Advertisment

Sports: ବିଶ୍ୱକପ୍ ବିଫଳତା ଟିମ୍ ଇଣ୍ଡିଆ ପାଇଁ କେତେ ବଡ଼ କ୍ଷତି

୨୦୨୩ ଦିନିକିଆ ବିଶ୍ୱକପ୍‌ର ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତର ପରାଜୟ ପରେ ଦେଶର କୋଟି କୋଟି କ୍ରିକେଟ୍ ପ୍ରଶଂସକଙ୍କ ଠାରୁ ନେଇ ଡ୍ରେସିଂରୁମ୍‌ରେ ଖେଳାଳିଙ୍କ ପର୍ଯ୍ୟନ୍ତ - ସମସ୍ତେ ନିରାଶ ହୋଇଥିଲେ। ଏହା ଏବେ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ପ୍ରଶ୍ନ ଉଠୁଛି ଯେ ଏହି ପରାଜୟ ଟିମ୍ ଇଣ୍ଡିଆ ପାଇଁ କେତେ ବଡ଼ କ୍ଷତି?

ଅଦ୍ୟତନ ହୋଇଛି
World Cup failure is a big loss for Team India

World Cup failure is a big loss for Team India

Advertisment

ଟିମ୍ ଇଣ୍ଡିଆର ଦିନିକିଆ ବିଶ୍ୱକପ୍ ବିଜୟର ପ୍ରତୀକ୍ଷା ଆହୁରି ବଢ଼ିଯାଇଛି। ୧୨ ବର୍ଷ ପରେ ଭାରତ ୨୦୨୩ ସଂସ୍କରଣର ଫାଇନାଲ୍‌ରେ ପହଞ୍ଚିଥିଲା, ହେଲେ ମହେନ୍ଦ୍ର ସିଂହ ଧୋନିଙ୍କ ସମୟର ସଫଳତାକୁ ଦୋହରାଇ ପାରି ନାହାନ୍ତି ରୋହିତ ଶର୍ମା। ଏହା ସହିତ ଭାରତର ତୃତୀୟ ବିଶ୍ୱକପ୍ ମୁକୁଟ ବିଜୟର ସ୍ୱପ୍ନ ଅଧୁରା ରହିଯାଇଛି।

Advertisment

ଦୁଇ ବର୍ଷ ଧରି ଟିମ୍ ସହିତ ଥିବା କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ତାଙ୍କ କ୍ୟାରିଅର୍‌ରେ ନା ଖେଳାଳି ଥିବା ସମୟରେ ନା କୋଚ୍ ଥିବା ସମୟରେ - କେବେ ବି ସିନିଅର୍ ସ୍ତରରେ ଦିନିକିଆ ବିଶ୍ୱକପ୍ ଜିତିପାରି ନାହାନ୍ତି। ଏ ଅବସୋସ ତାଙ୍କ ଭିତରେ ରହିବ ନିଶ୍ଚୟ । ଆଗକୁ ତାଙ୍କ କାର୍ଯ୍ୟକାଳ ବଢ଼ିବ କି ନାହିଁ, ତାହା ସ୍ପଷ୍ଟ ନୁହେଁ।

ଭାରତ ପ୍ରାକ୍‌-ଟୁର୍ଣ୍ଣାମେଣ୍ଟ ଫେଭରିଟ୍ ଥିଲା, ଏପରିକି ଫାଇନାଲ୍‌ରେ ମଧ୍ୟ ଆୟୋଜକ ଟିମ୍ ଜିତିବ ବୋଲି ଅନେକ ଆକଳନ କରିଥିଲେ; କିନ୍ତୁ ସେମିତି ହେଲା ନାହିଁ। ଅଷ୍ଟ୍ରେଲିଆ ଆବଶ୍ୟକ ସମୟରେ ତା’ର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ବୋଲିଂ, ଫିଲ୍ଡିଂ ଓ ଏହାପରେ ବ୍ୟାଟିଂରେ ବି କଙ୍ଗାରୁ ଟିମ୍‌ର ପ୍ରଦର୍ଶନ ଭାରତ ଠାରୁ ଆଗରେ ଥିଲା। ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍ ପୂର୍ବ ଯାଏଁ ଅପରାଜେୟ ରହିବା ସହ ଶ୍ରେଷ୍ଠ ପ୍ରଦର୍ଶନ କରିଆସିଥିବା ରୋହିତ ସେନାର ଆତ୍ମସମର୍ପଣ ଅପ୍ରତ୍ୟାଶିତ ଥିଲା।

Advertisment

ଅଧିକ ପଢ଼ନ୍ତୁ: ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ପରି ଅଧିନାୟକ ପାଇବ ନାହିଁ: KRK

ଆକ୍ରମଣାତ୍ମକତାର ଅଭାବ, ରଣକୌଶଳ ବିଫଳ:

ରୋହିତ ସେନା ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୨୪୦ ରନ୍‌ରେ ସୀମିତ ରହିଥିବା ବେଳେ ଅଷ୍ଟ୍ରେଲିଆ ସାତ ଓଭର୍ ବାକି ଥାଇ ମାତ୍ର ୪ ୱିକେଟ୍ ହରାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା । ଟ୍ରେଭିସ୍ ହେଡ୍ ଖୋଦ୍ ଶତକୀୟ ଇନିଂସ୍ ଖେଳିବା ସହ ମାର୍ନସ ଲାବୁଶେନ୍‌ଙ୍କ ସହ ମିଶି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ ଏବଂ ଅଷ୍ଟ୍ରେଲିଆ ଷଷ୍ଠ ଥର ଚାମ୍ପିଅନ୍ ହୋଇଥିଲା।

ଏହା ପୂର୍ବରୁ ଅଷ୍ଟ୍ରେଲିଆର ଅଧିକାଂଶ ବୋଲର୍ ଭାରତର ରନ୍‌ଗତି ଉପରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଥିଲେ । ଲୋକେଶ ରାହୁଲ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଫ୍ଲପ୍ ହୋଇଥିଲେ।

Advertisment

ରୋହିତ ପିଚ୍‌କୁ ଠିକ୍‌ରେ ପଢ଼ିପାରି ନ ଥିଲେ । ଟସ୍ ଜିତିବା ପରେ ଭାରତୀୟ ଅଧିନାୟକ କହିଥିଲେ ଯେ ଯଦି ସେ ଟସ୍ ଜିତିଥା’ନ୍ତେ, ତା’ହେଲେ ପ୍ରଥମେ ବ୍ୟାଟିଂ ନେଇଥା’ନ୍ତେ । ଭାରତୀୟ ବ୍ୟାଟିଂ ହେଉ ବା ବୋଲିଂ ଅଥବା ଫିଲ୍ଡିଂ - କେଉଁଥିରେ ବି ସେଭଳି ଆକ୍ରମଣାତ୍ମକତା ଦେଖିବାକୁ ମିଳି ନ ଥିଲା ଯାହାର ଆବଶ୍ୟକତା ଥିଲା।

ଫାଇନାଲ୍ ପୂର୍ବ ଯାଏଁ ଟିମ୍ ଏଭଳି ରକ୍ଷଣାତ୍ମକ ବ୍ୟାଟିଂ କରି ନ ଥିଲା । ପିଚ୍ ଧୀମା ଥିବାରୁ ଭାରତୀୟ ବ୍ୟାଟର୍ ଜଗିରଖି ଖେଳିଥିଲେ । ଅନ୍ୟପଟେ, ଅଷ୍ଟ୍ରେଲିଆ ପାଖରେ ସବୁକିଛି ଥିଲା ଯାହା ଏକ ଚାମ୍ପିଅନ୍ ଟିମ୍ ପାଖରେ ରହିବା ଦରକାର।

ଅଷ୍ଟ୍ରେଲୀୟ ବୋଲର୍ ପିଚ୍ ବିଷୟରେ ବେଶୀ ଚିନ୍ତା ନ କରି ୱିକେଟ୍ ଟୁ ୱିକେଟ୍ ବୋଲିଂ କରିଥିଲେ । ଭାରତର ଦୁର୍ବଳତା ହିସାବରେ ଫିଲ୍ଡିଂ କରିଥିଲେ । ସେହିପରି ଟିମ୍‌ର ବ୍ୟାଟର୍ ତିନି ୱିକେଟ୍ ପଡ଼ିବା ପରେ ନିର୍ଭୀକ ଭାବେ ଖେଳିଥିଲେ । କୌଣସି ବିଭାଗରେ ଭାରତର ରଣକୌଶଳ କାମ ଦେଇ ନ ଥିଲା । ଏହାଛଡ଼ା ଲକ୍ଷାଧିକ ଦର୍ଶକଙ୍କ ପାଟିରେ ମଧ୍ୟ ଭାରତୀୟ ବ୍ୟାଟର୍ ଚାପଗ୍ରସ୍ତ ହୋଇଯାଇଥିଲେ।

ଏହି ପରାଜୟ ଯୋଗୁଁ ଭାରତର କୋଟି କୋଟି କ୍ରିକେଟ୍ ପ୍ରଶଂସକଙ୍କ ଠାରୁ ନେଇ ଡ୍ରେସିଂରୁମ୍‌ରେ ଖେଳାଳିଙ୍କ ପର୍ଯ୍ୟନ୍ତ - ସମସ୍ତେ ନିରାଶ ହୋଇଥିଲେ । ଏହା ଏବେ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ପ୍ରଶ୍ନ ଉଠୁଛି ଯେ ଏହି ପରାଜୟ ଟିମ୍ ଇଣ୍ଡିଆ ପାଇଁ କେତେ ବଡ଼ କ୍ଷତି?

ଅଧିକ ପଢ଼ନ୍ତୁ: 'ଯନ୍ତ୍ରଣା ଜର୍ଜରିତ ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାନ୍ତ୍ୱନା '

ବଡ଼ ସୁଯୋଗ ଥିଲା:

ଏହି ପରାଜୟକୁ ଭାରତ ପାଇଁ ବଡ଼ କ୍ଷତି କୁହାଯିବାର ମୁଖ୍ୟ କାରଣ ହେଉଛି, ଏହା ଏକ ବଡ଼ ସୁଯୋଗ ଥିଲା । ଟିମ୍ ଫାଇନାଲ୍ ପୂର୍ବ ଯାଏଁ ଯେଭଳି ପ୍ରଦର୍ଶନ କରିଆସିଥିଲା, ତାହା ମୁକୁଟ-ବିଜୟର ସମ୍ଭାବନାକୁ ବହୁଗୁଣିତ କରିଥିଲା । କିନ୍ତୁ ଫାଇନାଲ୍‌ରେ କୋଚ୍ ଦ୍ରାବିଡ଼ଙ୍କ ପରିଶ୍ରମ ଓ ରଣକୌଶଳ, ରୋହିତଙ୍କ ସଫଳ ନେତୃତ୍ୱ, ବିରାଟଙ୍କ ‘ବିରାଟ’ ଅବତାର, ଶାମୀଙ୍କ ଆତଙ୍କପ୍ରଦ ବୋଲିଂ କାମରେ ଆସି ନ ଥିଲା।

ସବୁବେଳେ ଏଭଳି ସୁଯୋଗ ଆସେନି । ଖେଳାଳି ଫର୍ମରେ ଥିଲେ, ପ୍ରତିଯୋଗିତା ନିଜ ଦେଶରେ ହେଉଥିଲା । ଏହାସତ୍ତ୍ୱେ ମୁକୁଟ ଜିତି ନ ପାରିବା ନିଶ୍ଚିତରୂପେ ଚିନ୍ତାର ବିଷୟ।

ଆଉ ଏକ ବଡ଼ କଥା ହେଉଛି, ବିଶ୍ୱକପ୍‌ରେ ଭାରତର ଉଲ୍ଲେଖନୀୟ ପ୍ରଦର୍ଶନରେ ଯେଉଁମାନଙ୍କର ବଡ଼ ଭୂମିକା ଥିଲା, ସେମାନେ ପରବର୍ତ୍ତୀ ସଂସ୍କରଣ ବେଳକୁ ଆଉ ଟିମ୍‌ରେ ନ ଥିବେ । ଅଧିନାୟକ ରୋହିତ ଶର୍ମାଙ୍କୁ ସେତେବେଳକୁ ପ୍ରାୟ ୪୦ ଓ ବିରାଟ କୋହଲିଙ୍କୁ ୩୯ ବର୍ଷ ହେବଣି । ପେସର୍ ମହମ୍ମଦ ଶାମୀଙ୍କୁ ମଧ୍ୟ ଅଧିକ ବୟସ ହୋଇଯିବଣି । ତେଣୁ ସେମାନେ ପରବର୍ତ୍ତୀ ୫୦-ଓଭର୍ ବିଶ୍ୱକପ୍‌ରେ ଖେଳିବାର ସମ୍ଭାବନା ନାହିଁ । ସେମାନଙ୍କ ସ୍ଥାନ ପୂରଣ କରିବା ପାଇଁ ଶୀଘ୍ର ବିକଳ୍ପଙ୍କୁ ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି।

ଅନେକ ସଫଳତା ବି ମିଳିଛି:

ଏହି ପରାଜୟକୁ କେବଳ ବଡ଼ କ୍ଷତି ଦୃଷ୍ଟିରୁ ବିବେଚନା କରାଯିବା ଠିକ୍ ନୁହେଁ, ଏହି ବିଶ୍ୱକପ୍‌ରେ ଭାରତ ପାଇଁ ଅନେକ ସକାରାତ୍ମକ ପରିଣାମ ବି ଆସିଛି । ଟିମ୍ କେତେକ ନୂଆ ଲକ୍ଷ୍ୟସ୍ଥଳ ହାସଲ କରିଛି, ଯାହାର ପ୍ରତୀକ୍ଷା ଅନେକ ଦିନରୁ ଥିଲା।

ବିଶ୍ୱକପ୍‌ରେ ଭାରତୀୟ ଟିମ୍ କ୍ରମାଗତ ୧୦ ମ୍ୟାଚ୍ ଜିତିଥିଲା, ଯାହା ଦେଶର କ୍ରିକେଟ୍ ଇତିହାସରେ ଏକ ରେକର୍ଡ । ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ବିଜୟରୁ ଭାରତ ତା’ର ଅଭିଯାନ ଆରମ୍ଭ କରିଥିଲା ଏବଂ ଶେଷରେ ଅଷ୍ଟ୍ରେଲିଆ ହିଁ ତା’ର ବିଜୟ ଧାରା ଭାଙ୍ଗିଥିଲା । ଟିମ୍ ଅଧିକାଂଶ ମ୍ୟାଚ୍‌ରେ ଭଲ ବ୍ୟବଧାନରେ ବିଜୟ ହାସଲ କରିଥିଲା । ଅବଶ୍ୟ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୧୧ ବିଜୟର ରେକର୍ଡ ଅଷ୍ଟ୍ରେଲିଆ ନାମରେ ରହିଛି।

ଭାରତର ପ୍ରଦର୍ଶନରେ ବୋଲର୍‌ଙ୍କ ବଡ଼ ଭୂମିକା ଥିଲା । ଯଶପ୍ରୀତ ବୁମ୍‌ରା, ମହମ୍ମଦ ଶାମୀ ଓ ମହମ୍ମଦ ସିରାଜ ସବୁଠାରୁ ବିପଜ୍ଜନକ ପେସ୍ ବାହିନୀ ଭାବେ ଉଭା ହୋଇଥିଲେ । ଆଗକୁ ମଧ୍ୟ ସେମାନଙ୍କ ପ୍ରଭାବ ବଳବତ୍ତର ରହିପାରେ । ଦୁଇ ସ୍ପିନର୍ - କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଉଚ୍ଚ ସ୍ତରର ବୋଲିଂ ପ୍ରଦର୍ଶନ କରିଥିଲେ।

ଇଂଲଣ୍ଡର ପୂର୍ବତନ କ୍ରିକେଟର୍ ନାସିର ହୁସେନ୍ ସେମାନଙ୍କୁ ‘ଫେଭ୍ ଫାଇଭ୍‌’ ଭାବେ ଅଭିହିତ କରିଥିଲେ । ଅଷ୍ଟ୍ରେଲିଆକୁ ଦୁଇ ଥର ବିଶ୍ୱକପ୍ ଚାମ୍ପିଅନ୍ କରାଇଥିବା ରିକି ପଣ୍ଟିଂ ଏହାକୁ ଭାରତର ‘ସର୍ବକାଳୀନ ସର୍ବାଧିକ ବିପଜ୍ଜନକ ବୋଲିଂ ଆକ୍ରମଣ’ କହିଥିଲେ।

ଭାରତୀୟ ଓପନର୍ ଶୁଭମନ ଗିଲ୍ ବିଶ୍ୱକପ୍ ସମୟରେ ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ । ବିରାଟ କୋହଲି ଅନେକ ରେକର୍ଡ ସହିତ ଏଭଳି ଏକ ରେକର୍ଡ କରିଥିଲେ, ଯାହାକୁ ଭାଙ୍ଗିବା ସହଜ ନୁହେଁ । ବିରାଟ ଦିନିକିଆ ଆନ୍ତର୍ଜାତିକରେ କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ୪୯ ଶତକ ରେକର୍ଡ ଭାଙ୍ଗି ୫୦ ଶତକ ହାସଲ କରିଥିଲେ।

ଯୁବରାଜ ସିଂହ ଓ ସୁରେଶ ରାଇନା ଅବସର ନେବା ପରେ ବ୍ୟାଟିଂରେ ଚାରି ନମ୍ବର ସ୍ଥାନ ପାଇଁ କୌଣସି ବ୍ୟାଟର୍ ମିଳୁ ନ ଥିଲେ । ଦୀର୍ଘ ଦିନର ଏହି ସମସ୍ୟାର ସମାଧାନ ହୋଇଛି । ବିଶ୍ୱକପ୍‌ରେ ଦୃଢ଼ ପ୍ରଦର୍ଶନ କରି ଶ୍ରେୟସ ଆୟର ଏହି ସ୍ଥାନରେ ଫିଟ୍ ହୋଇଛନ୍ତି । ଏହାଛଡ଼ା ଆଘାତ ପରେ ଫେରିଥିବା ପେସର୍ ବୁମ୍‌ରା ତାଙ୍କ ପୁରୁଣା ରୂପକୁ ଫେରିଛନ୍ତି।

ଫାଇନାଲ୍ ମ୍ୟାଚ୍ ପରେ ଅଧିନାୟକ ରୋହିତ ଶର୍ମା କହିଥିଲେ, “ଫଳାଫଳ ଆମ ସପକ୍ଷରେ ଆସି ନ ଥିଲା; କିନ୍ତୁ ପୂରା ଟୁର୍ଣ୍ଣାମେଣ୍ଟରେ ଆମେ ଯେଭଳି କ୍ରିକେଟ୍ ଖେଳିଲୁ, ସେଥିନେଇ ମୁଁ ଗର୍ବିତ।”

ଭାରତୀୟ ଟିମ୍‌କୁ ନକାରାତ୍ମକତାକୁ ଭୁଲାଇ ଆଗକୁ ବଢ଼ିବାକୁ ହେବ । ନୂଆ ଆରମ୍ଭ କରିବାକୁ ହେବ । ସାତ ମାସ ପରେ ଆଉ ଏକ ବିଶ୍ୱକପ୍ ଖେଳାଯିବ । ଟି-୨୦ ଫର୍ମାଟ୍‌ରେ ହେବାକୁ ଥିବା ଏହି ମହାସମର ପାଇଁ ଏବେଠାରୁ ପ୍ରସ୍ତୁତ ହେବାକୁ ପଡ଼ିବ । ସେଥିରେ ୧୭ ବର୍ଷ ପରେ ଦ୍ୱିତୀୟ ମୁକୁଟ ଜିତିବାର ଲକ୍ଷ୍ୟ ରହିବ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

World Cup Indian Cricket Team Indian Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ