଇ ୧୯ ଜୁଲାଇରେ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଥିଲା । ବିଜେପି କ୍ଷମତାକୁ ଆସିବାର ମାସେ ନପୁରୁଣୁ ନୂଆ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ଓ ପ୍ରତିକ୍ରିୟା ଦେଖାଗଲା । ଯାହା ବିଜେପି ସରକାର ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହେବା ନଜରରେ ରଖି ଖୋଦ୍ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ସାମ୍ନାକୁ ଆସି ସ୍ପଷ୍ଟିକରଣ ରଖିବାକୁ ପଡିଲା । ମୁଖ୍ୟମନ୍ତ୍ରୀ କହିଲେ ବିଜୁ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ କି ମୋ ପାଖରେ ସେଭଳି କୌଣସି ସୂଚନା ନାହିଁ । ମୋ ସରକାର ଓଡିଶାର ବରପୁତ୍ରମାନଙ୍କୁ ସମ୍ମାନ ଦିଏ । ଓଡିଶା ପ୍ରତି ବିଜୁବାବୁଙ୍କ ଅବଦାନ ଅତୁଳନୀୟ, ତେଣୁ କ୍ରୀଡା ପୁରସ୍କାରରୁ ତାଙ୍କ ନାମକୁ ହଟାଯିବ ନାହିଁ ବୋଲି ସେ ପ୍ରତିକ୍ରିୟା ରଖିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟିକରଣ ପରେ ଯେଉଁ ସବୁ ଚର୍ଚ୍ଚା ହୋଇଥିଲା ତାହା ଥମିଥିଲା। ତେବେ ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ ଏଭଳି କେମିତି ସମ୍ଭବ ହେଲା ପ୍ରଶ୍ନ ଉଠିଲା। ଏହି ଘଟଣାର ୪ ମାସ ପରେ ବର୍ତ୍ତମାନ ମହାନ ଜନନାୟକ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କ ଅବଦାନକୁ ରାଜ୍ୟ ତଥା ଜାତୀୟସ୍ତରରେ ବ୍ୟାପକ ପ୍ରଚାର ପ୍ରସାର କରାଯିବା ଘଟଣା ଚର୍ଚ୍ଚାରେ ରହିଛି ।

କାହିଁକି ମିଳୁନି ଭାରତ ରତ୍ନ

ଭାରତ ସ୍ୱାଧୀନତା ସଂଗ୍ରାମ ହେଉ ଅବା ବିକଶିତ ଓଡିଶା ଗଠନ ଦିଗରେ ହେଉ, ଉଭୟ ମହାପୁରୁଷ ବିଜୁ ପଟ୍ଟନାୟକ ଏବଂ ଡକ୍ଟର ହରେକୃଷ୍ଣ ମହତାବଙ୍କ ଅବଦାନ ସର୍ବଦା ଆଗରେ ରହିଛି । ସ୍ୱାଧୀନ ଭାରତରେ ଓଡିଶାର ତୃତୀୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ତଥା ସୁଦକ୍ଷ ପାଇଲଟ ଥିବା ସେହି ପ୍ରବାଦ ପୁରୁଷ ବିଜୁବାବୁଙ୍କ ବୀରତ୍ୱର ଗାଥା କିଏ ବା ନଜାଣେ । ଆଜି ମଧ୍ୟ ତାଙ୍କ ଜୟନ୍ତୀ ଦିବସ ମାର୍ଚ୍ଚ ୫ ରାଜ୍ୟ ପଂଚାୟତିରାଜ ଦିବସ ଭାବରେ ପାଳନ କରାଯାଉଛି । ନିକଟରେ ତାଙ୍କ ସୁବିଖ୍ୟାତ ସନ୍ତକ ଡାକୋଟା ବିମାନ ଉଦ୍ଧାର କରାଯାଇଥିଲା । ସେହିଭଳି ସ୍ୱାଧୀନତା ପରେ ସାମ୍ବିଧାନିକ ଭିତିରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ହରେକୃଷ୍ଣ ମହତାବ ଗୌରବ ଅର୍ଜନ କରିଥିଲେ । ରାଜ୍ୟର ସ୍ୱାଧୀନତା ସଂଗ୍ରାମରେ ସେ ଜଣେ ଅଗ୍ରଣୀ ନେତାଥିଲେ ଏବଂ ମାତ୍ର ୩୫ବର୍ଷ ବୟସରେ ସେ ଏଆଇସିସିର କାର୍ଯ୍ୟକାରୀ କମିଟିର ସଦସ୍ୟ ହୋଇଥିଲେ । ଗଡଜାତ ମିଶ୍ରଣର ପ୍ରଥମ ପର୍ବ ଓଡିଶାରୁ ଆରମ୍ଭ ହୋଇଥିଲା ଯାହାର ଦୃଢତା ଦେଖାଇଥିଲେ ହରେକୃଷ୍ଣ ମହତାବ । ନବଓଡିଶାର ନିର୍ମାଣ ଓ ବିକାଶ କ୍ଷେତ୍ରରେ ଡକ୍ଟର ମହତାବଙ୍କ ଅବଦାନ ରହିଛି । ସେହିଭଳି ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, କଳା କ୍ଷେତ୍ରରେ ତାଙ୍କର ଅନେକ ସନ୍ତକ ରହିଛି । ହୀରାକୁଦ ନଦୀବନ୍ଧ ଏବଂ ବିଦ୍ୟୁତ ବ୍ୟବସ୍ଥା ତାଙ୍କରି ସମୟରେ ହୋଇଥିଲା । ତାଙ୍କରି ଉଦ୍ୟମରେ ଭୁବନେଶ୍ୱର ରାଜଧାନୀର ମାନ୍ୟତା ପାଇଥିଲା । ଏତେ ସବୁ ସତ୍ୱେ ଓଡିଶା ମାଟିର ଏହି ମହାନ ଜନନାୟକ ଦ୍ୱୟଙ୍କୁ ଭାରତ ରତ୍ନ ସମ୍ମାନ ପ୍ରାପ୍ତ ହୋଇ ନାହିଁ ।

ଡକ୍ଟର ମହତାବଙ୍କ ପୁତ୍ର ଭାବେ ପରିଚିତ ଭର୍ତୃହରି ମହତାବ ନବୀନ ପଟନାୟକଙ୍କ ନେତୃତ୍ୱାଧିନ ବିଜେଡିରେ ଲଗାତର ବହୁବାର ଲୋକସଭା ସଦସ୍ୟ ହୋଇଛନ୍ତି । କିନ୍ତୁ ପିତାଙ୍କ ଅବଦାନ ବିଷୟରେ ଆଜିର ପିଢିଙ୍କୁ ଜଣାଇବା କିମ୍ବା ବିଜୁବାବୁଙ୍କ ଭଳି ରାଜ୍ୟବ୍ୟାପୀ ଜୟନ୍ତୀ ପାଳନ ସମାରୋହ ଦେଖାଯାଇ ନଥିଲା । ତେବେ ୨୦୨୪ ନିର୍ବାଚନରେ ପ୍ରଥମଥର ପାଇଁ ଭର୍ତୃହରି ବିଜେପିରୁ ଲୋକସଭା ସଦସ୍ୟ ହେବାର ଗୌରବ ପାଇବା ପରେ ଏବଂ ଓଡ଼ିଶାରେ ବିଜେପି ସରକାର ଗଠନ ପରେ ବିଜୁ ବାବୁଙ୍କ ଭାବମୂର୍ତିର ପ୍ରତିଦ୍ୱନ୍ଦ୍ୱୀ ଭାବରେ ହରେକୃଷ୍ଣ ମହତାବଙ୍କୁ ସାମ୍ନାକୁ ଅଣାଯାଇଥିବା କୁହାଯାଏ ।

୨୧ ନଭେମ୍ବରରେ ଜନ୍ମଲାଭ କରିଥିବା ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ ଜୟନ୍ତୀ ସମାରୋହ ଯେତେବେଳେ ରାଜ୍ୟରୁ ଜାତୀୟସ୍ତରରେ ପାଳନ କରାଯାଉଥିଲା ଠିକ ସେହି ସମୟରେ ଓଡିଶାର ଅନ୍ୟତମ ବରପୁତ୍ର ମହାପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୨୩ ନଭେମ୍ବରରେ ୧୨୩ ତମ ଜନ୍ମଦିନ ଥିଲା । ମଦମୁକ୍ତ ଓଡିଶା ଗଠନ ପାଇଁ ଆଇନ ଏବଂ ସରକାରୀସ୍ତରରେ ଓଡିଆ ଭାଷାର ପ୍ରଚଳନ ପାଇଁ ସଂଗ୍ରାମ କରି ଆସିଥିବା ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ସମାରୋହ କିନ୍ତୁ ଜାତୀୟସ୍ତରରେ ନୁହେଁ ରାଜ୍ୟସ୍ତରରେ ମଧ୍ୟ ସେଭଳି ଆଖିଦୁଶିଆ କାର୍ଯ୍ୟକ୍ରମ ହୋଇପାରି ନାହିଁ । ସେହିଭଳି ନଭେମ୍ବର ୨୨ରେ ମହାନ ବିପ୍ଲବୀ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ କଥା ମଧ୍ୟ ସମାନ । ତେବେ ଦେଖାଯାଉ ଡିସେମ୍ବର ୩ରେ ରମାଦେବୀଙ୍କ ୧୨୫ତମ ଜନ୍ମଦିବସରେ ସରକାର କି କି କାର୍ଯ୍ୟକ୍ରମମାନ ଆୟୋଜନ କରୁଛନ୍ତି ।

ସବୁ ମହାପୁରୁଷଙ୍କୁ ମିଳୁ ସମ୍ମାନ

ଉତ୍କଳ ମାଟି ଅନେକ ବରପୁତ୍ରଙ୍କୁ ଜନ୍ମଦେଇଛି ଯେଉଁମାନଙ୍କ ମହାନତା ଓ ବୀରତ୍ୱର ଗାଥା ଆମେ ଇତିହାସ ଏବଂ ସାହିତ୍ୟ ପୃଷ୍ଠାରେ ପଢି ଆସିଛୁ । ସେଥିମଧ୍ୟରୁ ଅନେକ ମହାପୁରୁଷଙ୍କ ଜୟନ୍ତୀ ଉତ୍ସବ ସରକାରୀସ୍ତରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ଭବନ (ଜୟଦେବ ଭବନ)ରେ ଆୟୋଜନ କରାଯାଏ । ତେବେ ଅନେକ ସମୟରେ ଏଭଳି କାର୍ଯ୍ୟକ୍ରମରେ ମଂଚ ଆଉ ମଂଚ ତଳର ମୁଣ୍ଡଗଣତି ପ୍ରାୟ ସମାନ! ଅର୍ଥାତ ମହାପୁରୁଷଙ୍କ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ଯେମିତି ଏକ ବୈଧାନିକ ବାଧ୍ୟବାଧକତା ଦୃଷ୍ଟିରୁ କରାଯାଏ । ଖବରକାଗଜରେ ଜୟନ୍ତୀ କାର୍ଯ୍ୟକ୍ରମର ବିଜ୍ଞାପନ ଦେଇ ସରକାର ଯେମିତି ନିଜ ଦାୟିତ୍ୱ ସାରି ଦିଅନ୍ତି । ଏହାର ବ୍ୟାପକ ପ୍ରଚାର ପ୍ରସାର ତଥା ଉତ୍ତର ପିଢିଙ୍କ ପାଖରେ ମହାପୁରୁଷଙ୍କ ଅବଦାନ ପହଂଚାଇବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆଦି ପଦକ୍ଷେପ ନିଆଯିବା ଆବଶ୍ୟକ ।

ଅନେକ ସମୟରେ ସରକାରୀ ତାଲିକାରୁ ଜୟନ୍ତୀ ପାଳନକୁ ମଧ୍ୟ ବାଦ ଦେବା ବିଷୟ ଚର୍ଚ୍ଚାରେ ରହିଛି । ଏବେ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ପାଳନ ଅବସରରେ ପ୍ରତିକ୍ରିୟା ରଖି ବିଜେପି ନେତା ତଥା ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ୨୪ ବର୍ଷଧରି ବିଜୁବାବୁଙ୍କୁ ସମ୍ମାନ କରିବା ଆଉ କାହାକୁ ସମ୍ମାନ ନକରିବା ଭଳି ଚରିତ୍ର ବିଜେଡିରେ ଥିଲେ । ଅତ୍ୟନ୍ତ ଲଜ୍ଜାଜନକ ବିଷୟ ଗତ ଦୁଇବର୍ଷ ଧରି ସରକାରୀସ୍ତରରେ ମହତାବଙ୍କ ଜୟନ୍ତୀ ବିଜେଡି ସରକାର ବନ୍ଦ ମଧ୍ୟ କରିଦେଇଥିଲେ । ଏଭଳି କୁତ୍ସିତ ମାନସିକତାର ଲୋକମାନଙ୍କର ସମାଲୋଚନା କରିବାର ଅଧିକାର ନାହିଁ । ଆମେ ସେ ଚରିତ୍ରରୁ ବାହାରି ଓଡିଶାର ସମସ୍ତ ମହାପୁରୁଷ ମଧୂସୁଦନ ଦାସଙ୍କଠାରୁ ଆରମ୍ଭ କରି ହରେକୃଷ୍ଣ ମହତାବଙ୍କ ପର୍ଯ୍ୟନ୍ତ ସେମାନଙ୍କ ପୂଜ୍ୟପୂଜା ଯେଭଳି ଠିକ ଭାବରେ ହୋଇପାରିବ ସେଥିପାଇଁ ଚେଷ୍ଠିତ ରହିବୁ । ଏହାର ଜବାବରେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବିଜେଡି କାହାକୁ ପ୍ରମୋଟ କରୁନଥିଲା । ବିଜୁବାବୁ କ’ଣ ଡିଜର୍ଭିଂ ନାହାନ୍ତି ବୋଲି ସେ କହିବାକୁ ଚାହୁଛନ୍ତି ? ମଧୂବାବୁ ପେନ୍ସନ ଯୋଜନା, ଗୋପବନ୍ଧୁ ଗ୍ରାମୀଣ ସଡକ ଯୋଜନା ଆଦି ବିଜେଡି ସରକାର ସମୟରେ ହୋଇଛି । ମହତାବଙ୍କ ନାମରେ ସରକାର କାର୍ଯ୍ୟକ୍ରମ କରନ୍ତୁ କିନ୍ତୁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରୁ ବିଜୁଙ୍କ ନାମ ବାଦ ନଦିଆଯିବାକୁ ଶ୍ରୀ ମିଶ୍ର ନିବେଦନ କରିଥିଲେ । ସେପଟେ ରାଜ୍ୟ ସରକାର ବର୍ଷ ତମାମ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ଅବସରରେ ଅନେକ କାର୍ଯ୍ୟକ୍ରମ କରିବାକୁ ଏକ ସମିତି ଗଠନ କରିଛନ୍ତି ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)