Advertisment

ଦେଢ଼ ଦଶନ୍ଧି ପରେ ବିଶ୍ୱକପ୍ ମୁକୁଟ ଜିତିପାରିବ କି ଟିମ୍ ଇଣ୍ଡିଆ

କେତେକ ପୂର୍ବତନ କ୍ରିକେଟର୍ ଟି-୨୦ ବିଶ୍ୱକପ୍‌ରେ ଭାରତକୁ ମୁକୁଟ ଦୌଡ଼ରେ ସାମିଲ୍ କରିଛନ୍ତି; ହେଲେ ପ୍ରକୃତରେ ଟିମ୍ ଇଣ୍ଡିଆର ସମ୍ଭାବନା କେତେ? ପୂର୍ବ ସଂସ୍କରଣରେ ମଧ୍ୟ ଭାରତ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇଥିଲା; କିନ୍ତୁ ସେମିଫାଇନାଲ୍‌ରେ ପହଞ୍ଚିପାରି ନ ଥିଲା। ଏହାର ବର୍ଷେ ପରେ ଆଉ ଏକ ବିଶ୍ୱକପ୍‌ରେ ଟିମ୍ କ’ଣ ଭାରତର କୋଟି କୋଟି କ୍ରିକେଟ୍‌ପ୍ରେମୀଙ୍କ ଆଶାକୁ ପୂରଣ କରିପାରିବ?

ଅଦ୍ୟତନ ହୋଇଛି
Can Team India win the World Cup crown after a decade and a half?

Can Team India win the World Cup crown after a decade and a half?

Advertisment

ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଗଲାଣି ଟି-୨୦ ମହାକୁମ୍ଭ। ବିଶ୍ୱତମାମ୍ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ସୀମାହୀନ ଉତ୍ସାହ। ଏଥର କେଉଁ କେଉଁ ଟିମ୍ ଯିବ ସେମିଫାଇନାଲକୁ, କାହା କାହା ମଧ୍ୟରେ ହେବ ମୁକୁଟ ଲଢ଼େଇ ଆଉ କିଏ ଜିତିବ ବିଶ୍ୱକପ୍ - ଏଭଳି ଚର୍ଚ୍ଚା ଅନେକ ଦିନ ହେଲା ଆରମ୍ଭ ହୋଇସାରିଛି। କ୍ରିକେଟ୍ ବିଶେଷଜ୍ଞ ଓ ପୂର୍ବତନ କ୍ରିକେଟର୍‌ମାନେ ମଧ୍ୟ ନିଜ ନିଜ ପସନ୍ଦର ସେମିଫାଇନାଲିଷ୍ଟ ଅଥବା ଫାଇନାଲିଷ୍ଟ ଚୟନ କରିସାରିଲେଣ।

Advertisment

‘କ୍ରିକେଟ୍‌ର ଭଗବାନ’ ଭାବେ ଖ୍ୟାତ ସଚିନ ତେନ୍ଦୁଲକର, ଭାରତୀୟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର, ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ରିକି ପଣ୍ଟିଂ, ଟମ୍ ମୁଡି ଓ ମାଇକେଲ୍ ବେଭାନ୍ ପ୍ରମୁଖ ଟିମ୍ ଇଣ୍ଡିଆକୁ ମୁକୁଟ ଦୌଡ଼ରେ ସାମିଲ୍ କରିଛନ୍ତି। ଅଧିକାଂଶ ପୂର୍ବତନ କ୍ରିକେଟର୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ହେବ ବୋଲି ଆଶାପୋଷଣ କରିଛନ୍ତି, ଯେତେବେଳେ କି ଟପ୍ ଫୋର୍ ତାଲିକାରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟ ରହିଛନ୍ତି।

ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ଭଳି ଟିମ୍ ଡାର୍କ ହର୍ସ ସାବ୍ୟସ୍ତ ହୋଇପାରନ୍ତି। ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଥିବା ଏସିଆ କପ୍ ବିଜେତା ଶ୍ରୀଲଙ୍କା ‘ସାଇକେଣ୍ଟ୍ କିଲର୍’ ହୋଇପାରେ। ତେବେ ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିପାରି ନାହିଁ।

Advertisment

ଅକ୍ଟୋବର ୧୬ରୁ ୨୧ ଯାଏଁ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ହୋଇଥିବା ବେଳେ ୨୨ରୁ ଆରମ୍ଭ ହେବାକୁ ଯାଉଛି ସୁପର୍-୧୨ ଲଢ଼େଇ। ପୂର୍ବ ଥର ଭଳି ଏଥର ବି ୧୬ ଟିମ୍ ଅଂଶଗ୍ରହଣ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ୍-ଏ’ରୁ ଶ୍ରୀଲଙ୍କା ଓ ନେଦରଲାଣ୍ଡସ୍ ଟିମ୍ ଏବଂ ଗ୍ରୁପ୍-ବି’ରୁ ଆୟରଲାଣ୍ଡ୍‌ ଓ ଜିମ୍ବାୱେ ଟିମ୍ ସୁପର୍-୧୨ରେ ପ୍ରବେଶ କରିଛନ୍ତି। ସୁପର୍-୧୨ରେ ଗ୍ରୁପ୍-୧ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ଆୟର୍‌ଲାଣ୍ଡ ଟିମ୍ ରହିଥିବା ବେଳେ ଗ୍ରୁପ୍-୨ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନେଦରଲାଣ୍ଡସ୍ ଓ ଜିମ୍ବାୱେ ଟିମ୍ ରହିଛନ୍ତି।

ଭାରତ ପାଇଁ ଅସଲି ପରୀକ୍ଷା:

ପୂର୍ବତନ କ୍ରିକେଟରମାନେ ଟି-୨୦ ବିଶ୍ୱକପ୍‌ରେ ଭାରତକୁ ମୁକୁଟ ଦୌଡ଼ରେ ସାମିଲ୍ କରିଛନ୍ତି ସତ; ହେଲେ ପ୍ରକୃତରେ ଟିମ୍ ଇଣ୍ଡିଆର ସମ୍ଭାବନା କେତେ? ୨୦୨୧ରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ଭାରତ ଏମିତି ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇଥିଲା; କିନ୍ତୁ ସେମିଫାଇନାଲ୍‌ରେ ବି ପହଞ୍ଚିପାରି ନ ଥିଲା। ଏହାର ବର୍ଷେ ପରେ ଆଉ ଏକ ବିଶ୍ୱକପ୍‌ରେ ଟିମ୍ କ’ଣ ଭାରତର କୋଟି କୋଟି କ୍ରିକେଟ୍‌ପ୍ରେମୀଙ୍କ ଆଶାକୁ ପୂରଣ କରିପାରିବ? ଦେଢ଼ ଦଶନ୍ଧି ପରେ ବିଶ୍ୱକପ୍ ମୁକୁଟ ଜିତିପାରିବ କି ରୋହିତ ସେନା?

Advertisment

ଏହି ଏକ ବର୍ଷ ମଧ୍ୟରେ ଯେଉଁ ବଡ଼ ବ୍ୟବଧାନ ଦେଖାଦେଇଛି, ତାହା ହେଲା ଟିମ୍‌କୁ ନୂଆ ପ୍ରଶିକ୍ଷକ ଓ ଅଧିନାୟକ ମିଳିଛନ୍ତି। ସେତେବେଳେ ରବି ଶାସ୍ତ୍ରୀ ଥିଲେ ପ୍ରଶିକ୍ଷକ ଓ ବିରାଟ କୋହଲି ଅଧିନାୟକ; ଆଉ ଆଜି ରାହୁଲ ଦ୍ରାବିଡ଼ ଓ ରୋହିତ ଶର୍ମାଙ୍କ ଯୋଡ଼ି ରହିଛି।

T 20 World Cup ଟି ୨୦ ବିଶ୍ୱକପ୍

ପ୍ରଶ୍ନ ଉଠୁଛି ଯେ ଏହି ପ୍ରଶିକ୍ଷକ-ଅଧିନାୟକ ଯୋଡ଼ି କ’ଣ ଭାରତୀୟ ଟିମ୍‌କୁ ଦେଢ଼ ଦଶନ୍ଧି ପରେ ବିଶ୍ୱ ବିଜେତା କରାଇପାରିବେ? ଟିମ୍ ଇଣ୍ଡିଆ ୨୦୦୭ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଟି-୨୦ ଚାମ୍ପିଅନ୍ ହୋଇଥିଲା, କିନ୍ତୁ ଏହାପରେ ଟି-୨୦ ବିଶ୍ୱକପ୍‌ରେ ଭାରତ କେବେ ସେହି ପ୍ରଦର୍ଶନକୁ ଦୋହରାଇପାରି ନାହିଁ। ବର୍ଷେ ପୂର୍ବ ଯାଏଁ ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କ ଯୋଡ଼ି ଟିମକୁ ବିଶ୍ୱ କ୍ରିକେଟ୍‌ରେ ଉଚ୍ଚତର ସୋପାନରେ ପହଞ୍ଚାଇଥିଲେ ହେଁ କୌଣସି ଆଇସିସି ଟ୍ରଫି ଜିତାଇବାରେ ସଫଳ ହୋଇ ନ ଥିଲେ।

ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ପଥ ସୁଗମ ହେବ ନାହିଁ ଏକଥା ସମସ୍ତେ ଜାଣନ୍ତି। ଯେଉଁ ପାକିସ୍ତାନ ଠାରୁ ପରାଜୟ ପୂର୍ବ ସଂସ୍କରଣରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା, ଏଥର ବି ସେହି ଟିମ୍ ଗ୍ରୁପ୍‌ରେ ଅଛି। ସେହି ବୋଲର୍-ବ୍ୟାଟର୍ ରହିଛନ୍ତି। ଅଧିନାୟକ ବି ଅପରିବର୍ତ୍ତିତ ଅଛନ୍ତି।

ଅବଶ୍ୟ ଭାରତୀୟ ଟିମ୍ ପୂର୍ବ ବିଶ୍ୱକପ୍‌ର ଫ୍ଲପ୍ ଶୋ’ ପରେ ଚମକପ୍ରଦ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥିଲା। ଟିମ୍ ସେବେଠାରୁ ଏ ଯାବତ ଖେଳିଆସିଥିବା ଟି-୨୦ ଦ୍ୱିପାକ୍ଷିକ ଶୃଙ୍ଖଳାଗୁଡ଼ିକରେ ଅପରାଜେୟ ରହିଆସିଛି। ଅନେକ ଦିନିକିଆ ଶୃଙ୍ଖଳା ବି ଜିତିଛି।

କିନ୍ତୁ ଏହା ଭିତରେ ଥିଲା ଗୋଟିଏ ବ୍ୟତିକ୍ରମ - ଏସିଆ କପ୍‌ରେ ଟିମ୍‌ର ନୈରାଶ୍ୟଜନକ ପ୍ରଦର୍ଶନ ପାକିସ୍ତାନ ଓ ଶ୍ରୀଲଙ୍କା ଠାରୁ ହାରି ଭାରତୀୟ ଟିମ୍ ଫାଇନାଲ୍‌କୁ ଯାଇପାରି ନ ଥିଲ।

ଦୂର ହେବ କି ଡେଥ୍ ଓଭର୍ସ ବୋଲିଂ ଚିନ୍ତା:

ଏବେ ଡେଥ୍ ଓଭର୍ସଗୁଡ଼ିକରେ ଦୁର୍ବଳ ବୋଲିଂ ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି। ପ୍ରମୁଖ ଦ୍ରୁତ ବୋଲର୍ ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତି ଏହାର କାରଣ। ବୁମ୍‌ରା ଡେଥ୍ ଓଭରର୍ ବିଶେଷଜ୍ଞ ଭାବେ ଜଣାଶୁଣା। ସେ ଆଘାତଜନିତ କାରଣରୁ ଟିମ୍‌ରୁ ବାଦ୍ ପଡ଼ିବା ଦ୍ୱିତୀୟ ବଡ଼ ଝଟ୍‌କା ଥିଲା। ଏହା ପୂର୍ବରୁ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଆଘାତ ଯୋଗୁଁ ଟିମ୍‌ରୁ ବାଦ୍ ପଡ଼ିସାରିଥିଲେ।

ଅକ୍ଷର ପଟେଲ୍, ଜାଡ଼େଜାଙ୍କ ବୋଲିଂର ଭରଣା କରିଛନ୍ତି; ହେଲେ ତାଙ୍କ ବ୍ୟାଟିଂ ଓ ଫିଲ୍ଡିଂର ଭରଣା କରିବା ସହଜ ନୁହେଁ। ସେମିତି ବୁମ୍‌ରାଙ୍କ ଭରଣା ବି ଆଦୌ ସହଜ ନୁହେଁ।

ବୁମ୍‌ରା ଟିମ୍‌ରୁ ବାହାରେ ରହିବା ଓ ଅନ୍ୟତମ ଅଭିଜ୍ଞ ପେସର୍ ଭୁବନେଶ୍ୱର କୁମାର ପୂର୍ବଭଳି ଘାତକ ବୋଲିଂ କରି ନ ପାରିବା ଯୋଗୁଁ ଏବେ ଟିମ୍ ମ୍ୟାନେଜ୍‌ମେଣ୍ଟ୍‌ ପାଇଁ ଡେଥ୍ ଓଭର୍ସ ବୋଲିଂ ସମସ୍ୟା ମୁଣ୍ଡ ବ୍ୟଥାର କାରଣ ହୋଇଛି।

ଆଘାତରୁ ସୁସ୍ଥ ହୋଇ ଫେରିଥିବା ହର୍ଷଲ ପଟେଲ୍‌ଙ୍କ ଉପରେ ଭରସା କରାଯାଇଥିଲା; କିନ୍ତୁ ସେ ବି ବିଫଳ ହେଲେ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ଶୃଙ୍ଖଳାରେ ଭାରତୀୟ ଟିମ୍ ଜିତିଥିଲେ ହେଁ ଡେଥ୍ ଓଭର୍ସ ସମସ୍ୟା ଅପରିବର୍ତ୍ତିତ ରହିଥିଲା। ଫଳରେ ଚିନ୍ତା ଆହୁରି ବଢ଼ିଯାଇଛି।

Team Indiaଟି ୨୦ ବିଶ୍ୱକପ୍‌ର ପ୍ରସ୍ତୁତିରେ ଟିମ୍ ଇଣ୍ଡିଆ

ତେବେ ଗୋଟିଏ ଭଲ କଥା ହେଉଛି ଯେ ଯୁବ ପେସର୍ ଅର୍ଶଦୀପ ସିଂହ ପାଓ୍ୱାର୍‌ପ୍ଲେରେ ନିଜ ପ୍ରଦର୍ଶନ ଦ୍ୱାରା ବିଶେଷ ପ୍ରଭାବିତ କରିପାରିଛନ୍ତି। ସେ ଆଇପିଏଲ୍‌ରେ ଡେଥ୍ ଓଭର୍ସଗୁଡ଼ିକରେ ଭଲ ବୋଲିଂ କରିଥିଲେ; ହେଲେ ଟି-୨୦ ଆନ୍ତର୍ଜାତିକରେ ସେମିତି କରିପାରୁ ନାହାନ୍ତି।

ଏବେ ଅବଶ୍ୟ ପେସର୍ ମହମ୍ମଦ ଶାମୀ ଆସିଗଲେଣି। ସେ ଅଭିଜ୍ଞ ବୋଲର୍; କିନ୍ତୁ ସେ ଦୀର୍ଘ ଦିନ ହେଲା ଟି-୨୦ ଆନ୍ତର୍ଜାତିକ ଖେଳି ନାହାନ୍ତି। କରୋନାରୁ ସୁସ୍ଥ ହୋଇ ମ୍ୟାଚ୍-ଫିଟ୍ ହେବା ବେଳକୁ ତାଙ୍କ ପାଖରେ ବିଶ୍ୱକପ୍ ପୂର୍ବରୁ ଆଉ ଆନ୍ତର୍ଜାତିକ ମ୍ୟାଚ୍ ନାହିଁ। ଏହା ପୂର୍ବରୁ ଏସିଆ କପ୍ ପାଇଁ ତାଙ୍କୁ ଅଣଦେଖା କରାଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଓ୍ୱାର୍ମଅପ୍ ମ୍ୟାଚ୍‌ରେ ମାତ୍ର ଗୋଟିଏ ଓଭର୍ ପକାଇ ତିନି ଓ୍ୱିକେଟ୍ ଅକ୍ତିଆର କରି ଶାମୀ ଜୋର୍‌ଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଅନ୍ୟପଟେ, ପୂର୍ବରୁ ବିଶ୍ୱକପ୍ ଷ୍ଟାଣ୍ଡ୍‌ବାଇ ତାଲିକାରେ ଥିବା ଆଉ ଜଣେ ପେସର୍ ଦୀପକ ଚାହର ପୂର୍ବ ଦୁଇ ଘରୋଇ ଶୃଙ୍ଖଳାରେ ପ୍ରଭାବିତ କରିଥିଲେ; କିନ୍ତୁ ଆଘାତ ଯୋଗୁଁ ସେ ଟିମ୍‌ଉ ବାଦ୍ ପଡ଼ିଛନ୍ତି।

ଅଷ୍ଟ୍ରେଲିଆରେ ବାଉନ୍ସ ପିଚ୍ ମିଳିବାର ପୂର୍ଣ୍ଣ ସମ୍ଭାବନା ରହିଛି; କିନ୍ତୁ ଏବେ ଏହା ଭାରତ ପାଇଁ ବଡ଼ ଚିନ୍ତାର ବିଷୟ ନୁହେଁ, କାରଣ ଆମ ବ୍ୟାଟର୍‌ମାନେ ବାଉନ୍ସ ପିଚ୍‌ରେ ଖେଳିବାରେ ସକ୍ଷମ। ଭାରତର ଗ୍ରୁପ୍‌ରେ ସ୍ଥାନ ପାଇଥିବା ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକାର ବୋଲର୍ ବାଉନ୍ସ ପିଚ୍‌ରେ ଆମ ବ୍ୟାଟର୍‌ଙ୍କୁ ନିଶ୍ଚୟ ପରଖିବେ। ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଏହି ଦୁଇ ଟିମ୍ ଛଡ଼ା ବାଂଲାଦେଶ ଓ ଦୁଇ କ୍ୱାଲିଫାୟର୍ ଟିମ୍ ସହ ମୁକାବିଲା କରିବ।

Team Indiaଟିମ୍ ଇଣ୍ଡିଆ

ପାକିସ୍ତାନ ବିପକ୍ଷରେ ଅଭିଯାନ:

ଟିମ୍ ଇଣ୍ଡିଆ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ଖେଳି ନିଜ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍‌ରୁ ହିଁ ଭାରତର ପଥ ଅନେକାଂଶରେ ଧାର୍ଯ୍ୟ ହୋଇଯିବ। ରୋହିତ ସେନା ଏହି ମ୍ୟାଚ୍ ଜରିଆରେ ଏସିଆ କପ୍ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ। ସେମିଫାଇନାଲ୍‌କୁ ଯିବା ପାଇଁ ଭାରତର ଦମଦାର ପ୍ରଦର୍ଶନ କରିବାକୁ ହେବ। ଏ କଥା ବି ମନେ ରଖିବାକୁ ହେବ ଯେ କ୍ରିକେଟ୍‌ର ଏହି ଫର୍ମାଟ୍‌ରେ ଯେକୌଣସି ଟିମ୍ ନିଜ ଦିନରେ ଅପ୍ରତ୍ୟାଶିତ ଫଳାଫଳ ଆଣିବାର ସାମର୍ଥ୍ୟ ରଖନ୍ତି।

ବ୍ୟାଟିଂ ଭାରତୀୟ ଟିମ୍‌ର ସାମର୍ଥ୍ୟ ରହିଆସିଛି। ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଛଡ଼ା ସୂର୍ଯ୍ୟକୁମାର ଯାଦବ ଟିମ୍‌ର ପ୍ରମୁଖ ବ୍ୟାଟର୍ ସୂର୍ଯ୍ୟକୁମାରଙ୍କୁ ୩୬୦ ଡିଗ୍ରୀ ବ୍ୟାଟର୍ ବିବେଚନା କରାଯାଏ। ଚଳିତ ବର୍ଷ ସେ କ୍ରିକେଟ୍‌ର କ୍ଷୁଦ୍ରତମ ଫର୍ମାଟ୍‌ରେ ସର୍ବାଧିକ ୭୯୩ ରନ୍ ସଂଗ୍ରହ କଲେଣି। ଏହାଛଡ଼ା ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତଙ୍କ ଉପରେ ବି ନଜର ରହିବ। ଫିନିଶର୍ ଭୂମିକା ପାଇଁ ଦିନେଶ କାର୍ତ୍ତିକ ରହିଛନ୍ତି।

ଭାରତୀୟ ଟିମ୍‌ରେ ଯୋଗ୍ୟତାର ଅଭାବ ନାହିଁ। ତେବେ ଖେଳାଳିମାନଙ୍କୁ ସୁଯୋଗର ଫାଇଦା ଉଠାଇବାର ଅଛି। ଆବଶ୍ୟକ ସ୍ଥଳେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାର ଅଛି। ଏସିଆ କପ୍ ପ୍ରଦର୍ଶନର ବିଫଳତାକୁ ପଛରେ ପକାଇ ଟିମ୍ ଇଣ୍ଡିଆକୁ ବିଜୟ ପଥରେ ଆଗକୁ ବଢ଼ିବାକୁ ହେବ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Rohit Sharma T20 T20 World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ