ଯଦି ତାଙ୍କ କ୍ରିକେଟ୍ ପରିସଂଖ୍ୟାନକୁ ବିଚାରକୁ ନିଆଯାଏ, ତାହା ଖୁବ୍ ସାଧାରଣ ମନେହେବ। ୨୯ ଟେଷ୍ଟ୍, ୧୨୦୨ ରନ୍, ଗୋଟିଏ ଶତକ, ୨୫.୦୪ ଆଭରେଜ୍ ଏବଂ ୭୫ ୱିକେଟ୍। କିନ୍ତୁ ଯେଉଁମାନେ ତାଙ୍କ ସହ କ୍ରିକେଟ୍ ଖେଳିଛନ୍ତି ଅଥବା ତାଙ୍କୁ ଖେଳିବାର ଦେଖିଛନ୍ତି, ସେମାନଙ୍କ ପାଇଁ ଏହି ପରିସଂଖ୍ୟାନ କୌଣସି ମୂଲ୍ୟ ରଖେ ନାହିଁ।
ସେ ନିଶ୍ଚିତରୂପେ ଭାରତର ସବୁଠାରୁ ପ୍ରତିଭାଶାଳୀ ଓ ଷ୍ଟାଇଲିଶ୍ ଖେଳାଳିଙ୍କ ମଧ୍ୟରେ ଥିଲେ ଅନ୍ୟତମ। ସେ ଆକ୍ରମଣାତ୍ମକ ବାମହାତି ବ୍ୟାଟର୍ ଓ ବାମହାତି ସ୍ପିନର୍। ନୀଳ ଆଖି, ଉଚ୍ଚା ଓ ଆକର୍ଷଣୀୟ ଚେହେରା, ବିନ୍ଦାସ୍ ବ୍ୟକ୍ତିତ୍ୱ। ସେ ଯେଉଁଠିକି ଯାଉଥିଲେ, ଲୋକେ ତାଙ୍କୁ ଘେରି ଯାଉଥିଲେ। ନିଜ ସମୟରେ ସେ ଥିଲେ ଖୁବ୍ ଲୋକପ୍ରିୟ। ଦର୍ଶକଙ୍କ ଡିମାଣ୍ଡରେ ଛକା ମାରିବାର ସାମର୍ଥ୍ୟ ବି ଥିଲା ତାଙ୍କର।
ସେ ହେଲେ ଆଫଗାନିସ୍ତାନର କାବୁଲ୍ରେ ଜନ୍ମଗ୍ରହଣ କରିଥିବା ସଲିମ୍ ଦୁରାନୀ। ଏପ୍ରିଲ୍ ୨ ସକାଳେ ୮୮ ବର୍ଷ ବୟସରେ ସେ ଅଗଣିତ କ୍ରିକେଟ୍ପ୍ରେମୀଙ୍କ ଠାରୁ ଚିରବିଦାୟ ନେଇଥିଲେ। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ବହୁ ପୂର୍ବତନ କ୍ରିକେଟରଙ୍କ ଠାରୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ତାଙ୍କ ବିୟୋଗରେ ଶୋକପ୍ରକଟ କରିଥିଲେ।
Also Read
ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ସ୍ମରଣୀୟ ଟେଷ୍ଟ୍ ବିଜୟ:
୧୯୭୧ରେ ୱେଷ୍ଟ୍ଇଣ୍ଡିଜ୍ରେ ପ୍ରଥମ ଥର ଟେଷ୍ଟ୍ ମ୍ୟାଚ୍ ଜିତିଥିଲା ଭାରତ। ଏହି ବିଜୟରେ ଦିଲୀପ ସରଦେସାଇ ଓ ନବାଗତ ସୁନୀଲ୍ ଗାଭାସ୍କରଙ୍କ ସହ ସଲିମ୍ ଦୁରାନୀଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା। ଦୁରାନୀଙ୍କ ଯାଦୁକରୀ ସ୍ପେଲ୍ ପାଇଁ ଏହି ମ୍ୟାଚ୍ ଅଧିକ ସ୍ମରଣୀୟ।
ଦୁରାନୀ ପୋର୍ଟ ଅଫ୍ ସ୍ପେନ୍ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ କ୍ରମାଗତ ଦୁଇ ବଲ୍ରେ କ୍ଲାଇଭ୍ ଲଏଡ୍ ଓ ଗ୍ୟାରୀ ସୋବର୍ସଙ୍କ ଭଳି ବ୍ୟାଟରଙ୍କୁ ପାଭିଲିଅନ୍ ପଠାଇଥିଲେ। ଥରେ ଖୋଦ୍ ଦୁରାନୀ ସେ ଦିନର କଥାକୁ ମନେପକେଇ କହିଥିଲେ, “ମତେ ସେହି ୱିକେଟ୍ ଦେବାର ଶ୍ରେୟ ଜୟସିଂହଙ୍କୁ ଯାଏ। ତାଙ୍କୁ ଜଣାଥିଲା ଯେ ମୁଁ ଦ୍ରୁତ ଗତିରେ ସ୍ପିନ୍ ବୋଲିଂ କରିଥାଏ। ସେ ମତେ ବଲ୍ ଦେବାକୁ ୱାଦେକରଙ୍କୁ କହିଥିଲେ। ମୋ ବଲ୍ରେ ଲଏଡ୍ ମିଡ୍ଅଫ୍ରେ ଛିଡ଼ା ହୋଇଥିବା ୱାଦେକରଙ୍କୁ କ୍ୟାଚ୍ ଦେଇଥିଲେ। ମୁଁ ପରବର୍ତ୍ତୀ ବଲ୍ ଅଫ୍ଷ୍ଟମ୍ପ୍ ବାହାରେ ରଫ୍ ଉପରେ ପକାଇଥିଲି, ତାହା ଟର୍ଣ୍ଣ ହୋଇଥିଲା ଏବଂ ସୋବର୍ସଙ୍କ ଲେଗ୍ ବେଲ୍ ଉଡ଼ିଯାଇଥିଲା।”
ସୁନୀଲ ଗାଭାସ୍କର ନିଜ ଆତ୍ମଜୀବନୀ ‘ସନୀ ଡେଜ୍’ରେ ଲେଖିଛନ୍ତି ଯେ ଯେତେବେଳେ ଦୁରାନୀ ସୋବର୍ସଙ୍କୁ ବୋଲ୍ଡ କଲେ, ସେତେବେଳେ ସେ ଜୋର୍ରେ ଡେଇଁଥିଲେ ଏବଂ ପ୍ରାୟ ଏକ ମିନିଟ୍ ଯାଏଁ ଡେଇଁଥିଲେ। ଦୁରାନୀ ମନେପକାଇଥିଲେ ଯେ ଗାଭାସ୍କର ତାଙ୍କ ପାଖକୁ ହସି ହସି ଆସିଲେ ଏବଂ କହିଲେ - ଅଙ୍କଲ୍, ଏମିତି ସ୍କିପିଂ କରିଚାଲିଥିବ, ମ୍ୟାଚ୍କୁ ଆଗକୁ ଯିବାକୁ ଦେବନି।
ଦୁରାନୀ ୧୭ ଓଭର୍ ବୋଲିଂ କରି ମାତ୍ର ୨୧ ରନ୍ ଦେଇଥିଲେ ଏବଂ ଭାରତ ଏହି ମ୍ୟାଚ୍ ୭ ୱିକେଟ୍ରେ ଜିତିଥିଲା। ସେହି ଗସ୍ତରେ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୦ରେ ଜିତିଥିଲା। କାରିବୀୟ ଟିମ୍ ବିପକ୍ଷରେ ଭାରତର ଏହା ପ୍ରଥମ ଟେଷ୍ଟ୍ ସିରିଜ୍ ବିଜୟ ଥିଲା।
ଏହି ଟେଷ୍ଟ୍ର ୧୦ ବର୍ଷ ପୂର୍ବେ ୧୯୬୧-୬୨ରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ୍ ସିରିଜ୍ରେ ଭାରତର ୨-୦ ବିଜୟରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ନଅ ଇନିଂସ୍ରେ ସର୍ବାଧିକ ୨୩ ୱିକେଟ୍ ନେଇଥିଲେ।
ପଟୌଦୀଙ୍କ ବହୁମୂଲ୍ୟ ୱିକେଟ୍:
ସଲିମ୍ ଦୁରାନୀଙ୍କ ବନ୍ଧୁ ତଥା ନିଜ ସମୟର ଜଣାଶୁଣା ମିଡିଅମ୍ ପେସର୍ କୈଳାସ ଗଟ୍ଟାନୀଙ୍କ କହିବାନୁଯାୟୀ, ଥରେ ରାଜସ୍ଥାନ ଓ ହାଇଦରାବାଦ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍ ହେଉଥିଲା।
ହାଇଦରାବାଦ ପକ୍ଷରୁ ଟାଇଗର ପଟୌଦୀ ବ୍ୟାଟିଂ କରୁଥିଲେ। ଗଟ୍ଟାନୀ ନିଜ ପ୍ରଥମ ଓଭର୍ ପକାଇ ସାରିଥିଲେ। ଯେତେବେଳେ ସେ ଦ୍ୱିତୀୟ ଓଭର୍ ପକାଇବାକୁ ବୋଲିଂ ରନ୍ ଅପ୍ ଆଡ଼କୁ ଯାଉଥିଲେ, ଦୁରାନୀ ତାଙ୍କୁ କହିଥିଲେ - ତୁମେ ଟିକେ ବିଶ୍ରାମ କର। ମୁଁ ବୋଲିଂ କରିବି। ଏହାପରେ ଗଟ୍ଟାନୀ ଅଭିଯୋଗ କରିବା ଶୈଳୀରେ ଅଧିନାୟକ ହନୁମନ୍ତ ସିଂହଙ୍କ ପାଖକୁ ଗଲେ।
ହନୁମନ୍ତ କହିଥିଲେ - ଯଦି ଦୁରାନୀ ଏମିତି କରୁଛନ୍ତି, ତା’ ପଛରେ ନିଶ୍ଚୟ କୌଣସି କାରଣ ଥିବ।
ଦୁରାନୀ ବୋଲିଂ କଲେ। ସେ ପଟୌଦୀଙ୍କ ଅଫ୍ ଷ୍ଟମ୍ପ୍ ଆଡ଼କୁ ତିନି ବଲ୍ ପକାଇଥିଲେ। ଚତୁର୍ଥ ବଲ୍ ତାଙ୍କ ଲେଗ୍ ଷ୍ଟମ୍ପ୍ ଆଡ଼କୁ ପକାଇଥିଲେ। ଏହା ସ୍ପିନ୍ ହୋଇଥିଲା ଓ ପଟୌଦୀଙ୍କ ଅଫ୍ଷ୍ଟମ୍ପ୍ ଉଡ଼ିଯାଇଥିଲା। ମ୍ୟାଚ୍ ପୂରା ଓଲଟି ଯାଇଥିଲା।
ପରବର୍ତ୍ତୀ ଓଭର୍ରେ ଗଟ୍ଟାନୀ ଯେତେବେଳେ ନିଜ ଫିଲ୍ଡିଂ ପୋଜିସନ୍ ଆଡ଼କୁ ଯାଉଥିଲେ, ଦୁରାନୀ କହିଥିଲେ - ନିଅ ତୁମ ବଲ୍ ଏବଂ ବାକି ଖେଳାଳିଙ୍କୁ ଆଉଟ୍ କର।
ଇଷ୍ଟ୍ ଷ୍ଟାଣ୍ଡ୍ ଆଡ଼କୁ ଛକା:
ସଲିମ୍ ଦୁରାନୀ ଯାଦୁକରୀ ସ୍ପିନ୍ ବୋଲିଂ ସହ ବିସ୍ଫୋରକ ବ୍ୟାଟିଂ ବି କରୁଥିଲେ। ୧୯୭୩ରେ ଏମ୍ସିସିର ଭାରତ ଗସ୍ତ ସମୟରେ ସେଠାକାର ଅଫ୍ସ୍ପିନର୍ ପାଟ୍ ପୋକକ୍ ଏକ ପାର୍ଟିରେ ନିଜେ ନିଜ ବୋଲିଂର ପ୍ରଶଂସା କରୁଥିଲେ।
ସେତେବେଳେ ସଲିମ ଦୁରାନୀ ତାଙ୍କୁ କହିଲେ - ପାଟ୍, ତୁମକୁ ଅଫ୍ ସ୍ପିନ୍ ଆସେ ନାହିଁ। ଆଗକୁ ଯେତେବେଳେ ତୁମେ ବୋଲିଂ କରିବ, ମୁଁ ତୁମ ପ୍ରଥମ ବଲ୍ରେ ଇଷ୍ଟ୍ ଷ୍ଟାଣ୍ଡ୍ ଆଡ଼କୁ ଛକା ମାରିବି।
ଗୋଟିଏ ଟେଷ୍ଟ୍ରେ ସର୍ବାଧିକ କ୍ୟାଚ୍ ନେବାର ବିଶ୍ୱ ରେକର୍ଡ କରିଥିବା ଯଜୁବେନ୍ଦ୍ର ସିଂହ କହିଛନ୍ତି ଯେ ମୁମ୍ବାଇ ଟେଷ୍ଟ୍ରେ ଯେତେବେଳେ ଅଧିନାୟକ ମାଇକ୍ ଡେନେସ୍, ପୋକକ୍ଙ୍କୁ ବଲ୍ ଧରାଇଥିଲେ, ଏହି ସ୍ପିନର୍ ମନେପକାଇ ଦେଇଥିଲେ ଯେ ଦିନକ ପୂର୍ବରୁ ଦୁରାନୀ ତାଙ୍କୁ କହିଥିଲେ ଯେ ସେ ତାଙ୍କ ପ୍ରଥମ ବଲ୍ରେ ଛକା ମାରିବେ।
ଡେନେସ୍ ତାଙ୍କୁ କହିଥିଲେ - ପାର୍ଟି ତ ଅଲଗା କଥା, ଏହା ଟେଷ୍ଟ ମ୍ୟାଚ୍। ତୁମେ ନ ଡରି ଅଫ୍ ଷ୍ଟମ୍ପ୍ ବାହାରକୁ ବଲ୍ ପକାଅ। ମୁଁ ତୁମ ପାଇଁ ମିଡ୍ୱିକେଟ୍ରେ ବି ଫିଲ୍ଡର୍ ରଖିଛି।
ତଦନୁଯାୟୀ ପୋକକ୍ ବଲ୍ ପକାଇଥିଲେ ଏବଂ ଦୁରାନୀ ପ୍ରତିଶ୍ରୁତି ଅନୁଯାୟୀ ତାଙ୍କ ପ୍ରଥମ ବଲ୍ରେ ଇଷ୍ଟ୍ ଷ୍ଟାଣ୍ଡ୍ ଆଡ଼କୁ ଛକା ମାରିଥିଲେ। ଏହାପରେ ଦୁରାନୀ, ପୋକକ୍ଙ୍କ ପାଖକୁ ଯାଇଥିଲେ ଏବଂ କହିଥିଲେ - ମୁଁ ତୁମକୁ କହିଥିଲି ନା ତୁମେ ଅଫ୍ ସ୍ପିନର୍ ନୁହଁ। ଏହି ଇନିଂସ୍ରେ ଦୁରାନୀ ୭୩ ରନ୍ କରିଥିଲେ।
ଦୁରାନୀ ୧୯୬୨ରେ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ କ୍ୟାରିଅରର ଏକମାତ୍ର ଟେଷ୍ଟ୍ ଶତକ ଲଗାଇଥିଲେ। ସେ କ୍ୟାରିଅର୍ର ଶେଷ ଟେଷ୍ଟ୍ ମ୍ୟାଚ୍ ୧୯୭୩ ଫେବ୍ରୁଆରୀରେ ଇଂଲଣ୍ଡ ବିପକ୍ଷରେ ବ୍ରାବର୍ଣ୍ଣ ଷ୍ଟାଡିୟମ୍ରେ ଖେଳିଥିଲେ, ଯେଉଁଠି ୧୯୬୦ରେ ସେ ପଦାର୍ପଣ ଆନ୍ତର୍ଜାତିକ ଟେଷ୍ଟ୍ ଖେଳିଥିଲେ। ଘରୋଇ କ୍ରିକେଟ୍ରେ ସେ ସୌରାଷ୍ଟ୍ର, ଗୁଜରାଟ ଓ ରାଜସ୍ଥାନ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।
୧୯୭୩ରେ ଦୁରାନୀ ‘ଚରିତ୍ର’ ଚଳଚ୍ଚିତ୍ରରେ ପରବୀନ ବାବୀଙ୍କ ସହ ଅଭିନୟ କରିଥିଲେ। ଅର୍ଜୁନ ପୁରସ୍କାର ପାଇବାରେ ସେ ପ୍ରଥମ କ୍ରିକେଟର୍ ଥିଲେ। ୨୦୧୧ରେ ବିସିସିଆଇ ତାଙ୍କୁ ସିକେ ନାଇଡ଼ୁ ଲାଇଫ୍ଟାଇମ୍ ଆଚିଭମେଣ୍ଟ୍ ପୁରସ୍କାର ଦେଇଥିଲା।
ଷାଠିଏ ଦଶନ୍ଧି ଓ ସତୁରି ଦଶନ୍ଧିର ଆଦ୍ୟଭାଗରେ ଦୁରାନୀ ଅଲ୍ରାଉଣ୍ଡର୍ ଭାବେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ। ଆଜିର କ୍ରିକେଟର୍ ହୁଏତ ଏହି ପ୍ରତିଭାଶାଳୀ ବ୍ୟକ୍ତିତ୍ୱଙ୍କୁ ବୁଝିପାରିବେନି; ହେଲେ ତାଙ୍କ ଯୋଗଦାନ ଅବିସ୍ମରଣୀୟ, ସେ ଅଲିଭା ସଳିତା।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)