୨୦୨୩ ଦିନିକିଆ ବିଶ୍ୱକପ୍ରେ ମୁକୁଟର ମଜଭୁତ ଦାବିଦାର ଭାବେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଅବଶ୍ୟ ଦାବିଦାର ଦୌଡ଼ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ଅନ୍ୟ ଟିମ୍ ମଧ୍ୟ ରହିଛନ୍ତି। ଭାରତର ଦାବିଦାରୀ ମଜଭୁତ ଥିବାର କାରଣ ଟିମ୍ ଏବେ ଜୋର୍ଦାର ଫର୍ମରେ ରହିଛି ଏବଂ ପ୍ରତିଯୋଗିତା ଭାରତରେ ଆୟୋଜନ କରାଯାଉଛି।
ଭାରତର ‘ମିଶନ୍ ବିଶ୍ୱକପ୍’ରେ କେବଳ ବ୍ୟାଟର୍ ନୁହନ୍ତି, ବୋଲର୍ଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଆଶା କରାଯାଉଛି। ୨୦୨୩ ବିଶ୍ୱକପ୍ ଟିମ୍କୁ ୧୯୮୩ ଚାମ୍ପିଅନ୍ ଟିମ୍ ସହ ତୁଳନା କଲେ ଜଣାଯାଏ, ସେତେବେଳେ ଟିମ୍ରେ ଅଲ୍ରାଉଣ୍ଡର୍ଙ୍କ ଆଧିପତ୍ୟ ଥିଲା; କିନ୍ତୁ ଏବେ ବିଶେଷଜ୍ଞ ବୋଲର୍ମାନଙ୍କୁ ଅଗ୍ରାଧିକାର ଦିଆଯାଇଛି।
୨୦୧୧ ଚାମ୍ପିଅନ୍ ଟିମ୍ରେ ଥିବା ଅଧିକାଂଶ ବଡ଼ ଖେଳାଳି ମଧ୍ୟ ବୋଲିଂ କରିପାରିବାର ଦକ୍ଷତା ରଖୁଥିଲେ। କିନ୍ତୁ ୨୦୨୩ ଟିମ୍ର ପ୍ରାୟ ଅର୍ଦ୍ଧେକ ଖେଳାଳି ବୋଲିଂ କରିପାରନ୍ତି ନାହିଁ। ସାଧାରଣତଃ ପ୍ରତି ଖେଳାଳିଙ୍କ ଠାରୁ ଏହା ଆଶା କରାଯାଏ ଯେ ସେମାନେ ନିଜ ବିଶେଷତ୍ୱ ଛଡ଼ା ଖେଳର ଅନ୍ୟ ଦିଗ (ବ୍ୟାଟିଂ କିମ୍ବା ବୋଲିଂ)ରେ ମଧ୍ୟ କିଛି ନା କିଛି ଯୋଗଦାନ ଦେବେ। କିନ୍ତୁ ଏବେ ବିଶେଷଜ୍ଞମାନଙ୍କୁ ନେଇ କାମ ଚଳାଇବାକୁ ପଡ଼ିବ। ଅବଶ୍ୟ ଟିମ୍ରେ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା ଭଳି ଅଲ୍ରାଉଣ୍ଡର୍ ଅଛନ୍ତି।
Also Read
ଏବେ କ୍ରିକେଟ୍ରେ ଆକ୍ରମଣାତ୍ମକ ବଢ଼ିଛି। ବିପକ୍ଷ ଟିମ୍ର ରନ୍ଗତିକୁ ରୋକିବା ପରିବର୍ତ୍ତେ ୱିକେଟ୍ ନେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହା ଅତୀତ ଓ ଆଜିର କ୍ରିକେଟ୍ ମଧ୍ୟରେ ବୋଲିଂରେ ସବୁଠାରୁ ବଡ଼ ଫରକ।
ତେବେ ଏକ ବଡ଼ ପ୍ରଶ୍ନ ହେଉଛି ଯେ ଯେଉଁଠି କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀ ଟିମ୍ ଠାରୁ ତୃତୀୟ ବିଶ୍ୱକପ୍ ମୁକୁଟ ଆଶା କରୁଛନ୍ତି, ସେଠାରେ ବୋଲର୍ମାନେ ଟିମ୍ର ସଫଳତାରେ ଅଗ୍ରଣୀ ଭୂମିକା ତୁଲାଇପାରିବେ କି?
ନିକଟ ଅତୀତରେ ଶେଷ ହୋଇଥିବା ଏସିଆ କପ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ (ଶେଷ ମ୍ୟାଚ୍କୁ ଛାଡ଼ିଦେଲେ) ଦର୍ଶାଉଛି ଯେ ଭାରତୀୟ ବୋଲର୍ ସେମାନଙ୍କ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଛନ୍ତି।
ଟିମ୍ ଇଣ୍ଡିଆ ଏସିଆ କପ୍ରେ ଚାମ୍ପିଅନ୍ ହୋଇଥିଲା ଏବଂ ଅଷ୍ଟ୍ରେଲିଆ ସିରିଜ୍ ୨-୧ରେ ଜିତିଥିଲା। ଏଥିରେ ଉଭୟ ପେସର୍୍ ଓ ସ୍ପିନର୍ଙ୍କ ଭୂମିକା ଥିଲା। କିନ୍ତୁ ବିଶ୍ୱକପ୍ ଭଳି ବଡ଼ ମଞ୍ଚରେ ସେମାନେ ଅନୁରୂପ କମାଲ୍ କରିପାରିବେ କି?
ବୋଲିଂରେ ରହିଛି ଉତ୍ତମ ବିକଳ୍ପ:
ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ୍, ମହମ୍ମଦ ଶାମୀ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଶାର୍ଦ୍ଦୂଳ ଠାକୁରଙ୍କ ଭଳି ଖେଳାଳି ଟିମ୍ରେ ରହିବାର ଅର୍ଥ ଟିମ୍ ଇଣ୍ଡିଆର ସାମର୍ଥ୍ୟ ହେଉଛି ପେସ୍ ବୋଲିଂ। ପିଠି ଯନ୍ତ୍ରଣାରୁ ସୁସ୍ଥ ହୋଇ ଫେରିଥିବା ବୁମ୍ରାଙ୍କୁ ଟିମ୍ରେ ଏହି ଆଶା ନେଇ ସାମିଲ କରାଯାଇଛି ଯେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବେ। ଚର୍ଚ୍ଚା ହେଉଛି ଯେ ସେ ଟିମ୍ ଇଣ୍ଡିଆ ପାଇଁ ବୁଷ୍ଟର୍ ଡୋଜ୍ ହେବେ। ବୁମ୍ରାଙ୍କୁ ଜଣେ ଅଭିଜ୍ଞ ଖେଳାଳି ହୋଇଥିବା ଦୃଷ୍ଟିରୁ ପ୍ରମୁଖ ଭୂମିକା ତୁଲାଇବାକୁ ହେବ।
ଏସିଆ କପ୍ ଫାଇନାଲ୍ରେ ଘାତକ ବୋଲିଂ ପ୍ରଦର୍ଶନ କରିଥିବା ସିରାଜ୍, ବୁମ୍ରାଙ୍କ ପରେ ଦ୍ୱିତୀୟ ମୁଖ୍ୟ ପେସର୍ ହେବେ। ତେବେ ତୃତୀୟ ପେସର୍ର ଭୂମିକା ପାଇଁ ମହମ୍ମଦ ଶାମୀ ଓ ଶାର୍ଦ୍ଦୂଳ ଠାକୁରଙ୍କ ମଧ୍ୟରୁ ଜଣଙ୍କୁ ବଛାଯାଇପାରେ। ତା’ଛଡ଼ା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ପେସ୍ ବୋଲିଂ ଅଲ୍ରାଉଣ୍ଡର୍ ବି ରହିଛନ୍ତି। ଅତଏବ କୁହାଯାଇପାରେ ଯେ ଟିମ୍ ଇଣ୍ଡିଆ ପାଖରେ ଭଲ ବୋଲର୍ଙ୍କ ଅଭାବ ନାହିଁ।
ସ୍ପିନର୍ ବି କରିପାରନ୍ତି କମାଲ୍:
ବିଶ୍ୱକପ୍ରେ ପିଚ୍ କେମିତି ହେବ, ତାହା ହିଁ ବଡ଼ ପ୍ରଶ୍ନ। ପିଚ୍ ପ୍ରାରମ୍ଭିକ ମ୍ୟାଚ୍ଗୁଡ଼ିକରେ ପେସର୍ ଓ ଏହାପରେ ସ୍ପିନର୍ଙ୍କ ପାଇଁ ଅନୁକୂଳ ହୋଇପାରେ। ଏହାଛଡ଼ା କାକରର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ହେବ। ଯେଉଁ ଟିମ୍ ପରେ ବୋଲିଂ କରିଥାଏ, ତା’ର ସ୍ପିନର୍ଙ୍କ ପାଇଁ କାକର ଏକ ଚାଲେଞ୍ଜ୍ ହୋଇଯାଏ।
ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ଦୁଇଟାରୁ ଆରମ୍ଭ ହେବ। ଫ୍ଲଡ୍ଲାଇଟ୍ ଜଳିବା ପରେ ପେସର୍ମାନଙ୍କୁ ବଲ୍ ସ୍ୱିଙ୍ଗ୍ କରାଇବାକୁ ସୁଯୋଗ ମିଳିବ। ଏହା ପୂର୍ବରୁ ସ୍ପିନର୍ଙ୍କ ପାଖରେ କମାଲ୍ କରିବାର କିଛିଟା ସୁଯୋଗ ନିଶ୍ଚୟ ରହିବ। ତେଣୁ ସବୁ ପରିସ୍ଥିତିରେ ବୋଲର୍ଙ୍କ ଆବଶ୍ୟକତା ପଡ଼ିବ।
ଭାରତ ପାଖରେ ଆବଶ୍ୟକତା ଅନୁଯାୟୀ ବୋଲର୍ ଅଛନ୍ତି। ଦିନିକିଆ ଆନ୍ତର୍ଜାତିକ ଫର୍ମାଟ୍ରେ ଏବେ ବାମହାତି ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ଜଣେ ସଫଳ ବୋଲର୍ ଭାବେ ଉଭା ହୋଇଛନ୍ତି। ବିଶ୍ୱକପ୍ ଟିମ୍ରେ ଆହତ ବାମହାତି ସ୍ପିନର୍ ଅକ୍ଷର ପଟେଲ୍ଙ୍କ ସ୍ଥାନରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ସାମିଲ କରାଯାଇଛି। ଏପରି ସ୍ଥଳେ ଭାରତ ପାଖରେ ସ୍ପିନର୍ଙ୍କ ଭଲ ଯୋଡ଼ି ରହିବ। ଆବଶ୍ୟକସ୍ଥଳେ ରବୀନ୍ଦ୍ର ଜାଡ଼େଜା ତୃତୀୟ ସ୍ପିନର୍ ଭାବେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି।
ଏସିଆ କପ୍ରେ କୁଲଦୀପ ‘ପ୍ଲେୟର୍ ଅଫ୍ ଦ ସିରିଜ୍’ ବିବେଚିତ ହୋଇଥିଲେ। ଅଶ୍ୱିନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ ସୁଯୋଗ ଦିଆଯାଇଥିଲା, ଯେଉଁଥିରେ ସେ ଉତ୍ତମ ପ୍ରଦର୍ଶନ କରିଥିଲେ। ତାଙ୍କୁ ନିଆଯିବା ପରେ ସ୍ପିନ୍ ବିଭାଗରେ ବିବିଧତା ଆସିଛି, କାରଣ ପୂର୍ବ-ଘୋଷିତ ଟିମ୍ରେ ବିଶେଷଜ୍ଞ ଅଫ୍-ସ୍ପିନର୍ ନ ଥିଲେ।
ଅନ୍ୟ ଟିମ୍ରେ ବି ଅଛନ୍ତି ଦମ୍ଦାର ପେସର୍:
ଅନ୍ୟ ଟିମ୍ରେ ମଧ୍ୟ ପେସ୍ ବୋଲିଂ ବିଭାଗକୁ ମଜଭୁତ ରଖାଯାଇଛି। ଇଂଲଣ୍ଡ ପାଖରେ ମାର୍କ ଉଡ୍, କ୍ରିସ୍ ଓକ୍ସ, ଡେଭିଡ୍ ୱିଲୀ ଓ ସାମ୍ କରାନ୍ ଥିବା ବେଳେ ଅଷ୍ଟ୍ରେଲିଆ ପାଖରେ ମିଚେଲ୍ ଷ୍ଟାର୍କ, ଜୋଶ୍ ହାଜଲ୍ଉଡ୍, ପାଟ୍ କମିନ୍ସ, ମାର୍କସ ଷ୍ଟୋଇନିସ୍ ଓ କାମେରନ୍ ଗ୍ରୀନ୍ସ ରହିଛନ୍ତି।
ପାକିସ୍ତାନୀ ଟିମ୍ରେ ଆହତ ନସୀମ ଶାହ ନ ଥିଲେ ବି ଶାହୀନ ଶାହ ଆଫ୍ରିଦୀ, ହାରିସ୍ ରାଉଫ୍, ହସନ୍ ଅଲୀ ଓ ମହମ୍ମଦ ୱାସିମ୍ଙ୍କ ଭଳି ଭଲ ବୋଲର୍ ଅଛନ୍ତି। ଏପରି ସ୍ଥଳେ ବିଶ୍ୱକପ୍ରେ ପେସର୍ଙ୍କ ମଧ୍ୟରେ ଜୋର୍ଦାର ମୁକାବିଲା ଦେଖିବାକୁ ମିଳିପାରେ।
ଏ ଦିଗରୁ ଦେଖିଲେ, ଟିମ୍ ଇଣ୍ଡିଆ ମଧ୍ୟ ବେଶ୍ ମଜଭୁତ ସ୍ଥିତିରେ ରହିଛି ଯାହା ପାଖରେ ଭଲ ସ୍ପିନର୍ ବି ଅଛନ୍ତି। ଖାଲି ବାକି ରହିଲା ତୃତୀୟ ବିଶ୍ୱକପ୍ ବିଜୟ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)