Advertisment

‘ମାର୍ ତୁ ଯେତେ ଗୁଳି... ହୁଙ୍କାପିଟା ଶାସନ ଆମେ ଗୋଡ଼ରେ ଦେବୁ ଦଳି’

ପଦ୍ମଶ୍ରୀ ସଚ୍ଚି ରାଉତରାୟ କେବଳ ମାଟିର ମହାକବି ନଥିଲେ, ସେ ଥିଲେ ଜଣେ ବିପ୍ଲବୀ। ରଣପୁରରେ ବେଜଲ୍‌ଗେଟ୍‌ ହତ୍ୟାକାଣ୍ଡ ପରେ ପ୍ରଜାମଣ୍ଡଳର କର୍ମିମାନଙ୍କୁ ମୁକ୍ତ କରିବାକୁ ରଣପୁର ଧାଇଁ ଯାଇଥିଲେ। ଆଜି ତାଙ୍କର ଜନ୍ମ ଦିବସରେ ଆସନ୍ତୁ ଜାଣିନେବା ଏହି ମହାନ ଆତ୍ମାଙ୍କ ବିଷୟରେ।

Sachidananda Routray Birth Day

Sachidananda Routray Birth Day

Advertisment

ଯୁଗସ୍ରଷ୍ଟା କବି ସଚ୍ଚି ରାଉତରାୟ ଓଡ଼ିଆ ସାରସ୍ୱତ ଭଣ୍ଡାରର ଅମଳିନ ସ୍ରଷ୍ଟା। ତାଙ୍କର ‘ଛୋଟ ମୋର ଗାଁ’ଟି ଓ ‘ବାଜି ରାଉତ’ କବିତା ସେଇ ଅମଳିନ ସୃଷ୍ଟିର ସ୍ୱାକ୍ଷର ଏବେ ବି ତାହା ନିନାଦିତ ହେଉଛି ଓଡ଼ିଶାର ମାଟି, ପାଣି, ପବନରେ। ପଦ୍ମଶ୍ରୀ ସଚ୍ଚି ରାଉତରାୟ କେବଳ ମାଟିର ମହାକବି ନଥିଲେ, ସେ ଥିଲେ ଜଣେ ବିପ୍ଲବୀ। ରଣପୁରରେ ବେଜଲ୍‌ଗେଟ୍‌ ହତ୍ୟାକାଣ୍ଡ ପରେ ପ୍ରଜାମଣ୍ଡଳର କର୍ମିମାନଙ୍କୁ ମୁକ୍ତ କରିବାକୁ ରଣପୁର ଧାଇଁ ଯାଇଥିଲେ। ଢେଙ୍କାନାଳରେ ବାଜିରାଉତ ଗୋରା ଫଉଜ ଗୁଳିମାଡ଼ରେ ନିହତ ହେବାପରେ ସେ ଲେଖିଥିଲେ ‘ବାଜି ରାଉତ’

Advertisment

ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ବିଭିନ୍ନ ପୁସ୍ତକ ପରେ ତାଙ୍କର ଆତ୍ମଜୀବନୀ ‘ଉତ୍ତରକକ୍ଷ’ ବହୁ ଘଟଣାବଳୀକୁ ଲୋକଲୋଚନାକୁ ଆଣିଛି। ତାଙ୍କ ରଚିତ ଖଣ୍ଡକାବ୍ୟ ‘ବାଜି ରାଉତ’ ସଂପର୍କରେ ଏହି ‘ଉତ୍ତରକକ୍ଷ’ରୁ ନିମ୍ନ ଉଦ୍ଧୃତି ଏଠାରେ ଉପସ୍ଥାପନ କରୁଛି-

“ମୁଁ ଢେଙ୍କାନାଳ ପ୍ରଜା ଆନ୍ଦୋଳନରେ ଯେଉଁସବୁ କବିତା ବନାମ ସଂଗୀତ ରଚନା କରିଥିଲି, ତାହା ଡେଙ୍କାନାଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏସବୁ କବିତା କଟକରୁ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ସଂପାଦିତ ସାପ୍ତାହିକ ପତ୍ରିକା ‘କୃଷକ’ରେ ପ୍ରକାଶ ପାଇଥିଲା। ଢେଙ୍କାନାଳ ରାଜା, ଢେଙ୍କାନାଳ ଗେଜେଟ୍‌ରେ ଏହିସବୁ କବିତାକୁ ତାଙ୍କ ରାଜ୍ୟରେ ବ୍ୟାଜ୍ୟାପ୍ତି କରିଥିଲେ। ସେ କବିତାଗୁଡ଼ିକ ପରେ ‘ମାର୍ ତୁ ଯେତେ ଗୁଳି... ହୁଙ୍କାପିଟା ଶାସନ ଆମେ ଗୋଡ଼ରେ ଦେବୁ ଦଳି’ କବିତାଟି ଲୋକଙ୍କ ମୁହଁରୁ ମୁହଁକୁ ବ୍ୟାପୀ ଚାରିଆଡ଼େ ଅଦ୍ଭୁତ ପ୍ରେରଣା ଆଣିଦେଇଥିଲା। ଓଡ଼ିଶାରେ ଏସବୁ କବିତା ବନାମ ସଂଗୀତ ଲୋକମୁଖରେ ପ୍ରସାରିତ ହୋଇଥିଲା, ଏହିସବୁ ନିଷିଦ୍ଧ କବିତା ଗାନକରି ବହୁକର୍ମୀ ଶୋଭାଯାତ୍ରାରେ ଅଗ୍ରସର ହୋଇ ଗୁଳି ଖାଇ ମରିଛନ୍ତି। ଏହି ଅମର ଶହୀଦମାନେ ଏ ଜାତିର ଚିରସ୍ମରଣୀୟ ହୋଇ ରହିବେ।”

Advertisment

ଆଜକୁ ୭୭ ବର୍ଷ ତଳର କଥା। ୧୯୩୮ ସାଲ ଅକ୍ଟୋବର ମାସ ୧୦ ତାରିଖ ରାତିରେ ଭୁବନ ନିକଟସ୍ଥ ନୀଳକଣ୍ଠପୁର ଗ୍ରାମର ୧୨ ବର୍ଷର ଗରିବ ଘରର ପିଲା ବାଜି ଫୌଜର ଗୁଳିମାଡ଼ରେ ଶହୀଦ ହୋଇଥିଲା। ବୁଢ଼ି ମା’ ତା’ର ଧାନକୁଟି ପେଟ ପୋଷେ। ବାଜି ଅନ୍ଧାର କିଟିକିଟି ରାତିରେ ଗାଁ ମୁଣ୍ଡ ବ୍ରାହ୍ମଣୀ ନଦୀ କୂଳରେ ଘାଟ ଡଙ୍ଗାକୁ ଜଗି ଶୋଇଥିଲା। ବାହାରେ ପ୍ରବଳ ଝଡ଼ବର୍ଷା ଲାଗିରହିଥିଲା। ନଈ କୂଳରେ ପ୍ରଜାମଣ୍ଡଳର ଅନ୍ୟକର୍ମୀମାନେ ନିଜନିଜ ଘରେ ଥାଆନ୍ତି। ବେଳେ ବେଳେ ଘାଟ ନିକଟକୁ ଆସି ତଦାରଖ କରି ଯାଉଥାନ୍ତି। ବାଜି ଡଙ୍ଗା ଚାଳି ତଳେ ଶୋଇଥିଲା। ରାତି ଅଧରେ ବ୍ରିଟିଶ୍‌ ଫୌଜ ଓ ରଜାଘର ପୁଲିସ ଆସି ତାକୁ ଉଠାଇଲେ ନଈ ଆରପାରିକୁ ତାଙ୍କୁ ଡ଼ଙ୍ଗାରେ ପାରିକରିଦେବାକୁ କହିଲେ।

ସେମାନେ ଅଳ୍ପ ଦୂରରେ ଭୁବନଠାରେ ଦୁଇ-ତିନି ଜଣ ପ୍ରଜାମଣ୍ଡଳର ଲୋକଙ୍କୁ ଗୁଳିରେ ହତ୍ୟାକରି ନଈପାରି ହେବାପାଇଁ ଡଙ୍ଗା ଚାହୁଁଥିଲେ। ବାଜି ନିଦ ମଳମଳ ଆଖିରେ ଫୌଜ ଆଡ଼କୁ ଚାହିଁଲା ଓ ଦୃଢ଼ କଣ୍ଠରେ ଜବାବ ଦେଲା- ‘ପ୍ରଜା ମଣ୍ଡଳର ହୁକୁମ୍‌ ନାହିଁ, ମୁଁ ଡଙ୍ଗା ଛାଡ଼ିବି ନାହି’ ଫୌଜ ଭିତରୁ ଜଣେ ବାଜି ମୁଣ୍ଡକୁ ବନ୍ଧୁକ କୁନ୍ଦାରେ ପିଟିଦେଲା। ତା’ ମୁଣ୍ଡରୁ ରକ୍ତ ବୋହିବାକୁ ଲାଗିଲା। ବାଜି ରକ୍ତ ସାଲୁବାଲୁ ଦିହରେ ତଳେ ପଡ଼ିଗଲା। ତା’ପରେ ଉଠିପଡ଼ି ତା’ର ଟିକି ଦେହର ସବୁ ଜୋର୍ ଠୁଳକରି ଡାକ ପକେଇଲା- ‘ପ୍ରଜାମଣ୍ଡଳର ଲୋକେ କିଏ କେଉଁଠି ଅଛ ଧାଇଁ ଆସ ଫୌଜ ଡଙ୍ଗା ନେଇଯାଉଛି’। ବାଜିର ଚିତ୍କାର ଶୁଣି ପ୍ରଜାମଣ୍ଡଳର କର୍ମୀମାନେ ଆସି ନଈକୂଳରେ ପହଞ୍ଚିଲେ। ତାଙ୍କ ସାଙ୍ଗରେ ଆସିଲେ ଶହଶହ ଗ୍ରାମବାସୀ।

Advertisment

ସେମାନଙ୍କ ଭିତରୁ କେତେକ ଟାଣୁଆ କର୍ମୀ ଡଙ୍ଗା ଦଉଡ଼ିକୁ ଅଣ୍ଟାରେ ବାନ୍ଧି ଛିଡ଼ାହେଲେ। ଭୂଇଁତଳୁ ଫୁଟି ବାହାରିଥିବା ବରଗଛପରି ପୁଲିସ ଡଙ୍ଗା ଦଉଡ଼ିକୁ ଛୁରିରେ କାଟିଦେଇ ନଈ ମଝିକୁ ଡଙ୍ଗା ବାହିନେଲା। ତା’ପରେ ସେମାନେ ଖଣ୍ଡେ ଦୂର ଚାଲିଯିବା ପରେ ମଝି ନଈରୁ ଭାସି ଆସିଲା ଅବିଶ୍ରାନ୍ତ ବନ୍ଧୁକର ଆବାଜ, ଘନଘନ ଗୁଳିର ଶବ୍ଦ। ଗଛ କାଟିଲା ପରି ଗୋଟିକି ଗୋଟି ବୀର ଶହୀଦ ଭୂଇଁରେ ଲୋଟି ପଡ଼ିଲେ।

ବାଜି ରାଉତ, ହୁରୁଷି ପ୍ରଧାନ, ରଘୁ ନାୟକ, ଗୁରି ନାୟକ, ନଟ ମଳିକ, ଲକ୍ଷ୍ମଣ ମଳିକ ମୁର୍ଦ୍ଦାର ହୋଇ ତଳେ ପଡ଼ିଗଲେ... ଗଲେ ଅନ୍ଧାର ମୁଲକର ସେଇ ନିଛାଟିଆ ଅନ୍ଧାର ରାତିରେ ଛଅ-ଛଅଟା ମଣିଷ ଦେହର ଗରମ ଲୁହରେ କାଳିଆ ନଈପାଣି ହଠାତ ସେଦିନ ଲାଲ ହୋଇଉଠିଥିଲା। ଏସବୁ ବିବରଣୀ ସେତେବେଳେ ‘କୃଷକ’ ପତ୍ରିକାରେ ଅବିକଳ ପ୍ରକାଶ ପାଇଥିଲା କେହି ଏହାର ପ୍ରତିବାଦ କରି ନଥିଲେ।

କବି ସଚ୍ଚି ରାଉତରାୟ ତାଙ୍କର ‘ବାଜି ରାଉତ’ ଖଣ୍ଡକାବ୍ୟରେ ଢେଙ୍କାନାଳ ରାଜ ଶାସନ ବିରୋଧରେ ଥିବା ପ୍ରଜା ଅସନ୍ତୋଷକୁ ବ୍ୟକ୍ତ କରିବା ସହ ବାଜି ରାଉତର ଦେଶପ୍ରେମକୁ ଯେଭଳି ପରିସ୍ଫୁଟନ କରିଛନ୍ତି ତା’ର ତୁଳନା ନାହିଁ, ସେ ତାଙ୍କର ବାଜି ରାଉତ କବିତାରେ ଲେଖିଛନ୍ତି-

‘ନୁହେଁ ବନ୍ଧୁ ନୁହେଁ ଏହା ଚିତା

ଏ ଜାତି ତିମିର ତଳେ

ଏ ଅଲିଭା ମୁକତି ସଳିତା।

ନୁହେଁ ଏହା ଜଳିଯିବା ପାଇଁ

ଏହାର ଜନମ ଏଥି

ଜାଳିପୋଡ଼ି ଦେବାକୁ ଧସାଇ।’

ଓଡ଼ିଶାର ଢେଙ୍କାନାଳ ଭଳି ତାଳଚେର, ନୀଳଗିରି ଆଦି ଗଡ଼ଜାତରେ ଭୟଙ୍କର ଭାବେ ପ୍ରଜା ଆନ୍ଦୋଳନ ହୋଇଥିଲା। ବାଜି ରାଉତକୁ ଗୁଳିକରି ମାରିଥିବା ଏବଂ ଢେଙ୍କାନାଳରେ ଗର୍ଭିଣୀ ସ୍ତ୍ରୀଙ୍କ ଉପରେ ହାତୀ ଚଳାଇ ଅମାନୁଷିକ ଅତ୍ୟାଚାର କରିଥିବା ପଲିଟିକାଲ୍‌ ଏଜେଣ୍ଟ୍‌ ମେଜର୍‌ ବେଜଲ୍‌ଗେଟ୍‌ ପ୍ରଜାଙ୍କ ଠେଙ୍ଗାମାଡ଼ରେ ନିହତ ହେଲା। ତାଙ୍କ ଆଗମନ ପୂର୍ବରୁ ରଣପୁର ପ୍ରଜାମଣ୍ଡଳ କର୍ମୀମାନେ ଯେଉଁ ଗୀତ ବୋଲି ପ୍ରଜା ଜାଗରଣ ସୃଷ୍ଟି କରିଥିଲେ ତାହାଥିଲା ସଚ୍ଚି ରାଉତରାୟଙ୍କ କବିତା-

‘ମାର୍ ତୁ ଯେତେ ଗୁଳି... ହୁଙ୍କାପିଟା ଶାସନ ଆମେ ଗୋଡ଼ରେ ଦେବୁ ଦଳି’। ଏହି ଗୀତର ଅଦ୍ଭୁତ ଶକ୍ତିଥିଲା ଏବଂ ପ୍ରତ୍ୟେକ ପ୍ରଜାମଣ୍ଡଳର କର୍ମୀଙ୍କ ମନରେ ଅପୂର୍ବ ବୀରତ୍ୱର ଭାବ ସଂଚାର କରୁଥିଲା। କହିବାକୁ ଗଲେ ଗଡ଼ଜାତ ଓ ଖାସମାହାଲ ଅଞ୍ଚଳରେ କର୍ମୀମାନେ ସେହି ଗୀତ ବୋଲି ଇଂରେଜ ଶାସନ ବିରୋଧରେ ରଣହୁଙ୍କାର ତୋଳୁଥିଲେ। ରଣପୁର ପ୍ରଜା ଆନ୍ଦୋଳନ ସମୟରେ କର୍ମୀମାନେ ବହୁବାର ଏହି ଗୀତ ଆବୃତି କରୁଥିଲେ।

ପଲିଟିକାଲ୍ ଏଜେଣ୍ଟ ମେଜର ବେଜଲଗେଟ୍ ମର୍ଡ଼ର ପରେ ସଚ୍ଚି ରାଉତରାୟ ରଣପୁର ଯାଇଥିଲେ ଓ ସାଥୀରେ ସାନପଦରର ସଂଗ୍ରାମୀ କବି ଫକୀର ଚରଣ ମହାନ୍ତି ଥିଲେ। ସେ ରଣପୁର ଯିବା ଖବର ପ୍ରଚାରିତ ହେବାପରେ ରାଜାଘର ସିପାହୀ ତାଙ୍କୁ ରଣପୁରରୁ ବିଦାୟ କରିଦେଇଥିଲେ। ରଣପୁର ପ୍ରଜା ଆନ୍ଦୋଳନର ଶହୀଦ ରଘୁନାଥ ମହାନ୍ତି, ଶହୀଦ ଦିବାକର ପରିଡ଼ା ଓ ଅନ୍ୟକର୍ମୀମାନଙ୍କୁ କିଭଳି ସାହାଯ୍ୟ କରାଯିବ ସେଥିପ୍ରତି ସେ ଚିନ୍ତିତ ଥିଲେ। ପରେ ପରେ ପ୍ରାଣନାଥ ପଟ୍ଟନାୟକଙ୍କ ନେତୃତ୍ୱରେ ରଘୁ-ଦିବାକର ମୁକ୍ତି ପାଇଁ ଏକ ଡିଫେନ୍ସ କମିଟି ଗଠନ କରାଯାଇଥିଲା।

ଗଙ୍ଗାଧର ପାଇକରାୟ, ଗଙ୍ଗାଧର ମିଶ୍ର, ପର୍ଶୁରାମ ପଦାତିକରାୟ, ରାଜନ୍ ଶ୍ରୀଚନ୍ଦନ ପ୍ରମୁଖ ଏହାର ସଦସ୍ୟ ଥିଲେ। କବି ସଚ୍ଚି ରାଉତରାୟ ତାଙ୍କ ନିଜ ବୁଦ୍ଧି ବଳରେ ପ୍ରଜାମଣ୍ଡଳର କର୍ମୀମାନଙ୍କୁ ସାହାଯ୍ୟ ସହଯୋଗ ଓ ପରାମର୍ଶ ଦେଇ ଦେଶ ପ୍ରେମର ଝଲକ ଦେଖାଇଥିଲେ। କବିଙ୍କ ସେହି କବିତା- ‘ମାର୍ ତୁ ଯେତେ ଗୁଳି... ହୁଙ୍କାପିଟା ଶାସନ ଆମେ ଗୋଡ଼ରେ ଦେବୁ ଦଳି’ ପ୍ରଜାମାନଙ୍କ ପାଇଁ ‘କର ଅବା ମର’ ଆହ୍ୱାନ ତୋଳିଥିଲା। କର୍ମୀମାନେ ଦେଶ ପାଇଁ ମରିବାକୁ ଭୟ କରୁ ନଥିଲେ।

ଏହି ପ୍ରଖ୍ୟାତଯଶା କବିଙ୍କ ସହ ମୁଁ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ବାର୍ଷିକ ଉତ୍ସବରେ ଗୋଟିଏ ମଞ୍ଚରେ ଭେଟିବାର ସୁଯୋଗ ପାଇଥିଲି। ଡ. ଦିଲ୍ଲୀପ ଶ୍ରୀଚନ୍ଦନ ସେତେବେଳେ ଥିଲେ କଲେଜ ଅଧ୍ୟକ୍ଷ। ବିଧାୟକ ଭାବରେ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଥିଲେ ପରିଚାଳନା ସମିତିର ସଭାପତି। ମୁଖ୍ୟ ଅତିଥିଭାବେ ଯୋଗଦେଇ ତାଙ୍କ ସାନ୍ନିଧ୍ୟ ପାଇ ଅତ୍ୟନ୍ତ ଖୁସି ଅନୁଭବ କରିଥିଲି।

ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ପାଇଁ ଓଡ଼ିଶା ଗର୍ବିତ ଓ ଚର୍ଚ୍ଚିତ ବିଶେଷକରି ତାଙ୍କ ଜନ୍ମମାଟି ଗୁରୁଜଙ୍ଗ ବା ଖୋର୍ଦ୍ଧା କବିଙ୍କ ସ୍ମୃତିରେ ଚିର ଜାଜ୍ୱଲ୍ୟମାନ ରହିବ। ସେ ନିଜ ଜନ୍ମମାଟିକୁ ଭଲ ପାଉଥିବାରୁ ଲେଖିଥିଲେ ‘ଛୋଟ ମୋର ଗାଁ’ଟି’। ଗାଁର ସରବରାକାର ଅଗାଧୁ ଷଣ୍ଢ ଜଟିଆ ବୁଢ଼ୀ, କପିଳ ନନ୍ଦ ଆଦି ଚରିତ୍ରର ସୁନ୍ଦର ରୂପାୟନ କରିଥିଲେ କବି। ‘ବରୁଣି ପାହାଡ଼’ କବିତାରେ ରକ୍ତ ରଂଜିତ ଲାଲ ମାଟି ଖୋରଧାର ଇତିହାସକୁ ମନେ ପକାଇଛନ୍ତି। ସେ ଲେଖିଛନ୍ତି-

‘କହ ଖୋରଧାର ମାଟି

ଆଉ ଥରେ ସତେ ରକ୍ତ କରବୀ

ଏ ଦେଶ ଉଠିବ ଛୁଟି।

ତକ୍ତ ଲାଲ ତଲଓ୍ୱାର ପରି

ପାଇକର ଦେହ ଉଠିବକି ଜଳି

ରକତ ଚନ୍ଦନ ବୃକ୍ଷର ପ୍ରାୟେ

ଝଡ଼ ଝଞ୍ଜାକୁ କାଟି

କହ ବରୁଣେଇ, କହ ଗଡ଼ଖାଇ

କ୍ଷୁରଧାର ପରି ତୋ ବୁକୁ ନିଷାଣ

ରହେ କିଆଁ ମଥାପୋତି ?

କହ ଖୋରଧା ମାଟି।’

ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଚିନ୍ତାଧାରାର ଅନ୍ୟତମ ସ୍ରଷ୍ଟା ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ଲିଖିତ ‘ପାଥେୟ’, ‘ପୂର୍ଣ୍ଣିମା’, ‘ପଲ୍ଲୀଶ୍ରୀ’, ‘ଅଭିଯାନ’, ‘ଅଭିଜ୍ଞାନ’, ‘ବାଜି ରାଉତ’, ‘ପାଣ୍ଡୁଲିପି’, ‘ଭାନୁମତୀର ଦେଶ’, ‘ହସ’ ଇତ୍ୟାଦି ବ୍ୟତୀତ ସେ ଅନେକ ଗଳ୍ପ, ଉପନ୍ୟାସ ଓ ସମାଲୋଚନାମୂଳକ ପୁସ୍ତକ ରଚନା କରିଛନ୍ତି। ସାରସ୍ୱତ କ୍ଷେତ୍ରରେ ନିରଳସ ସାଧନ ପାଇଁ ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଓ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାର ଗୌରବ ଲାଭକରିଛନ୍ତି। ଆଜି ତାଙ୍କର ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ସଭାପତି, ତୁଳସୀ ସାହିତ୍ୟ ସଂସଦ, ଗଡ଼ବାଣୀକିଲୋ,

ରାଜ ରଣପୁର, ଦୂରଭାଷ: ୯୨୩୭୦୮୯୫୦୯

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Sachidananda Routray Birth Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ