Astrospeak
  • Live TV
  • Read In English

ବଦଳିବ କି ଢିଙ୍କିଆର ଚିତ୍ର; ଜେଏସ୍‌ଡବ୍ଲୁ ପ୍ରକଳ୍ପ ପ୍ରତିଷ୍ଠାର ହେଲା ଶିଳାନ୍ୟାସ

ଯେଉଁଠି ପୁଲିସର ବର୍ବରତା ଲାଠିମାଡ ଖାଇ ପିଲାରୁ ବୁଢ଼ା ଶହ ଶହ ଲୋକ ଲହୁଲୁହାଣ ହୋଇଥିଲେ ଇଏ କ’ଣ ସେହି ଢିଙ୍କିଆ? ଜୀବନ ଜୀବୀକା ପାଇଁ ପ୍ରକୃତି ପ୍ରଦତ୍ତ ଜଳ, ଜମି, ଜଙ୍ଗଲର ସୁରକ୍ଷା ଲାଗି ଦୀର୍ଘ ଦୁଇ ଦଶନ୍ଧି ଧରି ଶିଳ୍ପ ବିରୋଧରେ ସଂଗ୍ରାମ ଚଳାଇଥିବା ଏ କ’ଣ ସେହି ଅଞ୍ଚଳ?

The image of Dhinkiya has changed; The JSW project was a milestone in the establishment
ବଦଳିଗଲା ଢିଙ୍କିଆର ଚିତ୍ର; ଜେଏସ୍‌ଡବ୍ଲୁ ପ୍ରକଳ୍ପ ପ୍ରତିଷ୍ଠାର ହେଲା ଶିଳାନ୍ୟାଶ

ଯେଉଁଠି ଆବାଳ ବୃଦ୍ଧବନୀତାଙ୍କ ବୁକୁଫଟା ଚିତ୍କାରର ଚିତ୍ର ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା, ପୁଲିସର ବର୍ବରତା ଲାଠିମାଡ ଖାଇ ପିଲାରୁ ବୁଢ଼ା ଶହ ଶହ ଲୋକ ଲହୁଲୁହାଣ ହୋଇଥିଲେ ଇଏ କ’ଣ ସେହି ଢିଙ୍କିଆ? ଜୀବନ ଜୀବୀକା ପାଇଁ ପ୍ରକୃତି ପ୍ରଦତ୍ତ ଜଳ, ଜମି, ଜଙ୍ଗଲର ସୁରକ୍ଷା ଲାଗି ଦୀର୍ଘ ଦୁଇ ଦଶନ୍ଧି ଧରି ଶିଳ୍ପ ବିରୋଧରେ ସଂଗ୍ରାମ ଚଳାଇଥିବା ଏ କ’ଣ ସେହି ଅଞ୍ଚଳ?

ଯେଉଁଠି ମୁଖ୍ୟମନ୍ତ୍ରୀ ଗତ ସପ୍ତାହରେ ଶିଳ୍ପାୟନର ବୀଜ ବୁଣି ବିଶ୍ୱ ବିକାଶର ବାର୍ତ୍ତା ଦେଇଥିଲେ ସେହି ଢିଙ୍କିଆର ଚିତ୍ର ବଦଳିଯାଇଛି। ତେବେ ଯେଉଁମାନେ ଶିଳ୍ପ ପ୍ରତିଷ୍ଠାନକୁ ବିରୋଧ କରି ଅହରହ ଆନ୍ଦୋଳନ କରୁଥିଲେ, ଅକଥନୀୟ ଅତ୍ୟାଚାରକୁ ଛାତିପାତି ସହିଥିଲେ ସେମାନଙ୍କର ସ୍ଥିତି କ’ଣ? ସେହି ହଜାର ହଜାର ଗ୍ରାମବାସୀଙ୍କ ଯାହା ସବୁ ସମସ୍ୟା ଥିଲା ସେସବୁର ସମାଧାନ ହୋଇଛି? ଢିଙ୍କିଆରେ ଶିଳ୍ପ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବା ପରେ ଏଭଳି ଅନେକ ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଗୁଞ୍ଜରିତ ହୋଇଛି।

ଇତିମଧ୍ୟରେ ରାଜ୍ୟ ତଥା ଦେଶର ବହୁ ବିଶିଷ୍ଟ ପରିବେଶବିତ, ସାମ୍ବାଦିକ, ସ୍ୱେଛାସେବୀ ସଂଗଠନ ଆଦି ସ୍ଥାନୀୟ ଅଞ୍ଚଳ ଗସ୍ତକରି ଲୋକଙ୍କ ସହିତ ଆଲୋଚନା ଏବଂ ସ୍ଥିତି ଅନୁଧ୍ୟାନ କରି ଢିଙ୍କିଆରେ ଦେଖାଦେଇଥିବା ଆତଙ୍କର ବିଭୀଷିକା ବିଷୟରେ ମଧ୍ୟ କହିଛନ୍ତି।

ବିଜୁବାବୁଙ୍କ ସ୍ୱପ୍ନର ଶିଳ୍ପ:

ବହୁ ଚର୍ଚ୍ଚିତ ଢିଙ୍କିଆରେ ଜେଏସ୍‌ଡବ୍ଲୁ ପ୍ରକଳ୍ପ ପ୍ରତିଷ୍ଠାର ଶିଳାନ୍ୟାଶ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ସପ୍ତାହ ଅର୍ଥାତ ୧୬ ଫେବୃଆରୀ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ପାରାଦୀପ ଢିଙ୍କିଆରେ ଉପସ୍ଥିତ ରହି ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ପ୍ଲାଣ୍ଟ୍‌ ସହିତ ୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ଅବସରରେ ସେ କହିଥିଲେ, ବିକାଶ ଆଜି ଓଡ଼ିଶାର ପରିଚୟ ପାଲଟିଛି। ଷାଠିଏ ଦଶକରେ ବିଜୁବାବୁଙ୍କ ଯୁଗାନ୍ତକାରୀ ପରିକଳ୍ପନା ସାକାର ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ପୁଞ୍ଜି ନିବେଶକାରୀ ଶିଳ୍ପପତିମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ- ଓଡ଼ିଶାକୁ ପ୍ରମୁଖ ଶିଳ୍ପାଞ୍ଚଳରେ ପରିଣତ କରିବା ପାଇଁ ଜିନ୍ଦଲ୍‌ ଗ୍ରୁପ୍‌ର ମହତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଜଣସାଧାରଣ ‘ଆମ ବିକାଶର ପାର୍ଟନର'। ଏହା ବିଜୁବାବୁଙ୍କ ସ୍ୱପ୍ନର ପ୍ରକଳ୍ପ।

ପର୍ଯ୍ୟାୟ କ୍ରମେ ୬୫ ହଜାର କୋଟିର ପୁଞ୍ଜି ନିବେଶ ହେବ ଏବଂ ୩୦ରୁ ୩୫ ହଜାର ନିଯୁକ୍ତି ସୁଯୋଗ ପାଇବେ। ସେହିଭଳି ଜେଏସ୍‌ଡବ୍ଲୁର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ କହିଛନ୍ତି- ଓଡ଼ିଶାରେ ଶିଳ୍ପାୟନ ପ୍ରକ୍ରିୟା ଦ୍ରୁତ ହୋଇଛି ଏବଂ ତାଙ୍କ କମ୍ପାନୀ ପାଇଁ ଏ ରାଜ୍ୟ ପ୍ରମୁଖ ନିବେଶ ସ୍ଥାନ। ଓଡ଼ିଶାର ଅର୍ଥନୀତି କ୍ଷେତ୍ରରେ ତାଙ୍କ କମ୍ପାନୀ ସଦା ସହଯୋଗ କରିବ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଘଟିଯାଇଥିବା ସ୍ଥାନୀୟ ଲୋକଙ୍କର ସେହି ସଂଘର୍ଷ ସମ୍ପର୍କରେ ସ୍ୱର ଶବ୍ଦଟିଏ ଶୁଭିଲା ନାହିଁ! ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସେହିଦିନ ଥିଲା ଯେଉଁଦିନ ସମଗ୍ର ଦେଶରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ଓଡ଼ିଶାର ବିଭିନ୍ନ ଗଣସଂଗଠନ ୧୨ ଘଣ୍ଟିଆ ଧର୍ମଘଟ କରିଥିଲେ।

ଢିଙ୍କିଆ ଆତଙ୍କର ବିଭୀଷିକା:

କଳିଙ୍ଗନଗର ପରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ଯେତେସବୁ ଶିଳ୍ପ ବିରୋଧରେ ଜନଆନ୍ଦୋଳନ ମୁଣ୍ଡ ଟେକିଛି ସେଥିମଧ୍ୟରୁ ‘ପୋସ୍କୋ’ ସର୍ବବୃହତ୍ତ ବୋଲି କୁହାଯାଏ। ୨୦୦୫ ମସିହାରେ କୋରିୟା ଇସ୍ପାତ କମ୍ପାନୀ ପୋସ୍କୋ ଜଗତସିଂପୁର ପାରାଦ୍ୱୀପସ୍ଥିତ ଢିଙ୍କିଆ ଅଞ୍ଚଳରେ ବାର୍ଷିକ ପ୍ରାୟ ୧୨ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦନ ଶିଳ୍ପ କାରଖାନା ପ୍ରତିଷ୍ଠା କରିବାକୁ ଓଡ଼ିଶା ସରକାରଙ୍କ ସହିତ ଚୁକ୍ତି ସ୍ୱାକ୍ଷରିତ କରିଥିଲା।

ସ୍ଥାନୀୟ ଜଳ, ଜମି, ଜଙ୍ଗଲ, ଜୀବୀକାର ସୁରକ୍ଷା ଉପରେ ସଙ୍କଟ ଆଶଙ୍କା କରି ଏହାରି ବିରୋଧରେ ବ୍ୟାପକ ଆନ୍ଦୋଳନ ତେଜିବାରେ ଲାଗିଲା। ଦିନେ କି ମାସେ ନୁହେଁ, ଦୀର୍ଘ ବର୍ଷ ଧରି କମ୍ପାନୀ, ସରକାରଙ୍କ ଶିଳ୍ପନୀତି ଓ ପୁଲିସ ବିରୋଧରେ ଆନ୍ଦୋଳନ ବିଶାଳ ଓ ଭୟଙ୍କର ରୂପଧାରଣ କରି ଢିଙ୍କିଆ, ନୂଆଁଗାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପିଲା। ଗୁଳି-ଗୋଳା, ଲାଠିମାଡ, ଅକଥନୀୟ ଅତ୍ୟାଚାର, ରାତିଅଧିଆ ଗିରଫଦାରୀରୁ ପିଲାଠୁ ବୟସ୍କ କେହି ବର୍ତ୍ତି ନ ଥିଲେ।

ପରିଶେଷରେ ପୋସ୍କୋ ପଛକୁ ହଟିଲା! ପ୍ରାୟ ୫୨ ହଜାର କୋଟି ଟଙ୍କାର ପୋସ୍କୋ ଇସ୍ପାତ ପ୍ରକଳ୍ପ ୨୦୧୦ରେ ବନ୍ଦ ହେଲା। ଏହା ପରେ ଢିଙ୍କିଆବାସୀ ଶାନ୍ତିରେ ନିଶ୍ୱାସ ମାରିଲେ!

ଏହାର ୪ ବର୍ଷ ପରେ ପୋସ୍କୋ ଯାଗାରେ ଆସିଲା ଜିନ୍ଦଲ! ପୁଣି ସେହି ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହେଲା। ଇତିମଧ୍ୟରେ ଢିଙ୍କିଆକୁ ୩ଟି ରାଜସ୍ୱ ଗ୍ରାମରେ ବିଭକ୍ତ କରାଯାଇଥିଲା। ଯାହାଦ୍ୱାରା ଢିଙ୍କିଆ ଆନ୍ଦୋଳନର ଶକ୍ତି ଦୁର୍ବଳ ହେବାରେ ସହଜ ହୋଇଥିଲା।

ଶତାବ୍ଦୀ ଧରି ପାନ, ଧାନ, ମୀନ ଚାଷ ଉପରେ ଜୀବୀକା ନିର୍ବାହ କରି ଆସୁଥିବା ପ୍ରାୟ ୪ ହଜାର ବିଭାଜିତ ଢିଙ୍କିଆର ଅଧିବାସୀ ଜମି ଅଧିଗ୍ରହଣ ଦ୍ୱାରା ଗଭୀର ପ୍ରଭାବିତ ହେବାର ଆଶଙ୍କା ଦେଖାଦେଲା। ଖାଲି ସେତିକି ନୁହେଁ, କାରଖାନାର ପ୍ରାୟ ୧୦ କିମି ପର୍ଯ୍ୟନ୍ତ ପରିବେଶ ନିଆଁ-ଧୂଳି-ଧୂଆଁରେ ବିଷାକ୍ତ ହେବାର ପରିବେଶବିତମାନେ ଆଶଙ୍କା ପ୍ରକାଶ କଲେ।

ସଂଘର୍ଷର ସାଙ୍ଘାତିକ ଚିତ୍ର:

ଗଣତନ୍ତ୍ର ବ୍ୟବସ୍ଥାରେ ଲୋକଙ୍କ ସହିତ ବାରମ୍ବାର ଶାନ୍ତିପୂର୍ଣ୍ଣ ଆଲୋଚନା କରିବା, ସେମାନଙ୍କୁ ବୁଝାଇବା ଏବଂ ସ୍ଥାନୀୟ ଅଧିବାସୀଙ୍କ ଆଶଙ୍କା ଦୂରକରିବାର ସେଭଳି ପରିବେଶ ସରକାର ସୃଷ୍ଟି କରିପାରିଲେ ନାହିଁ, ଯଦ୍ୱାରା ପରବର୍ତ୍ତୀ ସମୟରେ ଏକ ଦୁଃଖ ଓ ଅଭାବନୀୟ ପରିସ୍ଥିତି ଦେଖାଦେଲା।

ଆନ୍ଦୋଳନରେ ସାମିଲ ନେତାଙ୍କ ସୂଚନାନୁସାରେ, ୧୪ ଜାନୁଆରୀ ୨୦୨୨ ଦିନ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା। ସେଦିନ ପୂର୍ବାହ୍ନରେ ଗାଁର ପ୍ରାୟ ଦେଢ ହଜାର ଲୋକ ପାନବରଜ ଅଭିମୁଖେ ପ୍ରତିବାଦ ସମାବେଶ କରିଥିଲେ। ରାସ୍ତାରେ ଦେଢଶହରୁ ଦୁଇଶହ ପୁଲିସ ସେମାନଙ୍କୁ ଅଟକାଇଥିଲେ।

ଧସ୍ତାଧସ୍ତିରୁ ରକ୍ତପାତର ପରିସ୍ଥିତି ସାମ୍ନାକୁ ଆସିଲା। ପିଲା, ବୁଢା, ମହିଳା କେହି ବି ପୁଲିସ ଲାଠିମାଡରୁ ବର୍ତ୍ତି ନ ଥିଲେ। ଗାଁ ମାଟି ଉପରେ କାନ୍ଦ ବୋବାଳି, ଲହୁଲୁହାଣ ଓ ରକ୍ତ ଜୁଡୁବୁଡୁର ଚିତ୍ର ରାଜ୍ୟ ତଥା ଜାତୀୟ ଗଣମାଧ୍ୟମରେ ପ୍ରତିଫଳିତ ହେଲା। ଅନେକ ଲୋକ ଗିରଫ ହେଲେ। ପୁଲିସ ମାଡ ଡରରେ ଗାଁ ଲୋକେ ଘରେ ୨୪ ଘଣ୍ଟା ତାଲାପକାଇ ରହିଲେ।

ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦାପ୍ରକାଶ ପାଇଲା। ଅନେକ ସଂସ୍ଥା, ସଂଗଠନ, ନେତୃବର୍ଗ ରାଜଧାନୀରେ ବିକ୍ଷୋଭ, ପ୍ରତିବାଦ ପ୍ରଦର୍ଶନ କଲେ। ଢିଙ୍କିଆରେ ଗଣତନ୍ତ୍ର ବ୍ୟବସ୍ଥା କାୟମ ରଖିବା, ଲୋକଙ୍କୁ ନ୍ୟାୟ ଓ ସୁରକ୍ଷା ଦାବିରେ ରାଜ୍ୟର ୧୦ରୁ ଅଧିକ ରାଜନୈତିକ ଦଳର ନେତୃମଣ୍ଡଳୀ ରାଜ୍ୟପାଳ ଓ ପୁଲିସ ଡିଜିଙ୍କୁ ଭେଟିଲେ। ୧୪ ଜାନୁଆରୀ ଦିନଟିକୁ ଗତ ୨ ବର୍ଷ ଧରି ‘କଳାଦିବସ’ ଭାବେ ପାଳନ କରାଯାଉଛି।

ବର୍ତ୍ତମାନ ସ୍ଥିତି କ’ଣ?

‘ଜିନ୍ଦଲ-ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି’ ପକ୍ଷରୁ କୁହାଯାଇଛି ଯେ, ଗତ ୨ ବର୍ଷ ଧରି ପୋଲିସ ଢିଙ୍କିଆ, ନୂଆଗାଁ ଏବଂ ଗଡ଼କୁଜଙ୍ଗର ୩ଟି ପଞ୍ଚାୟତକୁ ଘେରି ଲୋକଙ୍କ ନିୟମିତ ଜୀବନକୁ ବିଚଳିତ ଓ ପ୍ରଭାବିତ କରୁଛି। ଏପରିକି ଦଳିତ ଶ୍ରମିକ ଓ କୃଷକଙ୍କ ଜୀବିକାର ଉତ୍ସ ଉଜୁଡ଼ିଗଲା ପରେ ଲୋକେ ଜୀବୀକା ହରାଇଛନ୍ତି।

ପୋସ୍କୋ ଗଲା ପରେ ଏହି ୩ ପଞ୍ଚାୟତରେ ୨ହଜାର ଲୋକଙ୍କ ବିରୋଧରେ ପ୍ରାୟ ୩୦୦ ଅପରାଧିକ ମିଥ୍ୟା ମାମଲା ବିଚାରାଧୀନ ଅଛି। ଜିନ୍ଦଲ ଆସିବା ପରେ ପ୍ରାୟ ୧୦୦୦ ଲୋକଙ୍କ ଉପରେ ଶତାଧିକ ମାମଲା ଲାଗିଛି ଯେଉଁମାନେ ନିଜ ଜଳ, ଜମି, ଜଙ୍ଗଲ ଏବଂ ଗ୍ରାମକୁ ବଞ୍ଚାଇବା ପାଇଁ କମ୍ପାନୀ ବିରୋଧରେ ପ୍ରତିବାଦ କରିଛନ୍ତି।

ଆନ୍ଦୋଳନରେ ସାମିଲ ଜଣେ ନେତା ଗତ ୨୦୨୨ ମସିହାରେ ଗିରଫ ହୋଇ ସାଢେ ୭ମାସ ଜେଲ୍‌ରେ ରହି ଫେରିବା ପରେ ପୁନର୍ବାର ତାଙ୍କୁ ଗତ ମାସରେ ଗିରଫ କରାଯାଇଥିଲା ବୋଲି ସଂଗ୍ରାମ ସମିତିର ମୁଖପାତ୍ର କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଜିନ୍ଦଲ ବିରୋଧରେ ଆମର ଗଣତାନ୍ତ୍ରିକ ଶାନ୍ତିପୂର୍ଣ୍ଣ ସଂଗ୍ରାମକୁ ଦୁର୍ବଳ କରିବା ପାଇଁ ୧୫ ଜଣ ଗ୍ରାମବାସୀଙ୍କ ବିରୋଧରେ ନୋଟିସ୍‌ ଜାରି କରାଯାଇଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିବା ସେ ଦର୍ଶାଇଛନ୍ତି।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)