Advertisment

କେତେ ସୁରକ୍ଷିତ ମର୍ଣିଂ ଆଫ୍ଟର ପିଲ୍

ଯୁବତୀମାନେ କୌଣସି ଅନିଚ୍ଛାକୃତ ଗର୍ଭଧାରଣ ହେଲେ ସବୁବେଳେ ସେମାନଙ୍କୁ ହିଁ ସବୁ ଟାହିଟାପରା ଓ ଅପମାନର ସାମ୍‌ନା କରିବାକୁ ପଡିଥାଏ। ସେଥିପାଇଁ ହୁଏତ ସେମାନେ ସହଜ ଉପଲବ୍ଧ ଓ ବଜେଟ୍‌ଫ୍ରେଣ୍ଡଲି ECPକୁ ବ୍ୟବହାର କରୁଛନ୍ତି। ଏହା ସେମାନଙ୍କ ପାଇଁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ କ୍ଷତି କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ECP କ’ଣ?

ଅଦ୍ୟତନ ହୋଇଛି
How dangerious ECP

How dangerious ECP

Advertisment

ସେଦିନ ମୋ’ ଡ୍ୟୁଟି ଦିନ ୨ଟାରେ ଆରମ୍ଭ ହେବାର ଥାଏ। ଆଇସିୟୁ ଚେକିଂ ରୁମ୍‌ରେ ପଶୁପଶୁ ମୋ’ ସିନିଅର କହିଲେ, ‘ସୁରଭି ପୁଣି ଆଡ୍‌ମିଟ୍‌ ହୋଇଛି ଆଜି। ତା’ ବାଁ ହାତ ରେଡିଆଲ୍ ଆର୍ଟେରୀ ଥ୍ରମ୍ବୋସିସ୍ (ହାତର ରକ୍ତନଳୀରେ ରକ୍ତ ଜମାଟ ବାନ୍ଧିଯିବା) ଏଥର ବୋଧେ କାଣି ଆଙ୍ଗୁଠିଟା କାଟିବାକୁ ପଡିବ।

Advertisment

ଏତିକି ଶୁଣିଦେଇ ମୁଁ ଆଉ ଚେକ୍ ନକରି ପ୍ରଥମେ ଚାଲିଲି ସୁରଭି ଆଡ୍‌ମିଟ୍ ହୋଇଥିବା ଓ୍ୱାର୍ଡକୁ। ସୁରଭି, ପତଳା ଗଢ଼ଣ, ଶ୍ୟାମଳ ବର୍ଣ୍ଣର ୨୭ବର୍ଷର ଉଚ୍ଚଶିକ୍ଷିତା। ଝିଅଟିଏ ଭାରି ମେଳାପି। ରାଜଧାନୀର ଗୋଟିଏ ଏମ୍ଏନ୍‌ସିରେ କାମ କରନ୍ତି। ଆଉ ସେହି କମ୍ପାନୀରେ କାର୍ଯ୍ୟରତ ଜଣେ ବନ୍ଧୁ ସୋମେସ୍‌ଙ୍କ ସହ ଲିଭ୍ଇନ୍ ରିଲେସନ୍‌ସିପ୍‌ରେ ଅଛନ୍ତି। ଗତ ୪ମାସ ଭିତରେ ଆମ ପାଖକୁ ସୁରଭିର ଆସିବା ଏଇଟା ତୃତୀୟ ଥର ଥିଲା। ପ୍ରଥମ ଥର ଆମ ପାଖକୁ ଆସି ପହଞ୍ଚିବାର ୨-୩ଦିନ ଆଗରୁ ହଠାତ୍ ତାଙ୍କ ବାଁ ହାତ ମଣିବନ୍ଧ ପାଖରୁ ଆଙ୍ଗୁଠି ଆଡକୁ ଫୁଲିବା ଓ ପୀଡ଼ା ହେବା ଆରମ୍ଭ ହେଲା।

ତାଙ୍କ ଘର ପାଖ ଡାକ୍ତର ଯଦିଓ ବିନ୍ଧା କମିବା ପାଇଁ ଔଷଧ ଦେଲେ, କିନ୍ତୁ ଆଙ୍ଗୁଠିଗୁଡ଼ିକ ଇସତ୍ ନୀଳ ପଡିଥିବା ଦେଖି ତୁରନ୍ତ ହସ୍ପିଟାଲ୍ ଯାଇ ଟେଷ୍ଟ୍‌ କରାଇ ନେବାକୁ ପରାମର୍ଶ ଦେଇଥିଲେ। ଏଠିକୁ ଆସିବା ପରେ ଡପଲର୍ ଓ ଅନ୍ୟ ଆନୁସଙ୍ଗିକ ପରୀକ୍ଷା ହେଲାପରେ ଜଣାପଡିଥିଲା ଯେ ସୁରଭିର ବାଁ ହାତରେ ରେଡିଆଲ୍ ଆର୍ଟେରୀ ଥ୍ରମ୍ବୋସିସ୍, ଯେଉଁଥି ପାଇଁ ହାତର ମଣିବନ୍ଧ ତଳକୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେଉଥିଲା। ସମସ୍ତ ଦରକାରୀ ପରୀକ୍ଷା କଲାପରେ ସେହି ସନ୍ଧ୍ୟାରେ ହିଁ ସୁରଭିର ଅସ୍ତ୍ରୋପ୍ରଚାର କରାଯାଇଥିଲା।

Advertisment

ଅସ୍ତ୍ରୋପ୍ରଚାର ପରେ ରକ୍ତସଞ୍ଚାଳନ ସ୍ୱାଭାବିକ ହେବାପରେ ସୁରଭିକୁ ତିନି ଦିନପରେ ଡିସ୍‌ଚାର୍ଜ କରାଗଲା। ଏ ସବୁ ଭିତରେ ପାଖାପାଖି ସମବୟସ୍କ ହୋଇଥିବାରୁ ସୁରଭି ସହ ଗୋଟେ ପ୍ରକାର ବନ୍ଧୁତା ହୋଇଯାଇଥିଲା। ସୁରଭିର ଘର ପଶ୍ଚିମବଙ୍ଗ ହୋଇଥିବାରୁ ତାଙ୍କ ଘରଲୋକ କେହି ଆସିପାରି ନଥିଲେ। ହେଲେ ସୋମେସ୍‌ ସବୁ ପ୍ରକାର ଦେଖାରଖା କରୁଥିଲେ। ଏହି ଘଟଣାର ପାଖାପାଖି ଦେଢ଼ ମାସ ପରେ ସୁରଭି ପୁଣି ବାଁ ହାତ ଫୁଲିବା ଓ ବିନ୍ଧାହେବା ସମସ୍ୟା ନେଇ ଆସିଲେ।

ଏତେ କମ୍ ବୟସର ଝିଅଟିର ଲଗାତାର ଏମିତି ରକ୍ତ ଜମାଟ ବାନ୍ଧିଯିବା ଘଟଣାକୁ ନେଇ ଆମେ ବି ଟିକେ ବ୍ୟସ୍ତ ହୋଇପଡିଲୁ। କାରଣ ଆଉ ବିଳମ୍ବ ହୋଇଥିଲେ ହୁଏତ ସୁରଭିର ବାଁ ହାତ ଆଙ୍ଗୁଠିଗୁଡିକୁ ସମ୍ପୂର୍ଣ୍ଣ ରକ୍ତ ସଞ୍ଚାଳନ ବନ୍ଦ ହୋଇ ଆଙ୍ଗୁଠି କାଟିବାକୁ ପଡିଥାନ୍ତା। ବିଭିନ୍ନ ବିଭାଗର ଡାକ୍ତରଙ୍କୁ ନେଇ ଗୋଟିଏ ଟିମ୍ ଗଠନ କରି ସୁରଭିର ଅସ୍ତ୍ରୋପ୍ରଚାର ସହ ହାଇପର୍‌କୋଆଗୁଲେବଲ୍ ଡିଜ୍ଅର୍ଡର୍‌ର କାରଣ ଜାଣିବା ପାଇଁ ସବୁ ପ୍ରକାର ପରୀକ୍ଷା କରାଗଲା। ଦ୍ୱିତୀୟଥର କିନ୍ତୁ ସୋମେସ୍‌ କାର୍ଯ୍ୟବ୍ୟସ୍ତତା ପାଇଁ ହସ୍ପିଟାଲ୍‌ରେ ବେଶୀ ସମୟ ରହିପାରୁ ନଥିଲେ। ସୁରଭିର ମା’ ରହୁଥିଲେ ପାଖରେ।

Advertisment

ସବୁ ପ୍ରକାର ବ୍ଲଡ୍ ଟେଷ୍ଟ/ପରୀକ୍ଷାର ପରିଣାମ ଆମକୁ କୌଣସି ସଠିକ୍ ସିଦ୍ଧାନ୍ତରେ ପହଞ୍ଚିବାରେ ସାହାଯ୍ୟ କଲାପରି ନଥିଲା। ହେଲେ ସୁରଭିର କେସ୍ ହିଷ୍ଟ୍ରି ନେଲା ବେଳେ ଦୁଇଥର ଯାକ ଗୋଟିଏ କଥା ସମାନ ଥିଲା ଯେ, ସୁରଭି ଦୁଇଥର ଯାକ ଏମରଜେନ୍ସି କଣ୍ଟ୍ରାସେପ୍ଟିଭ ପିଲ୍ (ECP) ବା ମର୍ଣ୍ଣିଙ୍ଗ୍ ଆଫଟର୍‌ ପିଲ୍ ନେଇଥିଲେ। ସେଥର ଡିସ୍‌ଚାର୍ଜ ପୂର୍ବରୁ ସୁରଭିର କେସ୍ ଓ ଫ୍ୟାମିଲି ହିଷ୍ଟ୍ରି, ଅଲ୍ଟ୍ରାସାଉଣ୍ଡ୍ ଓ ସବୁ ରକ୍ତ ପରୀକ୍ଷାର ଫଳାଫଳ ଅନୁସାରେ ଟିମର୍ ସ୍ତ୍ରୀ ଓ ପ୍ରସୂତୀବିଭାଗର ଡାକ୍ତର ସୁରଭିକୁ ଭଲଭାବରେ ବୁଝାଇଥିଲେ ଯେ ECPର ବ୍ୟବହାର ତା’ ପାଇଁ କେତେ କ୍ଷତିକାରକ ଓ ତା’ ପାଇଁ ପରିବାର ନିୟନ୍ତ୍ରଣର କେଉଁ ଉପାୟଟି ଠିକ୍। ସେଇଠି ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତରଙ୍କ ସହ ଆଲୋଚନା ବେଳେ ଜାଣିପାରିଲି ECP ର ଅନ୍ୟ ଛୋଟ ଓ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ସହ ଧମନୀ/ଶିରାରେ ରକ୍ତ ଜମାଟ ବାନ୍ଧିଯିବା ପରି ବିରଳ ଓ ମାରାତ୍ମକ ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ଦେଖାଯାଏ।

ନ୍ୟାସ୍‌ନାଲ୍ ରିପ୍ରଡକ୍ଟିଭ୍ ଆଣ୍ଡ୍ ଚାଇଲ୍ଡ ହେଲ୍‌ଥ ପ୍ରୋଗ୍ରାମ ମାଧ୍ୟମରେ ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ କେବଳ ଗୋଟିଏ ମାତ୍ର ଡ୍ରଗ୍/ଔଷଧ ଲିଭୋନୋରଜେଷ୍ଟ୍ରଲୟକୁ ECP ଭାବରେ ବ୍ୟବହାର ପାଇଁ ସମ୍ମତି ପ୍ରଦାନ କରିଛି। ଯାହାକି ଭାରତୀୟ ବଜାରରେ Unwanted72, iPill ଆଦି ନାଁରେ ଉପଲବ୍ଧ ହୋଇଥାଏ। ଲିଭୋନୋରଜେଷ୍ଟ୍ରଲୟକୁ ଅନ୍‌ପ୍ରୋଟେକ୍ଟଟେଡ୍ ସେକ୍ସର ୭୨ ଘଣ୍ଟା ମଧ୍ୟରେ ଗ୍ରହଣ କରାଯାଇଥାଏ। ଏହା ମୁଖ୍ୟତଃ ଓଭାରି (ଡିମ୍ବକୋଷ)ର ଓଭୁଲେସନ୍ (ଡିମ୍ବକ୍ଷରଣ) ପ୍ରକ୍ରିୟାକୁ ରୋକେ, ଯାହାଦ୍ୱାରା ଫର୍ଟିଲାଇଜେସନ୍ (ଗର୍ଭାଧାନ) ହୋଇପାରେ ନାହିଁ।

ୟା ଛଡା ଏହି ହର୍ମୋନ୍ ସର୍ଭିକ୍ସ(ଜରାୟୁ ମୁଖ)ର ମ୍ୟୁକସ୍ ମେମ୍ବ୍ରେନ୍ ବା ପଥରେ ଫୁଲା ସୃଷ୍ଟିକରେ ବା ମୋଟା କରିଦିଏ, ଯାହାଦ୍ୱାରା ସ୍ପର୍ମ (ଶୁକ୍ରାଣୁ)ର ଗତିରେ ବାଧା ଆସେ। କିନ୍ତୁ ଥରେ ଗର୍ଭଧାରଣ ବା ଗର୍ଭରୋପଣ ହୋଇସାରିଲେ ଲିଭୋନୋରଜେଷ୍ଟ୍ରଲୟର ଆଉ କୌଣସି ଭୂମିକା ନଥାଏ।

ଯଦିଓ ବହୁ ପୂର୍ବରୁ ଲିଭୋନୋରଜେଷ୍ଟ୍ରଲୟର ବିକ୍ରି ଆରମ୍ଭ ହୋଇଥିଲା, କିନ୍ତୁ ୨୦୦୫ରେ ହିଁ କେନ୍ଦ୍ର ଏହାର ଓଭର୍ ଦ କାଉଣ୍ଟର ବା ବିନା ଡାକ୍ତରଙ୍କ ପ୍ରେସକ୍ରିପ୍‌ସନ୍‌ରେ ବିକ୍ରି (କେବଳ ତାମିଲନାଡୁକୁ ଛାଡି) କୁ ଅନୁମତି ଦେଇଥିଲା। ବିନା ପ୍ରେସକ୍ରିପ୍‌ସନ୍ ଓ କମ୍ ଦାମ୍‌ରେ ସହଜରେ ଉପଲବ୍ଧ ହେବା ସହ, ଫାର୍ମା କମ୍ପାନୀଗୁଡିକ ନିଜର ମାର୍କେଟିଂ ଓ ବିଜ୍ଞାପନ ମାଧ୍ୟମରେ ଏହାକୁ କମ୍‌ ପାର୍ଶ୍ୱପ୍ରତିକ୍ରିୟା ଯୁକ୍ତ ପ୍ରଚାର କରିବା ଆଜି ECPର ଚାହିଦା ଖୁବ ବଢାଇ ହେଇଛି। ୨୦୨୦ରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଗୋଟିଏ ଅନ୍ତର୍ଜାଜାତୀୟ ଜର୍ନାଲ୍‌ରେ ପ୍ରକାଶିତ AC Nielsen ORG MARG Research Ltdର ଏକ ସର୍ବେକ୍ଷଣ ଅନୁସାରେ ୨୦୦୮ ରୁ ୨୦୧୩ ମଧ୍ୟରେ ଭାରତରେ ECP ବିକ୍ରିରେ ପାଖାପାଖି ୪ଗୁଣ ବୃଦ୍ଧି ଘଟିଛି ଯାହାର ୨୯% ବିକ୍ରି ଆମ ଦେଶର ୧୮ଟି ମେଟ୍ରୋ ସହର ହୋଇଥିବା ବେଳେ, ସର୍ବାଧିକ Delhi NCR ଅଞ୍ଚଳରେ ହୋଇଛି।

ଦେଶବ୍ୟାପି କରାଯାଇଥିବା ଅନ୍ୟ ଏକ ସର୍ବେକ୍ଷଣରେ ଦେଖାଯାଇଛି ଯେ, କର୍ଣ୍ଣାଟକରେ ପାଖାପାଖି ୫୪.୧% ମହିଳା ଅତିକମରେ ଥରେ ECP ବ୍ୟବହାର କରିଛନ୍ତି। ସେହିପରି ୨୪.୩% ଦୁଇଥର, ୧୮.୯% ତିନିଥର ଓ ଜଣେ ମହିଳା ୬ ଥର ECP ବ୍ୟବହାର କରିଛନ୍ତି। ହେଲେ ସବୁଠୁ ଆଶ୍ଚର୍ଯ୍ୟ ଓ ଆଲର୍ଟ କଲାପରି ତଥ୍ୟ ଦିଲ୍ଲୀରେ ଦେଖାଦେଇଛି। ସର୍ବେକ୍ଷଣ ଅନୁସାରେ ଦିଲ୍ଲୀରେ ECP ବ୍ୟବହାରକାରୀ ମହିଳାଙ୍କ ମଧ୍ୟରେ ଏକ-ତୃତୀୟାଂଶ ହେଉଛନ୍ତି ଆଡୋଲେସେଣ୍ଟ୍‌ ବା ସ୍କୁଲ୍ ଝିଅ।

ସେହିପରି ପାଖାପାଖି ୬୨% ମହିଳା ଗୋଟିଏ ମାସ ମଧ୍ୟରେ ଏକାଧିକ ଥର ECP କିଣିଛନ୍ତି। ଏମିତି କି କିଛି ମହିଳା ଏହାକୁ ଗୋଟିଏ ମାସରେ ୩୦ଥର କିଣିଥିବା ନଜିର ଅଛି। ୨୦୧୫ର ଏକ ମାର୍କେଟ୍‌ ସର୍ଭେ ଅନୁସାରେ ଆମେରିକା ଓ ଚାଇନା ପରେ ଭାରତ ହେଉଛି ECPର ତୃତୀୟ ବୃହତ୍ତମ ମାର୍କେଟ୍‌। କେବଳ ଭାରତ ନୁହେଁ, ଅନ୍ୟ ଦେଶଗୁଡିକରେ ମଧ୍ୟ ଏହାର ବିକ୍ରି ବଢ଼ିଛି।

୨୦୧୬ର ରିପୋର୍ଟ ଅନୁସାରେ ଲିଭୋନୋରଜେଷ୍ଟ୍ରଲ ହେଉଛି ଆମେରିକାରେ ୨୩ତମ ସର୍ବାଧିକ ପ୍ରେସ୍‌କ୍ରାଇବଡ୍ ଓ ବିକ୍ରି ହୋଇଥିବା ଔଷଧ କେବଳ ଥରେ ବ୍ୟବହାର କରିବାକୁ ପଡୁଥିବାରୁ, କମ୍ ଦାମ୍‌ରେ ଓ ବିନା ଡାକ୍ତରଙ୍କ ପରାମର୍ଶରେ ସହଜରେ ମିଳିଯାଉଥିବାରୁ ଆଜି ମହିଳା ବା ଝିଅମାନେ ବିନା କିଛି ବିଚାର ବିମର୍ଶରେ ଓ କମ୍ ବୟସର ଝିଅମାନେ ଲିଭୋନୋର୍‌ଜେଷ୍ଟ୍ରଲକୁ ଏତେ ମାତ୍ରାରେ ବ୍ୟବହାର କରିବାକୁ ନେଇ ଅନେକ ଡାକ୍ତର ଚିନ୍ତା ପ୍ରକାଶ କରିଛନ୍ତି।

ଏସବୁ ଆଲୋଚନା ଭିତରେ ଯଦି ମୁଁ ଲିଭୋନୋର୍‌ଜେଷ୍ଟ୍ରଲ ବା ECP ବ୍ୟବହାର ଯୋଗୁଁ ଦେଖାଯାଉଥିବା ପାର୍ଶ୍ୱପ୍ରତିକ୍ରିୟାଗୁଡିକ ନକୁହେ ତାହାଲେ ଆଲୋଚନାଟା ନିହାତି ଅଧା ରହିଯିବ। ଲିଭୋନୋର୍‌ଜେଷ୍ଟ୍ରଲର ସବୁଠାରୁ ସାଧାରଣ ବା କମନ୍ ପାର୍ଶ୍ୱପ୍ରତିକ୍ରିୟା ହେଉଛି ଏକ୍ଟୋପିକ୍ ପ୍ରେଗନାନ୍ସି (ଜରାୟୁ ବାହାରେ ଗର୍ଭରୋପଣ ବା ଧାରଣ), ଋତୁସ୍ରାବରେ ଅନିୟମିତତା (ଶୀଘ୍ର ବା ଡେରି ହେବା; କମ୍ ବା ଅତ୍ୟଧିକ ରକ୍ତସ୍ରାବ ହେବା), ଚୁଟି ଝଡିବା ଓ ଚନ୍ଦାପଣ, ମୁଖ ବ୍ରଣ।

ଏହାଛଡା ଅନ୍ୟ କୁପ୍ରଭାବଗୁଡିକ ହେଲା ଦେହ ସାରା କୁଣ୍ଡେଇ ହୋଇ ଫଳିଯିବା, ମୁଣ୍ଡବ୍ୟଥା/ ମାଇଗ୍ରେନ୍, ଓଭାରିଆନ୍ ସିଷ୍ଟ୍‌, ଡିମ୍ବାଣୁର ଆକାର ବଢିବା ବା ଫୁଲା (ଏନ୍ଲାର୍ଜଡ୍ ଫଲିକଲ୍ ) ଦେଖାଯିବା, ପେଟବ୍ୟଥା, ଦୁଇଟି ଋତୁସ୍ରାବ ମଧ୍ୟରେ ହଠାତ୍ ଅତ୍ୟଧିକ ଭାଜିନାଲ୍ ବ୍ଲିଡିଂ (ଜରାୟୁ ରକ୍ତସ୍ରାବ), ଭଲ୍‌ଭୋଭାଜିନାଇଟିସ୍ (ଯୋନୀ ପ୍ରଦାହ), ପେଲ୍‌ଭିକ୍ ପିଡା ଓ ଇନ୍‌ଫେକସନ୍ (ସଂକ୍ରସଣ), ଋତୁସ୍ରାବ ସମୟରେ ଅତ୍ୟଧକ ପିଡାହେବା, ଲିଉକୋରିୟା (ଶ୍ୱେତ ପ୍ରଦର), ସର୍ଭିକାଲ୍ ପର୍‌ଫୋରେସନ୍ (ଜରାୟୁ ଗ୍ରୀବା କଣା ହୋଇଯିବା), ରକ୍ତନଳୀ/ଶିରାରେ ଫୁଲା, ବ୍ରେଷ୍ଟ୍‌ ଟେଣ୍ଡରନେସ୍ (ବକ୍ଷ ଦରଜ), ମାନସିକ ଅବସାଦ (ଡିପ୍ରେସନ୍)।

ସେହିପରି କେତୋଟି ବିରଳ କିନ୍ତୁ ମାରାତ୍ମକ କୁପ୍ରଭାବଗୁଡିକ ହେଲା ରକ୍ତ ନଳୀ/ଧମନୀରେ ଥ୍ରମ୍ବୋସିସ୍ (ରକ୍ତ ଜମାଟ ବାନ୍ଧିବା), ପଲ୍‌ମୋନାରୀ ଥ୍ରମ୍ବୋଏମ୍ବୋଲିଜମ୍ (ଜମାଟ ବାନ୍ଧିଥିବା ରକ୍ତ ବା ସ୍କନ୍ଧ ଫୁସ୍‌ଫୁସ୍‌ର ରକ୍ତନଳୀରେ ଅଟକି ଯିବା), ହୃଦ୍‌ଘାତ ମଧ୍ୟ ଦେଖାଯାଏ। ସେହିପରି ସିଗାରେଟ୍/ସ୍ମୋକିଂ କରୁଥିବା ମହିଳାମାନେ ECP ବ୍ୟବହାର କରିବା ଦ୍ୱାରା ସେମାନଙ୍କ ବିଭିନ୍ନ ହୃଦ୍‌ରୋଗ ହେବାର ଆଶଂକା ବହୁତ ମାତ୍ରାରେ ଥାଏ, ଆଉ ଯଦି ସେମାନଙ୍କର ଆଗରୁ ହିଁ କୌଣସି ହୃଦ୍‌ରୋଗ ଥାଏ, ସେମାନେ ସ୍ମୋକିଂ କରୁଥାନ୍ତି ଓ ECP ନିଅନ୍ତି ତେବେ ସେମାନଙ୍କର ସେଇ ରୋଗର ଆହୁରି ଅଧିକ ମାରାତ୍ମକ ବା କ୍ରିଟିକାଲ୍ ହୋଇପାରେ।

ଯେକୌଣସି ମହିଳା ECP ବା ରେଗୁଲାର୍ OCP ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ, କାରଣ କୌଣସି OCP ଔଷଧ କିଣିଲାବେଳେ କେହି ବି ଆପଣଙ୍କୁ ଜଣାଏନି ଯେ ଯଦି ଆପଣ ଡିଭିଟି (ରକ୍ତ ନଳୀ/ଶିରାରେ ଅସ୍ୱାଭାବିକ ରକ୍ତ ଜମାଟ ବାନ୍ଧିବା)/ ପଲ୍‌ମୋନାରୀ ଥ୍ରମ୍ବୋଏମ୍ବୋଲିଜମ ଓ ସ୍ତନ କର୍କଟ (କିମ୍ବା ଆପଣଙ୍କ ପରିବାରରେ ଏହି ସମସ୍ୟା କାହାର ଥାଏ), ଏହା ଛଡା ଯଦି ଆପଣ ମାନସିକ ଅବସାଦ, ଏଣ୍ଡୋମେଟ୍ରିଓସିସ୍ (ଅନ୍ତଃ-ଗର୍ଭାଶୟ ଅବସ୍ଥାନ), ମଧୁମେହ (ଡାଇବେଟିସ୍), ଉଚ୍ଚରକ୍ତଚାପ (ହାଇପରଟେନ୍‌ସନ୍), ଏସ୍ଏଲ୍ଇ, ରେନାଲ୍ (ବୃକକ୍)/ ହେପାଟିକ୍ (ଯକୃତ) ସମ୍ବନ୍ଧୀୟ ସମସ୍ୟା ଥାଏ, ଆସ୍ଥମା (ଶ୍ୱାସ)/ ଏପିଲେପ୍ସି (ବାତରୋଗ)/ ମାଇଗ୍ରେନ୍ ଥାଏ ତାହାଲେ ଆପଣ ECP ନେବା ଅନୂଚିତ ଓ ଏହା ଘାତକ ହୋଇପାରେ।

ସେଦିନ(ତୃତୀୟଥର) ଦ୍ୱିପହରରେ ସୁରଭି ବେଡ୍ ପାଖରେ ପହଁଞ୍ଚିଲା ପରେ ଜାଣିଲି ଯେ ଅଫିସ୍ କାମରେ ସୋମେସ୍‌କୁ ସେଇଦିନ ହିଁ ଟୁର୍‌ରେ ଯିବାକୁ ପଡିଲା ବୋଲି ସେ ହସ୍ପିଟାଲ୍ ଆସିପାରି ନଥିଲେ। ସୁରଭିଙ୍କ ବାପା-ମା’ ଛଳଛଳ ଆଖିରେ ବସିଥାନ୍ତି ଆଉ ଝିଅର ଅସ୍ତ୍ରୋପ୍ରଚାର ପାଇଁ ଅପେକ୍ଷା କରିଥାନ୍ତି। ସୁରଭିକୁ ଚାକିରୀ ଛାଡି ଘରକୁ ଫେରିଯିବାକୁ ବୁଝାଉଥାନ୍ତି।

ଏକବିଂଶ ଶତାବ୍ଦି ଓ ଅନେକ ଆଧୁନିକରଣ ସତ୍ତ୍ୱେ, ଏବେ ବି ଭାରତ ପରି ଏକ ରକ୍ଷଣଶୀଳ ଦେଶରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ଏକ ପାପ ଓ ହୀନ ନଜରରେ ଦେଖାଯାଏ। ହେଲେ ଗୋଟିଏ ବିଶ୍ୱସ୍ତରୀୟ ଓ ଇଣ୍ଟର୍‌ନେଟ୍ ସାଇଟ୍ ସର୍ବେକ୍ଷଣ ଅନୁଯାୟୀ ଭାରତୀୟ ମାନେ ହିଁ ସର୍ବାଧିକ ଆଡଲ୍ଟ ସାଇଟ୍ ବ୍ୟବହାର କରନ୍ତି (ଆଉ ଲକ୍‌ଡାଉନ୍ ସମୟରେ ଏଥିରେ ୯୫% ବୃଦ୍ଧି ଘଟିଛି) କିନ୍ତୁ କୌଣସି ଅଭାବନୀୟ ବା ଅନିଚ୍ଛାକୃତ ଗର୍ଭଧାରଣ ହେଲେ ସବୁବେଳେ ଝିଅମାନଙ୍କୁ ହିଁ ସବୁ ଟାହିଟାପରା ଓ ଅପମାନର ସାମ୍‌ନା କରିବାକୁ ପଡିଥାଏ। ସେଥିପାଇଁ ହୁଏତ ଝିଅମାନେ ସହଜ ଉପଲବ୍ଧ ଓ ବଜେଟ୍‌ଫ୍ରେଣ୍ଡଲି ECP କୁ ବ୍ୟବହାର କରୁଛନ୍ତି। କିନ୍ତୁ ସେମାନେ ଏହାଦ୍ୱାରା ନିଜ ପାଇଁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ କେତେ କ୍ଷତି କରୁଛନ୍ତି ସୁରଭି ପରି କେତୋଟି ଘଟଣାକୁ ଲକ୍ଷ୍ୟ କଲେ ଜଣାପଡ଼େ।

ସ୍ୱାଧୀନତା ବା ଆଧୁନିକରଣର ଅର୍ଥ ଆଦୌ ନିଜ ପାଇଁ କିମ୍ବା ସମାଜ ପାଇଁ ବିପଦ ଡାକିଆଣିବା ନୁହେଁ। ସେଥିପାଇଁ ଆଧୁନିକ ଚିକିତ୍ସା ବିଜ୍ଞାନର ସଠିକ ଓ ଯୁକ୍ତିଯୁକ୍ତ ବ୍ୟବହାର କରି, ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ନିୟନ୍ତ୍ରଣ ବା ଅବାଂଛିତ ଗର୍ଭଧାରଣକୁ ରୋକିବାର ଅନ୍ୟ ଉପାୟ (ଯେମିତିକି ବ୍ୟାରିଅର ମେଥଡ୍‌ ବା କଣ୍ଡୋମ୍) ଆପଣେଇବା ଦ୍ୱାରା ନିଜକୁ ନାନା ଯୌନରୋଗ ସଂକ୍ରମଣ ଓ ପ୍ରାଣଘାତି ସମସ୍ୟାରୁ ରକ୍ଷା କରିପାରିବେ।

Article
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ