ବାସ୍ତୁଶାସ୍ତ୍ର ଏକ ପ୍ରାଚୀନ ଶାସ୍ତ୍ର। ଏହି ଶାସ୍ତ୍ର କେବଳ ହିନ୍ଦୁ ଧର୍ମ ପାଇଁ ନୁହେଁ, ଏହି ଶାସ୍ତ୍ର ସବୁ ଧର୍ମ ଓ ସମ୍ପ୍ରଦାୟ ପାଇଁ ପ୍ରଯୁଜ୍ୟ। ଗୃହ ମଧ୍ୟରେ ବାସକରୁଥିବା ସମସ୍ତଙ୍କ ଉପରେ ବିଭିନ୍ନ ପ୍ରକାର ଶକ୍ତି ପ୍ରଭାବ ପକାଇଥାଏ। ଯାହାକୁ କସ୍ମିକ୍ ଶକ୍ତି, ସୌରଶକ୍ତି, ଚୁମ୍ବକୀୟଶକ୍ତି, ଜୈବିକଶକ୍ତି, ପୂଥିବୀର ମାଧ୍ୟାକର୍ଷଣ ଶକ୍ତି ବୋଲି କୁହାଯାଏ।
ଏହି ସବୁ ଶକ୍ତି ବାସ୍ତୁ ଉପରେ ପ୍ରଭାବ ପକାଏ ଏବଂ ପ୍ରଭାବ ଶୁଭ ଥିଲେ ମଣିଷ ଉପରେ ଶୁଭଫଳ ମିଳେ ଯଦି ବାସ୍ତୁ ନିର୍ମାଣରେ ତୃଟିଥାଏ, ତେବେ ଏହି ଶକ୍ତିର ପ୍ରଭାବ ନକରାତ୍ମକ ଭାବରେ ଗୃହ ଉପରେ ଏବଂ ଗୃହରେ ବସବାସ କରୁଥିବା ଲୋକମାନଙ୍କ ଉପରେ ପଡ଼ିଥାଏ।
Also Read
ଜଳ, ବାୟୁ ଓ ପ୍ରକୃତିର ସମସ୍ତ ଶକ୍ତିମାନଙ୍କର ସମନ୍ୱୟ ଓ ଭାରସାମ୍ୟରେ ମନୁଷ୍ୟ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ, ଧନ ଓ ସମୃଦ୍ଧି ଲାଭ କରିଥାଏ। ଏଣୁ ସମସ୍ତେ ଯେକୌଣସି ଧର୍ମର ହୁଅନ୍ତୁ ନା କାହିଁକି ବାସ୍ତୁଶାସ୍ତ୍ର ମତରେ ଗୃହ ନିର୍ମାଣ କରିବା କଥା। ଗୃହରେ ଯଦି ବାସ୍ତୁଦୋଷ ଥାଏ ପୂଜା ଦ୍ୱାରା ସାମୟିକ ସମୟ ପାଇଁ ଯଥା- ୨୧ ଦିନ ପର୍ଯ୍ୟନ୍ତ ସୁଫଳ ମିଳିଥାଏ। କାରଣ ପୂଜାପାଠରୁ ଉତ୍ପନ୍ନ ଶକ୍ତି କିଛି ସମୟ ପାଇଁ ଶୁଭ ପ୍ରଭାବ ପକାଏ। ତା’ପରେ ଏ ଶକ୍ତିର ପ୍ରଭାବ ଧିରେ ଧିରେ କମିଯାଇଥାଏ।
ଅଧିକ ପଢ଼ନ୍ତୁ: ଆପଣ ନିଜ ଘରେ ଗଛ ଲଗାଇବାକୁ ପସନ୍ଦ କରନ୍ତି କି… ଜାଣନ୍ତୁ କେଉଁ ବୃକ୍ଷ ଦିଏ ଶୁଭ ଫଳ
ସେମିତି ଆଜି ଆମେ ଗୋଟେ ତୃଟି ଉପରେ ଜାଣିବା ତାହା ହେଉଛି ଗୃହରୁ ନିଷ୍କାସିତ ଜଳର ଦିଗ।
ଜଳ ହେଉଛି ଧନର କାରଣ। ଏଣୁ ଜଳ ଉତ୍ସ ବା ନଳକୂପ, କୂପ ଆଦିର ସ୍ଥାନ ଠିକ ଭାବରେ ରହିବା ଦରକାର, ନ ହେଲେ ଗୃହରେ ସବୁବେଳେ ଧନର ଅଭାବ ଦେଖାଦେଇଥାଏ। ଜଳର ଉତ୍ସ ଯଦି ଠିକ ଥାଏ ତେବେ ଗୃହକର୍ତ୍ତା ଏବଂ ଗୃହବାସୀଙ୍କୁ ଶୁଭଫଳ ଦେଇଥାଏ।
ଜଳଉତ୍ସ ବିଷୟରେ ଆମେ ଆଗରୁ ଜାଣିଛେ ଯେ ନଳକୂପ ଆଦି କେଉଁ ସ୍ଥାନରେ ହେବା ଭଲ। ଜଳଉତ୍ସ ଯେମିତି ମୁଖ୍ୟ ସେମିତି ଜଳ ନିଷ୍କାସନ ମଧ୍ୟ ମୁଖ୍ୟ, କାରଣ ଏହା ମଧ୍ୟ ଧନକୁ ପ୍ରଭାବିତ କରିଥାଏ।
ଛାତ ଜଳ ନିଷ୍କାସନ, ରୋଷେଇ ଘର ଜଳର ନିଷ୍କାସନ ଏସବୁ ଜଳ ଉତ୍ତର, ପୂର୍ବ, ଉତ୍ତର-ପୂର୍ବ ଦିଗକୁ ରହିବା ଶୁଭ ହୋଇଥାଏ। ଦକ୍ଷିଣ-ପଶ୍ଚିମକୁ ଯଦି ଗୃହର ଜଳ ନିଷ୍କାସିତ ହେଉଥାଏ ତେବେ ଏହା ବହୁତ କ୍ଷତି କରିଥାଏ।
ସେହିପରି ଗୃହରେ ଏକ ବର୍ଷ ରହିଲା ପରେ ଆର୍ଥିକ ସ୍ଥିତି ଧିରେ ଧିରେ ଖରାପ ହେବାକୁ ଲାଗିଥାଏ ଏବଂ ଯଦି ବ୍ୟବସାୟୀ ଲୋକ ଜଣେ ସେହିପରି ଗୃହରେ ରହିଥାଏ ତେବେ ବ୍ୟବସାୟରେ କ୍ଷତି ହୋଇ ରୁଣଗ୍ରସ୍ତ ମଧ୍ୟ ହେବାର ଦେଖାଯାଏ।
ଏଣୁ ଦକ୍ଷିଣ-ପଶ୍ଚିମ ବା ନୈଋତ କୋଣରୁ କେବେ ବି ନିଷ୍କାସିତ ଜଳ ଛାଡନ୍ତୁ ନାହିଁ। ଯଦି ଏହିପରି ଥାଏ ତେବେ ତୁରନ୍ତ ଏହାକୁ ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ (ଐଶାନ୍ୟ) କୋଣକୁ ନେଇଯାଆନ୍ତୁ। ପୂଜାପାଠରେ ଏହି ବାସ୍ତୁଦୋଷକୁ ସମାଧାନ କରାଯାଇ ପାରିବ ନାହିଁ। ଏହିପରି ବାସ୍ତୁ ନିୟମକୁ ଜାଣି ନିର୍ମାଣ କାର୍ଯ୍ୟରେ ଉପଯୋଗ କଲେ ନିଶ୍ଚୟ ଶୁଭଫଳ ମିଳେ।
ଇମେଲ୍: saroj.sm2014@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)