ଭାରତର ଟି-୨୦ ବିଶ୍ୱକପ୍ ଟିମ୍ରେ କାହିଁକି ନାହାନ୍ତି (ମହମ୍ମଦ) ଶାମୀ? ଏ ପ୍ରଶ୍ନ କରିଛନ୍ତି ୧୯୮୩ ବିଶ୍ୱକପ୍ ବିଜେତା ଟିମ୍ର ସଦସ୍ୟ ତଥା ପୂର୍ବତନ ଅଲ୍ରାଉଣ୍ଡର୍ ମଦନ ଲାଲ୍। ଅନୁରୂପ ପ୍ରଶ୍ନ କରିଥିଲେ ବିଶ୍ୱକପ୍ ବିଜେତା ଟିମ୍ର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ଓପନର୍ କ୍ରିଷ୍ଣମାଚାରୀ ଶ୍ରୀକାନ୍ତ ଓ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ। ଏ ପ୍ରଶ୍ନ କେବଳ ଏହି ତିନି ଜଣଙ୍କ ମଧ୍ୟରେ ସୀମିତ ନୁହେଁ, ଅନେକଙ୍କ ମନରେ ଏହା ଆନ୍ଦୋଳିତ କରୁଛି।
ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଏହାକୁ ଏଡ଼ାଇ ଦିଆଯାଇ ନ ପାରେ। ଯେତେବେଳେ ଆମ ଟିମ୍ ଏସିଆ କପ୍ରେ ବିଫଳ ହୋଇ ଫେରିଛି, ସେତେବେଳେ ଏହି ପ୍ରଶ୍ନର ଗୁରୁତ୍ୱ ଆହୁରି ବଢ଼ିଯାଏ। ୟୁନାଇଟେଡ୍ ଆରବ ଏମିରେଟ୍ସରେ ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତି ସତ୍ତ୍ୱେ ମହମ୍ମଦ ଶାମୀ ଟିମ୍ରେ ନ ଥିଲେ। ଆଜି ଅବଶ୍ୟ ବୁମ୍ରା ଫେରିଲେଣି; ହେଲେ ଆମେ ଏସିଆ କପ୍ ଠାରୁ ଯଥେଷ୍ଟ ବଡ଼ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ୍ ଖେଳିବାକୁ ଯାଉଛୁ ଏବଂ ଟୁର୍ଣ୍ଣାମେଣ୍ଟ୍ ଜିତିବାକୁ ହେଲେ ଆମର ମଜଭୁତ ବୋଲିଂ ୟୁନିଟ୍ ଦରକାର। ଏତଦ୍ଭିନ୍ନ, ଏ କଥା ବୁଝିବାକୁ ହେବ ଯେ ଟି-୨୦ ବିଶ୍ୱକପ୍ ପ୍ରୟୋଗ ପାଇଁ ଉଦ୍ଦିଷ୍ଟ ନୁହେଁ।
ପୂର୍ବ ଟି-୨୦ ବିଶ୍ୱକପ୍ରେ ଶାମୀଙ୍କ ପ୍ରଦର୍ଶନ ଆଶାଜନକ ନ ଥିଲା। ତେବେ ଅତୀତରେ କୌଣସି ଏକ ନିର୍ଦ୍ଦିଷ୍ଟ ଟୁର୍ଣ୍ଣାମେଣ୍ଟ୍ରେ ବିଫଳତାକୁ ଆଧାର କରି ଜଣେ ଦକ୍ଷ ଓ ଅଭିଜ୍ଞ ବୋଲର୍ଙ୍କୁ ଅଣଦେଖା କରାଯିବା ସମୀଚୀନ ନୁହେଁ।
ନିକଟରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଟିମ୍ ଘୋଷଣା କରିଛି। ଏଥିରେ ଏସିଆ କପ୍ ଖେଳିଥିବା ଅଧିକାଂଶ ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ ମୁଖ୍ୟ ଟିମ୍ରେ ଯେଉଁ ବଡ଼ ନାମଟି ଗାୟବ ଥିଲା, ସେ ହେଲେ ଦ୍ରୁତ ବୋଲର୍ ମହମ୍ମଦ ଶାମୀ।
Also Read
ଆଘାତଜନିତ କାରଣରୁ ଏସିଆ କପ୍ରେ ଖେଳି ନ ଥିବା ଦୁଇ ପେସର୍ ଯଶପ୍ରୀତ ବୁମ୍ରା ଓ ହର୍ଷଲ ପଟେଲ୍ ଟିମ୍କୁ ଫେରିଛନ୍ତି। ତେବେ ମହାଦେଶୀୟ ଟୁର୍ଣ୍ଣାମେଣ୍ଟ୍ ପରେ ଏବେ ଟି-୨୦ ବିଶ୍ୱକପ୍ ଟିମ୍ରେ ବି ଶାମୀଙ୍କ ନାମ ନାହିଁ।
ଆଶା କରାଯାଉଥିଲା ଯେ ଅଷ୍ଟ୍ରେଲିଆର ବାତାବରଣ ଓ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଚୟନକାରୀ ଶାମୀଙ୍କୁ ସୁଯୋଗ ଦେବେ। ଏମିତି ବି ଶୁଣାଯାଇଥିଲା ଯେ ଚୟନକାରୀ ତାଙ୍କୁ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ ଏହାସତ୍ତ୍ୱେ ତାଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଟିମ୍ରେ ଅନ୍ତର୍ଭୁକ୍ତ କରାଯାଇଛି। ଯଦି କୌଣସି ଖେଳାଳି ଆହତ ବା ଅସୁସ୍ଥ ହୁଅନ୍ତି, ତା’ହେଲେ ଶାମୀଙ୍କୁ ମୁଖ୍ୟ ଟିମ୍ରେ ନିଆଯାଇପାରେ। ଅବଶ୍ୟ ତାଙ୍କୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ଶୃଙ୍ଖଳା ପାଇଁ ଟିମ୍ରେ ସାମିଲ୍ କରାଯାଇଛି।
ମଦନ ଲାଲ୍ ଅଷ୍ଟ୍ରେଲିଆରେ ଶାମୀ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରିଥା’ନ୍ତେ ବୋଲି କହିବା ସହ ତାଙ୍କ ଭିତରେ ପ୍ରଥମ ତିନି ଓଭର୍ରେ ଓ୍ୱିକେଟ୍ ନେବାର ଦକ୍ଷତା ରହିଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏକଦା ବିସିସିଆଇ ଚୟନ କମିଟିର ଅଧ୍ୟକ୍ଷ ଥିବା ଶ୍ରୀକାନ୍ତଙ୍କ କହିବାନୁଯାୟୀ, ସେ ଚୟନ କମିଟି ମୁଖ୍ୟ ହୋଇଥିଲେ, ମହମ୍ମଦ ଶାମୀ ନିଶ୍ଚୟ ଟିମ୍ରେ ଥା’ନ୍ତେ। ତାଙ୍କ ପାଖରେ ଗତି ଅଛି ଏବଂ ବାଉନ୍ସ କରିବାର ଦକ୍ଷତା ରହିଛି। ଶାମୀ ପ୍ରାରମ୍ଭିକ ଓଭର୍ଗୁଡ଼ିକରେ ଓ୍ୱିକେଟ୍ ନେଇପାରିବେ। ଏପରିସ୍ଥଳେ ସେ ହର୍ଷଲ ପଟେଲଙ୍କ ସ୍ଥାନରେ ଶାମୀଙ୍କୁ ଟିମ୍ରେ ରଖିଥା’ନ୍ତେ ବୋଲି ବିଚାରବ୍ୟକ୍ତ କରିଛନ୍ତି।
ଆଝାରୁଦ୍ଦିନ ମଧ୍ୟ ଶାମୀଙ୍କୁ ଟିମ୍ରେ ନେଇଥିଲେ ଉଚିତ ହୋଇଥା’ନ୍ତା ବୋଲି ଯୁକ୍ତି ବାଢ଼ିଛନ୍ତି। ଏହାଛଡ଼ା ସେ ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟାସ ଆୟରଙ୍କୁ ବି ନେବା କଥା ବୋଲି କହିଛନ୍ତି।
ଏବେ ପ୍ରଶ୍ନ ଉଠୁଛି ଯେ ଅଭିଜ୍ଞ ଓ ଫିଟ୍ ପେସର୍ ଶାମୀଙ୍କୁ କାହିଁକି ବାରମ୍ବାର ଅଣଦେଖା କରାଯାଉଛି? ଏସିଆ କପ୍ ବିଫଳତା କ’ଣ କିଛି ଶିକ୍ଷା ଦେଲା ନାହିଁ? ଅନେକ ଦିନ ଯାଏଁ ଟିମ୍ର ଅଭିନ୍ନ ଅଙ୍ଗ ଥିବା ଖେଳାଳିଙ୍କୁ ବେଞ୍ଚ୍ରେ ବସାଇବା ପଛର ଉଦ୍ଦେଶ୍ୟ କ’ଣ?
୨୦୧୩ରେ ଆନ୍ତର୍ଜାତିକ ପଦାର୍ପଣ କରିବା ପର ଠାରୁ ଶାମୀ ଭାରତ ପକ୍ଷରୁ ମାତ୍ର ୧୭ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୧୮ ଓ୍ୱିକେଟ୍ ନେଇଛନ୍ତି। ଆଇପିଏଲ୍ ୨୦୨୨ରେ ଏହି ୩୨ବର୍ଷୀୟ ପେସର୍ ୧୬ ମ୍ୟାଚ୍ରୁ ୮.୦ ଇକୋନୋମୀ ରେଟ୍ରେ ୨୦ ଓ୍ୱିକେଟ୍ ନେବା ସହ ନବାଗତ ଗୁଜରାଟ ଟାଇଟନ୍ସର ମୁକୁଟ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେ ଆନ୍ତର୍ଜାତିକ କ୍ରିକେଟ୍ରେ ମୋଟ୍ ୩୮୬ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି।
ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ହେବ। ସେଠାକାର ପିଚ୍ ପେସ୍ ଅନୁକୂଳ। ଶାମୀ ସେଠାରେ ନିଜ ବାଉନ୍ସ ଓ ସୀମ୍ ବୋଲିଂ ଦ୍ୱାରା ବ୍ୟାଟର୍ଙ୍କୁ ଅଡ଼ୁଆରେ ପକାଇପାରିବେ। ଏହା ସହିତ ତାଙ୍କ ପାଖରେ ବେଗ ବି ରହିଛି, ଯାହାଫଳରେ ତାଙ୍କୁ ବହୁତ ଫାଇଦା ମିଳି ପାରିବ।
ଅଶ୍ୱିନଙ୍କ ପାଇଁ ବାଦ୍ ପଡ଼ିଲେ ଶାମୀ!
ଚର୍ଚ୍ଚା ହେଉଛି ଯେ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ଅଧିନାୟକ ରୋହିତ ଶର୍ମା ସ୍ପିନ୍ ବୋଲିଂରେ ବିବିଧତା ଚାହୁଁଥିଲେ। ଏହା ଶାମୀଙ୍କ ବିପକ୍ଷରେ ଯାଇଥିଲା ଏବଂ ତାଙ୍କୁ ବିଶ୍ୱକପ୍ ଟିମ୍ରେ ସ୍ଥାନ ମିଳି ନ ଥିଲା।
ଦ୍ରାବିଡ଼ ଓ ରୋହିତଙ୍କ ବିଚାରରେ ଅଷ୍ଟ୍ରେଲିଆରେ ଅକ୍ଟୋବର ମାସରେ ଟି-୨୦ ବିଶ୍ୱକପ୍ ହେଉଛି। ସେତେବେଳେ ସେଠାରେ ଗରମ ହୁଏ ଓ ପିଚ୍ ଶୁଷ୍କ ଥିବା ଯୋଗୁଁ ସ୍ପିନ୍ ବୋଲର୍ମାନଙ୍କୁ ସହାୟତା ମିଳିଥାଏ। ଟିମ୍ ସ୍ପିନ୍ ଆକ୍ରମଣରେ ବିବିଧତା ଚାହେଁ।
ଟିମ୍ ଚୟନ ବୈଠକରେ ଶାମୀ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ନାମକୁ ନେଇ ଟଣାଓଟରା ଚାଲିଥିଲା, କାରଣ ଦ୍ରାବିଡ଼ ଓ ରୋହିତ ଉଭୟ ଅଶ୍ୱିନଙ୍କ ସପକ୍ଷରେ ଥିଲେ ଏବଂ ତାଙ୍କୁ ଟିମ୍ରେ ରଖିବାକୁ ଚାହୁଁଥିଲେ। ଏପରିସ୍ଥଳେ ଚୟନକାରୀମାନଙ୍କୁ ମଧ୍ୟ ତାଙ୍କ କଥା ମାନିବାକୁ ପଡ଼ିଥିଲା। ଏହା ଚୟନ ବୈଠକ ସହ ସଂଶ୍ଳିଷ୍ଟ ସୂତ୍ରରୁ ପ୍ରକାଶ।
ଭାରତୀୟ ଟିମ୍ ମ୍ୟାନେଜ୍ମେଣ୍ଟ୍ ମଧ୍ୟ ବିଚାର କରୁଥିଲା ଯେ କେତେକ ଟିମ୍ରେ ଅନେକ ବାମହାତି ବ୍ୟାଟର୍ ଅଛନ୍ତି। ଏପରିସ୍ଥଳେ ଶାମୀଙ୍କ ତୁଳନାରେ ଅଶ୍ୱିନ ସେମାନଙ୍କ ବିପକ୍ଷରେ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରିବେ।
ଏବେ ବି ନେବା ପାଇଁ ସମୟ ଅଛି :
ଟି-୨୦ ବିଶ୍ୱକପ୍ ଲାଗି ମହମ୍ମଦ ଶାମୀଙ୍କୁ ମୁଖ୍ୟ ଟିମ୍ରେ ସାମିଲ୍ ନ କରି ବିସିସିଆଇକୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ତେବେ ତାଙ୍କୁ ନେବା ଲାଗି ବିସିସିଆଇ ପାଖରେ ଏବେ ବି ସମୟ ଅଛି। ବିଶ୍ୱକପ୍ ଆରମ୍ଭ ହେବାର ସପ୍ତାହେ ପୂର୍ବରୁ ସମସ୍ତ ଟିମ୍ ଶେଷ ଥର ନିଜର ୧୫ ଜଣିଆ ଖେଳାଳି ତାଲିକା ପଠାଇବେ। ଟିମ୍ଗୁଡ଼ିକ ପାଖରେ ନିଜ ପୂର୍ବ-ଘୋଷିତ ତାଲିକାରେ ପରିବର୍ତ୍ତନ କରିବାର ଅଧିକାର ଅଛି।
ଏପରିସ୍ଥଳେ ଶାମି ଯଦି ସାଉଥ୍ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଭଲ ଖେଳନ୍ତି, ତାଙ୍କୁ ଟିମ୍ରେ ନିଆଯିବାର ସମ୍ଭାବନା ଅଛି। ଯଦି ସେ ଭଲ ନ ଖେଳନ୍ତି, ତାଙ୍କ ବାଟ ବନ୍ଦ।
ଯଦି ଚୟନକାରୀ ଓ ଟିମ୍ ମ୍ୟାନେଜ୍ମେଣ୍ଟ୍ ଏହି ଯୋଜନା ରଖି ଶାମୀଙ୍କୁ ବିଶ୍ୱକପ୍ ଟିମ୍ରେ ଷ୍ଟାଣ୍ଡ୍ବାଇ ଭାବେ ସାମିଲ୍ କରିଛନ୍ତି, ତା’ହେଲେ ପ୍ରଶ୍ନ ଉଠୁଛି ଯେ ଶାମୀଙ୍କୁ ଶେଷ ବେଳକୁ କାହିଁକି ଏସିଡ୍ ଟେଷ୍ଟ୍ ଦେବାକୁ ପଡ଼ୁଛି। ଏ ଟେଷ୍ଟ୍ ଏସିଆ କପ୍ରେ ବି ନିଆଯାଇପାରିଥା’ନ୍ତା। ତା’ଛଡ଼ା ହର୍ଷଲ ପଟେଲ୍ଙ୍କ ଭଳି ପେସର୍ ଏସିଆ କପ୍ରେ ବି ଖେଳି ନ ଥିଲେ, ତାଙ୍କୁ ସିଧାସଳଖ ନିଆଗଲା କେମିତି?
ଏସିଆ କପ୍ରେ ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଟିମ୍ରେ ଶାମୀଙ୍କୁ ନ ନିଆଯିବା ବଡ଼ ଭୁଲ ଥିଲା ବୋଲି ଚୟନକାରୀ ସମ୍ଭବତଃ ଅନୁଭବ କରିସାରିଛନ୍ତି। ଏଥିପାଇଁ ମଧ୍ୟ ସେମାନଙ୍କୁ ଅନେକ କଥା ଶୁଣିବାକୁ ପଡ଼ିଛି। ପରାଜୟର କାରଣ ମଧ୍ୟରୁ ଏହା ଗୋଟିଏ କାରଣ ବୋଲି ଗଣମାଧ୍ୟମରେ ବି ପ୍ରକାଶ ପାଇଛି।
ସମ୍ଭବତଃ ସେଥିପାଇଁ ସେମାନେ ଶାମୀଙ୍କୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ନେଇଛନ୍ତି। ଉଭୟ ଶୃଙ୍ଖଳାରେ ପ୍ରଦର୍ଶନକୁ ଭିତ୍ତିକରି ସେମାନେ ଶେଷ ମୁହୂର୍ତ୍ତରେ ଏହି ପେସର୍ଙ୍କୁ ସୁଯୋଗ ଦେଇପାରନ୍ତି। ହର୍ଷଲ ମଧ୍ୟ ଆଗ ମୁଖ୍ୟ ଟିମ୍ରେ ସ୍ଥାନ ନ ପାଇ ଏହି ସମାନ ପଦ୍ଧତି ଦେଇ ଗତି କରିଥିଲେ ଭଲ ହୋଇଥା’ନ୍ତା, କାରଣ ଶାମୀଙ୍କ ଭଳି ହର୍ଷଲଙ୍କର ମଧ୍ୟ ମ୍ୟାଚ୍ ପ୍ରାକ୍ଟିସ୍ ଦରକାର।
ଯଦି ଶାମୀଙ୍କୁ ନେବା ପାଇଁ ପ୍ରକୃତରେ ଚୟନକାରୀଙ୍କ ଯୋଜନା ଅଛି, ତା’ହେଲେ ଆଗାମୀ କିଛି ସପ୍ତାହ ବେଶ ରୋଚକପୂର୍ଣ୍ଣ ହୋଇପାରେ। ପ୍ରଦର୍ଶନ ଭିତ୍ତିରେ ଶାମୀ ମନୋନିତ ହେଲେ, ବାଦ୍ ପଡ଼ିବେ କିଏ? ହୁଏତ ହର୍ଷଲ କି ଭୁବନେଶ୍ୱର (କୁମାର)। ଅତଏବ, ଆଗାମୀ ଦୁଇ ଘରୋଇ ଶୃଙ୍ଖଳା କେବଳ ଶାମୀଙ୍କ ପାଇଁ ନୁହେଁ, ହର୍ଷଲ ଓ ଭୁବନେଶ୍ୱରଙ୍କ ପାଇଁ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ।
ଯଦି ଶାମୀଙ୍କୁ କେବଳ ଦୁଇ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳାଇବା ଚୟନକାରୀଙ୍କ ଲକ୍ଷ୍ୟ ଓ ତାଙ୍କ ପ୍ରଦର୍ଶନକୁ ବିଶ୍ୱକପ୍ ପାଇଁ ବିଚାରକୁ ନିଆଯିବ ନାହିଁ, ତା’ହେଲେ ଆଗକୁ ସମସ୍ୟା ବଢ଼ିବ, ସମାଲୋଚନା ବି।
ଦୂରଭାଷ: ୯୪୩୮୧୭୯୨୧୯
ଇ-ମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)