Advertisment

ଟି-୨୦ ବିଶ୍ୱକପ୍ ଜିତିବା ପାଇଁ ଯୋଗ୍ୟ ଥିଲା କି ଟିମ୍ ଇଣ୍ଡିଆ

ଟିମ୍ ଇଣ୍ଡିଆ କ’ଣ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା ଲାଗି ଯୋଗ୍ୟ ଥିଲା? ନିଜ ବ୍ୟାଟିଂରେ ନିରାଶ କରିଥିବା ରୋହିତଙ୍କ ନେତୃତ୍ୱ-ଦକ୍ଷତା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ବିଫଳତା ପାଇଁ ରୋହିତ କେତେ ମାତ୍ରାରେ ଦାୟୀ? ଏବେ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳିଙ୍କୁ ନେତୃତ୍ୱ ଦିଆଯିବା ଆବଶ୍ୟକ କି?

ଅଦ୍ୟତନ ହୋଇଛି
Did Team India deserve to win the T20 World Cup?

Did Team India deserve to win the T20 World Cup?

Advertisment

ଏସିଆ କପ୍ ପରେ ଟି-୨୦ ବିଶ୍ୱକପ୍‌ରେ ବି ନିରାଶ କଲା ଟିମ୍ ଇଣ୍ଡିଆ । ଉଭୟ ବହୁପାକ୍ଷିକ ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଫାଇନାଲ୍‌ରେ ପହଞ୍ଚିପାରି ନ ଥିଲା। ଟି-୨୦ ବିଶ୍ୱକପ୍‌ରେ ତ ଦେଢ଼ ଦଶନ୍ଧିର ମୁକୁଟ ମରୁଡ଼ି ଅବ୍ୟାହତ ରହିଛି।

Advertisment

ବିଶେଷକରି, ଟି-୨୦ ବିଶ୍ୱକପ୍ ୨୦୨୨ର ବିଫଳତାକୁ ଭାରତୀୟ କ୍ରିକେଟ୍ ପ୍ରେମୀ (ବିଶ୍ଳେଷକ ମଧ୍ୟ) ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସୁପର୍-୧୨ ପର୍ଯ୍ୟାୟରେ ଗ୍ରୁପ୍-୨ ଟପ୍ପର ଟିମ୍ ଇଣ୍ଡିଆ ସେମିଫାଇନାଲ୍‌ରେ ଇଂଲଣ୍ଡ ବିପକ୍ଷରେ ଏଭଳି ଶୋଚନୀୟ ପ୍ରଦର୍ଶନ କରିବ ବୋଲି କେହି କଳ୍ପନା କରି ନ ଥିଲେ। ଯେଉଁମାନେ ଭାରତ-ପାକିସ୍ତାନ ଫାଇନାଲ୍ ହେବ ବୋଲି ଆଶା ବାନ୍ଧିଥିଲେ, ସେମାନଙ୍କୁ ତ ନିରାଶ ହେବାକୁ ପଡ଼ିଲା; ତାହା ସହିତ ଭାରତର ଦ୍ୱିତୀୟ ମୁକୁଟ ସ୍ୱପ୍ନ ପୁନର୍ବାର ଅଧୁରା ରହିଗଲା।

ଏହି ବିଫଳତା ପରେ ଅନେକ ପ୍ରଶ୍ନ ଉଠିଛି । ସେଥିମଧ୍ୟରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ଟିମ୍ ଇଣ୍ଡିଆ କ’ଣ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା ଲାଗି ଯୋଗ୍ୟ ଥିଲା? ନିଜ ବ୍ୟାଟିଂରେ ନିରାଶ କରିଥିବା ରୋହିତଙ୍କ ନେତୃତ୍ୱ-ଦକ୍ଷତା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ବିଫଳତା ପାଇଁ ରୋହିତ କେତେ ମାତ୍ରାରେ ଦାୟୀ? ଏବେ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳିଙ୍କୁ ନେତୃତ୍ୱ ଦିଆଯିବା ଆବଶ୍ୟକ କି?

Advertisment

ଟୁର୍ଣ୍ଣାମେଣ୍ଟ ପୂର୍ବରୁ କେତେକ ପୂର୍ବତନ କ୍ରିକେଟର୍ ଭାରତୀୟ ଟିମ୍‌କୁ ମୁକୁଟ ଦୌଡ଼ରେ ରଖିଥିଲେ ହେଁ ମୁକୁଟ-ଫେଭରିଟ୍ ଭାବେ ଅଭିହିତ କରି ନ ଥିଲେ। ଏହାର କାରଣ ଥିଲା ସମ୍ଭବତଃ ଏସିଆ କପ୍ ବିଫଳତା। କିନ୍ତୁ ଏସିଆ କପ୍ ପରେ ଟିମ୍ ନିଜ ପ୍ରଦର୍ଶନରେ ସୁଧାର ଆଣିଥିଲା। ଦୁଇ ଘରୋଇ ଶୃଙ୍ଖଳାରେ ପ୍ରଥମେ ଅଷ୍ଟ୍ରେଲିଆ ଓ ଏହାପରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା।

ବିରାଟ କୋହଲିଙ୍କ ଭଳି ସିନିଅର୍ ବ୍ୟାଟର୍, ଯାହାଙ୍କ ଫର୍ମକୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ହେଉଥିଲା, ସେ ଏସିଆ କପ୍‌ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଠାରୁ ଫର୍ମ ବଜାୟ ରଖିଛନ୍ତି। ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ଅର୍ଶଦୀପ ସିଂହ ନୂଆ ଡେଥ୍ ଓଭର୍ ବୋଲର୍ ଭାବେ ଉଭା ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଖେଳୁଥିବା ବେଳେ ନୂଆ ମିଷ୍ଟର ୩୬୦ ଆଖ୍ୟା ପାଇଥିବା ସୂର୍ଯ୍ୟକୁମାର ଯାଦବ ତାଙ୍କ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏ ସମସ୍ତ ସକାରାତ୍ମକତା ସତ୍ତ୍ୱେ ଟିମ୍ ଇଣ୍ଡିଆକୁ ସେମିଫାଇନାଲ୍‌ରୁ ବିଦାୟ ନେବାକୁ ପଡ଼ିଲା।

Advertisment

ଏହା ସହିତ ଟିମ୍‌ର ଟ୍ରଫି ଜିତିବାର ଯୋଗ୍ୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲା । କିନ୍ତୁ କାହିଁକି?

ପ୍ରଥମେ ଚୟନକାରୀମାନେ ଏମିତି କେତେକ ଖେଳାଳିଙ୍କ ଚୟନ କରିଥିଲେ, ଯେଉଁମାନେ ୧୫ ଜଣିଆ ତାଲିକାରେ ସ୍ଥାନ ପାଇବା ପାଇଁ ହକଦାର ନ ଥିଲେ। ଏହାପରେ ଚୂଡ଼ାନ୍ତ ଏକାଦଶ ଚୟନରେ ବି ଏକଜିଦିଆ ମନୋଭାବ ପୋଷଣ କରାଗଲା। ରୋହିତ ସେନା ପାକିସ୍ତାନ ଠାରୁ ଶେଷ ବଲ୍‌ରେ, ବାଂଲାଦେଶ ଠାରୁ ବର୍ଷାର ଦୟା ବଶତଃ, ଦୁର୍ବଳ ଜିମ୍ବାୱେ ଓ ନେଦରଲାଣ୍ଡ୍‌ସ ବିପକ୍ଷରେ ଜିତିଥିଲା। କିନ୍ତୁ ଯେତେବେଳେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଭଳି ଟିମ୍ ସହ ଲଢ଼ିବାକୁ ପଡ଼ିଲା, ସେତେବେଳେ ଟିମ୍ ସବୁ ଅସ୍ତ୍ର ତ୍ୟାଗ କଲା।

ପୂରା ଟୁର୍ଣ୍ଣାମେଣ୍ଟ୍‌କୁ ଦେଖିଲେ ଜଣାଯାଏ, ଭାରତୀୟ ଟିମ୍‌ର ବିଫଳତାର ସବୁଠାରୁ ବଡ଼ କାରଣ ଥିଲା ଓପନିଂ ଭାଗୀଦାରୀ। ସେମିଫାଇନାଲ୍‌ରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ମାତ୍ର ୯ ରନ୍‌ରେ ଭାଙ୍ଗିଥିଲା ଓପନିଂ ଯୋଡ଼ି। ରାହୁଲ ୫ ରନ୍ କରି ପାଭିଲିଅନ୍ ଫେରିଥିଲେ। ଏଠାରୁ ଚାପ ବଢ଼ିଯାଇଥିଲା ଏବଂ ଏହାର ପ୍ରଭାବ ଟିମ୍‌ର ସ୍କୋର୍ ଉପରେ ପଡ଼ିଥିଲା। ପାୱାର୍-ପ୍ଲେ ସୁଦ୍ଧା ସ୍କୋର୍ ହୋଇଥିଲା ୩୮/୧।

ପୂରା ଟୁର୍ଣ୍ଣାମେଣ୍ଟରେ ରୋହିତ ବ୍ୟାଟିଂରେ ବିଫଳ ହୋଇଥିଲେ। ସେ କେବଳ ଗୋଟିଏ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ବିପକ୍ଷରେ ଅର୍ଦ୍ଧଶତକ ଲଗାଇଥିଲେ। ସେମିଫାଇନାଲ୍‌ରେ ସେ ୨୮ ବଲ୍‌ରୁ ୨୭ ରନ୍ କରିଥିଲେ। ରାହୁଲ ଅବଶ୍ୟ ଟୁର୍ଣ୍ଣାମେଣ୍ଟ୍‌ରେ ଦୁଇଟି ଅର୍ଦ୍ଧଶତକ ଲଗାଇଥିଲେ। କିନ୍ତୁ ବଡ଼ ମ୍ୟାଚ୍‌ରେ ସେ ବିଫଳ ହୋଇଥିଲେ। ମନେ ହେଉଥିଲା ଉଭୟ ସତେ ଯେମିତି ଓପନର୍‌ଙ୍କ ସ୍ଥାନକୁ ମାଡ଼ି ବସିଛନ୍ତି ବାରମ୍ବାର ବିଫଳତା ସତ୍ତ୍ୱେ।

ସେମିଫାଇନାଲ୍‌ରେ ଦୁଇ ଓପନରରଙ୍କ ବିଫଳତା ପରେ ସୂର୍ଯ୍ୟକୁମାର ବି ନିରାଶ କରିଥିଲେ। ଏହାପରେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ଇନିଂସ୍ ସମ୍ଭାଳିଥିଲେ। ଉଭୟ ଅର୍ଦ୍ଧଶତକ ଲଗାଇଥିଲେ। ବିଶେଷକରି ହାର୍ଦ୍ଦିକଙ୍କ ପାୱାର୍-ହିଟିଂ ଯୋଗୁଁ ଇନିଂସ୍ ଭଲ ସ୍ଥିତିରେ ପହଞ୍ଚି ପାରିଥିଲା।

କିନ୍ତୁ ଭାରତର ସବୁ ବୋଲର୍ ବିଫଳ ହୋଇଥିଲେ। ପୂର୍ବରୁ ଅନେକ ସମୟରେ ଭଲ ଖେଳିଆସିଥିବା ଅର୍ଶଦୀପ ସିଂହ, ଭୁବନେଶ୍ୱର କୁମାର, ମହମ୍ମଦ ଶାମୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ପେସରଙ୍କ ମଧ୍ୟରୁ କାହା ବଲ୍ ବି କାମ କରି ନ ଥିଲା। କେହି ୱିକେଟ୍ ପାଇ ନ ଥିଲେ। ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ଓ ଅକ୍ଷର ପଟେଲ୍ କୌଣସି କମାଲ୍ କରିପାରି ନ ଥିଲେ। ଆରମ୍ଭରୁ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳିଥିବା ଇଂଲଣ୍ଡର ଦୁଇ ଓପନର୍ - ଅଧିନାୟକ ଜୋସ୍ ବଟ୍‌ଲର୍ ଓ ଆଲେକ୍ସ ହେଲ୍‌ସ୍ କୌଣସି ଚାପ କି ୱିକେଟ୍ ପଡ଼ିବାକୁ ନ ଦେଇ ଚାରି ଓଭର୍ ପୂର୍ବରୁ ଟିମ୍‌କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ।

ପରାଜୟ ପାଇଁ ଦାୟୀ କିଏ:

ମ୍ୟାଚ୍ ପରେ ଅଧିନାୟକ ରୋହିତ ଶର୍ମା ବୋଲର୍‌ମାନଙ୍କୁ କାଠଗଡ଼ାରେ ଛିଡ଼ା କରାଇଥିଲେ। ରୋହିତ କହିଥିଲେ, “ଆମ ବୋଲର୍‌ମାନେ ଭଲ ପ୍ରଦର୍ଶନ କରି ନ ଥିଲେ। ଏହା ଏଭଳି ୱିକେଟ୍ ନ ଥିଲା ଯେଉଁଠି କୌଣସି ଟିମ୍ ୧୬ ଓଭର୍‌ରେ ଲକ୍ଷ୍ୟ ହାସଲ କରିନେବ। ଆମ ବୋଲର୍‌ମାନେ ଆଦର୍ଶ ଆରମ୍ଭ କରି ନ ଥିଲେ। କିନ୍ତୁ ତାଙ୍କ ଓପନର୍‌ଙ୍କୁ ଶ୍ରେୟ ଦେବାକୁ ପଡ଼ିବ।”

ଅନେକ ବିଶ୍ଳେଷକଙ୍କ ବିଚାରରେ ପରାଜୟ ପାଇଁ କେବଳ ବୋଲର୍‌ମାନଙ୍କୁ ଦାୟୀ କରାଯାଇପାରିବ ନାହିଁ। ଟିମ୍ ଇଣ୍ଡିଆ ମ୍ୟାଚ୍‌ର ସବୁ ଦିଗରେ ଇଂଲଣ୍ଡ ଠାରୁ ପଛରେ ଥିବାର ଜଣାପଡ଼ୁଥିଲା। ଗୁରୁତ୍ୱପୂର୍ଣ୍ଣ ଅବସରର ସଦୁପଯୋଗ କରିବାରେ ଟିମ୍ ବିଫଳ ହୋଇଥିଲା। ଇଂଲଣ୍ଡ ପାଖରେ ଭାରତ ଠାରୁ ଭଲ ଗେମ୍‌ପ୍ଲାନ୍ ଥିଲା ଏବଂ ଭାରତୀୟ ଟିମ୍ ଏହାର କାଟ ଖୋଜି ପାଇ ନ ଥିଲା।

ପାକିସ୍ତାନର ଅଧିନାୟକ ବାବର ଆଜମ୍ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନିଜ ବ୍ୟାଟିଂ ଜରିଆରେ ଟିମକୁ ବିଜୟର ବାଟ ଦେଖାଇଥିଲେ; କିନ୍ତୁ ରୋହିତ ଶର୍ମା ଏଭଳି କରିବାରେ ବିଫଳ ହୋଇଥିଲେ। ପୂରା ଟୁର୍ଣ୍ଣାମେଣ୍ଟ୍‌ରେ ତାଙ୍କ ସ୍କୋର୍ ଥିଲା ଛଅ ମ୍ୟାଚ୍‌ରୁ ୧୧୬ ରନ୍। ସେ କେବେ ବି ଅଧିନାୟକୀୟ ଇନିଂସ୍ ଖେଳିପାରି ନ ଥିଲେ। ସେମିଫାଇନାଲ୍‌ରେ ଓପନିଂ ଯୋଡ଼ି ଭଲ ଖେଳିଥିଲେ, ଟିମ୍ ହୁଏତ ବଡ଼ ସ୍କୋର୍ ଛିଡ଼ାକରି ପ୍ରତିପକ୍ଷ ଉପରେ ଚାପ ପକାଇପାରିଥା’ନ୍ତା।

ସରି ସରି ଆସୁଛି ସିନିଅରଙ୍କ ସମୟ:

ଟି-୨୦ ବିଶ୍ୱକପ୍ ୨୦୨୨ ପରେ ପ୍ରଶ୍ନ ଉଠିଛି ଯେ ଏଥିରେ ଆଶାଜନକ ପ୍ରଦର୍ଶନ କରିପାରି ନ ଥିବା ସିନିଅର୍ ଖେଳାଳିମାନେ କ୍ରିକେଟ୍‌ର କ୍ଷୁଦ୍ରତମ ଫର୍ମାଟ୍‌ରେ ଆଉ କେତେ ଦିନ ଖେଳିବେ। ସେମାନେ ଦିନିକିଆ ଓ ଟେଷ୍ଟ୍‌ ଖେଳିପାରନ୍ତି; କିନ୍ତୁ ଟି-୨୦ ଫର୍ମାଟ୍ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ସେମାନେ ସ୍ୱତଃପ୍ରବୃତ୍ତ ଭାବେ ଏହି ଫର୍ମାଟ୍ ଛାଡ଼ିଦେଇପାରନ୍ତି ଅଥବା ସମୟକ୍ରମେ ସେମାନଙ୍କୁ ଟିମ୍‌ରୁ ଦୂରେଇ ଦିଆଯିବ।

ଭାରତର ପୂର୍ବତନ କିମ୍ବଦନ୍ତୀ ବ୍ୟାଟର୍ ସୁନୀଲ ଗାଭାସ୍କରଙ୍କ ବିଚାରରେ ଏହି ବିଶ୍ୱକପ୍ ପରେ ଭାରତର ଟି-୨୦ ସେଟ୍ଅପ୍‌ରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି (ଫର୍ମକୁ ଫେରିବା ସତ୍ତ୍ୱେ) ଏହି ଫର୍ମାଟ୍ ଛାଡ଼ିପାରନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଟିମ୍‌କୁ ନେତୃତ୍ୱ ନେବାରେ ପ୍ରମୁଖ ଭୂମିକା ତୁଲାଇପାରନ୍ତି।

ନ୍ୟୁଜିଲାଣ୍ଡ୍‌ ଗସ୍ତ ପାଇଁ ଏକ ଭିନ୍ନ ଟିମ୍ ଅଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ସେଠାରେ ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳା ଖେଳିବ (ଦିନିକିଆରେ ଶିଖର ଧାବନ୍ ଅଧିନାୟକତ୍ୱ କରିବେ)। ସେ ଟିମ୍ ଉପରେ ନିଜ ଛାପ ଛାଡ଼ିବାକୁ ପ୍ରୟାସ କରିବେ, କାରଣ ଚୟନ କମିଟି ସ୍ପଷ୍ଟ ରୂପରେ ଏକ ସଙ୍କେତ ପଠାଇଛି। ହାର୍ଦ୍ଦିକ ପୂର୍ବରୁ କେତୋଟି ମ୍ୟାଚ୍‌ରେ ଟିମ୍‌ର ସଫଳ ନେତୃତ୍ୱ ନେଇସାରିଛନ୍ତି। ଆଇପିଏଲ୍‌ରେ ଜଣେ ଅଧିନାୟକ ଭାବେ ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସକୁ ଚାମ୍ପିଅନ୍ କରାଇଥିଲେ। ବିସିସିଆଇ ଟି-୨୦ ଫର୍ମାଟ୍ ପାଇଁ ଅଧିନାୟକ ଭାବେ ହାର୍ଦ୍ଦିକଙ୍କୁ ଚିହ୍ନିତ କରିଛି।

ଚର୍ଚ୍ଚା ହେଉଛି ଯେ ୱିକେଟ୍‌କିପର୍-ବ୍ୟାଟର୍ ଦିନେଶ କାର୍ତ୍ତିକ ଓ ଅଫ୍‌ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଏବେ ଆଉ ଟି-୨୦ ଫର୍ମାଟ୍‌ରେ ସାମିଲ କରାଯାଇ ନ ପାରେ। ଉଭୟ ସେମାନଙ୍କର ଶେଷ ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି।

୨୦୨୩ରେ ଅଧିକାଂଶ ସିନିଅର୍ ଖେଳାଳିଙ୍କୁ ଦିନିକିଆ ଓ ଟେଷ୍ଟ୍‌ ଉପରେ ଫୋକସ୍ କରିବାକୁ କୁହାଯିବ, କାରଣ ଆସନ୍ତା ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତ ଦିନିକିଆ ବିଶ୍ୱକପ୍ ଆୟୋଜନ କରିବ। ତେଣୁ ୨୦୨୩ରେ ସେମାନଙ୍କୁ ଟି-୨୦ ଆନ୍ତର୍ଜାତିକ ଖେଳିବାର ଦେଖିବାକୁ ମିଳିବନି।

ଦୁଇ ବଡ଼ ବହୁପାକ୍ଷିକ ଟି-୨୦ ଟୁର୍ଣ୍ଣାମେଣ୍ଟ୍‌ରେ ବିଫଳ ହେବା ପରେ ଭାରତୀୟ ଟିମ୍‌ରେ ପରିବର୍ତ୍ତନର ସମୟ ଆସିଛି। ଏଥିରେ ଅଧିକରୁ ଅଧିକ ଯୁବ ଓ ପ୍ରତିଭାଶାଳୀ ଖେଳାଳିଙ୍କୁ ସୁଯୋଗ ମିଳିବା ଦରକାର। ସିନିଅର୍‌ମାନେ ସେମାନଙ୍କ ପାଇଁ ବାଟ ଛାଡ଼ିଦେଲେ ଉଚିତ ହେବ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

T20 World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ