୪୭ ବର୍ଷ ପରେ ହକି ବିଶ୍ୱକପ୍ ମୁକୁଟ ଜିତିପାରିବ କି ଭାରତ

ଭାରତ ଶେଷଥର ୧୯୭୫ରେ ମାଲେସିଆର କୁଆଲାଲମ୍ପୁର ଠାରେ ଆୟୋଜିତ ପୁରୁଷ ହକି ବିଶ୍ୱକପ୍‌ରେ ଚାମ୍ପିଅନ୍ ହୋଇଥିଲା। ଏହା ପରଠାରୁ ଭାରତକୁ ଆଉ କେବେ ଏହି ସମ୍ମାନଜନକ ଟ୍ରଫି ଉଠାଇବାର ସୌଭାଗ୍ୟ ମିଳି ନାହିଁ। ୪୭ ବର୍ଷ ପରେ ବିଶ୍ୱକପ୍ ଟାଇଟଲ୍ ଜିତିପାରିବ କି ଭାରତ? ଆୟୋଜକ ଟିମ୍ ଏଥିପାଇଁ କେତେ ପ୍ରସ୍ତୁତ?

୪୭ ବର୍ଷ ପରେ ହକି ବିଶ୍ୱକପ୍ ମୁକୁଟ ଜିତିପାରିବ କି ଭାରତ

ଜାନୁଆରି ୧୩ରୁ ଭୁବନେଶ୍ୱରର କଳିଙ୍ଗ ହକି ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଯିବ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୩। ଆୟୋଜକଙ୍କ ଠାରୁ ପ୍ରଶଂସକଙ୍କ ପର୍ଯ୍ୟନ୍ତ - ସମସ୍ତଙ୍କ ମଧ୍ୟରେ ଏହି ବଡ଼ ଆୟୋଜନକୁ ନେଇ ବିପୁଳ ଉତ୍ସାହ-ଉତ୍କଣ୍ଠା। ଓଡ଼ିଶାରେ ଦ୍ୱିତୀୟ ଥର ହକି ବିଶ୍ୱକପ୍ ଆୟୋଜନ ହେବା ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଗୌରବର ବିଷୟ ମଧ୍ୟ।

ଆୟୋଜକ ହେବାର ସୁଯୋଗ ମିଳିବା ତ ବଡ଼ କଥା; ହେଲେ ଯେଉଁ ପ୍ରଶ୍ନଟି ସବୁଠାରୁ ଅଧିକ ଗୁରୁତ୍ୱ ରଖେ, ତାହା ହେଲା ୪୭ ବର୍ଷ୍ ପରେ ବିଶ୍ୱକପ୍ ଟାଇଟଲ୍ ଜିତିପାରିବ କି ଭାରତ। ଆୟୋଜକ ଟିମ୍ ଏଥିପାଇଁ କେତେ ପ୍ରସ୍ତୁତ? ଘରୋଇ ଦର୍ଶକରେ ଆଗରେ ଖେଳିବା ଟିମ୍ ପାଇଁ କେତେ ସହାୟକ ହେବ?

ଭାରତ ପ୍ରତିଯୋଗିତା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଅଛି। ଭାରତୀୟ ଟିମ୍ ପାଖରେ ଟ୍ରଫି ଜିତିବା ପାଇଁ ବଡ଼ ସୁଯୋଗ ବି ରହିଛି। କାରଣ ଟିମ୍ ନିଜ ମାଟିରେ ଓ ଘରୋଇ ଦର୍ଶକଙ୍କ ସମର୍ଥନରେ ଖେଳିବ। ଅନ୍ୟ ଟିମ୍ ଭାଗ୍ୟରେ ଏହା ଜୁଟିବନି। ଘରୋଇ ପରିସ୍ଥିତିରେ ଖେଳିବା ଟିମ୍ ପାଇଁ ଲାଭଦାୟକ ହେବା ସହ ଟିମ୍ ଉପରେ ଭଲ ପ୍ରଦର୍ଶନ କରିବାର ଚାପ ବି ରହିବ।

ପୂର୍ବ ସଂସ୍କରଣ ମଧ୍ୟ ଭାରତରେ ହୋଇଥିଲା; କିନ୍ତୁ ଟିମ୍ କୌଣସି ପଦକ ଜିତିପାରି ନ ଥିଲା। ଭାରତ ଶେଷ ଥର ୧୯୭୫ରେ ମାଲେସିଆର କୁଆଲାଲମ୍ପୁର ଠାରେ ବିଶ୍ୱକପ୍ ମୁକୁଟ ଜିତିଥିଲା। ସେଥର ଫାଇନାଲ୍‌ରେ ଭାରତୀୟ ଟିମ୍ ୨-୧ରେ ପାକିସ୍ତାନକୁ ମାତ୍ ଦେଇଥିଲା। ଏହା ପରଠାରୁ ଭାରତକୁ ଆଉ କେବେ ଏହି ସମ୍ମାନଜନକ ଟ୍ରଫି ଉଠାଇବାର ସୌଭାଗ୍ୟ ମିଳି ନାହିଁ, ଏପରିକି ଟିମ୍ ସେମିଫାଇନାଲ୍‌ରେ ବି ସ୍ଥାନ ପାଇପାରି ନାହିଁ।

ବିଶ୍ୱକପ୍‌ ଇତିହାସକୁ ଦେଖିଲେ, ପାକିସ୍ତାନ ସର୍ବାଧିକ ଚାରି ଥର; ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ତିନି ଥର ଲେଖାଏଁ; ଜର୍ମାନୀ ଦୁଇ ଥର ଏବଂ ଭାରତ ଓ ବେଲ୍‌ଜିୟମ୍ ଥରେ ଲେଖାଏଁ ଟୁର୍ଣ୍ଣାମେଣ୍ଟ୍‌ ଜିତିଛନ୍ତି। ପୂର୍ବ ସଂସ୍କରଣରେ ବେଲ୍‌ଜିୟମ୍ ଚାମ୍ପିଅନ୍ ହୋଇଥିଲା।

ତେବେ ୨୦୧୮ ଓ ୨୦୨୩ ମଧ୍ୟରେ ଭାରତୀୟ ହକିରେ କେତେକ ଉଲ୍ଲେଖନୀୟ ସଫଳତା ଦେଖିବାକୁ ମିଳିଥିଲା। ଏହି ଅବଧି ମଧ୍ୟରେ ଟିମ୍‌ରେ ଯେଉଁ ବଡ଼ ଉନ୍ନତି ହୋଇଥିଲା, ତାହା ଥିଲା ୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟ। ୪୧ ବର୍ଷ ପରେ ଭାରତୀୟ ଟିମ୍ ଅଲିମ୍ପିକ୍ ପଦକ ଜିତିଥିଲା। ଏହା ପରଠାରୁ ଟିମ୍‌କୁ ନେଇ ଆଶା ସଞ୍ଚାର ହୋଇଥିଲା ଯେ ଭାରତ ଆଗାମୀ ଦିନରେ ଅଲିମ୍ପିକ୍ ଓ ବିଶ୍ୱକପ୍‌ରେ ଟ୍ରଫି ଜିତିପାରିବ।

ଏତଦ୍ଭିନ୍ନ, ଏଫ୍ଆଇଏଚ୍ ପ୍ରୋ ଲିଗ୍ ୨୦୨୦-୨୧ରେ ଭାରତ ତୃତୀୟ ସ୍ଥାନରେ ରହି ନିଜ ଦକ୍ଷତାର ପ୍ରଦର୍ଶନ କରିଥିଲା। ଏହାପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ ରୌପ୍ୟ ପଦକ ଜିତିଥିଲା।

ଦେଶରେ ତୃଣମୂଳ ସ୍ତରରୁ ହକିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଆସୁଛି। ଓଡ଼ିଶା ଭଳି ରାଜ୍ୟ ଜାତୀୟ ହକି ଟିମ୍‌ର ପ୍ରାୟୋଜକ ସାଜି ଏହି କ୍ରୀଡ଼ାକୁ ଉଚ୍ଚତର ସୋପାନକୁ ନେଇପାରିଛି।

ଆମକୁ ଏ କଥା ବି ସ୍ମରଣ ରଖିବାକୁ ହେବ ଯେ ହକିରେ ଭାରତର ଏକ ସ୍ୱର୍ଣ୍ଣିମ ଇତିହାସ ରହିଛି। ଭାରତ ଅଲିମ୍ପିକ୍‌ରେ ସର୍ବାଧିକ ଆଠ ଥର ସ୍ୱର୍ଣ୍ଣ ପଦକ ହାସଲ କରିଛି। ବଡ଼ ପ୍ରତିଯୋଗିତାରେ ଲଢ଼ିବା ବେଳେ ଏହି ପୂର୍ବ ଗୌରବକୁ ମନେ ରଖିବାକୁ ହେବ।

ଭାରତ ବି ଦାବିଦାର:

ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ ପାଇଁ ୧୯୯୮ ବିଶ୍ୱକପ୍ ବିଜେତା ତଥା ଦୁଇ ଥର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକଧାରୀ ନେଦରଲାଣ୍ଡ୍ସର ବ୍ରାମ୍ ଲୋମାନ୍ସ ଏବେ ସ୍ୱତନ୍ତ୍ର ଡ୍ରାଗ୍-ଫ୍ଲିକିଂ ପ୍ରଶିକ୍ଷଣ ସତ୍ର ପାଇଁ ଭାରତୀୟ ଟିମ୍ ସହ ସଂଶ୍ଳିଷ୍ଟ ଅଛନ୍ତି।

ଲୋମାନ୍ସ କହିଛନ୍ତି, “ମୁଁ ଭାବୁଛି ଭାରତ ଯଦି ପ୍ରବଳ ଚାପର ସାମ୍ନା କରେ ଏବଂ ଯଦି ଖେଳାଳିମାନେ ଅତି ଉତ୍ସାହୀ ନ ହୁଅନ୍ତି, ତା’ହେଲେ ସେମାନଙ୍କ ପାଖରେ ଜିତିବା ପାଇଁ ଏକ ଭଲ ସୁଯୋଗ ରହିଛି। ଭାରତ ଭଲ ଷ୍ଟ୍ରାଇକର୍, ଭଲ କର୍ଣ୍ଣର ହାସଲକାରୀ ଓ ଜଣେ ଭଲ ଗୋଲ୍‌କିପର୍ ପାଇଛି। ତେଣୁ ସେମାନଙ୍କ ପାଖରେ ଆଗକୁ ଯିବା ପାଇଁ ସମସ୍ତ ଉପାଦାନ ରହିଛି।”

ତାଙ୍କ ବିଚାରରେ, ଭାରତ ପାଖରେ ଚାରି-ପାଞ୍ଚ ଜଣ ଭଲ ପେନାଲ୍ଟି କର୍ଣ୍ଣର ହାସଲକାରୀ ଅଛନ୍ତି, ଯେଉଁମାନେ ସ୍କୋର୍ କରିପାରିବେ। ସେମାନେ ଭାରତୀୟ ଟିମ୍‌ର ସବୁଠାରୁ ବଡ଼ ସାମର୍ଥ୍ୟ। ଭାରତୀୟ ଡ୍ରାଗ-ଫ୍ଲିକର୍ ହରମନ୍‌ପ୍ରୀତ ସିଂହଙ୍କୁ ସେ ପ୍ରଶଂସା କରିଛନ୍ତି।

ପୂର୍ବତନ ଡଚ୍ ପେନାଲ୍ଟି କର୍ଣ୍ଣର ବିଶେଷଜ୍ଞ ଆହୁରି ମଧ୍ୟ କହିଛନ୍ତି, “ଯଦି ସେମାନେ (ଭାରତୀୟ ଖେଳାଳି) ଅତି ଉତ୍ସାହୀ ଅଥବା ଆବେଗାତ୍ମକ ହୋଇଯାଆନ୍ତି, ତା’ହେଲେ ଏହା ଅଲଗା ହୋଇପାରେ। ଯଦି ସେମାନେ ନିଜ ଫୋକସ୍ ଜାରି ରଖନ୍ତି, ତା’ହେଲେ ସେମାନେ ଅଷ୍ଟ୍ରେଲିଆ ସହ ସବୁଠାରୁ ବଡ଼ ଦାବିଦାର ମଧ୍ୟରେ ରହିବେ।

ନେଦରଲାଣ୍ଡ୍ସ ମଧ୍ୟ ସର୍ବଦା ଭଲ ଟିମ୍। ସେମାନେ ପୂର୍ବ କେତୋଟି ଟୁର୍ଣ୍ଣାମେଣ୍ଟରେ ଅନେକ ଉନ୍ନତି କରିଛନ୍ତି, ଏଥିଲାଗି ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ମୁଁ ଆଶା କରୁଛି। ବେଲ୍‌ଜିୟମ୍, ଆର୍ଜେଣ୍ଟିନା ଓ ଇଂଲଣ୍ଡ ମଧ୍ୟ ଅପେକ୍ଷାକୃତ ଭଲ ଖେଳୁଛନ୍ତି। ତେଣୁ ଅତି କମ୍‌ରେ ଛଅ-ସାତ ଟିମ୍ ଅଛନ୍ତି, ଯେଉଁମାନେ ଶୀର୍ଷରେ ରହିପାରନ୍ତି।”

ସ୍ପେନ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ:

ପୁରୁଷ ହକି ବିଶ୍ୱକପ୍‌ର ୨୦୧୮ ସଂସ୍କରଣରେ ଟିମ୍ ସଂଖ୍ୟା ୧୬କୁ ବୃଦ୍ଧି ପାଇଥିଲା। ଏଥର ବି ୧୬ ଟିମ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ।

ବିଶ୍ୱ ମାନ୍ୟତାରେ ଥିବା ଷଷ୍ଠ ସ୍ଥାନରେ ଥିବା ଭାରତକୁ ବିଶ୍ୱକପ୍‌ରେ ପୁଲ୍-ଡି’ରେ ଇଂଲଣ୍ଡ, ସ୍ପେନ୍ ଓ ୱେଲ୍ସ ଭଳି ୟୁରୋପୀୟ ଟିମ୍ ସହିତ ରଖାଯାଇଛି। ଭାରତୀୟ ଟିମ୍ ଜାନୁଆରୀ ୧୩ରେ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ବିଶ୍ୱର ଅଷ୍ଟମ ଟିମ୍ ସ୍ପେନ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ।

ଏହାପରେ ଆୟୋଜକ ଟିମ୍ ୧୫ରେ ରାଉରକେଲା ଠାରେ ପଞ୍ଚମ ଟିମ୍ ଇଂଲଣ୍ଡ ଓ ୧୯ରେ ଭୁବନେଶ୍ୱର ଠାରେ ପଞ୍ଚଦଶ ଟିମ୍ ୱେଲ୍ସକୁ ଭେଟିବ। ଭୁବନେଶ୍ୱର ଠାରେ ୨୭ରେ ସେମିଫାଇନାଲ୍ ଓ ୨୯ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ପୁଲ୍-ଏ’ରେ ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ସାଉଥ୍ ଆଫ୍ରିକା; ପୁଲ୍-ବି’ରେ ଡିଫେଣ୍ଡିଂ ଚାମ୍ପିଅନ୍ ବେଲ୍‌ଜିୟମ୍, ଜର୍ମାନୀ, କୋରିଆ ଓ ଜାପାନ; ପୁଲ୍-ସି’ରେ ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ମାଲେସିଆ ଓ ଚିଲି ଟିମ୍ ରହିଛନ୍ତି।

ଡିଫେଣ୍ଡର୍ ହରମନ୍‌ପ୍ରୀତ ସିଂହଙ୍କୁ ଟିମ୍‌ର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଓଡ଼ିଶାର ଦୁଇ ଜଣ ଖେଳାଳି ୧୮ ଜଣିଆ ଭାରତୀୟ ଟିମ୍‌ରେ ସ୍ଥାନ ପାଇଛନ୍ତି। ସେଥିମଧ୍ୟରୁ ଡିଫେଣ୍ଡର ଅମିତ ରୋହିଦାସ ଉପ-ଅଧିନାୟକ ଦାୟିତ୍ୱ ତୁଲାଇବେ। ଅନ୍ୟତମ ଓଡ଼ିଆ ହେଲେ ଡିଫେଣ୍ଡର୍ ନୀଲମ ସଞ୍ଜୀପ ଖେସ୍। ଟିମ୍‌ରେ ଅଭିଜ୍ଞ ଓ ଯୁବ ଖେଳାଳିଙ୍କ ଉତ୍ତମ ସଂଯୋଜନା ରହିଛି। ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ୍ ରୀଡ୍ ଓ ଅଧିନାୟକ ହରମନ୍‌ପ୍ରୀତ ସିଂହ ବେଶ୍ ଆଶାବାଦୀ ଅଛନ୍ତି।ସମସ୍ତେ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। କମାଲ୍ କରିବ କି ଭାରତ?

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)