କାହିଁକି ଅଲୋଡା ବାମପନ୍ଥୀ ଚିନ୍ତାଧାରା

ଯେଉଁ ବାମପନ୍ଥୀମାନଙ୍କୁ ଲୋକେ ଅନେକବାର ଶାସନ ପାଇଁ ସୁଯୋଗ ଦେଇ ବିଭିନ୍ନ ରାଜ୍ୟରେ ସରକାର ଗଠନ କରିବାକୁ ଭୋଟ୍‌ ଦେଇଥିଲେ, ଏବେ ସେଇ ସାଧାରଣ ଲୋକେ ବାମପନ୍ଥୀମାନଙ୍କୁ ଅଗ୍ରାହ୍ୟ କରିଦେଉଛନ୍ତି। କାହିଁକି ଆସନ୍ତୁ ଜାଣିବା…

କାହିଁକି ଅଲୋଡା ବାମପନ୍ଥୀ ଚିନ୍ତାଧାରା

ବିଗତ କିଛି ବର୍ଷ ହେବ ବାମପନ୍ଥୀମାନେ ରାଷ୍ଟ୍ରପ୍ରେମ ଓ ରାଷ୍ଟ୍ରୀୟ ଏକତା ପ୍ରତି ସେମାନଙ୍କର ସମର୍ଥନ ଦେଖାଇବା ପାଇଁ ପ୍ରୟାସ କରୁଛନ୍ତି। ମାପି ଚୁପି ବାମପନ୍ଥୀମାନେ ଏଭଳି କରିବା ସହ ସେମାନେ ଯେ ଦେଶର ଅଖଣ୍ଡତା ଓ ଏକତା ପାଇଁ ପ୍ରତିବଦ୍ଧ ସେ କଥା ପ୍ରମାଣିତ କରିବା ପାଇଁ ଚାହୁଁଛନ୍ତି କିଛି। ଏକଥା ସତ ଯେ ପୁରୁଣା ବାମପନ୍ଥୀମାନେ ଜାଣିଛନ୍ତି ଯେ ରାଷ୍ଟ୍ରୀୟତା ସେମାନଙ୍କର ସବୁଠାରୁ ଦୁର୍ବଳ ଏବଂ ସମ୍ବେଦନଶୀଳ ବିନ୍ଦୁ।

ସ୍ୱାଧିନତା ଆନ୍ଦୋଳନ ସମୟରେ ଏବଂ ତତ୍‌…ପରବର୍ତ୍ତୀ ସମୟରେ ସେମାନେ ଯେଭଳି ମାନସିକତା ପ୍ରଦର୍ଶନ କରିଥିଲେ ଓ ଯେଭଳି ଭୂମିକା ଗ୍ରହଣ କରିଥିଲେ ସେ ବାବଦରେ ଅପରିଚିତ ଯୁବପିଢିକୁ ଭ୍ରମିତ କରିବାର ଉଦ୍ୟମ ମଧ୍ୟ କରୁଛନ୍ତି। ଦେଶର ସ୍ୱାଧୀନତା ଆନ୍ଦୋଳନ ବେଳେ ଏମାନଙ୍କର ଭୂମିକା ସନ୍ଦେହାସ୍ପଦ ଥିଲା। ୧୯୬୨ରେ ଚୀନ ଆକ୍ରମଣ ବେଳେ ମଧ୍ୟ ଭାରତର କମ୍ୟୁନିଷ୍ଟ୍‌ମାନଙ୍କ ଭୂମିକା ଦେଶ ସପକ୍ଷରେ ନ ଥିଲା। ସେତେବେଳେ ଏମାନେ ଚୀନକୁ ସମର୍ଥନ କରିଥିଲେ।

ଗଣତନ୍ତ୍ରରେ ଲୋକେ ହିଁ ସ୍ଥିର କରନ୍ତି ଶାସନର ଡୋରୀ କାହାକୁ ଦେବେ। ଯେଉଁ ବାମପନ୍ଥୀମାନଙ୍କୁ ଲୋକେ ଅନେକବାର ଶାସନ ପାଇଁ ସୁଯୋଗ ଦେଇ ବିଭିନ୍ନ ରାଜ୍ୟରେ ସରକାର ଗଠନ କରିବାକୁ ଭୋଟ୍‌ ଦେଇଥିଲେ, ଏବେ ସେଇ ସାଧାରଣ ଲୋକେ ବାମପନ୍ଥୀମାନଙ୍କୁ ଅଗ୍ରାହ୍ୟ କରିଦେଉଛନ୍ତି। ଯେଉଁ ପଶ୍ଚିମବଙ୍ଗରେ ୧୯୭୮ ରୁ ୧୯୮୮ ଓ ୧୯୯୩ରୁ ୨୦୧୮ ପର୍ଯ୍ୟନ୍ତ ବାମପନ୍ଥୀ ସରକାର ଥିଲା। ସେଇ ବାମପନ୍ଥୀମାନେ ଏବେ ବିଧାନସଭାର ବିରୋଧୀ ଆସନରେ। ଏବେ ରାଜ୍ୟସଭାରେ ମାତ୍ର ୭ ଜଣ କମ୍ୟୁନିଷ୍ଟ ସାଂସଦ ଥିବାବେଳେ ଲୋକସଭାରେ ହାତଗଣତି ୫ ଜଣ ସାଂସଦ ଅଛନ୍ତି। କେରଳ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠି କମ୍ୟୁନିଷ୍ଟ ସରକାର ରହିଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ ଦେଶର ଜନତା କମ୍ୟୁନିଷ୍ଟମାନଙ୍କୁ ଆଉ ଗ୍ରହଣ କରିବାକୁ ନାରାଜ।

କମ୍ୟୁନିଷ୍ଟ୍‌ ଚିନ୍ତା ଭାରତୀୟ ନୁହେଁ, ଏହି ଚିନ୍ତା ମଧ୍ୟ ଭାରତର ଏକତା ଏବଂ ଅଖଣ୍ଡତା ପାଇଁ କେବେ ଶୁଭଙ୍କର ହୋଇନାହିଁ। କେଏମ୍‌ ଅଶରଫ ଏବଂ ହିରେନ ମୁଖାର୍ଜୀଙ୍କ ଭଳି ବାମପନ୍ଥୀ କମ୍ୟୁନିଷ୍ଟ ନେତା (କମ୍ରେଡ୍‌) ଭାରତକୁ ରାଷ୍ଟ୍ରଭାବେ ଗ୍ରହଣ କରି ନଥିଲେ। ସେମାନଙ୍କ ମତରେ ଭାରତ କେବଳ ରାଜ୍ୟମାନଙ୍କର ସମଷ୍ଟି ଥିଲା। ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ କମ୍ୟୁନିଷ୍ଟ ନେତାମାନଙ୍କର ମାନସିକତାରେ କିଛି ମାତ୍ରାରେ ପରିବର୍ତ୍ତନ ଘଟିଛି ଓ ସେମାନେ ଏବେ ଦେଶପ୍ରେମ କଥା କହୁଛନ୍ତି।

ଦେଶର ସ୍ୱାଧୀନତା ସମୟରେ ମୁସଲିମ୍‌…ଲିଗ୍‌ ସହ ତାଳମିଳାଇ ବାମପନ୍ଥୀ ମେଣ୍ଟ ଧର୍ମ ଆଧାରିତ ପାକିସ୍ଥାନର ସ୍ଥାପନକୁ ନ୍ୟାୟୋଚିତ ବୋଲି କହିଥିଲେ। କେରଳରେ କମ୍ୟୁନିଷ୍ଟ ନେତା ଇଏମ୍‌ଏସ୍ ନମ୍ବୁଦ୍ରିପାଦ ମୁଖ୍ୟମନ୍ତ୍ରୀ ଥିବା ବେଳେ ମୁସଲିମ… ବହୁଳ ଏକ ନୂଆ ଜିଲ୍ଲା ମଲ୍ଲିପୁରମର ସୃଷ୍ଟି କରିଥିଲେ। ବିଦେଶୀ ବିଚାରଧାରାରେ ପ୍ରେରିତ ତଥା ବିଦେଶୀ ଧନରେ ପୋଷିତ ବାମପନ୍ଥୀମାନେ କେବେ ବି ଭାରତ ସହ ଯୋଡି ହୋଇ ନଥିଲେ କି ଭାରତକୁ ନିଜର ବୋଲି ଭାବି ନଥିଲେ।

ସ୍ୱାଧୀନତା ପରେ ମଧ୍ୟ ଭାରତର ସ୍ୱାଧୀନତାକୁ ଏମାନେ କିଛିବର୍ଷ ପର୍ଯ୍ୟନ୍ତ ମାନି ନଥିଲେ। ଭାରତରେ ନକ୍ସଲବାଦର ଜନ୍ମଦାତା ଚାରୁ ମଜୁମଦାର ଚୀନର ମାଓଙ୍କୁ ନିଜର ଆଇକନ ବୋଲି କହୁଥିଲେ। ସେତେବେଳେ ଭାରତର କମ୍ୟୁନିଷ୍ଟମାନେ ଚାରୁ ମଜୁମଦାରଙ୍କୁ ମଧ୍ୟ ସମର୍ଥନ କରିଥିଲେ।

୧୯୯୮ରେ କେନ୍ଦ୍ରରେ ଅଟଳବିହାରୀ ବାଜପେୟୀଙ୍କ ଶାସନ କାଳରେ ପୋଖରାନ ପରମାଣୁ ପରୀକ୍ଷଣ ହୋଇଥିଲା। ସେତେବେଳେ ଭାରତର କମ୍ୟୁନିଷ୍ଟମାନେ ଏହାକୁ ବିଶ୍ୱଶାନ୍ତି ପାଇଁ ବିପଦ ବୋଲି କହିଥିଲେ। କିନ୍ତୁ ଚୀନ୍‌ ଏବଂ ରୁଷିଆର ପରମାଣୁ ପରୀକ୍ଷଣକୁ ଏମାନେ ବିରୋଧ କରି ନଥିଲେ।

ଅନେକ ସମୟରେ ବାମପନ୍ଥୀମାନେ ବିଛିନ୍ନତାବାଦୀମାନଙ୍କୁ ସମର୍ଥନ କରିବାର ଦେଖିବାକୁ ମିଳେ। କାଶ୍ମୀରର ବିଛିନ୍ନତାବାଦୀ ହୁଅନ୍ତୁ ବା ନକ୍ସଲବାଦୀ, କମ୍ୟୁନିଷ୍ଟମାନେ ଏମାନଙ୍କୁ ସମର୍ଥନ କରି ଆସୁଛନ୍ତି। ପଶ୍ଚିମବଙ୍ଗରେ ବାମପନ୍ଥୀ ଶାସନ ସମୟରେ ବିଛିନ୍ନତାବାଦୀ ଇସ୍‌ଲାମୀ କଠୋରପନ୍ଥୀମାନଙ୍କୁ ପ୍ରୋତ୍ସାହନ ମିଳୁଥିଲା ଭୋଟ୍‌। ତାଙ୍କ ରାଜନୀତି ପାଇଁ ବହୁ ସଂଖ୍ୟକ ବଙ୍ଗଳାଦେଶୀ ମୁସଲମାନମାନଙ୍କୁ ପଶ୍ଚିମବଙ୍ଗର ସୀମାନ୍ତ ଅଞ୍ଚଳରେ ବସବାସ କରିବାର ସୁଯୋଗ ଦିଆଯାଇଥିଲା।

ଏହି ବଙ୍ଗଳାଦେଶୀମାନେ ଏବେ ଦେଶର ସୁରକ୍ଷା ପାଇଁ ବିପଦ ସାଜିଛନ୍ତି। କମ୍ୟୁନିଷ୍ଟମାନେ କେବେ ବି ବିରୋଧୀ ପକ୍ଷଙ୍କୁ ଗୁରୁତ୍ୱ ଦିଅନ୍ତି ନାହିଁ। କେରଳ ଏବଂ ପଶ୍ଚିମବଙ୍ଗ ସେମାନଙ୍କରେ ସେମାନଙ୍କ ଶାସନ କାଳରେ ବିରୋଧୀ ବିଚାରଧାରା ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା ସହ ନିର୍ମମ ବ୍ୟବହାର ପ୍ରଦର୍ଶନ କରିଛନ୍ତି।

କିଛି ବର୍ଷ ହେବ କେରଳରେ ଏମିତି ଅନେକ ଘଟଣା ଘଟିଛି ବୋଧହୁଏ। କମ୍ୟୁନିଷ୍ଟ ଚିନ୍ତା ବାସ୍ତବରେ ଏକ ଦଳୀୟ ବ୍ୟବସ୍ଥାରେ ବିଶ୍ୱାସ କରୁଥିବାରୁ ସେମାନଙ୍କୁ ବିରୋଧ କରୁଥିବା ଲୋକଙ୍କୁ ସେମାନେ ସହ୍ୟ କରିପାରନ୍ତି ନାହିଁ। ଚୀନ ହେଉଛି ଏହାର ପ୍ରକୃଷ୍ଟ ଉଦାହରଣ ଯେଉଁଠି ଗଣମାଧ୍ୟମକୁ ମଧ୍ୟ ସରକାରଙ୍କ ଅଧିନରେ କାମ କରିବାକୁ ପଡିଥାଏ।

ଭାରତରେ କମ୍ୟୁନିଷ୍ଟମାନେ ଅଭିବ୍ୟକ୍ତିର ସ୍ୱାଧୀନତା କଥା କହୁଛନ୍ତି, କିନ୍ତୁ ଏହାର ବିପରିତ କଥା କରୁଛନ୍ତି। ବିଶ୍ୱର ଯେଉଁ ଦେଶରେ ସବୁ କମ୍ୟୁନିଷ୍ଟଙ୍କ ଅଧିନାୟକବାଦୀ ସାମନ୍ତବାଦର ଶାସନ ଚାଲିଛି ସେଠି ମାନବାଧିକାରର ଉଲଘଂନ ମଧ୍ୟ ହେଉଛି।

ଭାରତର ଯେଉଁ ଲୋକମାନେ ନିଜକୁ କମ୍ରେଡ୍‌ ବୋଲି ପରିଚୟ ଦେବା ସହ କମ୍ୟୁନିଷ୍ଟ ବିଚାରଧାରା ଦେଶରେ ଶାନ୍ତି ପ୍ରଗତି ଆଣିଦେବ ବୋଲି କହୁଛନ୍ତି ତାହା କେବଳ ସେମାନଙ୍କର ଛଳନାମାତ୍ର। ଭାରତ ହେଉଛି ଭଗବାନ ଶ୍ରୀରାମ, ଶ୍ରୀକୃଷ୍ଣ, ବୁଦ୍ଧ, ମହାବୀର ଏବଂ ଗୁରୁ ନାନକଙ୍କ ପୂଣ୍ୟଭୂମି, ଯେଉଁଠି ସନାତନ ସଂସ୍କୃତି ଓ ସଭ୍ୟତା ଏମିତି ଯେ ସ୍ୱାଧୀନତା ପୂର୍ବରୁ ଓ ପରେ ଧର୍ମନିରପେକ୍ଷ ଓ ସମାନତାର କଥା କୁହାଯାଉଛି। ଏଣୁ ଭାରତରେ ସାମ୍ୟବାଦୀ କଥାର ଆବଶ୍ୟକତା ହିଁ ନାହିଁ।

ରାଷ୍ଟ୍ରପିତା ମହାତ୍ମାଗାନ୍ଧୀ କମ୍ୟୁନିଷ୍ଟମାନଙ୍କ ବାବଦରେ ଲେଖିଛନ୍ତି ଯେ, “କମ୍ୟୁନିଷ୍ଟମାନେ ଭାବୁଛନ୍ତି ଯେ ସେମାନଙ୍କର ସବୁଠୁ ବଡ କର୍ତ୍ତବ୍ୟ ସବୁଠୁ ବଡସେବା ମନ ମୁତାବକ ସୃଷ୍ଟିକରିବା, ଅସନ୍ତୋଷ ସୃଷ୍ଟି କରିବା ଏବଂ ହରତାଳ କରିବା। ସେମାନେ ଦେଖୁନାହାନ୍ତି ଯେ ହରତାଳ, ଅସନ୍ତୋଷ କେମିତି କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଅଧାଜ୍ଞାନ ସବୁଠାରୁ ବଡ କ୍ଷତିକାରକ। କିଛି ଲୋକ ଜ୍ଞାନ ଏବଂ ନିର୍ଦ୍ଦେଶ ରୁଷିଆ ଠାରୁ ପାଉଛନ୍ତି। ଆମ କମ୍ୟୁନିଷ୍ଟମାନଙ୍କର ଏଭଳି ଦୟନୀୟ ଅବସ୍ଥାକୁ ମୁଁ ଅନୁଭବ କରୁଛି। ଏଣୁ ସେମାନଙ୍କୁ ଦୋଷ ନ ଦେଇ ସେମାନଙ୍କ ଉପରେ ଦୟା ଦେଖାଇବାର ଆବଶ୍ୟକତା ରହିଛି। ଏମାନେ ଏକତାକୁ ଖଣ୍ଡିତ କରିବା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଉଛନ୍ତି ଯାହା ଇଂରେଜମାନେ କରିଦେଇଯାଇଛନ୍ତି।”

ଯେଉଁ କଥା ମହାତ୍ମା ଗାନ୍ଧୀ ୧୯୪୭ରେ କମ୍ୟୁନିଷ୍ଟମାନଙ୍କ ପ୍ରସଙ୍ଗରେ କହିଥିଲେ, ତାହା ସମ୍ପୂର୍ଣ୍ଣ ଠିକ, କାରଣ ଏବେ ବି କମ୍ୟୁନିଷ୍ଟମାନଙ୍କ ସିଦ୍ଧାନ୍ତ ଏବଂ ବ୍ୟବହାରରେ କୌଣସି ପରିବର୍ତ୍ତନ ଘଟି ନାହିଁ। କମ୍ୟୁନିଷ୍ଟମାନେ ନିଜକୁ ଯେତେ ଦେଶଭକ୍ତ ବୋଲି କହିଲେ ବି ସେମାନେ ଭାରତକୁ ଏକ ବହୁ ରାଷ୍ଟ୍ରୀୟ ରାଜ୍ୟ ବୋଲି ମାନିନେଇଛନ୍ତି। ଏକଥା ସମସ୍ତେ ଜାଣିବା ଉଚିତ… ଭାରତ ଏକ ଅଖଣ୍ଡ ଅବିଭାଜ୍ୟ ଦେଶ ବୋଲି ସେମାନେ ଗ୍ରହଣ କରୁ ନଥିଲେ। ଏବେ ଗ୍ରହଣ କରୁଛନ୍ତି କି ନାହିଁ ତାହା ସେମାନଙ୍କ ଆଗାମୀ ଦିନର କାର୍ଯ୍ୟକଳାପରୁ ଜଣାପଡିବ।

ରାମଚନ୍ଦ୍ରପୁର, ରଣପୁର, ମୋ: ୯୪୩୮୪୮୫୦୯୪

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)