Advertisment

ଭାରତର ନିର୍ଭରଯୋଗ୍ୟ ଅଲ୍‌ରାଉଣ୍ଡର୍ ହୋଇପାରିବେ କି ଅକ୍ଷର

ବର୍ଡର-ଗାଭାସ୍କର ଟ୍ରଫିରେ ନିରନ୍ତର ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ଅକ୍ଷର ପଟେଲ୍। ବୋଲିଂରେ ସୁଯୋଗ ପାଇବା ସ୍ଥଳେ ନେଇଥିଲେ ଜରୁରୀ ୱିକେଟ୍। ଏବେ ଚର୍ଚ୍ଚା ହେଉଛି ଯେ ଭାରତର ନିର୍ଭରଯୋଗ୍ୟ ଅଲ୍‌ରାଉଣ୍ଡର୍ ହୋଇପାରିବେ କି ଅକ୍ଷର?

ଅଦ୍ୟତନ ହୋଇଛି
Can Axar become India's reliable all-rounder

Can Axar become India's reliable all-rounder

Advertisment

ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ଓ ଅଷ୍ଟ୍ରେଲିଆର ଅନେକ ଖେଳାଳି ଭିନ୍ନ ଭିନ୍ନ ସ୍ତରରେ ଉତ୍ତମ ପ୍ରଦର୍ଶନ କରିଥିଲେ। କିନ୍ତୁ ଜଣେ ନିର୍ଦ୍ଦିଷ୍ଟ ଖେଳାଳି ନିଜ ନିରନ୍ତର ବ୍ୟାଟିଂ ପ୍ରଦର୍ଶନକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି।

Advertisment

ବ୍ୟାଟିଂରେ ରୋହିତ ଶର୍ମା, ଶୁଭମନ ଗିଲ୍, ବିରାଟ କୋହଲି, ଉସ୍ମାନ ଖୱାଜା ହୁଅନ୍ତୁ ଅଥବା ବୋଲିଂରେ ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ନାଥନ୍ ଲାୟନ୍ - ଏହି ଟେଷ୍ଟ୍‌ ସିରିଜ୍‌ରେ ସେମାନେ ନିଜ ଛାପ ଛାଡ଼ିଥିଲେ। ଏହି ଖେଳାଳିମାନେ ଏମିତି କିଛି ଇନିଂସ୍ ଖେଳିଥିଲେ ଅଥବା ଏମିତି କିଛି ସ୍ପେଲ୍ ପକାଇଥିଲେ, ଯାହା ଫଳରେ ସେମାନଙ୍କ ଟିମ୍ ମ୍ୟାଚ୍ ଜିତିଥିଲା। କିନ୍ତୁ ଏହି ବ୍ୟାଟର୍ ବା ବୋଲର୍‌ମାନେ କ’ଣ କ୍ରମାଗତ ସବୁ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲେ?

ଯଦି ଆମେ ସିରିଜ୍‌ରେ ପ୍ରଦର୍ଶନରେ ନିରନ୍ତରତାକୁ ବିଚାରକୁ ନେବା, ତା’ହେଲେ ସେହି ଖେଳାଳିଙ୍କ ଉପରେ ନଜର ପକାଇବାକୁ ହେବ, ଯିଏ ନାଗପୁରର ସ୍ପିନିଂ ଟ୍ରାକ୍ ହେଉ ଅଥବା ଅହମଦାବାଦର ବ୍ୟାଟିଂ ଅନୁକୂଳ ପିଚ୍ - ସବୁ ପରିସ୍ଥିତିରେ ପୂର୍ଣ୍ଣ ଆତ୍ମବିଶ୍ୱାସ ଓ ସକାରାତ୍ମକତା ସହ ବ୍ୟାଟିଂ କରି ଉପଯୋଗୀ ରନ୍ ସଂଗ୍ରହ କରିଥିଲେ। ବୋଲିଂରେ ସୁଯୋଗ ପାଇବା ସ୍ଥଳେ ଜରୁରୀ ୱିକେଟ୍ ବି ନେଇଥିଲେ।

Advertisment

ସେ ହେଉଛନ୍ତି ଭାରତୀୟ ଅଲ୍‌ରାଉଣ୍ଡର୍ ଅକ୍ଷର ପଟେଲ୍। ଆଠ ନମ୍ବରରେ ବ୍ୟାଟିଂ କରି ବି ସେ ସିରିଜ୍‌ର ଟପ୍ ସ୍କୋରରଙ୍କ ମଧ୍ୟରେ ସାମିଲ୍ ହୋଇଥିଲେ।

ତେବେ ଆନ୍ତର୍ଜାତିକ କ୍ରିକେଟ୍‌ରେ ପ୍ରାୟ ଆଠ ବର୍ଷ ପୂର୍ବେ ଡେବ୍ୟୁ କରିଥିବା ଅକ୍ଷର ଆଜି ଯାଏଁ ଟେଷ୍ଟ, ଦିନିକିଆ କି ଟି-୨୦, କେଉଁଥିରେ ବି ନିଜ ସ୍ଥାନ ସୁରକ୍ଷିତ କରିପାରି ନାହାନ୍ତି। ପ୍ରକୃତରେ କ’ଣ ଅକ୍ଷର ଜଣେ ‘ଫିଲ୍-ଇନ୍’ ଖେଳାଳି, ଯିଏ କୌଣସି ବଡ଼ ଖେଳାଳିଙ୍କ ଅନୁପସ୍ଥିତିରେ ତାଙ୍କ ସ୍ଥାନରେ ଟିମ୍‌କୁ ଆସନ୍ତି ନା ଚୟନକାରୀ ଓ ଟିମ୍ ମ୍ୟାନେଜ୍‌ମେଣ୍ଟ୍‌ ତାଙ୍କ ପ୍ରତିଭା ସହ ସମ୍ପୂର୍ଣ୍ଣ ନ୍ୟାୟ କରି ନାହାନ୍ତି?

Advertisment

ବ୍ୟାଟିଂ କ୍ରମରେ ଅକ୍ଷରଙ୍କୁ ଉପରକୁ ନେବା ଆବଶ୍ୟକ:

ପ୍ରଥମେ ଏହି ସିରିଜ୍‌ରେ ଅକ୍ଷର ପଟେଲ୍‌ଙ୍କୁ ପ୍ରଦର୍ଶନ ଉପରେ ଦୃଷ୍ଟି ପକାଇବା। ସେ ଚାରି ମ୍ୟାଚ୍‌ରେ ପାଞ୍ଚ ଇନିଂସ୍ ଖେଳି ୮୮ ଆଭରେଜ୍‌ରେ ୨୬୪ ରନ୍ ସଂଗ୍ରହ କରିଥିଲେ। ସେ ଦୁଇ ଥର ନଟ୍ଆଉଟ୍ ରହିଥିଲେ ଏବଂ ସିରିଜ୍‌ରେ ତାଙ୍କ ଆଭରେଜ୍ ସର୍ବୋତ୍ତମ। ଖୱାଜା, କୋହଲି କି ରୋହିତଙ୍କ ଆଭରେଜ୍ ତାଙ୍କ ନିକଟତର ବି ନୁହେଁ।

ନାଗପୁରରେ ସେ ୮୪ ରନ୍ ସଂଗ୍ରହ କରିଥିଲେ। ସୁନୀଲ ଗାଭାସ୍କର ଓ ମାର୍କ ୱ’ଙ୍କ ସମେତ ଅନ୍ୟ କମେଣ୍ଟେଟର୍ ମଧ୍ୟ ଏହାକୁ ମ୍ୟାଚ୍-ବିଜୟୀ ଇନିଂସ୍ କହିଥିଲେ। ଯଦି ଅକ୍ଷର ଏହି ମ୍ୟାଚ୍‌ରେ ଶୀଘ୍ର ଆଉଟ୍ ହୋଇଯାଇଥା’ନ୍ତେ, ତା’ହେଲେ ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିବା କଷ୍ଟସାଧ୍ୟ ହୋଇଯାଇଥା’ନ୍ତା।

ଏହା ପର ମ୍ୟାଚ୍‌ରେ ସେ ୭୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ଉଭୟ ମ୍ୟାଚ୍‌ରେ ଭାରତର ନିମ୍ନକ୍ରମ ବ୍ୟାଟର୍ ଶୀର୍ଷକ୍ରମ ଠାରୁ ମଧ୍ୟ ଅଧିକ ରନ୍ କରିଥିଲେ, ଯେଉଁଥିରେ ଅକ୍ଷରଙ୍କ ସବୁଠାରୁ ବଡ଼ ଭୂମିକା ଥିଲା।

ପ୍ରଥମ ତିନି ମ୍ୟାଚ୍‌ରେ ସ୍ପିନିଂ ଟ୍ରାକ୍ ପ୍ରସ୍ତୁତ କରାଯାଇଥିଲା। ଏହି ପିଚ୍‌ରେ ବ୍ୟାଟିଂ କରିବା ବଡ଼ ବଡ଼ ବ୍ୟାଟରଙ୍କ ପାଇଁ କଷ୍ଟସାଧ୍ୟ ହୋଇଥିଲା। ଇନ୍ଦୋର ପିଚ୍‌ରେ ଭାରତୀୟ ଟିମ୍ ଖରାପ ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ମ୍ୟାଚ୍ ହାରି ଯାଇଥିଲା । କିନ୍ତୁ ଉଭୟ ଇନିଂସ୍‌ରେ ଅକ୍ଷର ଅପରାଜିତ ରହିଥିଲେ।

ଏବେ ପ୍ରଶ୍ନ ଉଠୁଛି ଯେ ଟିମ୍ ମ୍ୟାନେଜ୍‌ମେଣ୍ଟ ତାଙ୍କୁ ବ୍ୟାଟିଂ କ୍ରମରେ ଉପରକୁ ନେବା ଉଚିତ ନୁହେଁ କି? ସେ ସବୁ ଇନିଂସ୍‌ରେ ରନ୍ କରୁଛନ୍ତି ଏବଂ ପିଚ୍‌ରେ ପ୍ରଥମରୁ ହିଁ ସବୁଠାରୁ ଆଶ୍ୱସ୍ତ ଖେଳାଳି ଜଣାପଡ଼ୁଛନ୍ତି। ଏହାକୁ ମଧ୍ୟ ବିଚାରକୁ ନିଆଯିବା ଜରୁରୀ।

ଅକ୍ଷରଙ୍କ ତୁଳନାରେ ଲୋକେଶ ରାହୁଲ ଓ ଶ୍ରୀକର ଭରତ ଖୁବ୍ କମ୍ ରନ୍ କରିଥିଲେ। ଏପରିସ୍ଥଳେ ଟିମ୍ ମ୍ୟାନେଜ୍‌ମେଣ୍ଟ୍‌ ଅକ୍ଷରଙ୍କୁ ଉପରକୁ ପ୍ରମୋଟ୍ କରୁ ନାହିଁ କାହିଁକି?

ଅକ୍ଷର ସିରିଜ୍‌ରେ ସର୍ବାଧିକ ଆଭରେଜ୍‌ରେ ସ୍କୋର୍ କରିବା ସହିତ ସର୍ବାଧିକ ୯ ଛକା ମାରିଛନ୍ତି। ଏହା ଦର୍ଶାଉଛି ଯେ ସେ ପରିସ୍ଥିତି ଅନୁଯାୟୀ ବ୍ୟାଟିଂ କରିଥିଲେ ଏବଂ ଯେତେବେଳେ ଶୀଘ୍ର ୱିକେଟ୍ ପଡ଼ୁଥିଲା, ସେତେବେଳେ ଜଗିରଖି ଖେଳିଥିଲେ ଆଉ ଯେତେବେଳେ ଜୋର୍‌ରେ ରନ୍ କରିବାର ଆବଶ୍ୟକତା ପଡ଼ିଥିଲା, ସେ ଆଦୌ ହେଳା କରି ନ ଥିଲେ।

ଅହମଦାବାଦ ଟେଷ୍ଟ୍‌ରେ ମଧ୍ୟ ସେ ଶତକ ଆଡ଼କୁ ଅଗ୍ରସର ହେଉଥିଲେ ଏବଂ ଟିମ୍ ପାଇଁ ସ୍କୋରିଂ ରେଟ୍ ବଢ଼ାଇବା ପ୍ରୟାସରେ ବ୍ୟକ୍ତିଗତ ୭୯ ରନ୍‌ରେ ଆଉଟ୍ ହୋଇଥିଲେ।

ଅନ୍ୟପଟେ, ଅକ୍ଷର ଜଣେ ବୋଲିଂ ଅଲ୍‌ରାଉଣ୍ଡର୍ ହୋଇଥିଲେ ହେଁ ତାଙ୍କୁ ବେଶୀ ଓଭର୍ ବୋଲିଂ କରିବାକୁ ଦିଆଯାଇ ନ ଥିଲା । ଟିମ୍‌ରେ ଅଶ୍ୱିନ ଓ ଜାଡ଼େଜାଙ୍କ ଯୋଡ଼ି ଥିବାବେଳେ ତୃତୀୟ ସ୍ପିନର୍‌ଙ୍କୁ ବେଶୀ ସୁଯୋଗ ମିଳେ ନାହିଁ। ମନେହୁଏ ସତେଯେମିତି ଅକ୍ଷରଙ୍କ ବୋଲିଂ ଦକ୍ଷତା ଉପରେ ଟିମ୍ ମ୍ୟାନେଜ୍‌ମେଣ୍ଟ୍‌ର ବେଶୀ ଭରସା ନାହିଁ।

ଅକ୍ଷର ୨୦୧୪ରେ ଦିନିକିଆ ଆନ୍ତର୍ଜାତିକରେ ଡେବ୍ୟୁ କରିଥିଲେ। ୨୦୧୫ରେ ପ୍ରଥମ ଟି-୨୦ ଆନ୍ତର୍ଜାତିକ ଏବଂ ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ୍‌ ଖେଳିଥିଲେ।

ଆନ୍ତର୍ଜାତିକ କ୍ରିକେଟ୍‌ରେ ସେ ୪୯ ଦିନିକିଆ ଖେଳି ୫୬ ୱିକେଟ୍ ନେବା ସହ ୩୮୧ ରନ୍ ସଂଗ୍ରହ କରିଥିବା ବେଳେ ୪୦ ଟି-୨୦ ଖେଳି ୩୭ ୱିକେଟ୍ ନେବା ସହ ୨୮୮ ରନ୍ କରିଛନ୍ତି । ଏହାଛଡ଼ା ଟେଷ୍ଟରେ ସେ ମାତ୍ର ୧୨ ମ୍ୟାଚ୍ ଖେଳି ୩୬.୬ ଆଭରେଜ୍‌ରେ ୫୧୩ ରନ୍ କରିଛନ୍ତି ଏବଂ ୫୦ ୱିକେଟ୍ ନେଇଛନ୍ତି।

ଅକ୍ଷରଙ୍କ ଭିତରେ ଯେ ପ୍ରତିଭା ଅଛି, ଏଥିରେ କାହାର ସନ୍ଦେହ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ସିରିଜ୍ ହେଉ ବା ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟ୍‌, ସେ ନିଜ ପ୍ରତିଭାର ପ୍ରଦର୍ଶନ କରିସାରିଛନ୍ତି। ସେ ଭାରତର ନିର୍ଭରଯୋଗ୍ୟ ଅଲ୍‌ରାଉଣ୍ଡର୍ ହୋଇପାରିବେ। ଏହାକୁ ସାବ୍ୟସ୍ତ କରିବା ପାଇଁ ସେ ପ୍ରୟାସ କରିଛନ୍ତି ଏବଂ ଅନେକାଂଶରେ ସଫଳ ହୋଇଛନ୍ତି।

ତେବେ ଅକ୍ଷରଙ୍କ ପ୍ରତିଭାର ସଦୁପଯୋଗ ହେବା ଦରକାର। ତାଙ୍କୁ ଅଧିକ ସୁଯୋଗ ମିଳିବା ଦରକାର। ପ୍ରତିଭାଶାଳୀ ଅକ୍ଷରଙ୍କୁ ମଧ୍ୟ ସବୁ ପରିସ୍ଥିତିର ସାମ୍ନା କରିବା ପାଇଁ ନିଜ ଫର୍ମ ଓ ଫିଟ୍‌ନେସ୍ ବଜାୟ ରଖିବାକୁ ହେବ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Cricket Axar Patel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ