ଓଡିଆ ଜାତିର ପରିଚୟ ତା’ର ଭାଷା-ସଂସ୍କୃତି-ଶିଳ୍ପକଳା

ଗଭୀର ଚିନ୍ତନ ଯୋଗୁଁ ଆମର ପୂର୍ବଜମାନେ ଓଡିଆ ଭାଷା ଭିତ୍ତିରେ ଓଡିଶା ରାଜ୍ୟ ଗଠନର ଦାବି ଉପସ୍ଥାପିତ କଲେ ଏବଂ ଆମର ଓଡିଶା ପ୍ରଦେଶ ଗଠନ ହେଲା । କାରଣ ଏହି ଗଭୀର ଚିନ୍ତା ଆବଶ୍ୟକ କରେ ଯାହାସବୁ ତଥ୍ୟ ରହିଛି ତାକୁ ଧାରାବାହିକ ଓ ପର୍ଯ୍ୟାୟକ୍ରମେ ଆଲୋଚନା କରିବା, ମୂଲ୍ୟାଙ୍କନ କରିବା ଓ ତାକୁ ପୂର୍ଣ୍ଣାଙ୍ଗ ରୂପ ଦେବା।

ଓଡ଼ିଆ ଜାତିର ପରିଚୟ ତା'ର ଭାଷା-ସଂସ୍କୃତି-ଶିଳ୍ପକଳା

ଚିନ୍ତା କରିବା ଏପରି ଏକ ସାମର୍ଥ୍ୟ ଯାହା ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ବିକାଶ ଲାଭ କରିଥାଏ । ଏହି ଚିନ୍ତା କରିବା ବିଭିନ୍ନ ପର୍ଯ୍ୟାୟର । ଯଦି ଆମେ କିଛି ହାସଲ କରିବାକୁ ଚିନ୍ତା କରୁ, ତାହା ହେଉଛି ସାଧାରଣ ଚିନ୍ତାଧାରା । ଏହି ଚିନ୍ତାଧାରା ହିତବାଦୀ ଚିନ୍ତା, ଯାହା ଆମ ଚିନ୍ତାଧାରାର ମହାନୀୟତାକୁ ଦୂରକୁ ଠେଲିଦିଏ । ବରଂ ଏହାକୁ ଆମେ ଯୋଜନା ବା ଖସଡା କହିପାରୁ ।

ଆଉ ଏକ ପ୍ରକାର ଚିନ୍ତା ହେଉଛି, ଯାହାସବୁ ବିଷୟରେ ଆମେ ଚିନ୍ତା କରିପାରୁ । ଏହା ଆମର ବ୍ୟସ୍ତତା ବା ବିବ୍ରତବୋଧରୁ ସୃଷ୍ଟି । ସବୁ କଥାରେ ଆମେ ବ୍ୟତିବ୍ୟସ୍ତ ହେଉ, ବିବ୍ରତ ହେଉ ଏବଂ ଚିନ୍ତା କରୁ । ଆମେ ଅଧିକାଂଶ ଲୋକ କ’ଣ କରିବା, ସେଥିପାଇଁ ଯୋଜନା କରନ୍ତି, ଖସଡା ପ୍ରସ୍ତୁତ କରନ୍ତି ଏବଂ ବିବ୍ରତ ହୋଇ ପଡନ୍ତି । ସମୟ ସମୟରେ ଆମେ ଏତେ ବିବ୍ରତ ଓ ବ୍ୟସ୍ତ ହୋଇପଡୁ ଯେ କାର୍ଯ୍ୟଟିକୁ ଅତିମାତ୍ରାରେ କରିପକାନ୍ତି ଏବଂ କ’ଣ ଭୁଲଭ୍ରାନ୍ତି ଘଟିଲା, ତାହା ମଧ୍ୟ ଜାଣିପାରନ୍ତି ନାହିଁ । କିନ୍ତୁ ଏହି ଉଭୟ ଚିନ୍ତା କରିବାର ସାମର୍ଥ୍ୟର ସତ୍ୟତା ପ୍ରତି ଅନାଦାର ସୃଷ୍ଟି କରିଥାଏ ।

ଆଉ ଏକ ପ୍ରକାର ଚିନ୍ତା ରହିଛି, ଯାହା ଅତ୍ୟନ୍ତ ଲୋକପ୍ରିୟ, ଯାହାକୁ କୁହାଯାଏ କଳ୍ପନା । ଏହା ମଧ୍ୟ ଏକ ଭିନ୍ନ ପ୍ରକାରର ଚିନ୍ତା । ଏହା ଅତ୍ୟନ୍ତ ଆମୋଦଦାୟକ ଏବଂ ଏହି ଚିନ୍ତା ବ୍ୟକ୍ତିଗତ ଓ ସାମାଜିକ ଜୀବନର ଭୁଲ୍ ତ୍ରୁଟିକୁ ସଂଶୋଧନ କରିପାରେ । ଅବଶ୍ୟ ଏହା କେବଳ କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟେ । କଳ୍ପନା ମଧ୍ୟ ଲୋକମାନଙ୍କ ମନରେ ବହୁବାର ଆଶା ଜାଗ୍ରତ କରେ ।

ଠିକ ସେହିପରି ଚିନ୍ତା ଯୋଗୁଁ ଆମର ପୂର୍ବଜମାନେ ଓଡିଆ ଭାଷା ଭିତ୍ତିରେ ଓଡିଶା ରାଜ୍ୟ ଗଠନର ଦାବି ଉପସ୍ଥାପିତ କଲେ ଏବଂ ଆମର ଓଡିଶା ପ୍ରଦେଶ ଗଠନ ହେଲା । କାରଣ ଏହି ଗଭୀର ଚିନ୍ତା ଆବଶ୍ୟକ କରେ ଯାହାସବୁ ତଥ୍ୟ ରହିଛି ତାକୁ ଧାରାବାହିକ ଓ ପର୍ଯ୍ୟାୟକ୍ରମେ ଆଲୋଚନା କରିବା, ମୂଲ୍ୟାଙ୍କନ କରିବା ଓ ତାକୁ ପୂର୍ଣ୍ଣାଙ୍ଗ ରୂପ ଦେବା । ଓଡିଆ ଭାଷାଭିତ୍ତିରେ ଓଡିଶା ରାଜ୍ୟ ଗଠନ କରିବା ପାଇଁ ଏହିପରି ଚିନ୍ତା ଉପସ୍ଥାପିତ କରାଯାଇଥିବାରୁ ଆମେ ଆଜି ସ୍ୱତନ୍ତ୍ର ଉତ୍କଳ ଦିବସ ପାଳନ କରୁଅଛୁ । ଆମର ଭାଷା ଓଡିଆ ଓ ଆମର ରାଜ୍ୟ ଓଡିଶା ବୋଲି ଗର୍ବରେ କହୁଛୁ ।

ଓଡିଶାକୁ ଭାଷାଭିତ୍ତିରେ ସ୍ୱତନ୍ତ୍ର ରାଜ୍ୟ କରିବା ପାଇଁ ପ୍ରଥମେ ଚିନ୍ତା କ୍ଷେତ୍ରରେ ପ୍ରକ୍ରିୟା ଆରମ୍ଭ ହେଲା । ପ୍ରଥମେ ଦୃଷ୍ଟିନିକ୍ଷେପ କରି ଦେଖାଗଲା ଯେ ଓଡିଶା ସ୍ୱତନ୍ତ୍ର ରାଜ୍ୟ ନଥିବା ହେତୁ କିପରି ଶୋଷଣର ଶିକାର ହେଉଛି, କିପରି ହିନୀମାନି ଦେଖାଯାଉଛି । ଓଡିଶା ମାଟିରେ ବିଦେଶୀ ଉପନିବେଶବାଦୀ ଚକ୍ରାନ୍ତରେ ଓଡିଆ ଭାଷା ବିପର୍ଯ୍ୟସ୍ତ ହୋଇଥିଲା । ଓଡିଶା ପ୍ରଦେଶ ଗଠନ ହେଲେ ଅନ୍ୟ କୈାଣସି ରାଜ୍ୟର କିଛି କ୍ଷତି ହେବାର ସମ୍ଭାବନା ମଧ୍ୟ ନଥିଲା ।

ଗଭୀର ଚିନ୍ତନର ବିଶେଷତ୍ୱ ହେଉଛି ଏହା ତର୍କସମ୍ମତ ଓ ଯୁକ୍ତିଯୁକ୍ତ । ଯଦି ସଠିକ୍ ଯୁକ୍ତି ରାଜ୍ୟ ଗଠନ ପାଇଁ ନଥାନ୍ତା, ତେବେ ହୁଏତ ଏହା ସମ୍ଭବ ହୋଇ ପାରିନଥାନ୍ତା । ତର୍କସମ୍ମତ ଓ ଯୁକ୍ତିଯୁକ୍ତ ସିଦ୍ଧାନ୍ତକୁ ଉପସ୍ଥାପିତ କରି ରାଜ୍ୟ ଗଠନର ମହାନ୍ ସ୍ଥପତି ଉତ୍କଳଗୈାରବ ମଧୁସୂଦନ ଜାତି ପ୍ରତି ତାଙ୍କର ଭାଷଣରେ କହିଥିଲେ, ମୁଁ ଯେତେବେଳେ ଏହି ଆନ୍ଦୋଳନ ଆରମ୍ଭକଲି ଜାତି (ଓଡିଆ) ବୋଲି କିଛି ନଥିଲା ।

ମୁଁ ସେତେବେଳେ ସର୍ବତ୍ର ଶୁଷ୍କ କଙ୍କାଳ ଆଉ ଅସ୍ଥିମାନଙ୍କର ସ୍ତୂପୀକୃତ ପାହାଡଗୁଡିକୁ ହିଁ ଦେଖୁଥିଲି, କେବଳ ଅସ୍ଥି, ଅସ୍ଥି, ଆଉ ଅନ୍ୟ କିଛି ନୁହେଁ, କେବଳ ହିଁ ଅସ୍ଥି । ମତେ ସେହି ନିର୍ଜୀବ ଶୁଷ୍କ ଅସ୍ଥି କଙ୍କାଳ ମଧ୍ୟରେ ମାଂସପେଶୀକୁ ସଂଯୁକ୍ତ କରିବାକୁ ପଡିଲା । ସେହି ଶୀର୍ଷ ହସ୍ତମାନଙ୍କୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବା ସହିତ ସେମାନଙ୍କୁ ଘେନି ମୋତେ ଦୁର୍ଦ୍ଦଷ ସଂଗ୍ରାମରେ ଅବତୀର୍ଣ୍ଣ ହେବାକୁ ପଡିଲା। ଉର୍ଦ୍ଧ୍ୱରୁ ଭଗବାନଙ୍କ ବ୍ୟତୀତ ଏହି ଦୁରୂହ କାର୍ଯ୍ୟରେ ମତେ ଆଉ କେହି ସାହାଯ୍ୟ ପ୍ରଦାନ କରିନଥିଲେ ।

ପରିଶେଷରେ ସେ ନିଜର ବକ୍ତବ୍ୟ ସମାପ୍ତି କରି କହିଥିଲେ, ଆମ୍ଭେମାନେ ଭାରତରେ ସବୁଠାରୁ ଅଧିକ ଆଇନ ଆଚରଣ କରୁଥିବା ଜାତି ରୂପରେ ସୁପରିଚିତ । ଭଗବାନଙ୍କ ସହିତ ସମନ୍ୱିତ ହୁଅ । କର୍ତବ୍ୟର ଆହ୍ୱାନରେ ସଂଗ୍ରାମ କରିଚାଲ । ଅନ୍ୟ ଜାତିମାନଙ୍କୁ ସାହାଯ୍ୟ କରିବାକୁ ତତ୍ପର ହୁଅ । ପୁଣି ସେହିଦିନ ଆସିବ, ଯେତେବେଳେ ତୁମ୍ଭମାନଙ୍କୁ କର୍ତ୍ତବ୍ୟ ସମ୍ପାଦନର ହିସାବ ପ୍ରଦାନ କରିବାକୁ ପଡିବ । ତୁମେ ଯଦି ଜଗତର ମଙ୍ଗଳ ସାଧନ କରିଥାଅ, ସେହି ବିଧାତା ପୁରୁଷ ଆସି କହିବେ ହେ, ମୋର ସନ୍ତାନ, ମୋର ସମୀପକୁ ଆସ । ମୁଁ ତୁମକୁ ଜୀବନର ମହିମାମଣ୍ଡିତ ମୁକୁଟ ପିନ୍ଧାଇ ଦେବି ।

ଜାତି ଗଠନର ଏହି ଗଭୀର ଚିନ୍ତନରେ ସାର୍ଥକ ସହଯୋଗ ଲାଗି ବିଦ୍ୟମାନ ଥିଲେ କ୍ରାନ୍ତିପୁରୁଷ ରାଧାନାଥ ଆଉ ଫକୀର ମୋହନ ଠାରୁ ଆରମ୍ଭ କରି ଗଙ୍ଗାଧର, ଚନ୍ଦ୍ରଶେଖର, କୃଷ୍ଣଚନ୍ଦ୍ର ଗଜପତି, ଶଶୀଭୂଷଣ ପ୍ରମୁଖ ବହୁ ଜନନାୟକ ଗଣ । ସେମାନେ ଛିନ୍ନ ବିଚ୍ଛିନ୍ନ ଓଡିଆ ଜାତି ପାଇଁ ଆଣି ଦେଇଥିଲେ ନିଜସ୍ୱ ସ୍ୱତନ୍ତ୍ର ଭିତ୍ତିଭୂମି । ସୁରସିଂହ ପଟ୍ଟନାୟକଙ୍କ ଭାଷାରେ, ‘ମଧୁସୂଦନଙ୍କର ତାତ୍ପର୍ଯ୍ୟପୂର୍ଣ୍ଣ ଦିଗ୍‌ଦର୍ଶନ, ପାରଳା ଓ ଖଲିକୋଟ୍ ରାଜାଙ୍କର କାର୍ଯ୍ୟନିର୍ବାହ, କନିକା ରାଜା, ଭୁବନାନନ୍ଦ ଦାସଙ୍କର କର୍ମତତ୍ପରତା, ବ୍ରଜସୁନ୍ଦର ଦାସ, ଶଶୀଭୂଷଣ ରଥ, ନୀଳକଣ୍ଠ ଦାସ ପ୍ରମୁଖଙ୍କର ସହଯୋଗିତା ଆଉ ଅସଂଖ୍ୟ ନେତୃବର୍ଗଙ୍କର ଉତ୍ସର୍ଗୀକୃତ କର୍ମ ସମ୍ପାଦନ ଫଳରେ ଓଡିଶା ପ୍ରଦେଶ ଗଠନ ସମ୍ଭବ ହୋଇ ପାରିଥିଲା ।

ଓଡିଆ ସାହିତ୍ୟର ସ୍ୱନାମଧନ୍ୟ କବି ସାହିତ୍ୟିକ ମାୟାଧର ମାନସିଂହ କଲିକତା ଠାରେ ଭାଷଣ ଦେଇ କହିଥିଲେ, ମୁଁ ଓଡିଆ ଜାତିକୁ ତିନୋଟି କାରଣରୁ ଭଲପାଏ । ସେ କାରଣଗୁଡିକ ଏହିପରି - ପ୍ରଥମ କାରଣ ଅବଶ୍ୟ ଏହି ଯେ, ମୋର ଜନନୀ ମତେ ଯେଉଁ ଭାଷା ଶିଖାଇଥିଲେ, ଓଡିଆ ଜାତି ସେହି ଭାଷା କହେ । ଏହି ଭାଷା ମୋ ରକ୍ତରେ ମିଶି ଯାଇଛି । ଅନ୍ୟ ଯେତେ ଲୋକଙ୍କ ରକ୍ତରେ ଏ ଭାଷା ମିଶିଛି, ସେମାନଙ୍କ ପ୍ରତି ମୋର ଆକର୍ଷଣ ହେବା ସ୍ୱାଭାବିକ । ସେହିମାନେ ହିଁ ଓଡିଆ ଜାତି ।

ଦ୍ୱିତୀୟ କାରଣ ହେଉଛି ଗୋଟିଏ ସ୍ୱଚ୍ଛଳ, ଉନ୍ନତ ସଭ୍ୟ ଜାତିର ଅଧଃପତନ । ଓଡିଆ ଜାତିର ଆଧୁନିକ ଦୁଃଖ, ଦାରିଦ୍ର‌୍ୟ, ମୂର୍ଖତା ମତେ ଏ ଜାତି ପ୍ରତି କରୁଣାମୟ କରି ରଖେ । ନର ନାରାୟଣ ସେବା କରିବାରେ ଯଦି ମୋ ଜୀବନର ସାର୍ଥକତା, ତେବେ ମୁଁ ଆଉ କୁଆଡେ ଯିବି ? ଏହି ଓଡିଶା ଦେଶ ତ ତା’ର ପ୍ରକୃତ କ୍ଷେତ୍ର । ଓଡିଆ ଜାତିକୁ ମୁଁ ଭଲ ପାଇବାର ତୃତୀୟ ଓ ଶ୍ରେଷ୍ଠ କାରଣ ଏହି ଯେ, ଓଡିଆ ଜାତି ଏକ ସ୍ରଷ୍ଟାର ଜାତି । ଓଡିଆ ଜାତି ତା’ର ସ୍ୱପ୍ନକୁ ଏପରି ଭାବରେ ରୂପ ଦେଇପାରିଛି, ଯାହା କେବଳ ସଭ୍ୟତମ ମାନବ ହିଁ କରିପାରେ ।’

ଓଡିଆ ଶିଳ୍ପୀ, ନିଜ ସୃଷ୍ଟିରେ ହିଁ ନିଜକୁ ମିଶାଇ ଦେଇଛି । ବୀଜ ନିଜକୁ ନଷ୍ଟ କରି ବୃକ୍ଷରେ ପରିଣତ ହେଲା ପରି, ଓଡିଆ ଶିଳ୍ପୀ କଳାରେ ନିଜର ସମଗ୍ର ଅସ୍ତିତ୍ୱକୁ ସମର୍ପଣ କରିଯାଇଛି । କଳା ସୃଷ୍ଟିର ଇତିହାସରେ ଏ ଅବଦାନ ଅତୁଳନୀୟ । ମୁଁ ତେଣୁ ଓଡିଆ ଶିଳ୍ପୀକୁ ବାରବାର ନମସ୍କାର କରେ ଏବଂ ସେହି ସୂତ୍ରରେ ଓଡିଆ ଜାତିକୁ ଭଲପାଏ।

ଓଡିଆ ଜାତିର ପରିଚୟ ତା’ର ଭାଷା, ତା’ର ସଂସ୍କୃତି, ତା’ର ଶିଳ୍ପକଳା । ଆମେ ଏପରି ଏକ ଜାତିରେ ଓ ରାଜ୍ୟରେ ଜନ୍ମଲାଭ କରିଅଛୁ, ଯାହା ମୂଳରୁ କ୍ଷଣିକ ପ୍ରତି ତାଚ୍ଛଲ୍ୟ କରି ଚିରନ୍ତନ ଉପରେ ଆଖି ରଖିବାକୁ ଶିଖିଛି । ଏହାହିଁ ଆମର ଆଦର୍ଶ । ଏହି ଆଦର୍ଶକୁ ଧରି ରଖିବା, ତାକୁ ଧରି ଜୀବନ ବଂଚିବା ପାଇଁ ଆମକୁ ଆମ ଭାଷା ପ୍ରତି, ଆମ ସାହିତ୍ୟ ପ୍ରତି, ଆମ ରାଜ୍ୟ ପ୍ରତି ଅଙ୍ଗୀକୃତ ହେବାକୁ ହେବ ।

ଏ ସମ୍ପର୍କରେ ଆମେ ଯେତେ ଗଭୀର ଚିନ୍ତା କରିବା, ଆମେ ସେତେ ଉଚ୍ଚତର ସୋପାନରେ ପହଂଚିବା । ‘ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା ।’ ଏ ବାଣୀ ଆଜି ବି ଓଡିଆ ପ୍ରାଣରେ ଉତ୍ସାହ ଆଣେ । ନିଜକୁ ଆତ୍ମସମ୍ମାନ ଜ୍ଞାନ ଦିଏ । ସୃଜନ ଆନନ୍ଦ କେବଳ ମାତୃଭାଷାରେ ହିଁ ସମ୍ଭବ । ମୁଁ ଓଡିଆ, ମୋର ଭାଷା ଓଡିଆ ଏବଂ ମୁଁ ଓଡିଶାର । ଏହି ଭାବ ଯଦି ମନରେ ଜାଗ୍ରତ ନ ହୁଏ, ତେବେ ସମାଜ କୃତ୍ରିମ ହୋଇଉଠେ।

ଭାଷା ସେହି ପରିମାଣରେ ଜଟିଳ ହୋଇଯାଏ । ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ଯେଉଁ ନିରବଚ୍ଛିନ୍ନ ସଂଗ୍ରାମ, ତା’ର ଭିତିଭୂମିରେ ଓଡିଆ ଭାଷାର ଯେଉଁ ମହତ୍ୱପୂର୍ଣ୍ଣ ଭୂମିକା ସେ ସଂପର୍କରେ ବର୍ତମାନ ଯୁବପିଢ଼ି ଗଭୀର ଚିନ୍ତା କରିବାର ଆବଶ୍ୟକ । ଭାଷା ମୂଳତଃ ତିନିଗୋଟି କାର୍ଯ୍ୟ କରେ । ପ୍ରଥମରେ ବ୍ୟକ୍ତି ସମ୍ବେଦନଶୀଳତାର ପରିଚୟ ଦିଏ । ଦ୍ୱିତୀୟରେ ମୂଲ୍ୟବୋଧର ସମ୍ଭାବନାକୁ ଖୋଜେ ଏବଂ ତୃତୀୟରେ ଭାବି ଚିନ୍ତି କରି ଯଥାର୍ଥକୁ ଏକ ଢ଼ଙ୍ଗରେ ବୁଝିବାରେ ସାହାଯ୍ୟ କରେ । ତେଣୁ ଭାଷା କେବଳ ମାଧ୍ୟମ ନୁହେଁ ବରଂ ମନୁଷ୍ୟ ଅସ୍ତିତ୍ୱକୁ ବୁଝିବାର ମାଧ୍ୟମ । ବିଶ୍ୱର ସମସ୍ତ ଚିନ୍ତକମାନେ ଏହା ସ୍ୱୀକାର କରିଛନ୍ତି ଯେ ପିଲାଙ୍କର ଶିକ୍ଷା-ଦୀକ୍ଷା ତାହାର ମାତୃଭାଷାରେ ହେବା ଉଚିତ । ସେଥିପାଇଁ ଯେତିକି ଗର୍ବ ଓ ଗୈାରବ କରିବା ତତୋଅଧିକ ଦାୟିତ୍ୱ ବହନ କରିବା । ଓଡ଼ିଆ ଭାଷାକୁ ଅଧିକ ସୁସଂହତ ଓ ଉନ୍ନତ ସୋପାନକୁ ଉନ୍ନୀତ କରିବା ଆମ ପାଇଁ ଗଭୀର ଚିନ୍ତନର ବିଷୟ ହେଉ।

(ସୌଜନ୍ୟ - ଉତ୍କଳ ପ୍ରସଙ୍ଗ)