ଷୋଡଶ ବିଧାନସଭାର ତ୍ରୟୋଦଶ ତଥା ସ୍ୱଳ୍ପକାଳୀନ ଅଧିବେଶନ ଆରମ୍ଭ ହେବାର ସପ୍ତାହେ ଯାଏଁ ଲଗାତାର ଭାବେ ହଙ୍ଗାମା, ହୋହଲ୍ଲା ଓ ମୁଲତବୀକୁ ନେଇ ଅଚଳାବସ୍ଥା ଲାଗି ରହିଛି। ବାହାରେ ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରର ସରକାରୀ ଓ ବେସରକାରୀ ସଂସ୍ଥା-ସଂଗଠନଗୁଡିକର ଆନ୍ଦୋଳନ, ପ୍ରତିବାଦ ଓ ବିକ୍ଷୋଭ ଦେଖାଦେଇଛି। ଏହା ଦ୍ୱାରା ସମଗ୍ର ରାଜ୍ୟର ମୌଳିକ ସୁବିଧା ଓ ବ୍ୟବସ୍ଥା ଗଭୀର ଭାବରେ ପ୍ରଭାବିତ ହେବା ସହିତ ଏକ ସଂକଟଜନକ ସ୍ଥିତି ସୃଷ୍ଟି ହୋଇଛି।
ଏହାରି ଭିତରେ କିନ୍ତୁ ବହୁ ଚର୍ଚ୍ଚିତ ଜମି ଅଧିଗ୍ରହଣ ବିଲ୍ ପାରିତ ହୋଇଛି, ଯାହାକୁ ଚାରି ଚାରି ଥର ଉଦ୍ୟମ କରି ତୀବ୍ର ବିରୋଧ ଯୋଗୁଁ କେନ୍ଦ୍ର ସରକାର ଆଣିପାରି ନ ଥିଲେ। ନିକଟରେ ‘ଡିମ୍ଡ୍ ଫରେଷଡ଼୍’ ବା ବୁଦା ଜଙ୍ଗଲ ଜମି ଆଉ ଏବେ ଚାଷ ଜମିକୁ ଅଣଚାଷ ଜମିରେ ବ୍ୟବହାର କରିବାର ବ୍ୟବସ୍ଥା; ଶିଳ୍ପାୟନ ପାଇଁ ସୁଯୋଗ ସୃଷ୍ଟିକରିଛି!
ସମ୍ପ୍ରତି ଓଡ଼ିଶାର ସ୍ଥିତି କ’ଣ, ଶାସନ ବ୍ୟବସ୍ଥା କିଭଳି ଚାଲିଛି, ରାଜନୈତିକ ପାଣିପାଗ କେମିତି ଅଛି ତାହା ଜାଣିବାକୁ ହେଲେ ସମଗ୍ର ରାଜ୍ୟ ବୁଲିବାର ବିଶେଷ ପ୍ରୟୋଜନ ନାହିଁ; ଚଳିତ ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହ ଭିତର ଓ ବାହାର (ଆନ୍ଦୋଳନ ସ୍ଥଳି) ଘଟଣା ସବୁକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜାଣିହେବ।
ଗୋଟିଏ ପଟେ ବିଧାନସଭାରେ ନୀତିବିହିନ ପ୍ରସଙ୍ଗକୁ ନେଇ ହୋହଲ୍ଲା, ହଙ୍ଗାମା ଓ ଅଚଳାବସ୍ଥା ଲାଗିରହିଥିବା ବେଳେ ଅନ୍ୟପଟେ ମୌଳିକ ସମସ୍ୟାକୁ ନେଇ ଏକ ସଂକଟଜନକ ସ୍ଥିତି ଦେଖାଦେଇଛି। ବ୍ୟାପକ ଅସୁବିଧା ଓ ସମସ୍ୟା ଘେରରେ ଥିବା ଶିକ୍ଷକ, ଡାକ୍ତର, ଫାର୍ମାସିଷ୍ଟ, ଆଶା, ଅଙ୍ଗନୱାଡି କର୍ମୀ, ପାଚିକା, ଶ୍ରମିକ ଏଭଳି କି ଖୋଦ ଜନପ୍ରତିନିଧି (ସରପଞ୍ଚମାନେ) ମଧ୍ୟ ରାସ୍ତାକୁ ଓହ୍ଲାଇ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି। ସରକାରଙ୍କ ‘ଧମକ’ ପାଇଛନ୍ତି, ପୁଲିସର ପ୍ରହାର ଖାଇଛନ୍ତି, ଗିରଫ ହୋଇଛନ୍ତି ଆଉ ଚାକିରିରୁ ନିଲମ୍ବିତ ମଧ୍ୟ ହୋଇଛନ୍ତି।
Also Read
ଏଭଳି ‘ସଙ୍କଟଜନକ’, ଅଡୁଆ ପରିସ୍ଥିତିରେ ସରକାର କିନ୍ତୁ ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି! କୌଣସି ଆଲୋଚନା, ବିତର୍କ, ବିରୋଧାଭାଷର ବାଧା ବିନା ୪ଟି ବିଲ୍ ବିଧାନସଭାରେ ପାରିତ ହୋଇଯାଇଛି। ଆଉ ଏଥିରେ ରହିଛି ଅତି ଗୁରୁତ୍ୱପୂର୍ଣ୍ଣ ଓ ‘ବିବାଦୀୟ’ ଜମି ଅଧିଗ୍ରହଣ ବିଲ୍।
ଯେଉଁ ଜମି ଅଧିଗ୍ରହଣ ଆଇନ-୨୦୧୩କୁ ସଂଶୋଧନ କରି ସାଂସଦରେ କେନ୍ଦ୍ର ସରକାର ଆଣିଥିଲେ ଆଉ ୨୦୧୪ ମସିହାରେ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା; ଚଳିତ ମୌସୁମୀ ଅଧିବେଶନରେ ରାଜ୍ୟ ସରକାର ତାହାକୁ ପାରିତ କରିଛନ୍ତି। ଏହି ବିଲ୍ରେ କେନ୍ଦ୍ର ଆଣିଥିବା ଅଧ୍ୟାଦେଶରେ କୁହାଯାଇଥିଲା, ନୂଆ ଜମି ଅଧିଗ୍ରହଣ ଆଇନ ଦ୍ୱାରା ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆସିବ।
୨୦୧୩ ମସିହାରେ ୟୁପିଏ ସରକାର ଯେଉଁ ଜମି ଅଧିଗ୍ରହଣ ଆଇନ ପ୍ରଣୟନ କରିଥିଲେ ତା’ର ସଂଶୋଧନ କରି ୨୦୧୪ରେ ମୋଦୀ ସରକାର ଏହି ବିଲ୍ ଆଣିଥିଲେ। ପୂର୍ବ ଆଇନ ଅନୁସାରେ ସରକାର ଏବଂ ଘରୋଇ ଶିଳ୍ପର ମିଳିତ ପ୍ରକଳ୍ପଗୁଡିକରେ ୮୦ ପ୍ରତିଶତ ଜମି ମାଲିକର ସହମତି ଆବଶ୍ୟକ ପଡୁଥିଲା। କେବଳ ସରକାରୀ ପ୍ରକଳ୍ପ ପାଇଁ ୭୦ ପ୍ରତିଶତ ସହମତି ଲୋଡାଯାଉଥିଲା। କିନ୍ତୁ ନୂଆ ଆଇନରେ ଏହାକୁ ବାଦ ଯାଇ ନ ଥିଲା, ଯାହାକୁ ନେଇ ବିରୋଧ ହୋଇଥିଲା।
କେନ୍ଦ୍ର ସରକାର ଏହି ବିଲ୍ ଆଣିବାକୁ ଚାରି ଚାରି ଥର ପ୍ରୟାସ କରି ବିଫଳ ହୋଇଥିଲେ। ଦୀର୍ଘ ୮ ମାସ ଧରି ଏହାକୁ ନେଇ ବିରୋଧ ପ୍ରଦର୍ଶନ ଜାରିରହିଲା। ଏଭଳି କି ୧୦ ମାର୍ଚ୍ଚ ୨୦୧୫ରେ ସରକାର ଜମି ଅଧିଗ୍ରହଣ ବିଲ୍ ଲୋକସଭାରେ ପାରିତ ମଧ୍ୟ କରିଦେଇଥିଲେ; କିନ୍ତୁ ରାଜ୍ୟସଭାରେ ବହୁମତ ନ ଥିଲା। ଶେଷରେ ୩୦ ଅଗଷ୍ଟ ୨୦୧୫ରେ ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଜମି ଅଧିଗ୍ରହଣ ବିଲ୍ ଫେରାଇ ନେବାକୁ ଘୋଷଣା କଲେ।
ଚଳିତ ସ୍ୱଳ୍ପକାଳୀନ ବିଧାନସଭାରେ ରାଜ୍ୟ ସରକାର ଏହି ବିଲ୍ ପାରିତ କରିଛନ୍ତି। ଏହି ସଂଶୋଧିତ ବିଲ୍ ଆଣିବା ବିଷୟରେ ସରକାର ଯେଉଁ ଯୁକ୍ତି ଦର୍ଶାଇଛନ୍ତି, ସେଥିରୁ ସ୍ପଷ୍ଟ ଅନୁମେୟ ଯେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଜରିଆରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନ କ୍ଷେତ୍ରରେ ଶିଳ୍ପପତିଙ୍କ ପାଇଁ ଜମି ଅଧିଗ୍ରହଣ ଆଇନ ଯେଉଁ ବାଧକ ହେଉଥିଲା ଏଥିରୁ ସରକାରଙ୍କୁ ଆରାମ ମିଳିଛି।
ରାଜ୍ୟରେ ଚାଷ ଜମି ଧିରେ ଧିରେ ସଂକୁଚିତ ହୋଇ ରାସ୍ତା ସମ୍ପ୍ରସାରଣ, ଘରବାଡି, ଶିଳ୍ପ କାରଖାନା ସ୍ଥାପନ ହେବା ନେଇ ସାଧାରଣରେ ଯେଉଁ ଚିନ୍ତା ଓ ଉଦ୍ବେଗ ପ୍ରକାଶ ପାଉଥିଲା ନୂଆ ଜମି ଅଧିଗ୍ରହଣ ଆଇନ ଆହୁରି ଗମ୍ଭୀର ସ୍ଥିତି ସୃଷ୍ଟି କରିବ ବୋଲି କୁହାଯାଏ। କାରଣ ଚାଷ ଜମିକୁ ଏହି ଉଦ୍ଦେଶ୍ୟରେ ବିକ୍ରି କରିବା ପାଇଁ କିସମ ପରିବର୍ତ୍ତନର ବ୍ୟବସ୍ଥା ଏଥିରେ ରହିଛି। ବଜାର ଦରର ଶତକଡ଼ା ୧ ଭାଗ ମୂଲ୍ୟରେ ତାହା କରାଯାଇପାରିବ। ଆଉ ମୂଳ ଆଇନ୍ରେ ଜମି ଅଧିଗ୍ରହଣ ପୂର୍ବରୁ ସାମାଜିକ ବ୍ୟବସ୍ଥାର ସମୀକ୍ଷା ନିମନ୍ତେ ଯେଉଁ ବ୍ୟବସ୍ଥା ଥିଲା ତା’କୁ ହଟେଇ ଦିଆଯାଇଛି।
ପୂର୍ବ ମୌସୁମୀ ଅଧିବେଶନରେ ଏହାକୁ ସରକାର ପ୍ରତ୍ୟାହାର କରିନେଇଥିଲେ। ୨୨ ମାର୍ଚ୍ଚ ୨୦୨୩ରେ ରାଜ୍ୟ ସରକାରଙ୍କ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଜମି ଅଧିଗ୍ରହଣ ବିଲ୍ ବିଧାନସଭାରେ ଆଗତ କରିଥିଲେ। ମାତ୍ର ୯ ଦିନ(୩୧ ମାର୍ଚ୍ଚ)ରେ ଏହାକୁ ଫେରାଇ ନେଇଥିଲେ। ତେବେ କାହିଁକି ଏବଂ କେଉଁ କାରଣରୁ ଏହି ବିଲ୍ ପ୍ରତ୍ୟାହାର କରିନେଇଥିଲେ ସେକଥା ଜଣାପଡି ନ ଥିଲା।
କୌଣସି ଦିଗକୁ ଚିନ୍ତା ନ କରି ପୁରୀରେ ୮ହଜାର ଏକର ଜମି ବେଦାନ୍ତକୁ ହସ୍ତାନ୍ତରର ଉଦ୍ୟମ ଓ ତା’ର ପରିଣାମ ସରକାର ଭୋଗି ସାରିଛନ୍ତି! ସୁପ୍ରିମକୋର୍ଟ ମଧ୍ୟ ଏହାକୁ ବେଆଇନ ବୋଲି ଦର୍ଶାଇଥିଲେ। ହେଲେ ରାଜ୍ୟ ସରକାର ଏଥିରୁ କ’ଣ ଶିଖିଲେ? ଓଡ଼ିଶାର ଖଣି ଓ ଶିଳ୍ପ ପାଇଁ ଯେଉଁ ଜବରଦସ୍ତ ଜମି ଅଧିଗ୍ରହଣ ଚାଲିଛି ତାକୁ ନେଇ ଆଦିବାସୀମାନେ ସବୁଠାରୁ ବେଶୀ ପ୍ରତିବାଦ କରୁଛନ୍ତି। ସରକାର ସେ ବିଷୟରେ ଚିନ୍ତା କରିଛନ୍ତି କି?
ଏହି ବିଲ୍ ସମେତ ସରକାର ବିଧାନସଭାରେ ୪ଟି ବିଲ୍ ପାରିତ କଲାବେଳେ ଗୃହ ଥିଲା ବିରୋଧୀଶୂନ୍ୟ! ଏସବୁ ଉପରେ ଯେଉଁଭଳି ବ୍ୟାପକ ଆଲୋଚନାର ଆବଶ୍ୟକ ଥିଲା ତାହା ହୋଇପାରି ନ ଥିଲା। ଅଧିବେଶନ ଆରମ୍ଭରୁ ଗୃହକାର୍ଯ୍ୟରେ ବ୍ୟାଘାତ, ବାରମ୍ବାର ମୁଲତବୀ ନେଇ ବିଧାନସଭାରେ ଅଚଳାବସ୍ଥା ଦେଖାଯାଇଥିଲା। ‘ମନ୍ତ୍ରୀ ବଡ ନା ସଚିବ ବଡ’ ଓ ‘ଶ୍ରଦ୍ଧା’ ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ‘ବିରୋଧୀ ଜନବିରୋଧୀ’ ବିବୃତି ଏବଂ ତାକୁ ନେଇ ବିରୋଧୀ ସଦସ୍ୟଙ୍କ ମାଧ୍ୟରେ ହଙ୍ଗାମା ସୃଷ୍ଟି ହୋଇଥିଲା। ଗୃହରେ କହିବାକୁ ସୁଯୋଗ ଦିଆଯାଉ ନାହିଁ, କହିବାବେଳେ ମାଇକ୍ କନେକ୍ସନ୍ କାଟି ଦିଆଯାଉଥିବା ବିରୋଧୀଙ୍କ ଅଭିଯୋଗ ମଧ୍ୟ ଆସିଛି। ଏଭଳି କି ବିରୋଧୀ ଦଳ ନେତାଙ୍କୁ ‘ମେଂଟାଲି ଡିଜ୍ଅର୍ଡର’ କୁହାଯିବା ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା। ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ୨ ବିଜେପି ବିଧାୟକ ନିଲମ୍ବିତ ହେଲେ। ଏଭଳି ଭାବରେ ବିଧାନସଭାରେ ଅଚଳାବସ୍ଥା ଓ ଅସ୍ୱାଭାବିକ ସ୍ଥିତି ଦେଖାଦେଇଥିଲା। ଆଉ ଏହାରି ଭିତରେ ୪ଟି ବିଲ୍ ପାସ୍ ହୋଇଥିଲା।
ଅତୀତରେ ପାରିତ ଏଭଳି ଏକ ବିଲ୍କୁ ନେଇ ରାଜ୍ୟର ଶହ ଶହ ଏନ୍ଜିଓ ଏବେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରତିବାଦ ପାଇଁ ପ୍ରସ୍ତୁତ ହେଉଛନ୍ତି! ରାଜ୍ୟ ବିଧାନସଭା ଦ୍ୱାରା ୨୦୨୧ରେ ପାରିତ ସୋସାଇଟିସ୍ ରେଜିଷ୍ଟ୍ରେସନ ଆକ୍ଟର ସଂଶୋଧନ ଏବଂ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହୀତ ନିୟମାବଳୀ ନାଗରିକ ସଂଗଠନଗୁଡିକର ସ୍ୱତନ୍ତ୍ରତା ସଂକୁଚିତ କରିବା ସହିତ ଅଯଥା ଚାପ ସୃଷ୍ଟି କରିବ ବୋଲି ଶତାଧିକ ସଂସ୍ଥାନ ଆପତ୍ତି ଆଣିଛନ୍ତି।
ଆଇନ ସେବା ସଂସ୍ଥା ‘କ୍ଲାପ୍’ ବ୍ୟାନରରେ ଏକତ୍ରିତ ହୋଇ ସ୍ୱେଚ୍ଛାସେବୀ ସଂଗଠନମାନେ କ୍ଷୋଭ ପ୍ରକାଶ କରି ଦର୍ଶାଇଛନ୍ତି, ସଂଶୋଧନ ହେବା ପୂର୍ବରୁ ସରକାର ସେମାନଙ୍କ ମତାମତ ନ ଲୋଡ଼ି ଏକତରଫା ଭାବେ ଆଇନ ପ୍ରଣୟନ କରିଛନ୍ତି। ଏନେଇ ପାଞ୍ଚଦଫା ଦାବିପତ୍ର ରାଜ୍ୟ ସରକାରଙ୍କୁ ସ୍ୱେଛାସେବୀ ସଂଗଠନମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ପ୍ରଦାନ କରିବ ବୋଲି ‘କ୍ଲାପ୍’ର ସଭାପତି ଡ. ବିକାଶ ଦାସ କହିଛନ୍ତି।
ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)