ଶୁଆ ପକ୍ଷୀଟିଏ ବ୍ରହ୍ମଜ୍ଞାନୀ ଶୁକଦେବ ହେଲେ କେମିତି ?

ଦିନେ ମାତା ପାର୍ବତୀ ଭଗବାନ ଶିବଙ୍କୁ ବ୍ରହ୍ମଜ୍ଞାନ ନିମନ୍ତେ ଜିଜ୍ଞାଶା କରନ୍ତି। ମାତାଙ୍କ ମନ ରଖି ଭଗବାନ ଶଙ୍କର ତାଙ୍କୁ ଗୋଟିଏ ଦିବ୍ୟ ଶିମିଳି ବୃକ୍ଷ ପାକ୍ଷକୁ ନେଇ ଯାଆନ୍ତି। ମାତା ପାର୍ବତୀ ଜିଜ୍ଞାସୁ ଶିଷ୍ୟଟିଏ ପରି ଭଗବାନ ଶଙ୍କରଙ୍କ ସମ୍ମୁଖ ଭାଗରେ ବସି ବ୍ରହ୍ମଜ୍ଞାନ ଶ୍ରବଣ କରିବାକୁ ଲାଗନ୍ତି। ବ୍ରହ୍ମଜ୍ଞାନ ଆହରଣରେ ତଲ୍ଲୀନ ମାତା ତଟସ୍ତ ହୋଇପଡନ୍ତି।

ଶୁକଦେବ

ଆଜି ଭାଗବତ ଜନ୍ମ। ଆମ ଓଡ଼ିଆ ଘରେ ଶ୍ରୀମଦ୍ ଭାଗବତର ଗାରିମା କାହାକୁ ବା ନ ଜଣା। କୃଷ୍ଣ କଥାରସରେ ଆପ୍ଲୁତ ଏହି କାବ୍ୟ ଶ୍ରୀମନ୍ଦିରରେ ନିତ୍ୟ ପଠନ ମଧ୍ୟ କରାଯାଏ। ତେବେ ପାଠକବନ୍ଧୁ, ଭାଗବତ ପଢିଲା ବେଳେ ଆପଣ ଶୁକ ଓ ପରୀକ୍ଷିତଙ୍କ ନାଁ ଶୁଣିଥିବେ। ପରୀକ୍ଷିତ ପାଣ୍ଡବମାନଙ୍କ ଦାୟାଦ ଥିଲେ ଏ କଥା ବି ଜାଣିଥିବେ। କିନ୍ତୁ ଆପଣଙ୍କ ମନରେ ଅବଶ୍ୟ ଏ ଜିଜ୍ଞାସା ଥିବ ଯେ, ଏ ଶୁକ ମୁନି କିଏ ? କ’ଣ ପାଇଁ ତାଙ୍କ ନାଁ ଶୁକ। ଆସନ୍ତୁ ସେହି କାହାଣୀ ଜାଣିବା।

ଦିନେ ମାତା ପାର୍ବତୀ ଭଗବାନ ଶିବଙ୍କୁ ବ୍ରହ୍ମଜ୍ଞାନ ନିମନ୍ତେ ଜିଜ୍ଞାଶା କରନ୍ତି। ମାତାଙ୍କ ମନ ରଖି ଭଗବାନ ଶଙ୍କର ତାଙ୍କୁ ଗୋଟିଏ ଦିବ୍ୟ ଶିମିଳି ବୃକ୍ଷ ପାକ୍ଷକୁ ନେଇ ଯାଆନ୍ତି। ମାତା ପାର୍ବତୀ ଜିଜ୍ଞାସୁ ଶିଷ୍ୟଟିଏ ପରି ଭଗବାନ ଶଙ୍କରଙ୍କ ସମ୍ମୁଖ ଭାଗରେ ବସି ବ୍ରହ୍ମଜ୍ଞାନ ଶ୍ରବଣ କରିବାକୁ ଲାଗନ୍ତି। ବ୍ରହ୍ମଜ୍ଞାନ ଆହରଣରେ ତଲ୍ଲୀନ ମାତା ତଟସ୍ତ ହୋଇପଡନ୍ତି। ନିକଟରେ ଶୂନ୍ୟତା ହିଁ ବିଦ୍ୟମାନ ଥାଏ। କିନ୍ତୁ ଉକ୍ତ ମୃତ ଶିମିଳି ଗଛ ଉପରେ କୌଣସି ଏକ ମୃତ ପକ୍ଷୀର ପରଟିଏ ପଡି ରହିଥାଏ। ବ୍ରହ୍ମଜ୍ଞାନରେ ଆପ୍ଲୁତ ସେହି ପରିବେଶରେ ମୃତ ପରଟି ଦେହରେ ଜୀବନ ସଞ୍ଚାର ହୁଏ। ତାହା ଏକ ଶୁଆ ବା ଶୁକ ପକ୍ଷୀରେ ରୂପାନ୍ତରିତ ହୁଏ। ମାତା ପାର୍ବତୀ ତଟସ୍ତ ହୋଇପଡିବା ପରେ ଉକ୍ତ ଶୁକ ପକ୍ଷୀ ଭଗବାନ ଶଙ୍କରଙ୍କ କଥାରେ ହୁଁ କହିବାକୁ ଲାଗେ, ହଁ ମାରିବାକୁ ଲାଗେ।

ବ୍ରହ୍ମଜ୍ଞାନ କଥନ ଉପରାନ୍ତେ ଭଗବାନ ଶଙ୍କର ଏ କଥା ଜାଣିବାକୁ ପାଆନ୍ତି। ମା’ ପାର୍ବତୀ ନୁହେଁ ଶୁକ ପକ୍ଷୀ ହୁଁ କରୁଛି। ତମୋଗୁଣି ବ୍ରହ୍ମ କ୍ରୋଧିତ ହୁଅନ୍ତି। ଶୁକ ପ୍ରଭୁଙ୍କୁ ନମସ୍କାର କରି ଉଡିଯାଏ। ମହର୍ଷି ବ୍ୟାସଦେବଙ୍କ ପତ୍ନୀ ସବ୍ୟା, ନଦୀ ଜଳରେ ସ୍ନାନ କରି କେଶ ସୁଖାଉଥାନ୍ତି। ଉର୍ଦ୍ଧ୍ବମୁଖ ମାତା ସବ୍ୟା ଆଁ କରିବା ବେଳେ ଶୁକ ପକ୍ଷୀ ତାଙ୍କ ମୁଖ ବାଟେ ଗର୍ଭକୁ ପ୍ରବେଶ କରେ।

ସବ୍ୟା ଗର୍ଭବତୀ ହୁଅନ୍ତି। ନିଦ୍ଧିଷ୍ଟ ସମୟ ଗତ ହେଉଥିଲେ ମଧ୍ୟ ପ୍ରସବ ହୁଏନି। ଯୋଗ ବଳରେ ଭଗବାନ ବ୍ୟାସ ଏ କଥା ଜାଣିପାରନ୍ତି। ଗର୍ଭରେ ଥିବା ଶିଶୁ ନଗ୍ନ ହୋଇ ବାହାରକୁ ଆସିବାକୁ ଚାହୁଁନି। ମନ୍ତ୍ରବଳରେ କୁଶ ଦ୍ବାରା ଗର୍ଭକୁ ବସ୍ତ୍ର ପ୍ରେରଣ ହୁଏ। ୧୨ ବର୍ଷ ମାତା ସବ୍ୟାଙ୍କ ଗର୍ଭରେ ବାସ କରିବା ପରେ କୌପିନ ଧାରି ଶୁକ ଜନ୍ମ ହୁଅନ୍ତି। ମାୟା ଓ ମୋହରୁ ମୁକ୍ତ ଏହି ବ୍ରହ୍ମଜ୍ଞାନୀ ଶିଶୁର ମଥାଟି ଶୁଆ ଭଳି ଥାଏ ଓ ଶରୀର ମନୁଷ୍ୟ ଭଳି। ଏଣୁ ଏହାଙ୍କ ନାମ ହୁଏ ଶୁକଦେବ।

ଦଉଡନ୍ତି ଶୁକଦେବ। ଅନୁଧାବନ କରନ୍ତି, ଭଗବାନ ବ୍ୟାସ। ସମିପରେ ନଦୀଟିଏ ଥାଏ। ନରୀମାନେ ନଗ୍ନ ହୋଇ ସ୍ନାନ କରୁଥାନ୍ତି। ଶୁକ ୧୨ ବର୍ଷର ବାଳକ । ସମ୍ମୁଖରେ ନଗ୍ନନାରୀ ସମୁହ। କିନ୍ତୁ ଏ ଦୃଶ୍ୟରେ ସେ ବିଚଳିତ ହୁଅନ୍ତି ନାହିଁ। ନା ଅନୁରାଗ ଥାଏ ନା ଆଶକ୍ତି। ବ୍ରହ୍ମ ଜ୍ଞାନର ଅଧିକାରୀ ଶୁକଦେବଙ୍କୁ ଦେଖି ସମସ୍ତେ ନମସ୍କାର କରନ୍ତି। ହେଲେ ଭଗବାନ ବ୍ୟାସଙ୍କୁ ଦେଖି ନାରୀମାନେ ନଦୀ ଜଳରେ ନିଜ ନଗ୍ନ ଶରୀରକୁ ଲୁଚାଇ ଦିଅନ୍ତି। ଭଗବାନ ବ୍ୟାସ ବୁଝିପାରନ୍ତି। ତାଙ୍କ ପୁତ୍ର ଶୁକ ବ୍ରହ୍ମଜ୍ଞାନର ଅଧିକାରୀ। ସେ ସାଧାରଣ ମୋହ, କାମନା ଆଉ ବାସନା ଦ୍ବାରା କବଳିତ ହେବେ ନାହିଁ। ସେ ହିଁ ପବିତ୍ର ଭାଗବତକୁ ନିଜ ମୁଖରେ ପ୍ରସାର କରିପାରିବେ।

ଏବେ ବୁଝିଲେ ତ, ଭାଗବତର ଦିବ୍ୟ ଶବ୍ଦପୁଞ୍ଜ, ଅତଃ...ଶୁକ ଉବାଚ ! ମାନେ କ’ଣ ?

ଆଲେଖ୍ୟ : ମିହିର ପଟ୍ଟନାୟକ