ଭାଲେଣ୍ଟାଇନ୍ ଉପଲକ୍ଷେ ପଢନ୍ତୁ ଗଳ୍ପ ‘ସ୍ଵପ୍ନଭଙ୍ଗ’

ସ୍ୱପ୍ନ ତ ଅନେକ ଥାଏ। ସବୁ ସ୍ୱପ୍ନ କ’ଣ ପୂରଣ ହୁଏ? ସ୍ୱପ୍ନ କ’ଣ ବାସ୍ତବ! ନା ଏହା ଠିକ୍ ପାରଦ ଭଳି? ଆସନ୍ତୁ ଏହି ଗଳ୍ପ ମାଧ୍ୟମରେ ଜାଣିନେବା।

ଭାଲେଣ୍ଟାଇନ୍ ଉପଲକ୍ଷେ ପଢନ୍ତୁ ଗଳ୍ପ ‘ସ୍ଵପ୍ନଭଙ୍ଗ’

ମୁହଁ ମାଡି ପଡି ଯାଉ ଯାଉ ଉଠିଲା ଗଳ୍ପା। ବଜାରି ପିଲା ତିନିଟା ବାଇକ୍‌ଟାକୁ ସାପ ଭଳିଆ କାଟି ନେଲେ ତା’ ପାଖ ଦେଇ। ଏଇ ଜଷ୍ଟ୍ ପଡୁ ପଡୁ ରହିଗଲା ସେ। ହେଲେ ପାଦଟା ମୋଡ଼ି ହେଇଯାଇଛି। ଆଉ ଯାଇ ହବନି ଆଜି ଘରକୁ।

ଆଜି ଫେବୃଆରୀ ଚଉଦ। ଯାବତୀୟ ଉତ୍ପାତ ଯୋଡ଼ି ଜାଉଁଳିଙ୍କର। କଲେଜ୍ ଆଉ ହଷ୍ଟେଲ୍‌ରେ ବି ସେମିତି ମାହୋଲ୍।

ଏଇସବୁରୁ ବଞ୍ଚିବାକୁ ଘରକୁ ଯିବାକୁ ଚାହୁଁଥିଲା ସେ। ହେଲେ ବାଟରେ ଏଇ ଅବସ୍ଥା।

ବଡ଼ କଷ୍ଟରେ ଚାଲି ଅଟୋଟେ ବୁଝିଲା।

କଲେଜ୍ ଛକ ?

ବସନ୍ତୁ

ହଷ୍ଟେଲ ପହଞ୍ଚିଲା ବେଳକୁ ସାଙ୍ଗମାନେ ବେଢିଗଲେ।

କ’ଣ କୁଆଡେ ଯାଇଥିଲ ଆଜି ଡେଟ୍‌ରେ?

ଘର ନା କହି ବୁଲିବାକୁ ନାଇଁ?

ଛୋଟଉଚ କାଇଁକି? କ’ଣ ଟ୍ରେକିଂରେ ନରାଜ ପାହାଡ ଚଢି ଯାଇଥିଲ କି?

ହସି ଉଠିଲେ ସବୁ ଏକା ସାଙ୍ଗରେ।

ଗଳ୍ପା ବି ଚାହୁଁଥିଲା ଏସବୁ କଥା ସତ ହେଇଥାନ୍ତା କି।

ସତରେ କେବେ ବାସ୍ତବ ଏମିତି ଦିନଟେରେ ସେ ତାକୁ ବୁଲେଇ ନିଅନ୍ତେ। କିଛି ଉପହାର ଦିଅନ୍ତେ, କିଛି ନ ହେଲେ ନାଲି ଗୋଲାପଟେ।

ସେମିତିରେ ସେ ପଡି ଗୋଡ଼ ଭାଙ୍ଗିଲେ ବି ଦୁଃଖ ନ ଥାନ୍ତା। ହେଲେ ସେମିତି କେବେ ହୁଏନି। ତାଙ୍କ ନାଁ ପରି ସେ କଠୋର ବାସ୍ତବବାଦୀ। ଏସବୁ ପସନ୍ଦ ନୁହେଁ ତାଙ୍କର।

ହେଲେ ଗଳ୍ପାକୁ ଦୁଃଖ ହୁଏ ଯେତେବେଳେ ତାର ସଂଗୀମାନେ ରଙ୍ଗୀନ୍ ଗୋଲାପ, ତୋଡା, ଉପହାରରେ ଭରି ହେଇ ଖିଲି ଖିଲି ହେଇ ଉଠନ୍ତି ଏଇ ଦିନ ସବୁରେ।

ଖୁବ୍ ଅବହେଳିତ ମନେହୁଏ, କେହି ଜଣେ ପଚାରି ଦେଲେ;

ଆଉ ଆଜି କ’ଣ ସ୍ପେଶାଲ୍ ହେଲା?

ଏଇ ମନୋଭାବଟିକୁ ତା’ର ସେ ନିଜେ ବି ପଢିପାରେନି, ସେ କ’ଣ ଉପହାରଟେ ପାଇଁ ଏତେ ବ୍ୟସ୍ତ। ବାସ୍ତବ ଜାଣିଲେ କ’ଣ ଭାବିବେ! ଗଳ୍ପାର ଗଭୀର, ମାର୍ଜିତ ଓ ଶାଳୀନ ବ୍ୟକ୍ତିତ୍ଵଟାକୁ ଭାରି ଭଲ ପାଆନ୍ତି ସେ। ଏମିତି ଛୋଟ କଥାଟେ ଯେ ସେ ଭାବେ ତା କ’ଣ ଜଣେଇ ହୁଏ!

ନିଜେ ନିଜକୁ ଯାହା ନୁହଁ ସେୟା ବୋଲି ଦେଖେଇ ହବାକୁ ଚାହେଁ, ସେମିତି ମୁଖାଟିଏ ତିଆରି କରିଦିଏ ମଣିଷ। ଆଉ ସେଇ ମୁଖାକୁ ମରାମତି କରି କରି ଜୀବନ ଚାଲିଯାଏ।

ନିଜସ୍ଵ ଜୀବନ ଟିକେ ବଞ୍ଚିପାରେନି। ଏମିତି ବି ହୁଏ ଅନେକ ପୁଅ ସେଦିନ ଗଳ୍ପାକୁ ଗୋଲାପଟିଏ ଦବାର ସୁଯୋଗକୁ ଚାହିଁ ରହିଥାନ୍ତି। ଆଉ ଏସବୁ ଜାଣି ସେ ବାହାରକୁ ବି ବାହାରେନି। ଇପ୍ସିତ ପୁରୁଷର ଅବଜ୍ଞା ବି ରୋମାଞ୍ଚିତ କରେ, ହେଲେ ମନ ଚାହୁଁ ନଥିବା ଲୋକଠୁ ଫୁଲ ନେଇ କ’ଣ ପ୍ରେମିକା ପାଲଟି ହୁଏ କି?

ଗଳ୍ପା ପଚାରେ;

ବାସ୍ତବ ଉପହାର ନହେଲା ନାହିଁ, ତୁମ ଠାରୁ ମୋର ସିନ୍ଦୂର ଟିକିଏର ହିଁ ଆଶା।

ହସି ଆମୋଦ କରନ୍ତି ବାସ୍ତବ;

ଜାଣ ଗଳ୍ପା ସିନ୍ଦୂର କୋଉଥିରେ ତିଆରି?

ତୁମେ ଫିଜିକ୍ସ ହନର୍ସ, ବୋଲି ନିହାତି ଆର୍ଟ୍ସ ପିଲାଟାକୁ ଏମିତି ପଚାରିବ!

କୁଣ୍ଠାରେ କୁହେ ଗଳ୍ପା।

ପାରଦ! ପାରଦରେ ତିଆରି, ଖୁବ୍ ଅଦ୍ଭୂତ ଧାତୁଟିଏ।

ବୁଝି ପାରେନି ଗଳ୍ପା ଏସବୁ ଅନାବଶ୍ୟକ ଉକ୍ତି ବାସ୍ତବଙ୍କର। ଏତିକି ଜାଣେ ଖୁବ୍ ଗଭୀର ଭାବିପାରନ୍ତି ସେ।

ଶେଷ ଥର ମୁହଁ ଫେରେଇଲା ବେଳେ ବାସ୍ତବ ଗୋଟେ ଛୋଟ କାଚ ଡବାଟେ ଦେଇଥିଲେ ଗଳ୍ପା ପାଇଁ। ତୋହ ତୋହ ଅଭିମାନରେ ଖୋଲି ନଥିଲା ସେ।

ଗଳ୍ପାର ଦାମ୍ପତ୍ୟ ଜୀବନ ସୁଖମୟ, ସେ ଯଥାସମ୍ଭବ ନିଜେ ହେଇ ବଞ୍ଚିବାକୁ ଚେଷ୍ଟା କରିଛି। ନିଜର ଇଛା, ଅନିଚ୍ଛା, ହକ୍ ବିଷୟରେ ସଚେତନ। ଆଜି ଏଇ ସବୁ ଭାଲେଣ୍ଟାଇନ୍ ଡେ, ଅମୁକ ସମୁକ ତା’ ପାଇଁ କଲେଜ ଦିନ ପରି ରୋମାଞ୍ଚ ଆଣେନି, କିନ୍ତୁ ସ୍ୱାମୀ ତା’ର ଭୁଲି ଯାଆନ୍ତିନି।

ଦାମୀ ସୁନ୍ଦର ଉପହାର ସାଙ୍ଗରେ ନାଲି ଗୋଲାପଟେ ନିଶ୍ଚେ।

ଜୀବନ ହିଁ ସେୟା। ଇପ୍ସିତ ଜିନିଷ ସବୁ ଥରେ ମିଳେ ନିଶ୍ଚେ, ଯେତେବେଳେ ତା’ ପ୍ରତି ମୋହ ଛାଡ଼ିଯାଇଥାଏ। ତା’ର ଅପ୍ରାପ୍ତି ଆଉ ତାଡନା ଦଉ ନଥାଏ। ମିଳିବା ନ ମିଳିବାରେ ବିଶେଷ ଫରକ୍ ଦିଶୁ ନ ଥାଏ। ପ୍ରେମିକା ହବା, ଆଉ ପତ୍ନୀ ହବାରେ ଫରକ ଅନେକ। ପ୍ରେମ ଅସଫଳ ହେଲେ ପ୍ରେମିକା ପଣରେ ସାର୍ଥକ। କିନ୍ତୁ ପତ୍ନୀତ୍ଵରେ ସେମିତି ହୁଏନି। ବୈବାହିକ ଜୀବନ ଗଣିତ ଯେତିକି ସରଳ, ସେତିକି କଠିନ। ଫର୍ମୁଲା ଜାଣି ପାରିଲେ ହେଲା।

ସ୍ୱାମୀ, ତା’ର ସାନିଧ୍ୟ ରେ ଖୁସି। କୌଣସି ଥିରେ ଅଧିକ ଆଶା ଗଳ୍ପା କରେନି ଆଉ।

ବାସ୍ତବ କହିଥିଲେ ଥରେ;

ଗଳ୍ପା , ତୁମ ପରି ସ୍ୱପ୍ନିଳ ଝିଅମାନଙ୍କୁ ଭଲ ପାଇବା ଖୁବ୍ ଚାର୍ମିଂ, କିନ୍ତୁ ଏତେ ଡ୍ରିମୀ ହେଲେ ସଂସାର କରିବା କଷ୍ଟ।

ଭାବପ୍ରବଣ ହେଲେ ବି ଖୁବ୍ ଅଭିମାନୀ ଗଳ୍ପା। କ୍ଷମା କରିଦେଇପାରେ କିନ୍ତୁ ଭୁଲିପାରେନି କେବେ।

ନିଜକୁ ଖୁବ୍ ଅନୁଶୀଳନ କରିଛି। ସ୍ଵପ୍ନଭୁକ୍ ସିଏ? ତେବେ ଏଥିରେ ଅସୁବିଧା କ’ଣ?

କାଇଁ ସଂସାରରେ କିଛି ଅସୁବିଧା ନାହିଁ ତ ତା’ର।

ଆଜି କାଇଁ ଖୁବ୍ ଇଛା ହେଲା ତା’ର ବାସ୍ତବ ଦେଇଥିବା କାଚ ଡବାଟା ଖୋଲି ଦେଖିବାକୁ। ଗୋଟେ ବାକ୍ସ ଭିତରେ ବନ୍ଦ କରି ସବୁତକ ସ୍ମୃତିର ଚିଜ ସାଇତି ରଖିଥିଲା ସେ, ହେଲେ ଫିଙ୍ଗି ଦେଇଥିଲା ଚାବିଟା କେବଳ। ଭାଙ୍ଗିଲା ଆଜି ତାଲାଟାକୁ।

ଡବାଟା ଆଣି ନିରେଖିଲା, କାଚଟେ ହେଲେ ବି କ’ଣ ଅଛି ଜାଣିବା ମୁସ୍କିଲ୍‌। ଖୋଲିଲା। ‘ବାଃ’ ପାଟିରୁ ବାହାରି ଆସିଲା ତା’ର।

ଡବା ଭିତରେ ରଙ୍ଗୀନ୍ କାଗଜଟେ, ତା ଉପରେ ମୋତି ପରି ଚକ୍ ଚକ୍ ସୁନ୍ଦର୍ ଚିଜଟେ, ହେଲେ କଠିନ ନୁହେଁ। ଢଳ ଢଳ, ତରଳ ରୂପା ରଙ୍ଗର। କେତେ ସୁନ୍ଦର୍ ଲାଗୁଚି ଡବାଟା, ବୁଲେଇଲେ ସେ ବି ବୁଲୁଛି। ଟୋପାଟି ପରି ଆଖି ବି ଛଳ ଛଳ ହେଇ ଆସିଲା। ଆଖିର ସ୍ଵପ୍ନ ସବୁ ଲୁହ ହେଇ ଖସିପଡିଲେ। ଅତ୍ୟଧିକ ଭାବପ୍ରବଣତାରେ ହାତରୁ ଖସି ପଡ଼ିଲା ଡବାଟି।

ଆଃ, ସ୍ଵପ୍ନ କ’ଣ ଏମିତି ଭାଙ୍ଗିଯାଏ?

ତଳକୁ ଦେଖିଲା ଗଳ୍ପା। ସେଇ ମୋତି ପରି ଚିଜଟା ଯିଏ କଠିନ ପରି ଥିଲା ଡବା ଭିତରେ। ତଳେ ତରଳ ପରି ପଡ଼ିଲା, ଆଉ ଭାଙ୍ଗି ଯାଇ ପ୍ରତିଟି ଭାଗ ତା’ର ଛୋଟ ଛୋଟ ମୋତି ପରି ହେଇ ଚକ୍ ଚକ୍ କରୁଥିଲେ ରୂପା ରଙ୍ଗରେ।

କ’ଣ ଏଇ ଅଦ୍ଭୁତ ଚିଜଟି? ପାରଦ?

ବାସ୍ତବ ଏମିତି ସବୁ ଅଦ୍ଭୁତ ଜିନିଷ ଦିଅନ୍ତି। ସବୁ ଭିତରେ କିଛି କାହାଣୀ ଥାଏ। ତାକୁ ମତେ ବୁଝିବାକୁ ହୁଏ।

ଯେତେ ତୋଳି ଧରିବାକୁ ଚେଷ୍ଟା କରୁଥିଲା ସେ ଆହୁରି ଭାଙ୍ଗି ଭାଙ୍ଗି ଯାଉଥିଲା ପାରଦ କଣିକା ସବୁ। ଗଳ୍ପା ଭାବିଲା;

ଏଇ ପାରଦ ପୂରା ତାଙ୍କ ସମ୍ପର୍କ ପରି, ଯାହାକୁ ଥରେ ତଳେ ପକେଇ ଦେଇ ଆଉ ସଜାଡି ପାରି ନଥିଲା ସେ। ସେଇ ପାରଦ ହେଇ ରହିଗଲା। ସମ୍ପର୍କ କେବେ ସିନ୍ଦୂର ପାଲଟି ପାରିବନି ବୋଲି ଜାଣି ପାରିଥିଲେ କି ବାସ୍ତବ। ଟୋପାଏ ସିନ୍ଦୂର ଜାଗାରେ ଟୋପାଏ ପାରଦ ଦେଇଗଲେ ମତେ।

ପାଖରେ ଉଡି ପଡ଼ିଥିବା ରଙ୍ଗୀନ୍ କାଗଜଟା ଉଠେଇ ଆଣିଲା ଗଳ୍ପା

ଏ କ’ଣ, ତା’ ଜୀବନର ସବୁଠୁ ପ୍ରିୟ ଧାଡ଼ି କେଇଟା।

ଲେଖା ଥିଲା..

ଜୀବନ ଯାହା ଦିଏନି

ବେଳେ ବେଳେ ସ୍ଵପ୍ନ ତାହା ଦେଇଥାଏ

ସ୍ଵପ୍ନ ଅବଶ୍ୟ ରୁହେନି,

ଜୀବନ ବି କୋଉ ଚିରସ୍ଥାୟୀ ହେଇ ରହିଥାଏ!

ଜଗତସିଂହପୁର

ଦୂରଭାଷ: ୮୮୯୫୧୬୬୬୮୫