Advertisment

ସଂସ୍କୃତରେ ପାଇଥିବା ଚିଠିର ଉତ୍ତର ଓଡ଼ିଆରେ ଦେଲେ ଜଗନ୍ନାଥ

ଶ୍ରୀଜଗନ୍ନାଥଙ୍କ ପାଖକୁ ଇନ୍ଦ୍ରଙ୍କ ଠାରୁ ଆସିଥିଲା ଚିଠି। ଲେଖାଥିଲା ସଂସ୍କୃତରେ। ଏହାର ଉତ୍ତର ଓଡିଆରେ ରଖିଥିଲେ ପ୍ରଭୁ ଜଗନ୍ନାଥ। ଏଥିରୁ ଜଣାଯାଏ ଓଡିଆ ଭାଷାକୁ ଜଗନ୍ନାଥ କେତେ ଭଲ ପାଆନ୍ତି।

ଅଦ୍ୟତନ ହୋଇଛି
Odia is the language of Lord Jagannath

Odia is the language of Lord Jagannath

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭାଷା ହେଉଛି ଓଡ଼ିଆ। କିମ୍ୱଦନ୍ତୀ କୁହେ, ଏକଦା ଉତ୍କଳ ଭୂଖଣ୍ଡରେ ବର୍ଷା ନ ହୋଇ ମରୁଡି ପଡ଼ିଥିଲା। ବହୁ ଦୁଃଖକଷ୍ଟରେ କାଳାତିପାତ କରୁଥିଲେ ଲୋକେ। ସେହି ସମୟରେ ଗଜପତିଙ୍କ ପକ୍ଷରୁ ଜଗନ୍ନାଥ ମହାପ୍ରଭୁଙ୍କ ମାଧ୍ୟମରେ ଦେବରାଜ ଇନ୍ଦ୍ରଙ୍କ ପାଖକୁ ଚିଠି ଯାଇଥିଲା। ଚିଠିଟି ସଂସ୍କୃତ ଭାଷାରେ ଲେଖାଯାଇଥିଲା। ରାତ୍ରକାଳେ ଇନ୍ଦ୍ର ଓ ଅନ୍ୟାନ୍ୟ ଦେବତା ଶ୍ରୀମନ୍ଦିରକୁ ଆସୁଥିଲେ ଚତୁର୍ଧା ମୂରତିଙ୍କ ଦର୍ଶନ ପାଇଁ।

Advertisment

ଇନ୍ଦ୍ର ଚିଠିଟି ପାଇ ବର୍ଷା କରାଇବେ ବୋଲି ସମସ୍ତଙ୍କର ଭାରି ଆଶା ଥିଲା। ତେବେ ସଂସ୍କୃତରେ ଲେଖାହେଇଥିବା ଚିଠିର ଉତ୍ତର ଓଡ଼ିଆରେ ମିଳିଲା। ବର୍ଷା କରିବା ପାଇଁ ଇନ୍ଦ୍ର ସମ୍ମତି ପ୍ରଦାନ କରି ବର୍ଷା କରାଇଲେ। ଏଥିରୁ ପ୍ରମାଣିତ ହେଲା ଯେ, ଆମ କାଳିଆ ଠାକୁର ଓଡ଼ିଆ ଭାଷାକୁ କେତେ ଭଲ ପାଆନ୍ତି। ହେଲେ ଆମେ କେତେ ଭଲ ପାଉଛୁ, ଟିକେ ଭାବନ୍ତୁ।

ଭାଷାକୁ ଆଧାର କରି ରାଜ୍ୟ ଗଠନରେ ଓଡ଼ିଶା ପ୍ରଥମ ଥିଲା । ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓଡ଼ିଆ ରାଜ୍ୟର ସରକାରୀ ଭାଷା ରୂପେ ଗୃହୀତ ହୋଇଥିଲା । ଏ କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ଥିଲା ପ୍ରଥମ। ସେ ଓଡ଼ିଆଭାଷାକୁ କେତେ ଗୁରୁତ୍ୱ ଦେଉଥିଲେ ତା’ର ଏକ ଛୋଟ ଉଦାହରଣ ଦେଉଛି।

Advertisment

ଏକଦା ତାଙ୍କୁ ସାକ୍ଷାତ‌୍‍ କରିବା ପାଇଁ ସରକାରୀ ଦଳ ଅର୍ଥାତ କଂଗ୍ରେସ ଦଳର ଜଣେ ବିଧାୟକ ଓ ଜଣେ କମ୍ୟୁନିଷ୍ଟ କର୍ମୀ ପହଂଚିଲେ । କଂଗ୍ରେସ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ‌୍‍ କରିବାକୁ ସ୍ଖହୁଁଥିବାରୁ ଏକ କାଗଜରେ ଲେଖି ଜଣାଇଥିଲେ । ପରେ ପରେ କମ୍ୟୁନିଷ୍ଟ କର୍ମୀ ମଧ୍ୟ ସାକ୍ଷାତ‌୍‍ କରିବାକୁ ସ୍ଖହୁଁଥିବା ଲେଖି ଜଣାଇଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରଥମେ କମ୍ୟୁନିଷ୍ଟ କର୍ମୀଙ୍କୁ ସାକ୍ଷାତ‌ ଦେଇ ପରେ ନିଜ ଦଳର ବିଧାୟକଙ୍କୁ ଡାକିଥିଲେ।

ଏଥିରେ ବିଧାୟକ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ମୁଁ ଆପଣଙ୍କ ଦଳର ବିଧାୟକ ହୋଇ ମୋତେ ପଛେ ଡାକିଲେ ଅଥଚ ବିରୋଧି କମ୍ୟୁନିଷ୍ଟ ଦଳର କର୍ମୀ ପଛେ ଆସି ଆଗ ସାକ୍ଷାତ‌୍‍ର ସୁଯୋଗ ପାଇଲେ। ଏହାର ଉତ୍ତରରେ ନବବାବୁ କହିଥିଲେ, ଆଗ ପଛ ହୋଇ ଦୁହଁଙ୍କ ଲେଖା ଏକ ସମୟରେ ମୋ ପାଖରେ ପହଞ୍ଚଥିଲେ ହେଁ କମ୍ୟୁନିଷ୍ଟ କର୍ମୀ ଓଡ଼ିଆରେ ଲେଖିଥିବାରୁ ତାଙ୍କୁ ପ୍ରଥମ ସାକ୍ଷାତ ସୁଯୋଗ ଦେଲି। କିନ୍ତୁ ଆପଣଙ୍କ ଲେଖାତ ଇଂରାଜୀରେ ଥିଲା । ନବକୃଷ୍ଣ ଚୌଧୁରୀଙ୍କର ଏହି ବକ୍ତବ୍ୟ ଓଡ଼ିଆ ସ୍ୱାଭିମାନ ପାଇଁ ଯଥେଷ୍ଟ ନୁହେଁ କି ? ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ସ୍ରଷ୍ଟା କୁଳବୃଦ୍ଧ ମଧୁସୂଦନ ଦାସ ବହୁ କ୍ଷେତ୍ରରେ ଥିଲେ ପ୍ରଥମ ଓଡ଼ିଆ । କିନ୍ତୁ ବିନା ଦରମାରେ ମନ୍ତ୍ରୀପଦରେ ରହିବା ପାଇଁ ଜିଦ‌୍‍ ଧରିବାରୁ ବ୍ରିଟିଶ ସରକାର ତାହା ଗ୍ରହଣ କରି ନ ଥିଲେ । ଫଳରେ ବିହାର-ଓଡ଼ିଶା ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଥିଲେ ।

Advertisment

ବିନା ଦରମାରେ ମନ୍ତ୍ରୀପଦରେ ରହିବା ପାଇଁ ଦାବିକରି ତାହା ଗ୍ରହଣ ନ ହେବାରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାରେ ସେ ଥିଲେ ବିଶ୍ୱର ପ୍ରଥମ ବ୍ୟକ୍ତି। ସେ ଥିଲେ ଓଡ଼ିଆ ସ୍ୱାଭିମାନର ପ୍ରତୀକ । ଓଡ଼ିଆ ଯେ ମୁଣ୍ଡରେ ପଗଡ଼ି ଭିଡ଼ନ୍ତି ତା’ର ସନ୍ତକ ସ୍ୱରୂପ ସେ ମୁଣ୍ଡରେ ପିନ୍ଧୁଥିଲେ ପଗଡ଼ି । ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ମଧ୍ୟ କାୟ ମନ ବାକ୍ୟରେ ସେ ଥିଲେ ଖାଣ୍ଟି ଓଡ଼ିଆ ।

ଓଡ଼ିଆର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିଚାଳନା ଦାୟିତ୍ୱ ରାଜାଙ୍କ ହାତରୁ କାଢ଼ି ନେଇ ବ୍ରିଟିଶ ସରକାର ନିଜ ପାଖରେ ରଖିବା ପାଇଁ ସ୍ଥିର କରିନେଲେ। ଏହାର ପ୍ରତିବାଦରେ ସେ ରାଜାଙ୍କ ପକ୍ଷରୁ ଓକିଲ ହୋଇ ଲଢ଼ିଲେ । ସେ ଯୁକ୍ତି ଦର୍ଶାଇଲେ ପୁରୀର ରାଜା ହିଁ ଠାକୁର ରାଜା । ପ୍ରତ୍ୟେକ ଓଡ଼ିଆର ଜନ୍ମ ଜାତକରେ ଗଜପତି ଠାକୁର ରାଜାଙ୍କ ଅଙ୍କ ଲେଖା ହୁଏ । ତାଙ୍କର ବିଭିନ୍ନ ଅକାଟ୍ୟ ଯୁକ୍ତିରେ ଇଂରେଜ ସରକାର ପରାସ୍ତ ହେଲେ ଓ ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ୱ ରାଜାଙ୍କ ହାତରେ ନ୍ୟସ୍ତ ହେଲା।

କେତେକ ଇଂରେଜ ସାହେବ ମଧୁବାବୁଙ୍କୁ କହିଥିଲେ, ତୁମେ ଖ୍ରୀଷ୍ଟିଆନ ହୋଇ ହିନ୍ଦୁରାଜାଙ୍କ ପାଇଁ କାହିଁକି ଲଢ଼ୁଛ? ମଧୁବାବୁ ତା’ର ଉତ୍ତରରେ କହିଥିଲେ, ମୁଁ ପ୍ରଥମେ ଓଡ଼ିଆ, ତା’ପରେ ଖ୍ରୀଷ୍ଟିଆନ। ଶ୍ରୀଜଗନ୍ନାଥ ହିଁ ଓଡ଼ିଆର ଦେବତା। ଏଣୁ ଓଡ଼ିଆର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପାଇଁ ଲଢ଼ିବା ମୋର ପ୍ରଥମ କର୍ତ୍ତବ୍ୟ।

ଶେଷ ଜୀବନରେ ମୃତ୍ୟୁଶଯ୍ୟାରେ ପଡ଼ିଥାନ୍ତି ମଧୁବାବୁ। ପଣ୍ଡିତ ନୀଳକଣ୍ଠ ଦାଶ ତାଙ୍କୁ ଦେଖାକରିବାକୁ ଗଲେ ଏବଂ ପଚାରିଲେ ଲୋକମାନଙ୍କ ପାଇଁ ତାଙ୍କର ବାର୍ତ୍ତା କ’ଣ ? ମଧୁବାବୁ କ୍ଷୀଣ ସ୍ୱରରେ କହିଲେ, ମୁଁ ଚାଲିଯାଉଛି, ଲୋକମାନଙ୍କୁ କହିବ ସେ ଜଣେ ଓଡ଼ିଆ ଥିଲା । ମଧୁବାବୁ ଆଜି ଆଉ ନାହାନ୍ତି, କିନ୍ତୁ ତାଙ୍କର ସେଇ ବାଣୀ ‘ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ, ପୂରୁବ ଗୌରବ ପୂରୁବ ମହିମା ପଡ଼ୁନାହିଁ କିରେ ତୋର ମନେ।’

ଆଜି ଆମେ ମଧୁବାବୁଙ୍କ କଥା ମନେ ପକାଇବା ସହିତ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନ କଥା ଚିନ୍ତା କରିବା ଉଚିତ। କିନ୍ତୁ ପ୍ରକୃତରେ କରୁଛନ୍ତି କ’ଣ ? ରାଜ୍ୟ ସରକାରଙ୍କର ଅପାରଗତାରୁ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଐତିହାସିକ ବୋର୍‌ କେଭ‌୍‍ ସହିତ ୧୨ଟି ଗ୍ରାମ ସୁପ୍ରିମ୍‌କୋର୍ଟଙ୍କ ରାୟ ଫଳରେ ଓଡ଼ିଶାରୁ ଚାଲିଯାଇଛି । ପଟ୍ଟାଙ୍ଗୀ ବ୍ଲକ୍‌ର କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ୧୯୫୮ରୁ ଲାଗିରହିଛି, ଏବେ ଓଡ଼ିଶାର ୧୯୮ଟି ଗ୍ରାମ ସୀମା ବିବାଦରେ। ଏହାର କାରଣ ଓଡ଼ିଶା ସରକାର ସୀମାନ୍ତ ଗ୍ରାମଗୁଡ଼ିକର ଉନ୍ନୟନ ପ୍ରତି ଦୃଷ୍ଟି ଦେଉନାହାନ୍ତି।

ଅପରପକ୍ଷେ ପଡ଼ୋଶୀ ରାଜ୍ୟ ସେହି ଗ୍ରାମମାନଙ୍କରେ ରାସ୍ତାଘାଟ, ବିଦ୍ୟୁତ‌୍‍ ସଂଯୋଗ, ଇନ୍ଦିରା ଆବାସ ଗୃହ ନିର୍ମାଣ ଠାରୁ ଆରମ୍ଭ କରି ସମସ୍ତ ଉନ୍ନୟନ କାର୍ଯ୍ୟ ପ୍ରତି ଦୃଷ୍ଟି ଦେଉଥିବାରୁ ପଡ଼ୋଶୀ ରାଜ୍ୟ ପ୍ରତି ଉକ୍ତ ଗ୍ରାମର ଅଧିବାସୀମାନେ ଆକୃଷ୍ଟ ହେଉଛଂତି । ଓଡ଼ିଆ ଭାଷା ଛାଡ଼ି ସେମାନଙ୍କ ଭାଷା ଶିଖିବା ପାଇଁ ଆଗ୍ରହ କରୁଛନ୍ତି ।

ସ୍ୱାଧୀନତା ପର ଠାରୁ ଓଡ଼ିଶାର କୌଣସି ସରକାର ସୀମାନ୍ତ ଅଂଚଳର ଗ୍ରାମମାନଙ୍କର ଉନ୍ନୟନ ପ୍ରତି ଦୃଷ୍ଟି ଦେଇନାହାନ୍ତି। ଫଳରେ ସୀମାନ୍ତ ଗ୍ରାମଗୁଡ଼ିକ ଆମ ହାତରୁ ଖସି ଯିବାକୁ ବସିଛି । ସ୍ୱାଭିମାନୀ ଓଡ଼ିଆ କେବେ ଏଭଳି କାର୍ଯ୍ୟକୁ ବରଦାସ୍ତ କରିବ ନାହିଁ । ଆଜିର ରାଜନେତାମାନେ ମଧୁବାବୁଙ୍କ ଠାରୁ କିଛି ବି ଶିଖିଲେ ନାହିଁ । ଭାଷା, ସାହିତ୍ୟ, ସଂସ୍କୃତିକୁ ନେଇ ଜାତି ଗର୍ବ କରେ। ଦିନେ ଉତ୍କଳର ସମ୍ରାଟ ବୀର ଶ୍ରୀ ଗଜପତି ଗୌଡେ଼ଶ୍ୱର କର୍ଣ୍ଣାଟ ଉତ୍କଳ କଳବର୍ଗେଶ୍ୱର ବିରାଧି ବୀରବର କପିଳେନ୍ଦ୍ର ଦେବ ସଂସ୍କୃତ ପରିବର୍ତ୍ତେ ଓଡ଼ିଆକୁ ସରକାରୀ ଭାଷା ରୂପେ ଘୋଷଣା କରିଥିଲେ। ଫଳରେ ଗଙ୍ଗା ଠାରୁ କାବେରୀ ପର୍ଯ୍ୟନ୍ତ ଅଂଚଳରେ ଓଡ଼ିଆ ହୋଇଗଲା ରାଜ ଭାଷା। କିନ୍ତୁ ଏବେ ଏହି କ୍ଷୁଦ୍ର ଓଡ଼ିଶାରେ ଓଡ଼ିଆ ଭାଷା ଦିନକୁ ଦିନ ଅବକ୍ଷୟ ହେବାକୁ ବସିଲାଣି।

ଝାଡ଼ଖଣ୍ଡ ଜିଲ୍ଲାର ଷଢ଼େଇକଳା, ଖରସୁଆଁ, ଚକ୍ରଧରପୁର, ଚାଇଁବସା, ଧଳଭୂମି ଅଞ୍ଚଳରୁ ଓଡ଼ିଆ ଭାଷା ଲୋପ ପାଇଲାଣି। ଓଡ଼ିଆ ବିଦ୍ୟାଳୟଗୁଡ଼ିକ ପ୍ରାୟ ବନ୍ଦ ହୋଇଗଲାଣି। ଛତିଶଗଡ଼ ରାଜ୍ୟରେ ଥିବା ବସ୍ତର, ଦନ୍ତେୱାଡ଼ା, ସୁରଗୁଜା, ଶକ୍ତ, ଫୁଲଝର ଅଂଚଳର ଓଡ଼ିଆମାନେ ହିନ୍ଦୀ ଭାଷାରେ କଥା ହୁଅନ୍ତି। ଆନ୍ଧ୍ରର ଟେକାଲି, ତରଳା, ମଞ୍ଜୁଷା, ବୁଢ଼ାସିଙ୍ଗାର ଭଳି ଓଡ଼ିଆ ବହୁଳ ଅଂଚଳକୁ ଆମେ ଓଡ଼ିଶାକୁ ଆଣି ପାରିଲୁ ନାହିଁ କି ସେଠାରେ ଥିବା ଓଡ଼ିଆ ପିଲା କିପରି ଓଡ଼ିଆ ଭାଷାରେ ପାଠ ପଢ଼ିବେ ସେଥିପ୍ରତି ଧ୍ୟାନ ଦେଲୁନାହିଁ । କାରଣ ଆମର ଜାତି ପ୍ରୀତି ନାହିଁ କି ଭାଷା ପ୍ରୀତି ନାହିଁ ।

ସାଂପ୍ରତିକ ସମୟରେ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଆମ ପାଇଁ ବଡ଼ ପ୍ରଶ୍ନ ପାଲଟିଛି। ମାତୃଭାଷାରେ ସରକାରୀ କାଗଜପତ୍ର ହେବା ଏବଂ ମାତୃଭାଷାକୁ ଭଲ ପାଇବା ପାଇଁ ଲୋକଙ୍କୁ ଅନୁରୋଧ କରିବା ଭଳି ଲଜ୍ଜାକର କଥା କିଛି ନାହିଁ। ୨୦୧୪ ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଲା। ଏହା ପୂର୍ବରୁ ୨୦୦୩ରେ ତାମିଲ, ୨୦୦୫ରେ ସଂସ୍କୃତ, ୨୦୦୬ରେ କନ୍ନଡ଼ ଓ ତେଲୁଗୁ ଏବଂ ୨୦୧୩ରେ ମାଲାୟାମ‌୍‍ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇସାରିଛି। ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବାରେ ଆମ ଓଡ଼ିଆ ଭାଷା ହେଉଛି ଷଷ୍ଠ ଭାଷା। ବିଭିନ୍ନ ପୁରାଣ, ଶାସ୍ତ୍ର, ଶିଳାଲିପିରୁ ଆମ ଭାଷାର ପ୍ରାଚୀନତା ପ୍ରମାଣ ହୋଇସାରିଛି। ଏକଦା କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ଓଡ଼ିଆ ଭାଷାକୁ ଲୋପ କରିବାକୁ କହିଥିଲେ, ଓଡ଼ିଆ ଏକ୍‌ଟା ସ୍ୱତନ୍ତ୍ର ଭାଷା ନଏ। ଫକୀରମୋହନ ସେନାପତିଙ୍କ ନେତୃତ୍ୱରେ ତା’ର ପ୍ରତିବାଦ କରାଯାଇଥିଲା।

ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ପାଇଁ କେନ୍ଦ୍ର ସରକାର ଯେଉଁ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି, ସେ ସବୁ ଆମର ବହୁ ପୂର୍ବରୁ ଥିଲା। ଆମେ ଯଦି ଠିକ ସମୟରେ ଦାବି ଉପସ୍ଥାପନ କରିପାରିଥାନ୍ତୁ ହୁଏତ ଆମ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାରେ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ଥାଆନ୍ତା। ଓଡ଼ିଆ ଭାଷା ପ୍ରାଚୀନ ତଥା ସମୃଦ୍ଧ ଭାଷା ହୋଇଥିବାରୁ ଆମେ ସେଥିପାଇଁ ଗୌରବ ଅନୁଭବ କରୁଛେ।

ଯାହାବି ହେଉ, ମାର୍ଚ୍ଚ ୧୧ ତାରିଖ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦ୍ୱିତୀୟ ପ୍ରସଂଗଟି ହେଲା, ଫେବୃଆରୀ ୨୧ ତାରିଖ, ଏହି ଦିନଟି ବିଶ୍ୱ ମାତୃଭାଷା ଦିବସଭାବେ ପାଳନ କରାଯାଉଛି ୟୁନେସ୍କୋ ଦ୍ୱାରା। ମାତୃଭାଷା ପ୍ରତି ହୀନମନ୍ୟତା ଦୂରକରି ଏହାର ପ୍ରଚାର, ପ୍ରସାର ଦିଗରେ ଜାତିସଂଘ ପକ୍ଷରୁ ଏହି ଉଦ୍ୟମ ସ୍ୱାଗତଯୋଗ୍ୟ। ଏତଦ‌୍‍ବ୍ୟତୀତ ଆମ ମାତୃଭାଷା ପାଇଁ ଆମେ ଆଉ ଯୋଉ ଦିନଟି ସବୁଠୁ ଆଗ ମନେପକାଉଛେ ତାହା ହେଉଛି ଉତ୍କଳ ଦିବସ ବା ଓଡ଼ିଶା ଦିବସ, ଏପ୍ରିଲ ୧ ତାରିଖ।

ଏହିଦିନ ଆମ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା। ମାତୃଭାଷା ପାଇଁ ଆଉ ଗୋଟିଏ ବଡ଼ଦିନ ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଏହା ହେଉଛି ଓଡ଼ିଆର ନବବର୍ଷ। ପ୍ରାୟତଃ ଏହା ଏପ୍ରିଲ ମାସରେ ପଡ଼ିଥାଏ। ଏହିଠାରୁ ଓଡ଼ିଶାରେ ନୂତନ ବର୍ଷ ଆରମ୍ଭ ହୁଏ। ଏଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭୋଗ, ପୂଜା, ହୋମ ଆଦି ଅନୁଷ୍ଠିତ ହୋଇଥାଏ।

ଛତୁଆ, ପଣା ଭୋଗର ବିଧି ରହିଥିବାରୁ ଏହାକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ପଣା ସଂକ୍ରାନ୍ତି ଠାରୁ ଓଡ଼ିଶାରେ ବାର୍ଷିକ ପଞ୍ଜିକାର ଅୟମାରମ୍ଭ ହୁଏ। ଓଡ଼ିଆମାନେ ଏହି ପବିତ୍ର ତିଥିକୁ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜନଜୀବନରେ ବେଶ‌୍ ଗୁରୁତ୍ୱ ପ୍ରଦାନ କରିଥାନ୍ତି। ବିଷୁବର ଆଗମନରେ ସମଗ୍ର ଓଡ଼ିଶା ଉତ୍ସବ ମୁଖର ହୋଇଉଠେ । ମଠ ମନ୍ଦିର ତଥା ସମସ୍ତ ଦେବ ପୀଠ ଭଜନ, ପାରାୟଣ ତଥା ପୂଜା ପାଠରେ ଭକ୍ତିପ୍ଲାବିତ ହୋଇଉଠେ । ତା’ ସାଙ୍ଗକୁ ସାଂସ୍କୃତିକ ମହୋତ୍ସବ, ସାରସ୍ୱତ ସମାରୋହ ଆଉ ବନ୍ଧୁମିଳନ। ଓଡ଼ିଆ ସାହିତ୍ୟ ସହିତ ବିଷୁବ ସଂକ୍ରାନ୍ତି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। କହିବାକୁ ଗଲେ ଏହା ଓଡ଼ିଶାର ଜାତୀୟ ପର୍ବ। ତେବେ ଆମ ମାତୃଭାଷା ସଚେତନତା ଅଭାବରୁ ଦିନକୁ ଦିନ କ୍ଷତବିକ୍ଷତ ହେବାରେ ଲାଗିଛି। ଇଂରାଜୀ ମାଧ୍ୟମ ବିଦ୍ୟାଳୟମାନଙ୍କ ଯୋଗଁ ଓଡ଼ିଆ ଭାଷାର ବିଲୋପ ହେଉଛି। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସାହିତ୍ୟିକମାନେ ଜାଗ୍ରତ ପ୍ରହରୀଭାବେ କାର୍ଯ୍ୟ କରିବା ଆବଶ୍ୟକ। ଆମ ରାଜ୍ୟରେ ଓଡ଼ିଆ ବାସ୍ତବରେ ସରକାରୀ ଭାଷା ହେଉ। କାଗଜ କଲମରେ ନ ହେଇ କାର୍ଯ୍ୟରେ ହେଉ।

ନିମ୍ନଶ୍ରେଣୀ ଅଦାଲତମାନଙ୍କରେ ଓଡ଼ିଆ ଭାଷାରେ ଜବାବ ସୁଆଲ ତଥା ବିଚାର ମିଳୁ। ପ୍ରତ୍ୟେକ ସରକାରୀ ପ୍ରତିଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆରେ ଲେଖାଯାଉ। ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆ ବିବାହ ବ୍ରତ ଆଦି ନିମନ୍ତ୍ରଣ ପତ୍ର ଓଡ଼ିଆରେ ଛାପନ୍ତୁ ଓ ନିଜ ଦସ୍ତଖତ ଓଡ଼ିଆରେ କରନ୍ତୁ। ହୀନମନ୍ୟତାର ଶିକାର ହୋଇ ଯେଉଁ ଓଡ଼ିଆମାନେ ମାତୃଭାଷା ପ୍ରତି ଅବଜ୍ଞା କରୁଛନ୍ତି ସେମାନଙ୍କୁ କୁ ପଥରୁ ଉଦ୍ଧାର କରିବା ପ୍ରତ୍ୟେକ ସାହିତ୍ୟିକ, କଳାକାର, ସମାଜସେବୀ ତଥା ବୁଦ୍ଧିଜୀବୀମାନଙ୍କର ଦାୟିତ୍ୱ।

ଗାଁଗଣ୍ଡାରେ ଯେପରି ପ୍ରତ୍ୟେକ ଦିନ ଲୋକମାନେ ସଂଧ୍ୟା ସମୟରେ ଭାଗବତ ପଢ଼ି ଆଦର୍ଶ ଜୀବନ ଯାପନ କରିବେ ସେଥିପ୍ରତି ସହଯୋଗ କରନ୍ତୁ। ଓଡ଼ିଆ ଭାଷାର ବହୁଳ ପ୍ରଚାର ପ୍ରସାର ଏବଂ ଗୁଣାତ୍ମକ ସାହିତ୍ୟ ସୃଷ୍ଟି ହେଉ। ବର୍ଷକେ କେବଳ ଉତ୍କଳ ଦିବସ, ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ, ବିଶ୍ୱ ମାତୃଭାଷା ଦିବସ ବା ଓଡ଼ିଆ ନବବର୍ଷ ଭଳି କେତୋଟି ଦିବସ ନୁହଁ, ବର୍ଷକ ୩୬୫ ଦିନ/ସବୁଦିନ ଆମେ ଆମ ମାତୃଭାଷାକୁ ମନେପକାଇବା ଜରୁରୀ, ସେଥିପାଇଁ କାମ କରିବା ଜରୁରି। ତେଣୁ ‘ମାତୃଭାଷା ପାଇଁ ଦିନେ ଦି’ ଦିନ କି ଚାରିଦିନ ନୁହଁ, ସବୁଦିନ ଲୋଡ଼ା’।

ଓଡ଼ିଆ ଭାଷା ଆମ ମାଆ । ଅନ୍ୟଭାଷା ହେଲେ ଆମର ମାଉସୀ । ଏଣୁ ମାଉସୀକୁ ମାଆ କହିବା ଏବଂ ମାଆକୁ ମାଉସୀ କହିବା କେତେଦୂର ଯୁକ୍ତିଯୁକ୍ତ ତାହା ପ୍ରତ୍ୟେକ ଓଡ଼ିଆ ଅନୁଭବ କରିବା ଉଚିତ‌। କବି ଗଙ୍ଗାଧର ମେହେର ପରା ଲେଖିଛନ୍ତି– ମାତୃଭୂମି, ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ?

ଓଡ଼ିଆ ଭାଷା ଅହମିୟା ଓ ବଙ୍ଗଳା ଭାଷା ଠାରୁ ପ୍ରାଚୀନ ଓ ସମୃଦ୍ଧ। ଏହା ସଂସ୍କୃତ ଭାଷାର ସମସାମୟିକ। ଓଡ଼ିଆ ଭାଷାର ଗୌରବ ଓ ଗୁରୁତ୍ୱକୁ ଆମେ ଅନୁଭବ କରିବା ଉଚିତ ଆଉ ଗର୍ବ କରିବା ଉଚିତ ଯେ ଏଭଳି ଭାଷା ଆମର ମାତୃଭାଷା। ଆମ ଜନଜୀବନର ମାଧ୍ୟମ ହେଉ ଆମ ମା’ର ଭାଷା। ସଭାପତି, ଖୋର୍ଦ୍ଧା ଜିଲ୍ଲା ଭାଷା ସୁରକ୍ଷା ସମ୍ମିଳନୀ ବକ୍ସି ଜଗବଂଧୁ ନଗର, ଖୋର୍ଦ୍ଧା ଦୂରଭାଷ-୯୨୩୭୦୮୯୫୦୯

Utkal Diwas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ