Advertisment

Sports: ବୋଲର୍‌ଙ୍କ ଦମ୍‌ରେ ବିଶ୍ୱବିଜୟୀ ହେବ କି ଟିମ୍ ଇଣ୍ଡିଆ

୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ ବୋଲର୍‌ଙ୍କୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା। ପେସର୍ ଯଶପ୍ରୀତ ବୁମ୍‌ରା ହୁଅନ୍ତୁ ବା ମହମ୍ମଦ ଶାମୀ ଅଥବା କୁଲଦୀପ ଯାଦବ, ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ସ୍ପିନର୍ - ସେମାନଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ଉଜ୍ଜ୍ୱଳ ହୋଇଛି ତୃତୀୟ ବିଶ୍ୱ ମୁକୁଟ ଜିତିବାର ସମ୍ଭାବନା।

ଅଦ୍ୟତନ ହୋଇଛି
Will Team India win the worldcup on the strength of bowlers

Will Team India win the worldcup on the strength of bowlers

Advertisment

ଏସିଆ କପ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜ୍ ପରେ ବିଶ୍ୱକପ୍ ଭଳି ବଡ଼ ମଞ୍ଚରେ ବି ଭାରତୀୟ ବୋଲର୍ ପ୍ରଭାବଶାଳୀ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା । ଦିନିକିଆ ବିଶ୍ୱକପ୍‌ର ଲିଗ୍ ପର୍ଯ୍ୟାୟରେ ଏ ଯାବତ (ଅକ୍ଟୋବର ୨୯ ସୁଦ୍ଧା) କ୍ରମାଗତ ଛଅ ମ୍ୟାଚ୍ ଜିତିଥିବା ଟିମ୍ ଇଣ୍ଡିଆର ଏହି ବୋଲର୍‌ମାନେ ହିଁ ସବୁଠାରୁ ଅଧିକ ଚର୍ଚ୍ଚା ସାଉଁଟୁଛନ୍ତି। ଏମିତି ବି ଆଲୋଚନା ହେଉଛି ଯେ ବୋଲର୍‌ଙ୍କ ଦମ୍‌ରେ ଭାରତ ଏଥର ବିଶ୍ୱକପ୍ ଜିତିବ।

Advertisment

‘ରାୱଲପିଣ୍ଡି ଏକ୍ସପ୍ରେସ୍‌’ ନାମରେ ଖ୍ୟାତ ପାକିସ୍ତାନର ପୂର୍ବତନ ପେସର୍ ଶୋଏବ ଅଖତାରଙ୍କ କହିବାନୁଯାୟୀ ଭାରତର ବ୍ୟାଟିଂକୁ ତ ଭୟ କରିବା କଥା, ଏବେ ସ୍ଥିତି ଏମିତି ହୋଇଛି ଯେ ତା’ର ବୋଲିଂ ୟୁନିଟ୍‌କୁ ବି ଭୟ କର।

ଭାରତୀୟ ଟିମ୍ ପ୍ରଥମେ ଏସିଆ କପ୍ ଜିତିଲା, ଏହାପରେ ଅଷ୍ଟ୍ରେଲିଆକୁ ଦିନିକିଆ ସିରିଜ୍‌ରେ ହରାଇଲା ଏବଂ ଏବେ ବିଶ୍ୱକପ୍ ମୁକୁଟ ଆଡ଼କୁ ଅଗ୍ରସର ହେଉଛି। ଟିମ୍‌ର ଏହି ସଫଳତା ପାଇଁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଓ ରାହୁଲ ଦ୍ରାବିଡ଼ଙ୍କ ପ୍ରଶିକ୍ଷଣକୁ ବି ପ୍ରଶଂସା କରାଯାଉଛି। ଅବଶ୍ୟ ଏହି ସଫଳତା ପଛରେ ଘରୋଇ ପରିବେଶର ମଧ୍ୟ ଭୂମିକା ରହିଛି।

Advertisment

ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ସେମିଫାଇନାଲ୍‌ର ନିକଟବର୍ତ୍ତୀ ହୋଇଛି। ରୋହିତଙ୍କ ଟିମ୍ ଅଷ୍ଟ୍ରେଲିଆକୁ ହରାଇ ଅଭିଯାନ ଆରମ୍ଭ କରିଥିବା ବେଳେ ଏହାପରେ ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ପରାଜିତ କରିଛି। ଏହି ସମସ୍ତ ବିଜୟରେ ବୋଲର୍‌ଙ୍କ ପ୍ରମୁଖ ଭୂମିକା ରହିଆସିଛି।

ପିଠି ଯନ୍ତ୍ରଣାରୁ ସୁସ୍ଥ ହୋଇ ଫେରିଥିବା ବୁମ୍‌ରା ଟିମ୍ ପାଇଁ ‘ବୁଷ୍ଟର୍ ଡୋଜ୍‌’ ହୋଇଛନ୍ତି। ସେ ପ୍ରଥମେ ଆୟରଲାଣ୍ଡ ଗସ୍ତରେ ଯାଇ ନିଜ ଫିଟ୍‌ନେସ୍ ଓ ଫର୍ମ ସାବ୍ୟସ୍ତ କଲେ। ଏହାପରେ ଏସିଆ କପ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଖେଳିଲେ। ଏବେ ବିଶ୍ୱକପ୍‌ରେ ସେ ଦ୍ୱିତୀୟ ସଫଳ ବୋଲର୍‌, ଆଉ ଇକୋନୋମୀ ରେଟ୍‌ରେ ପେସର୍‌ଙ୍କ ମଧ୍ୟରେ ସର୍ବାଗ୍ରେ ଅଛନ୍ତି।

Advertisment

ସର୍ବାଧିକ ୱିକେଟ୍ ହାସଲକାରୀ ତାଲିକାରେ ଅଷ୍ଟ୍ରେଲୀୟ ସ୍ପିନର୍ ଆଡମ୍ ଜମ୍ପା ଛଅ ମ୍ୟାଚ୍‌ରୁ ୧୬ ୱିକେଟ୍ ନେଇ ଶୀର୍ଷରେ ଥିବା ବେଳେ ବୁମ୍‌ରା ସମାନ ସଂଖ୍ୟକ ମ୍ୟାଚ୍‌ରୁ ୧୪ ୱିକେଟ୍ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । କିନ୍ତୁ ବୁମ୍‌ରାଙ୍କ ଇକୋନୋମୀ ରେଟ୍ ୩.୯୧ ଥିବା ବେଳେ ଜମ୍ପାଙ୍କ ୬.୨୨। ଆଗକୁ ଏହି ଭାରତୀୟ ପେସର୍ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇପାରନ୍ତି।

ଭାରତର ବାମହାତି ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ଛଅ ମ୍ୟାଚ୍‌ରୁ ୧୦ ୱିକେଟ୍ ନେଇଛନ୍ତି। ପେସର୍ ମହମ୍ମଦ ଶାମୀ ନଅ ୱିକେଟ୍ ନେଇଛନ୍ତି, କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସେ ମାତ୍ର ଦୁଇ ମ୍ୟାଚ୍ ଖେଳିଛନ୍ତି। ଉଭୟ (ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ) ମ୍ୟାଚ୍‌ରେ ସେ ଥିଲେ ସର୍ବାଧିକ ୱିକେଟ୍ ହାସଲକାରୀ।

ବାମହାତି ସ୍ପିନର୍ ରବୀନ୍ଦ୍ର ଜାଡ଼େଜା ଛଅ ମ୍ୟାଚ୍‌ରୁ ଆଠ ୱିକେଟ୍ ନେଇଛନ୍ତି। ତେବେ ତାଙ୍କ ଇକୋନୋମୀ ରେଟ୍ ମାତ୍ର ୩.୭୫। ଅନ୍ୟତମ ପେସର୍ ମହମ୍ମଦ ସିରାଜ ଛଅ ମ୍ୟାଚ୍‌ରୁ ଛଅ ଓ ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପଣ୍ଡ୍ୟା ଚାରି ମ୍ୟାଚ୍‌ରୁ ପାଞ୍ଚ ୱିକେଟ୍ ନେଇଛନ୍ତି। ପେସର୍ ଶାର୍ଦ୍ଦୂଳ ଠାକୁର ତିନି ମ୍ୟାଚ୍‌ରୁ ଦୁଇ ୱିକେଟ୍ ନେଇଥିବା ବେଳେ ଅଫ୍‌ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ଗୋଟିଏ ମ୍ୟାଚ୍ ଖେଳି ଗୋଟିଏ ୱିକେଟ୍ ପାଇଛନ୍ତି।

ଇଂଲଣ୍ଡ ମୁକାବିଲା ଓ ‘ଘାତକ’ ଯୋଡ଼ି ବୁମ୍‌ରା-ଶାମୀ:

ଚଳିତ ବିଶ୍ୱକପ୍‌ରେ ଏ ଯାବତ ଭାରତର ସମସ୍ତ ବିଜୟ ମଧ୍ୟରେ ଲକ୍ଷ୍ନୌରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ସଫଳତା ସବୁଠାରୁ ସ୍ୱତନ୍ତ୍ର। ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଟିମ୍ ଫର୍ମରେ ନାହିଁ ଏବଂ ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାଞ୍ଚରୁ ଚାରି ମ୍ୟାଚ୍ ହାରିସାରିଥିଲା। ଅନ୍ୟପଟେ, ଭାରତୀୟ ଟିମ୍ ଅପରାଜେୟ ରେକର୍ଡ ସହ ମଇଦାନକୁ ଓହ୍ଲାଇଥିଲା।

ଟିମ୍ ଇଣ୍ଡିଆ ଯେତେବେଳେ ପ୍ରଥମେ ବ୍ୟାଟିଂ କରି ରୋହିତଙ୍କ ଲଢ଼ୁଆ ୮୭ ରନ୍ ସହାୟତାରେ ୨୨୯ ରନ୍ ସଂଗ୍ରହ କରିଥିଲା, ସେତେବେଳେ ଇଂଲଣ୍ଡର ମ୍ୟାଚ୍ ଜିତିବାର ସମ୍ଭାବନା ବଢ଼ିଯାଇଥିଲା। କିନ୍ତୁ ଇଂଲଣ୍ଡ ଟିମ୍ ମାତ୍ର ୧୨୯ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା।

କାକରର ପ୍ରଭାବ ସତ୍ତ୍ୱେ ଭାରତୀୟ ବୋଲର୍‌ମାନେ ପ୍ରତିପକ୍ଷ ଟିମ୍‌କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ । ଜୋସ୍ ବଟ୍‌ଲର୍‌ଙ୍କ ଟିମ୍ ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଏବଂ ୯୧ ବଲ୍ ବାକି ଥାଇ ମ୍ୟାଚ୍ ହାରିଯାଇଥିଲା ।

ବୁମ୍‌ରା ଓ ଶାମୀଙ୍କ ଯୋଡ଼ି ଇଂଲଣ୍ଡ ପାଇଁ ‘ଘାତକ’ ସାବ୍ୟସ୍ତ ହୋଇଥିଲା। ପଞ୍ଚମ ଓଭର୍‌ରେ ବୁମ୍‌ରା କ୍ରମାଗତ ଦୁଇ ବଲ୍‌ରେ ଡେଭିଡ୍ ମଲାନ୍ ଓ ଜୋ’ ରୁଟ୍‌ଙ୍କ ୱିକେଟ୍ ନେଇ ଇଂଲଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲିଦେଇଥିଲେ। ଶାମୀ ତିନି ବ୍ୟାଟର୍-ବେନ୍ ଷ୍ଟୋକ୍ସ, ଜନି ବେଆର୍‌ଷ୍ଟୋ ଓ ଆଦିଲ୍ ରଶିଦଙ୍କୁ ବୋଲ୍ଡ କରିବା ସହ ମୋଟ୍ ଚାରି ୱିକେଟ୍ ନେଇଥିଲେ। ବୁମ୍‌ରା-ଶାମୀଙ୍କ ଯୋଡ଼ି ମ୍ୟାଚ୍‌ରେ ସାତ ବ୍ୟାଟର୍‌ଙ୍କୁ ପାଭିଲିଅନ୍ ପଠାଇଥିଲେ। ଏହାଛଡ଼ା କୁଲଦୀପଙ୍କୁ ଦୁଇ ଓ ଜାଡ଼େଜାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।

ମ୍ୟାଚ୍ ପରେ କିମ୍ବଦନ୍ତୀ କ୍ରିକେଟର୍ ସୁନୀଲ ଗାଭାସ୍କର କହିଥିଲେ, “ଭାରତ ପାଖରେ ଭିନ୍ନ ଭିନ୍ନ ପ୍ରକାରର ସିମ୍ ବୋଲର୍ ଅଛନ୍ତି। ବୁମ୍‌ରା କ୍ରିଜ୍‌ରୁ ହଟି ବଲ୍‌କୁ ଭିତର ଓ ବାହାର ଉଭୟ ପଟକୁ ପକାଇବାରେ ଓସ୍ତାଦ। ଶାମୀ ୱିକେଟ୍ ନିକଟରୁ ବୋଲିଂ କରୁଛନ୍ତି ଏବଂ ନିଜ ବଲ୍‌କୁ ଶେଷ ମୁହୂର୍ତ୍ତରେ ଘୂରାଇବାରେ ସେ ସିଦ୍ଧହସ୍ତ। ଅନ୍ୟପଟେ ମିଡିଲ୍ ଓଭର୍‌ରେ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜା ନିଜ ସ୍ପିନ୍ ବଲ୍‌ର ଜାଲ ବୁଣିବାରେ ପାରଙ୍ଗମ। ଏତେ ବିବିଧତା କୌଣସି ଟିମ୍ ପାଖରେ ନାହିଁ। ଏହି କାରଣରୁ ଟିମ୍ ଏତେ ଛୋଟ ସ୍କୋର୍‌କୁ ବଞ୍ଚାଇବାରେ ସଫଳ ହୋଇଥିଲା।”

ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ବାମହାତି ପେସର୍ ୱାସିମ ଆକ୍ରମ ଭାରତୀୟ ପେସର୍ ଶାମୀଙ୍କ ବୋଲିଂକୁ ପ୍ରଶଂସା କରି କହିଥିଲେ, “ଶାମୀଙ୍କ ବଲ୍‌ର ସିମ୍ ଯେତେବେଳେ ପିଚ୍‌କୁ ଛୁଏଁ, ସେତେବେଳେ ତାହା ଯେକୌଣସି ଦିଗକୁ ବୁଲିପାରେ। ଏହା ତାଙ୍କର ସବୁଠାରୁ ବଡ଼ ବିଶେଷତ୍ୱ।”

ଆକ୍ରମଙ୍କ କହିବାନୁଯାୟୀ ଭାରତୀୟ ଟିମ୍‌ର ବୋଲିଂ ବର୍ତ୍ତମାନ ସମୟରେ ବିଶ୍ୱରେ ସର୍ବଶ୍ରେଷ୍ଠ। ବୁମ୍‌ରା ଓ ଶାମୀ ଇଂଲଣ୍ଡକୁ ହରାଇବାରେ ଜୋର୍‌ଦାର ଭୂମିକା ନିର୍ବାହ କରିଥିଲେ।

ଭାରତର ପୂର୍ବତନ ବ୍ୟାଟର୍ ତଥା ଭାଷ୍ୟକାର ସଞ୍ଜୟ ମାଞ୍ଜରେକର, ଭାଷ୍ୟକାର ହର୍ଷ ଭୋଗଲେ ମଧ୍ୟ ଭାରତୀୟ ବୋଲର୍‌ଙ୍କୁ ପ୍ରଶଂସା କରିଛନ୍ତି।

ବିଶ୍ୱକପ୍‌ରେ ଭାରତୀୟ ବୋଲର୍ ଏଭଳି ପ୍ରଦର୍ଶନ ଜାରି ରଖିଲେ, ଟିମ୍‌ର ୧୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିପାରିବ। ଟିମ୍ ତୃତୀୟ ଥର ବିଶ୍ୱବିଜୟୀ ହୋଇପାରିବ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

World Cup Indian Cricket Team Indian Bowlers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ