Advertisment

ନିର୍ବାଚନ ପ୍ରଚାରରେ ହଠାତ୍ 'ଯୋଡ଼ିଶଙ୍ଖ'ର ଆବିର୍ଭାବ କାହିଁକି...କ’ଣ ରହିଛି ଭିତରି ରହସ୍ୟ...

୯୦ ଦଶକ ଶେଷ ଆଡକୁ ଓଡ଼ିଶା ରାଜନୀତିରେ ଏକ ଦଳୀୟ ପ୍ରତୀକ ଭାବରେ ଆବିର୍ଭାବ ହୋଇଥିବା ‘ଶଙ୍ଖ’ ୨୦୨୪ ନିର୍ବାଚନ ବେଳକୁ ନୂଆ ମୋଡ ନେଇଥିବା ଦେଖିବାକୁ ମିଳିଛି। ଗୋଟିଏ ଶଙ୍ଖରେ ୫ଟି ନିର୍ବାଚନ ଜିତିଥିବା ବିଜେଡି ଷଷ୍ଠ ଥର କ୍ଷମତା ହାସଲ ପାଇଁ ‘ଯୋଡି ଶଙ୍ଖ’ ଫର୍ମୁଲା ଆପଣାଇଲା କାହିଁକି ?

ଅଦ୍ୟତନ ହୋଇଛି
Why Jodishankha formula in the election campaign

Why Jodishankha formula in the election campaign

Advertisment

ରାଜ୍ୟ ରାଜନୀତିରେ ‘ଯୋଡିଶଙ୍ଖ’ର ଏଣ୍ଟ୍ରି ହୋଇଛି। ନିର୍ବାଚନ ରଣକ୍ଷେତ୍ରରେ ‘ଯୋଡିଶଙ୍ଖ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ସୁପ୍ରିମୋ ଲୁଙ୍ଗି ପିନ୍ଧି ଦୁଇ ହାତରେ ଦୁଇଟି ଶଙ୍ଖ ଚିହ୍ନ ଦେଖାଇ- ‘ଏଥର ଯୋଡିଶଙ୍ଖ; ଏମ୍ଏଲ୍ଏ ପାଇଁ, ଏମ୍‌ପି ପାଇଁ’ ଦେଇଥିବା ବାର୍ତ୍ତା ରାଜନୀତି ବଜାରକୁ ସରଗରମ କରିଛି। ସେପଟୁ ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ମାରିଲେଣି ତେରେଛା ବାଣ- “ଯୋଡି ଶଙ୍ଖ, ଭାରି ଦୁଃଖ; ଯୋଡି ଫୁଲ, ଭାରି ଭଲ!”

Advertisment

୯୦ ଦଶକ ଶେଷ ଆଡକୁ ଓଡ଼ିଶା ରାଜନୀତିରେ ଏକ ଦଳୀୟ ପ୍ରତୀକ ଭାବରେ ଆବିର୍ଭାବ ହୋଇଥିବା ‘ଶଙ୍ଖ’ ୨୦୨୪ ନିର୍ବାଚନ ବେଳକୁ ନୂଆ ମୋଡ ନେଇଥିବା ଦେଖିବାକୁ ମିଳିଛି। ‘ଶଙ୍ଖ’ ଚିହ୍ନରେ ବିଜୟ ହାସଲ କରି ଦୀର୍ଘ ୨୫ ବର୍ଷ ଧରି ସରକାର ଚଳାଇଥିବା ବିଜେଡି ଏବେ ନିର୍ବାଚନ ପ୍ରଚାରରେ ‘ଯୋଡି ଶଙ୍ଖ’ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି।

ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ନିର୍ବାଚନୀ ପ୍ରଚାର ଆରମ୍ଭର ଦୁଇ ଦିନ ପୂର୍ବରୁ ‘ଯୋଡି ଶଙ୍ଖ’ର ଭିଡିଓ ବାର୍ତ୍ତା ଜାରିକଲେ ଯାହା ସୋସିଆଲ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ ହେବାରେ ଲାଗିଲା। ଏହାରି ମାଧ୍ୟମରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଦଳ ଭୋଟର୍‌ଙ୍କୁ ଅପିଲ କରୁଛି।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସନ୍ଧ୍ୟାରେ ଦୁଇ ହାତରେ ଦୁଇଟି ଲାଇଟ୍‌ ଜଳୁଥିବା ଶଙ୍ଖକୁ ଧରି ‘ଯୋଡି ଶଙ୍ଖ’ର ପ୍ରଚାର ଶୁଭାରମ୍ଭ କଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧିଥିବା ଭିଡିଓରେ ଦେଖାଯାଇଛି ଯାହା ପରବର୍ତ୍ତୀ ସମୟରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

‘ଯୋଡି ଶଙ୍ଖ’ ପ୍ରଚାର ବାର୍ତ୍ତା ପରେ ପରେ ଗୋପାଳପୁରରେ ଭୃଗୁ ବକ୍ସିପାତ୍ର, କଟକ ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ ମିଶ୍ରଙ୍କ ସମେତ ଦଳର ଅନ୍ୟ ନେତା, ପ୍ରାର୍ଥୀ, କର୍ମୀ ‘ଯୋଡି ଶଙ୍ଖ’ର କ୍ୟାମ୍ପେନ୍‌ ଆରମ୍ଭ କରିଦେଲେ। ତେବେ ଅଚାନକ ଏଭଳି ପ୍ରଚାର କାହିଁକି? ଗୋଟିଏ ଶଙ୍ଖରେ ୫ଟି ନିର୍ବାଚନ ଜିତିଥିବା ବିଜେଡି ଷଷ୍ଠ ଥର କ୍ଷମତା ହାସଲ ପାଇଁ ‘ଯୋଡି ଶଙ୍ଖ’ ଫର୍ମୁଲା ଆପଣାଇଲା କାହିଁକି?

Advertisment

ପ୍ରକୃତରେ ଓଡ଼ିଶାର ଲୋକନୃତ୍ୟ ଭାବେ ‘ଯୋଡି ଶଙ୍ଖ’ ବେଶ୍ ଖ୍ୟାତି ଅର୍ଜନ କରିଛି। ଗଞ୍ଜାମ ଜିଲ୍ଲା ନରେନ୍ଦ୍ରପୁରର ଏହି ପାରମ୍ପରିକ ନୃତ୍ୟକଳା ଦେଶ ବିଦେଶରେ ପରିଚୟ ସୃଷ୍ଟି କରିଛି। ପିଢ଼ି ପରେ ପିଢ଼ି ଯୋଡ଼ିଶଙ୍ଖ ନୃତ୍ୟର ପରମ୍ପରାକୁ ଆଗକୁ ନେବା ସହିତ କଳାକାରମାନେ ଅନେକ ମାନ, ସମ୍ମାନ ଓ ପୁରସ୍କାର ପାଇଛନ୍ତି। ତେବେ ରାଜ୍ୟରେ ଏକ ସୀମିତ କ୍ଷେତ୍ରରେ ହିଁ ସେମାନଙ୍କ କଳା ଏବେ ଆବଦ୍ଧ ହୋଇ ରହିଯାଇଥିବା ମନେହୁଏl ଠାକୁରାଣିଯାତ୍ରା, ଦଣ୍ଡ ନାଚ, ବାହାଘର ଆଦି କାର୍ଯ୍ୟକ୍ରମ ବିଶେଷ କରି ନିର୍ବାଚନ ସମୟରେ ଯୋଡିଶଙ୍ଖ ନୃତ୍ୟ ଦେଖିବାକୁ ମିଳେ।

ତେବେ ଠିକ୍ ୨୦୨୪ ନିର୍ବାଚନ ସମୟରେ ଯୋଡ଼ିଶଙ୍ଖ ପ୍ରଚାର ପ୍ରତି ବିଜେଡି ଆଗକୁ ଆସିଲା କାହିଁକି ? କୁହାଯାଉଛି ଓଡ଼ିଶାର ଭାଷା ଓ ଅସ୍ମିତାକୁ ସୁରକ୍ଷା ଦିଗରେ ଏକ ବାର୍ତ୍ତା ଦେବାକୁ ଯୋଡ଼ି ଶଙ୍ଖର ପ୍ରୟୋଜନ ପଡ଼ିଲା। କିନ୍ତୁ ବାସ୍ତବରେ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି 'ମେଣ୍ଟ' ଅପସରିବା ପଛରେ 'ଭିତିରିଆ ସମର୍ଥନ' ବୋଲି ଚର୍ଚ୍ଚା ହେଲା। ବିଧାନସଭା ଆସନଗୁଡିକରେ ବିଜେଡି କଡା ଟକ୍କର ଦେବ ଏବଂ ଲୋକସଭା ଆସନ କ୍ଷେତ୍ରରେ କୋହଳ ବା ଦୁର୍ବଳ ପ୍ରାର୍ଥୀ କେତେକ ଆସନରେ ଦେବ, ଏଭଳି ଆଲୋଚନା ମଧ୍ୟ ଶୁଣିବାକୁ ମିଳିଲା। ବିଜେଡି କେନ୍ଦ୍ରରେ ଥିବା ମୋଦୀ ସରକାଙ୍କୁ ପ୍ରଶଂସା ଏବଂ ଅନେକ କ୍ଷେତ୍ରରେ ସମର୍ଥନ ଜଣାଇଥିଲେ ମଧ୍ୟ ଲୋକସଭା ଆସନରେ କୋହଳ ହେବାକୁ ଚାହୁଁ ନାହିଁ, ଏଭଳି ଏକ ବାର୍ତ୍ତା ଦେବାକୁ ଦଳ ପ୍ରୟାସ କରିଛି।

ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିବା ବେଳେ ୨୫ରେ ବିଜେପି ଶୀର୍ଷ ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ସୋନପୁରରୁ ପ୍ରଚାର ଶୁଭ ପକାଇଛନ୍ତି। ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରି ଶ୍ରୀ ଶାହ ବିଭିନ୍ନ ପ୍ରସଙ୍ଗରେ ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ପ୍ରଚାର କାର୍ଯ୍ୟକ୍ରମରେ ଆଗକୁ ଅନେକ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସିବେ, ଯାହାଦ୍ୱାରା ବିଜେପି-ବିଜେଡି ମଧ୍ୟରେ ଜୋରଦାର ଲଢେଇ ହେବାର ମାହୋଲ ସୃଷ୍ଟି ହୋଇଛି। ତେବେ ଆଗକୁ ଏହା କି ମୋଡ଼ ନେବ, ନିର୍ବାଚନରେ କି ପ୍ରଭାବ ପକାଇବ, ତାହା ଦେଖିବାକୁ ବାକି ରହିଲା।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Naveen Patnaik VK Pandian Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: