Advertisment

୨୦୨୩ ମହିଳା ଟି-୨୦ ବିଶ୍ୱକପ୍ ଜିତିପାରିବ କି ଭାରତ ?

ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୩ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଭାରତ ମୁକୁଟର ଦାବିଦାରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ତେବେ ଭାରତର ସମ୍ଭାବନା କେତେ? କ୍ଷୁଦ୍ରତମ ଫର୍ମାଟ୍‌ରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ବିଶ୍ୱ ଚାମ୍ପିଅନ୍ ହୋଇପାରିବ କି?

ଅଦ୍ୟତନ ହୋଇଛି
Cricket

Cricket

Advertisment

ଫେବ୍ରୁଆରୀ ୧୦ରୁ ଦକ୍ଷିଣ ଆଫ୍ରିକା ଠାରେ ଆରମ୍ଭ ହୋଇଯାଇଛି ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୩। ମହିଳା ଟି-୨୦ ବିଶ୍ୱକପ୍‌ର ଏହା ଅଷ୍ଟମ ସଂସ୍କରଣ।

Advertisment

ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଭାରତ ମୁକୁଟର ଦାବିଦାରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ତେବେ ଭାରତର ସମ୍ଭାବନା କେତେ? କ୍ଷୁଦ୍ରତମ ଫର୍ମାଟ୍‌ରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ବିଶ୍ୱ ଚାମ୍ପିଅନ୍ ହୋଇପାରିବ କି? ଏହାକୁ ନେଇ ଏବେ ଭାରତୀୟ କ୍ରିକେଟ୍ ମହଲରେ ଚର୍ଚ୍ଚା।

ମହିଳା ଟି-୨୦ ବିଶ୍ୱକପ୍ ଇତିହାସରେ ଏ ଯାବତ ହୋଇଥିବା ୭ ସଂସ୍କରଣ ମଧ୍ୟରେ ଅଷ୍ଟ୍ରେଲିଆ ସର୍ବାଧିକ ପାଞ୍ଚ ଥର ମୁକୁଟ ଜିତିଥିବା ବେଳେ ଇଂଲଣ୍ଡ ଓ ୱେଷ୍ଟ୍‌ଇଣ୍ଡିଜ୍ ଟିମ୍ ଥରେ ଲେଖାଏଁ ଚାମ୍ପିଅନ୍ ହୋଇଛନ୍ତି। ଭାରତ ୨୦୨୦ ସଂସ୍କରଣରେ ରନର୍ସଅପ୍ ହୋଇଥିବା ବେଳେ ୨୦୦୯, ୨୦୧୦ ଓ ୨୦୧୮ରେ ସେମିଫାଇନାଲ୍ ଯାଏଁ ଯାଇଥିଲା।

Advertisment

ଅଷ୍ଟ୍ରେଲୀୟ ଟିମ୍ ଡିଫେଣ୍ଡିଂ ଚାମ୍ପିଅନ୍। ଏହି ଟିମ୍‌ରେ ଅନେକ ଉଚ୍ଚ ସ୍ତରର ଖେଳାଳି ଅଛନ୍ତି। ଖୋଦ୍ ଅଧିନାୟିକା ମେଗ୍ ଲାନିଙ୍ଗ୍ ଜଣେ ଦମ୍‌ଦାର ବ୍ୟାଟର୍। ସେ ଟି-୨୦ ବିଶ୍ୱକପ୍‌ରେ ଟିମ୍ ପକ୍ଷରୁ ୨୩ ମ୍ୟାଚ୍ ଖେଳି ୮୪୩ ରନ୍ ସଂଗ୍ରହ କରିଛନ୍ତି।

ପାକିସ୍ତାନ ବିପକ୍ଷରେ ଭାରତର ଅଭିଯାନ:

ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେଉଥିବା ୧୦ ଟିମ୍‌କୁ ଦୁଇଟି ଗ୍ରୁପ୍‌ରେ ରଖାଯାଇଛି। ଗ୍ରୁପ୍-୧ରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ବାଂଲାଦେଶ ଟିମ୍ ରହିଥିବା ବେଳେ ଗ୍ରୁପ୍-୨ରେ ଇଂଲଣ୍ଡ, ଭାରତ, ୱେଷ୍ଟ୍‌ଇଣ୍ଡିଜ୍, ପାକିସ୍ତାନ ଓ ଆୟର୍ଲାଣ୍ଡ୍‌ ଟିମ୍ ରହିଛନ୍ତି।

Advertisment

ଭାରତୀୟ ଟିମ୍ ୧୨ରେ ସପ୍ତମ ମାନ୍ୟତାଧାରୀ ପାକିସ୍ତାନ ବିପକ୍ଷରେ ଟି-୨୦ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଟିମ୍ ଏହାପରେ ୧୫ରେ ୱେଷ୍ଟ୍‌ଇଣ୍ଡିଜ୍, ୧୮ରେ ଇଂଲଣ୍ଡ ଓ ୨୦ରେ ଆୟର୍‌ଲାଣ୍ଡ୍‌କୁ ଭେଟିବ। ପ୍ରତି ଗ୍ରୁପ୍‌ରୁ ଦୁଇ ଟପ୍ ଟିମ୍ ଅନ୍ତିମ-୪କୁ ଉନ୍ନୀତ ହେବେ। ୨୩ ଓ ୨୪ରେ ସେମିଫାଇନାଲ୍ ଏବଂ ୨୬ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଭାରତ କାହିଁକି ଦାବିଦାର:

ଆଇସିସି ମହିଳା ଟି-୨୦ ଟିମ୍ ମାନ୍ୟତାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପ୍ରଥମ ତିନି ସ୍ଥାନରେ ରହିଛନ୍ତି।

ଟପ୍-୩ ଟିମ୍ ଭଳି ଭାରତକୁ ମଧ୍ୟ ଟି-୨୦ ବିଶ୍ୱକପ୍‌ର ଦାବିଦାରଙ୍କ ମଧ୍ୟରେ ଗଣନା କରାଯାଉଛି। ଏହାର କାରଣ ହେଉଛି, ହରମନପ୍ରୀତ କୌରଙ୍କ ଟିମ୍‌ର ପ୍ରଦର୍ଶନ। ୨୦୨୨ ଜାନୁଆରୀରୁ ଏ ଯାବତ ଭାରତୀୟ ଟିମ୍ ମୋଟ ୩୦ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛି। ସେଥିମଧ୍ୟରେ ଟିମ୍ ୧୭ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଏହାଛଡ଼ା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତୀୟ ଟିମ୍ ରନର୍ସଅପ୍ ହୋଇଥିଲା।

ଟି-୨୦ ବିଶ୍ୱକପ୍ ଇତିହାସକୁ ଦେଖିଲେ, ଭାରତ ଅଦ୍ୟାବଧି ୩୧ ମ୍ୟାଚ୍ ଖେଳିଥିବା ବେଳେ ୧୭ରେ ଜିତିଛି ଏବଂ ୧୪ରେ ହାରିଛି। ପୂର୍ବତନ ଅଧିନାୟକ ମିତାଲୀ ରାଜ୍ (ଏବେ ଅବସରପ୍ରାପ୍ତ) ଟିମ୍‌ର୍ ଟପ୍ ସ୍କୋରର୍, ଯିଏକି ୨୪ ମ୍ୟାଚ୍ ଖେଳି ୭୨୬ ରନ୍ ସଂଗ୍ରହ କରିଛନ୍ତି । ବୋଲିଂରେ ପୁନମ୍ ଯାଦବ ସର୍ବାଧିକ ୨୮ ୱିକେଟ୍ ନେଇଛନ୍ତି। ବର୍ତ୍ତମାନର ଅଧିନାୟିକା ହରମନପ୍ରୀତ ୧୧ ୱିକେଟ୍ ନେବା ସହ ୪୫୮ ରନ୍ କରିଛନ୍ତି।

ଭାରତ ପାଇଁ ଏହି ବିଶ୍ୱକପ୍ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ, କାରଣ ଟିମ୍ କେବେ ବି ଚାମ୍ପିଅନ୍ ହୋଇପାରିନି। ୨୦୧୮ ସଂସ୍କରଣରେ ଭାରତୀୟ ଟିମ୍ ସେମିଫାଇନାଲ୍ ଯାଏଁ ଯାଇଥିବା ବେଳେ ୨୦୨୦ରେ ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲା। ଏଥର ବି ଟିମ୍ ଫାଇନାଲ୍‌କୁ ଯିବା ସହ ପ୍ରଥମ ଥର ଟ୍ରଫି ଉଠାଇବାର ଗୌରବ ଅର୍ଜନ କରିବ ବୋଲି ଆଶା ବାନ୍ଧିଛନ୍ତି ଭାରତୀୟ କ୍ରିକେଟ୍‌ପ୍ରେମୀ।

ତେବେ ଭାରତ ଆଗରେ କଡ଼ା ଆହ୍ୱାନ ରହିଛି। ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆ ଛଡ଼ା ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍‌ ଓ ୱେଷ୍ଟ୍‌ଇଣ୍ଡିଜ୍ ମଧ୍ୟ ଭାରତୀୟ ଟିମ୍‌କୁ କଡ଼ା ଟକ୍କର ଦେଇପାରନ୍ତି।

ନିକଟରେ ଶେଷ ହୋଇଥିବା ୧୯ ବର୍ଷରୁ କମ୍ ଟି-୨୦ ବିଶ୍ୱକପ୍‌ରେ ଟିମ୍‌ର ଉଲ୍ଲେଖନୀୟ ପ୍ରଦର୍ଶନ ଓ ମୁକୁଟ ବିଜୟ - ଭାରତୀୟ ମହିଳା କ୍ରିକେଟ୍‌ର ବିକାଶର ଏକ ବଳିଷ୍ଠ ଦୃଷ୍ଟାନ୍ତ। ଭାରତୀୟ ଟିମ୍ ଫାଇନାଲ୍‌ରେ ଇଂଲଣ୍ଡକୁ ଅପ୍ରତ୍ୟାଶିତ ଢଙ୍ଗରେ ହରାଇ ନିଜ ବର୍ଦ୍ଧିତ ସାମର୍ଥ୍ୟର ଏକ ନମୁନା ଉପସ୍ଥାପନ କରିଥିଲା। ଏହା ଦର୍ଶାଇଛି ଯେ ଭାରତୀୟ ମହିଳା କ୍ରିକେଟ୍‌ର ‘ଭବିଷ୍ୟତ’ ଉଜ୍ଜ୍ୱଳ ଏବଂ ‘ବର୍ତ୍ତମାନ’ ମଧ୍ୟ ଅନେକ ସମ୍ଭାବନାକୁ ବହନ କରି ଅଗ୍ରସର ହେଉଛି।

ଜୁନିଅର୍ ଟିମ୍‌ର ପ୍ରଦର୍ଶନ ସିନିଅର୍ ଟିମ୍‌ର ଉତ୍ସାହ ବର୍ଦ୍ଧନ କରିବ। ଜୁନିଅର୍ ଟିମ୍‌ର ଅଧିନାୟିକା ଶେଫାଲୀ ବର୍ମା ବି ଏହି ଟିମ୍‌ରେ ଅଛନ୍ତି।

ଟିମ୍‌ର କେଉଁ ଖେଳାଳିଙ୍କ ଉପରେ ରହିବ ନଜର:

ଭାରତୀୟ ଟିମ୍‌ରେ ଅନେକ ପ୍ରତିଭାଶାଳୀ ଖେଳାଳି ଅଛନ୍ତି, ଯେଉଁମାନଙ୍କ ଯୋଗୁଁ ଟିମ୍ ମୁକୁଟର ଦାବିଦାରଙ୍କ ମଧ୍ୟରେ ସ୍ଥାନ ପାଇପାରିଛି। ଚଳିତ ବର୍ଷ ଜାନୁଆରୀରେ ଆଇସିସି ଭାରତୀୟ ମହିଳା କ୍ରିକେଟର୍ ରେଣୁକା ସିଂହ ଠାକୁରଙ୍କୁ ‘ଏମର୍ଜିଂ ୱିମେନ୍ସ ପ୍ଲେୟାର୍ ଅଫ୍ ଦ ଇଅର’ ଭାବେ ମନୋନୀତ କରିଥିଲା।

ମିଡିୟମ୍ ପେସର୍ ରେଣୁକା ଅଷ୍ଟ୍ରେଲିଆର ଡାର୍ସି ବ୍ରାଉନ୍, ଇଂଲଣ୍ଡର ଏଲିସ୍ କାପ୍‌ସେ ଓ ନିଜ ଦେଶର ଯସ୍ତିକା ଭାଟିଆଙ୍କୁ ପଛରେ ପକାଇ ଏହି ପୁରସ୍କାର ଲାଭ କରିଥିଲେ। ଟି-୨୦ ବୋଲର୍ ମାନ୍ୟତାରେ ସେ ଅଷ୍ଟମ ସ୍ଥାନରେ ରହିଛନ୍ତି। ମାନ୍ୟତା ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଭାରତର ଅଭିଜ୍ଞ କ୍ରିକେଟର୍ ଦୀପ୍ତି ଶର୍ମା। ଅଲରାଉଣ୍ଡର୍ ମାନ୍ୟତାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଟପ୍-୧୦ ବୋଲର୍‌ଙ୍କ ମଧ୍ୟରେ ଆଉ ଜଣେ ଭାରତୀୟ ସ୍ନେହ ରାଣା (ଷଷ୍ଠ ସ୍ଥାନ) ମଧ୍ୟ ଅଛନ୍ତି। ତାଲିକାର ପ୍ରଥମ ଦୁଇ ସ୍ଥାନରେ ଇଂଲଣ୍ଡର ସୋଫି ଏକ୍ଲେଷ୍ଟୋନ୍ ଓ ଦକ୍ଷିଣ ଆଫ୍ରିକାର ନୋନ୍‌କୁଲୁଲେକୋ ମାଲବା ରହିଛନ୍ତି। ତିନି ବୋଲର୍ - ଦୀପ୍ତି, ରେଣୁକା ଓ ସ୍ନେହଙ୍କ ଠାରୁ ଭାରତୀୟ ଟିମ୍ ମ୍ୟାନେଜ୍‌ମେଣ୍ଟ୍‌ ବିଶ୍ୱକପରେ ଭଲ ପ୍ରଦର୍ଶନ ଆଶା କରିବ।

ବ୍ୟାଟରଙ୍କ ମଧ୍ୟରେ ଭାରତର ସ୍ମୃତି ମନ୍ଧାନା ତୃତୀୟ ଓ ଶେଫାଲୀ ବର୍ମା ଅଷ୍ଟମ ସ୍ଥାନରେ ଅଛନ୍ତି। ତାଲିକାରେ ଅଷ୍ଟ୍ରେଲିଆର ତାହଲିଆ ମ୍ୟାକ୍‌ଗ୍ର ପ୍ରଥମ ଓ ବେଥ୍ ମୁନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଅଧିନାୟିକା ହରମନପ୍ରୀତ କୌରଙ୍କ ସମେତ ସ୍ମୃତି ଓ ଯୁବ ତାରକା ଶେଫାଲୀଙ୍କ ଠାରୁ ଉତ୍ତମ ପ୍ରଦର୍ଶନର ଆଶା ରହିବ। ୨୬ ବର୍ଷୀୟା ସ୍ମୃତିଙ୍କୁ ଟିମ୍‌ର ଭବିଷ୍ୟତର ଅଧିନାୟିକା ଦୃଷ୍ଟିରୁ ମଧ୍ୟ ବିଚାର କରାଯାଉଛି। ସେ ଟୁର୍ଣ୍ଣାମେଣ୍ଟ୍‌ରେ ଟିମ୍‌ର ପ୍ରମୁଖ ବ୍ୟାଟର୍ ହୋଇପାରନ୍ତି।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

India Women Cricket Women T20 World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ