Advertisment

ହିଜାବ ନାଁରେ ଇରାନ୍ ସରକାରର ମହିଳା ଦମନ ନୀତି

ଇରାନୀ ମହିଳାମାନେ ଏବେ ହିଜାବ ପରିଧାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଆସିଥିବା ବେଳେ ଇରାନ୍ ସରକାର ସେମାନଙ୍କୁ ବଳପୂର୍ବକ ଘଉଡାଇବା ପାଇଁ ସବୁପ୍ରକାର ପ୍ରୟାସ କରୁଛି। ଏମିତି କି ମାଡ ମାରି ହତ୍ୟାକରିବାକୁ ବି ପଛଉ ନାହିଁ। ଏହା କ’ଣ ଇରାନ୍ ସରକାରର ମହିଳା ଦମନ ନୀତି ନୁହେଁ କି?

ଅଦ୍ୟତନ ହୋଇଛି
The Iranian government's policy of suppressing women in the name of hijab

The Iranian government's policy of suppressing women in the name of hijab

Advertisment

ସେପ୍ଟେମ୍ବର ୧୩ ଠାରୁ ଇରାନ୍‌ରେ ଆରମ୍ଭ ହୋଇଥିବା ହିଜାବ ବିରୋଧୀ ଆନ୍ଦୋଳନ ଏବେ ବ୍ୟାପକ ତଥା ହିଂସାଭିମୁଖୀ ହେବାରେ ଲାଗିଛି। ବିଶେଷକରି ଇରାନୀ ମହିଳାମାନେ ଏବେ ହିଜାବ ପରିଧାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଆସିଥିବା ବେଳେ ଇରାନ୍ ସରକାର ସେମାନଙ୍କୁ ବଳପୂର୍ବକ ଘଉଡାଇବା ପାଇଁ ସବୁପ୍ରକାର ପ୍ରୟାସ କରୁଛି।

Advertisment

ତେବେ ମହସା ଅମିନୀ ନାମ୍ନୀ ଜଣେ ୨୨ ବର୍ଷୀୟା ଯୁବତୀ, ଯିଏକି ମହିଳାଙ୍କ ହିଜାବ ପିନ୍ଧାକୁ ନେଇ ଖୁଲମ୍‌ଖୁଲ୍ଲା ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ, ତାଙ୍କୁ ଇରାନ୍ ପୁଲିସ୍ ଗିରଫ କରି ଜେଲ୍‌ରେ ଭର୍ଭି କରିବା ଏବଂ ଜେଲ୍‌ରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହେବା ପରେ ଇରାନ୍‌ରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି।

ସରକାର ବିରୋଧରେ ସ୍ୱର ଉଠାଇଥିବାରୁ ମହସାଙ୍କୁ ହତ୍ୟା କରାଯାଇଥିବା ଇରାନୀ ମହିଳାମାନେ ଅଭିଯୋଗ କରୁଛନ୍ତି। କିଛି ଇରାନୀ ମହିଳା ତ ସରକାରଙ୍କ ମହିଳାଙ୍କ ପାଇଁ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୀତିକୁ ବିରୋଧ କରି କେଶ କାଟିଦେଇଛନ୍ତି। କେଶ କାଟିବାର ଭିଡିଓ ମଧ୍ୟ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ୍‌ କରି ନିଆଁରେ ଘିଅ ଢାଳିବାର କାମ କରିଛନ୍ତି।

Advertisment

ସବୁଠୁ ବଡ଼କଥା ହେଉଛି ଏବେ ମହିଳାଙ୍କ ସହ ପୁରୁଷମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେହିପରି ଛାତ୍ରୀଙ୍କ ସହ ଛାତ୍ରମାନେ ମଧ୍ୟ ଏହି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। ଇରାନ୍‌ର ଗୋଟିଏ ପ୍ରାନ୍ତରୁ ଆରମ୍ଭ ହୋଇଥିବା ହିଜାବ ବିରୋଧୀ ଆନ୍ଦୋଳନ ରୂପୀ ନିଆଁ ବର୍ତ୍ତମାନ ସୁଦ୍ଧା ଇରାନର ୧୫ଟି ସହରକୁ ସମ୍ପ୍ରସାରିତ ହୋଇଛି।

ଇରାନ୍ ପୁଲିସ୍ ତଥା ସେନା ପକ୍ଷରୁ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ସବୁପ୍ରକାର ପ୍ରୟାସ କରାଯାଉଛି। ଟିୟର ଗ୍ୟାସ୍, ପାଣିମାଡ଼ ପାଖରୁ ଆରମ୍ଭ କରି ଲାଠି ଚାର୍ଜ ଏପରିକି ପେଲେଟ୍ ଗୁଳିମାଡ଼ କରିବା ପର୍ଯ୍ୟନ୍ତ, ସବୁକିଛି କରାଯାଉଛି ମହିଳା ବିକ୍ଷୋଭକାରୀଙ୍କ ଉପରେ। ତଥାପି ଏହି ଆନ୍ଦୋଳନ ଥମିବା ପରିବର୍ତ୍ତେ ଦିନକୁ ଦିନ ଉଗ୍ରମୁଖା ହେବାରେ ଲାଗିଛି।

Advertisment

ଗୁରୁବାର ଇରାନ୍ ପୁଲିସ୍ ତଥା ସେନା ପକ୍ଷରୁ ହୋଇଥିବା ଫାୟାରିଂରେ ୩ ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଗତ ୫ ଦିନ ମଧ୍ୟରେ ଇରାନରେ ଆରମ୍ଭ ହୋଇଥିବା ଏହି ହିଜାବ ବିରୋଧୀ ଆନ୍ଦୋଳନ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୩୧ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇସାରିଲେଣି। ସେହିପରି ହଜାରରୁ ଅଧିକ ପ୍ରତିବାଦକାରୀଙ୍କୁ ପୁଲିସ୍ ଓ ସେନା ବଳପୂର୍ବକ ଉଠାଇନେଇ ଜେଲ୍‌ରେ ଭର୍ଭି କରିଛି।

ଏସବୁ ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଇରାନ୍ ରାଷ୍ଟ୍ରପତି ଇବ୍ରାହିମ୍ ରୟିସି ବୁଧବାର ମିଳିତ ଜାତିସଂଘ ମହାସଭାରେ ନିଜ ଭାଷଣ ରଖିଛନ୍ତି। ୨ ବର୍ଷ ପୂର୍ବେ ଆମେରିକା ପକ୍ଷରୁ କରାଯାଇଥିବା ଡ୍ରୋନ୍ ଆଟାକ୍‌ରେ ମୃତ୍ୟୁବରଣ କରିଥିବା ଜେନେରାଲ ସୁଲେମାନୀଙ୍କ ସମ୍ପର୍କରେ ରୟିସି ନିଜ ଭାଷଣରେ କହିଥିଲେ। ଏପରିକି ମହାସଭାରେ ଜେନେରାଲ ସୁଲେମାନୀଙ୍କ ଫଟୋ ମଧ୍ୟ ଦେଖାଇଥିଲେ, କିନ୍ତୁ ଦେଶରେ ହିଜାବ ବିରୋଧରେ ଚାଲିଥିବା ହିଂସକ ଆନ୍ଦୋଳନ, ବିକ୍ଷୋଭ ସମ୍ପର୍କରେ ପଦୁଟିଏ ମଧ୍ୟ କହି ନଥିଲେ।

ହିଜାବ ପିନ୍ଧାକୁ ନେଇ ଭାରତ ସମେତ ଅନେକ ଦେଶରେ ସମୟେ ସମୟେ ବିବାଦ ସୃଷ୍ଟି ହୋଇଛି। ହିଜାବକୁ ନେଇ ମହିଳାଙ୍କ ବ୍ୟକ୍ତିଗତ ଅଧିକାର ଉପରେ ମଧ୍ୟ ପ୍ରଶ୍ନ ଉଠିଛି। କିନ୍ତୁ କୌଣସି ଇସ୍‌ଲାମିକ୍ ଦେଶରେ ଏ ପ୍ରକାର ଆନ୍ଦୋଳନ କେବେ ଦେଖିବାକୁ ମିଳି ନଥିଲା ଇସଲାମ୍ ବହୁଳ ଦେଶରେ ହିଜାବକୁ ନେଇ ମହିଳାମାନଙ୍କ ମଧ୍ୟରେ ଏ ପ୍ରକାର ଉତ୍ତେଜନା କେଉଁଠି ଦେଖିବା ଶୁଣିବାକୁ ମିଳି ନଥିଲା।

ଇରାନ୍ ମହିଳାମାନଙ୍କ କହିବାନୁସାରେ ରାଷ୍ଟ୍ରପତି ଇବ୍ରାହିମ୍ ରୟିସିଙ୍କ ନେତୃତ୍ୱାଧୀନ ସରକାର ହିଜାବଙ୍କୁ ବାଧ୍ୟତାମୂଳକ କରିବା ନୀତିକୁ ପ୍ରତ୍ୟାହାର କରି ଏହାକୁ ବିକଳ୍ପ (ପସନ୍ଦ) ଭାବେ ମହିଳାମାନଙ୍କ ଉପରେ ନିଷ୍ପତ୍ତି ଛାଡିଦେବା ଉଚିତ। ସରକାର କିନ୍ତୁ ଏହି ଦାବିକୁ ମାନିବାକୁ ଅମଙ୍ଗ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଇରାନ୍‌ରେ ହିଜାବ ନ ପିନ୍ଧିବାକୁ ନେଇ ମହିଳାମାନଙ୍କ ମଧ୍ୟରେ ଏତେ ମାତ୍ରାରେ ଆକ୍ରୋଶ କାହିଁକି? ଇସ୍‌ଲାମ୍ ଧର୍ମବହୁଳ ରାଷ୍ଟ୍ର ଇରାନ୍‌ରେ କେବେ ଠାରୁ ହିଜାବକୁ ବାଧ୍ୟତାମୂଳକ କରାଯାଇଛି? ମହିଳାଙ୍କ ପାଇଁ ହିଜାବ ପିନ୍ଧିବା ନିୟମ ପ୍ରଥମରୁ ଥିଲା ନା ଏହାକୁ ପରବର୍ତ୍ତୀ ସମୟରେ ଲାଗୁ କରାଯାଇଛି? ଇରାନ୍‌ରେ ଗୋଟିଏ ପଟେ ଯେଉଁଠି ହିଜାବ ବିରୋଧୀ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି ସେତେବେଳେ ଏ ପ୍ରକାର ପ୍ରଶ୍ନ ଏବେ ସମସ୍ତଙ୍କୁ ବିଚଳିତ କରିଛି।

ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ରିପୋର୍ଟ ଆଧାରରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ହିଜାବ ପିନ୍ଧୁ ନଥିବା ମହିଳାମାନଙ୍କ ଉପରେ ୩୫ ଜହାର ଜରିମାନା ଲାଗୁ କରାଯାଉଛି। ଏହି ନିୟମ ରାଷ୍ଟ୍ରପତି ଇବ୍ରାହିମ୍ ରୟିସିଙ୍କ ନେତୃତ୍ୱାଧୀନ ସରକାର ୨୦୨୨, ଅଗଷ୍ଟରୁ ଲାଗୁ କରିଛନ୍ତି। ଏହାପୂର୍ବରୁ ଇରାନ୍‌ରେ ହିଜାବ ପିନ୍ଧି ନଥିବା ମହିଳାଙ୍କୁ ସର୍ବସାଧାରଣରେ ୭୪ ଥର ଚାବୁକ୍ ପାହାର, ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶର ବ୍ୟବସ୍ଥା ଏବେ ବି ପ୍ରଚଳିତ ରହିଆସିଛି।

ତେବେ ସିଧାସଳଖ କହିବାକୁ ଗଲେ ହିଜାବକୁ ନେଇ ସରକାର ମାତ୍ରାଧିକ କଠୋର ହେବା, ମହିଳାଙ୍କୁ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ବାଧ୍ୟ କରିଛି ବୋଲି କୁହାଯାଇପାରେ। କେବଳ ସେତିକି ନୁହେଁ ଇରାନ୍‌ରେ ମହିଳାମାନେ ଏବେ ଜାଣିବାକୁ ପାଇଛନ୍ତି, ପୂର୍ବରୁ ହିଜାବ ପିନ୍ଧିବା ଇରାନ୍‌ରେ ବାଧ୍ୟତାମୂଳକ ନ ଥିଲା। ଏହା ମଧ୍ୟ ସେମାନଙ୍କ ମଧ୍ୟରେ ସରକାରଙ୍କ ପ୍ରତି ଥିବା ଭୟକୁ ହୁଏତ ଦୂର କରିଦେଇଛି।

ଐତିହାସିକଙ୍କ ମତରେ ୧୯୭୯ରେ ହିଁ ଇରାନ୍‌ରେ ମହିଳାଙ୍କ ପାଇଁ ହିଜାବ ପିନ୍ଧିବା ବାଧ୍ୟତାମୂଳକ କରିଦିଆଗଲା। ୧୯୭୯ରେ ଇରାନ୍‌ରେ ଇସ୍‌ଲାମ୍ କ୍ରାନ୍ତି ସଂଘଠିତ ହୋଇଥିବା ବେଳେ ଏହା ପରେ ପରେ ହିଁ ହିଜାବ ପିନ୍ଧାକୁ ଆଇନଗତ ଭାବେ ଜୋରଜବରଦସ୍ତି ମହିଳାଙ୍କ ଉପରେ ଲଦି ଦିଆଗଲା।

ଇରାନ୍‌ର ତତ୍କାଳୀନ ରାଷ୍ଟ୍ରମୁଖ୍ୟ ଶାହା ପହଲବିଙ୍କ ସରକାରରେ ମହିଳାମାନଙ୍କୁ ନିଜ ଇଚ୍ଛା ମୁତାବକ କପଡ଼ା ପିନ୍ଧିବାର ସ୍ୱତନ୍ତ୍ରତା ଥିଲା। ଶାହା ପହଲବି ନିଜ ସରକାରରେ ହିଜାବକୁ ହିଁ ବ୍ୟାନ୍ ଘୋଷଣା କରିଦେଇଥିଲେ। କୁହାଯାଏ ୧୯୨୫ରେ ଇରାନ୍‌ରେ ପହଲବି ବଂଶଧରଙ୍କ ହାତରେ ଶାସନ କ୍ଷମତା ରହିଥିଲା। ପହଲବି ବଂଶର ପ୍ରଥମ ଶାସକ ରଜା ଶାହା, ଆମେରିକା, ବ୍ରିଟେନ୍ ଭଳି ପାଶ୍ଚାତ୍ୟ ଦେଶର ସଂସ୍କୃତି, ସଭ୍ୟତା ଦ୍ୱାରା ବେଶ ପ୍ରଭାବିତ ଥିଲେ। ସେଥିପାଇଁ ସେ ଚାହୁଁଥିଲେ ତାଙ୍କ ଦେଶର ମହିଳାମାନେ ମଧ୍ୟ ମିନି ସ୍କର୍ଟ, ମୁଣ୍ଡରେ ଟୋପି ଆଦି ପରିଧାନ କରନ୍ତୁ ଏବଂ ନିଜ ଜୀବନକୁ ନିଜ ହିସାବରେ ବଞ୍ଚନ୍ତୁ।

୧୯୪୧ରେ ତାଙ୍କ ପୁଅ ମହମ୍ମଦ ରଜା ଶାହା ଯେତେବେଳେ ଶାସନ ଭାର ସମ୍ଭାଳିଲେ ସେ ମଧ୍ୟ ନିଜ ବାପାଙ୍କ ନୀତିକୁ ଅନୁସରଣ କରିଥିଲେ। ପାଶ୍ଚାତ୍ୟ ଦେଶରେ ମହିଳାମାନଙ୍କୁ ମିଳୁଥିବା ଅଧିକାର ଏବଂ ଏହା ଦ୍ୱାରା ମିଳୁଥିବା ଲାଭକୁ ସେ ବେଶ୍ ଭଲଭାବେ ବୁଝିଥିଲେ। ସୁତରାଂ ସେ ନିଜ ଶାସନ କାଳରେ ମହିଳାଙ୍କୁ ଆହୁରି ମୁକ୍ତ ଭାବେ ବଞ୍ଚିବା ପାଇଁ ପ୍ରୋତ୍ସାହିତ କରିଥିଲେ।

ମହମ୍ମଦ ରଜା ଶାହା ହିଁ ସେହି ଶାସକ ଥିଲେ ଯିଏକି ନିଜ ଶାସନ କାଳରେ ଅର୍ଥାତ ୧୯୬୩ରେ ଇରାନର ମହିଳାମାନଙ୍କୁ ସରକାର ଚୟନ ପାଇଁ ଭୋଟ୍ ଦାନ କ୍ଷମତା ବା ଅଧିକାର ପ୍ରଦାନ କରିଥିଲେ। ୧୯୬୭ରେ ସେ ମହିଳାମାନଙ୍କୁ ପୁରୁଷଙ୍କ ସହ ସମାନ ଭାଗିଦାରୀ ହେବାର ମଧ୍ୟ ଅଧିକାର ପ୍ରଦାନ କରିଥିଲେ। ନିଜ ଶାସନ କାଳରେ ସେ ମହିଳାଙ୍କ ବିବାହ ବୟସ ୧୩ ବର୍ଷରୁ ୧୮ ବର୍ଷକୁ ବୃଦ୍ଧି କରିଥିଲେ।

ଶିକ୍ଷାକ୍ଷେତ୍ରରେ ମଧ୍ୟ ମହିଳାମାନଙ୍କୁ ସେ ସବୁପ୍ରକାର ଛାଡ ଦେଇଥିଲେ। ୧୯୭୦ ବେଳକୁ ଇରାନର ବିଶ୍ୱବିଦ୍ୟାଳୟଗୁଡ଼ିକରେ ମହିଳାଙ୍କ ଭାଗିଦାରୀ ୩୦% ପର୍ଯ୍ୟନ୍ତ ପହଞ୍ଚିସାରିଥିଲା।

ଏସବୁ ସେତେବେଳ ପର୍ଯ୍ୟନ୍ତ ଠିକ ଚାଲିଥିଲା ଯେତେବେଳ ପର୍ଯ୍ୟନ୍ତ ଶିୟା ଧର୍ମଗୁରୁ ଆୟତୋଲ୍ଲାହ ରୁହୋଲ୍ଲା ଖୋମୈନୀ, ଶାସକ (ରାଜା) ମହମ୍ମଦ ରଜା ଶାହାଙ୍କୁ ବିରୋଧ କରିବା ଆରମ୍ଭ କରି ନଥିଲେ। ଆୟତୋଲ୍ଲାହ, ଇସ୍ଲାମ୍ ଧର୍ମ ମହିଳାଙ୍କୁ ଏ ପ୍ରକାର ସ୍ୱାଧୀନତା ପ୍ରଦାନ କରୁ ନଥିବା ଦର୍ଶାଇ ସେ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

୧୯୭୮ରେ ଶିୟା ଧର୍ମଗୁରୁ ଆୟତୋଲ୍ଲାହ ନେତୃତ୍ୱରେ ପ୍ରାୟ ୨୦ ଲକ୍ଷ ଲୋକ ତତ୍କାଳୀନ ଇରାନ୍ ଶାସକ ଥିବା ମହମ୍ମଦ ରଜା ଶାହାଙ୍କ ବିରୋଧରେ ଏକଜୁଟ୍ ହୋଇଥିଲେ ଏବଂ ବିକ୍ଷୋଭ ଆରମ୍ଭ କରିଥିଲେ। ଏହାକୁ ହିଁ ଇରାନ୍‌ର ଇସ୍‌ଲାମିକ୍ ରିଭୋଲ୍ୟୁସନ୍ ବା ବିପ୍ଳବ ଭାବେ ବିବେଚନା କରାଯାଇଥାଏ।

୧୯୭୯ ବେଳକୁ ସ୍ଥିତି ଏପରି ହୋଇଗଲା ଯେ, ଶାସକ ମହମ୍ମଦ ରଜା ଶାହା ନିଜ ପରିବାର ସହ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ। ଏହାପରେ ଇରାନ୍ ଇସ୍‌ଲାମିକ୍ ରିପବ୍ଲିକ୍ ଘୋଷିତ ହୋଇଥିଲା ଏବଂ ଶିୟା ଧର୍ମଗୁରୁ ଆୟତୋଲ୍ଲାହ ରୁହୋଲ୍ଲା ଖୋମୈନୀ ନିଜକୁ ଇରାନ୍‌ର ସୁପ୍ରିମ୍‌ ଲିଡର ଘୋଷିତ କରିନେଇଥିଲେ। ବାସ୍ ଏହିଠାରୁ ହିଁ ଇରାନ୍ ଦୁନିଆରେ ଶିୟା ଇସଲାମ୍‌ର ଗଡ ଭାବେ ଏକ ନୂଆ ପରିଚୟ ପାଇଥିଲା।

ଆୟତୋଲ୍ଲାହ ରୁହୋଲ୍ଲା ଖୋମୈନୀ ନିଜ ସମୟରେ ଇସ୍‌ଲାମ୍ ଧର୍ମର ନିୟମର ଦ୍ୱାହି ଦେଇ ମହିଳାମାନଙ୍କ ଅଧିକାରକୁ ସଂକୁଚିତ କରିବା ଆରମ୍ଭ କରିଥିଲେ। ପୁରୁଷଙ୍କୁ ପ୍ରାଥମିକତା ତଥା ପ୍ରାଧାନ୍ୟ ଦେବା ଆଳରେ ସେ ମହିଳାଙ୍କୁ ବୁର୍ଖା, ହିଜାବରେ ସୀମିତ କରିବାକୁ ସବୁପ୍ରକାର ଉଦ୍ୟମ କରିଥିଲେ। ଏପରିକି ମହିଳାମାନଙ୍କୁ ସୌନ୍ଦର୍ଯ୍ୟ ଉପକରଣ ବ୍ୟବହାର ଉପରେ ମଧ୍ୟ ସେ କଟକଣା ଲଗାଇଦେଇଥିଲେ।

ବିବାହ ବୟସ ୧୮ରୁ ୯ବର୍ଷକୁ ହ୍ରାସ କରିଦେଲେ ଜଣେ ପୁରୁଷ ଏକାଧିକ ମହିଳାଙ୍କୁ ବିବାହ କରିପାରିବାର ଅଧିକାର ପ୍ରଦାନ କରିଥିଲେ। ଇସଲାମ୍ ଧର୍ମର ସୁରକ୍ଷା ଆଳରେ ସେ ଏକ ସ୍ୱତନ୍ତ୍ର ସଶସ୍ତ୍ର ବାହିନୀର ଗଠନ କରିଥିଲେ ଏବଂ ସେମାନଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଥିଲେ। ଏମାନଙ୍କୁ ଧାର୍ମିକ ପୁଲିସ୍ ଭାବେ ବିବେଚନା କରାଯାଉଥିଲା। ଏବେ ଏହି ପୁଲିସ୍‌ଙ୍କୁ ମୋରାଲ ପୁଲିସ କୁହାଯାଉଛି। ଏଥିରେ ମହିଳାମାନେ ମଧ୍ୟ ନିଯୁକ୍ତି ପାଇଛନ୍ତି। ଏମାନଙ୍କ କାମ ସରକାରଙ୍କ ପକ୍ଷରୁ ଲାଗୁଥିବା ଧାର୍ମିକ ନିୟମକୁ ପାଳନ କରୁ ନଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା।

ମୋଟାମୋଟି ୧୯୭୯ ପରଠାରୁ ହିଁ ଇରାନ୍ ମହିଳାମାନଙ୍କ ପାଇଁ ନର୍କ ପାଲଟିଯାଇଛି କହିଲେ ଅତ୍ୟୁକ୍ତି ହେବନି। ୧୯୭୯ ପୂର୍ବରୁ ଏହା ମହିଳାମାନଙ୍କ ପାଇଁ ଜନ୍ନତ ବା ସ୍ୱର୍ଗ ବିବେଚିତ ହେଉଥିଲା। ଏବେ କିନ୍ତୁ ସ୍ଥିତି ଏମିତି ହୋଇଛି ଯେ, ଇରାନ୍‌ରେ ମାନବାଧିକାର ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପହାସର ପାତ୍ର ସାଜିଛି। ଏଠାରେ ପ୍ରଶ୍ନ ଉଠେ ଇରାନ୍ ମହିଳାମାନେ ସେମାନଙ୍କ ପୁରୁଣା ହକ୍ ବା ଅଧିକାର ପାଇଁ ଲଢି ଆସୁଥିବା ବେଳେ ବିଶ୍ୱ ମାନବାଧିକାର ସଂଗଠନ (ୟୁଏନ୍ଏଚ୍ଆରସି) କାହିଁକି ଚୁପ୍ ରହିଛି?

ଠିକ ଭାବେ ହିଜାବ ପିନ୍ଧି ନଥିବା ଅଭିଯୋଗରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ମୋରାଲ ପୁଲିସ୍ ଗିରଫ କରିବା ସହ ଏମିତି ନିର୍ଯାତନା ଦେଇଛି ଯେ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୫ ଦିନ ମଧ୍ୟରେ ୩୧ ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ହୋଇସାରିଲାଣି। ତଥାପି ନିଜକୁ ବିଶ୍ୱସ୍ତରୀୟ ନେତା ବୋଲାଉଥିବା ନେତୃବୃନ୍ଦ ଥରେ ହେଲେ ଇରାନ୍ ସରକାରଙ୍କ ସହ ଏ ସମ୍ପର୍କରେ କଥା ହେବାକୁ ଉଚିତ ମଣୁନାହାନ୍ତି କାହିଁକି। ଏହାର ଉତ୍ତର କିଏ ଦେବ?

ଆନାଲିଷ୍ଟ୍‌, ନ୍ୟାସ୍‌ନାଲ୍ - ଇଣ୍ଟରନ୍ୟାସ୍‌ନାଲ୍‌ ଇସ୍ୟୁଜ୍

ଦୂରଭାଷ : ୭୯୭୮୬୨୦୪୬୩

Hijab Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ